Unknown

 

 

 

 

 

 

 

 

 

 

 

ନିଷଧେଶ୍ୱର

ଶ୍ରୀ ଅଭିମନ୍ୟୁ ପଟ୍ଟନାୟକ

 

ଓଁ ଶ୍ରୀଶଶ୍‌ଶରଣଂ

ମନ୍ତବ୍ୟ

 

ଆଜିକାଲି ଉତ୍କଳରେ ଯେତେ ପୁସ୍ତକ ପ୍ରକାଶିତ ହେଉଅଛି, ତନ୍ମଧ୍ୟରୁ ଶତକରା ତିରିଶି ଖଣ୍ଡ ମୂଲ୍ୟହୀନ ପୁସ୍ତକ କହିଲେ ଚଳେ । ଭାଷା ଏବଂ ଭାବ ପ୍ରତି ଦୃଷ୍ଟି ନଦେଇ ଛାପାକାର ବହି ଲେଖି ନଛପାଇ ଛ ପାହି ଦେଇ ଛପାଇଦେଇ ତ୍ରପା ଛାଡ଼ି ଖପାକୁ ନ ମାନି ପ୍ରଚାର କରିବାଦ୍ୱାରା ଉତ୍କଳସାହିତ୍ୟାକାଶରେ ନିଷ୍ପ୍ରଭ ନକ୍ଷତ୍ର ସଂଖ୍ୟା ବୃଦ୍ଧି କରାଯାଉଅଛି ବୋଲି ମୋର ବିଶ୍ୱାସ । ‘ନିଷଧେଶ୍ୱର କାବ୍ୟ’ ଏ ଭଳି ପୁସ୍ତକମାନଙ୍କଠାରୁ ସମ୍ପୂର୍ଣ୍ଣ ପୃଥକ । ଏହି ପୂତ କାବ୍ୟଟି ସୁବିବେକବାନ୍‍ କବିଙ୍କ ମୁଖରୁ ଅବିକଳ ଭାବେ ଶୁଣିବା ସୁବିଧା ଲଭିଥିଲି । କାବ୍ୟର ପ୍ରତି ସର୍ଗ, ଭାବ, ଅଳଙ୍କାର ଓ ଶବ୍ଦ ବିନ୍ୟାସ ଛଟାରେ ମଣ୍ଡିତ ହୋଇଅଛି । କବି ଅନେକଗୁଡ଼ିଏ ପୁସ୍ତକରତ୍ନ ଉତ୍କଳ ସାହିତ୍ୟ କୋଷାଗାରକୁ ପ୍ରଦାନ କରିଥିଲେହେଁ ‘ନିଷଧେଶ୍ୱର କାବ୍ୟ’ ଉକ୍ତ ଭଣ୍ଡାରରେ ମହୋଜ୍ଜ୍ୱଳ ପୁସ୍ତକ ରତ୍ନ ରୂପେ ବିରାଜିବ, ଏଥିରେ ଦ୍ୱିରୁକ୍ତି ନାହିଁ । ନୀତି ଅଛି, ‘କୀର୍ତ୍ତିରକ୍ଷରସଂବନ୍ଧାସ୍ଥିରାଭବତିଭୂତଳେ’ ମାତ୍ର କବି କବି ଉପାଧି ଲାଳସୀ ହୋଇ ପୁସ୍ତକମାନ ଲେଖି ନାହାନ୍ତି । ତାଙ୍କ ହୃଦୟର ଐଶୀ ଶକ୍ତି ବାଣୀଠାକୁରାଣୀଙ୍କ ପଦଜୀବନଜାର୍ଚ୍ଚନାରେ ପାଣିକି ନିଯୋଜିତ କରାଇ, ସୁନ୍ଦର ସୁନ୍ଦର ଭାବ ଆଣି ଭାଷା ଆଣି ବୃଦ୍ଧି କରାଇ ଅଛନ୍ତି । ଆଉ ଗୋଟିଏ ବିଶେଷତ୍ୱ ଏହିକି, ତଟିନୀଶ୍ୱରା-ସୁର-ଧୁନିର ନୀରବ ସ୍ୱଚ୍ଛ ଓ ସୁଧା ଆଣି ହାଣିବା ଭାବପୂର୍ଣ୍ଣ । ନାୟକ ନାୟିକାଙ୍କ ଚରିତ୍ର ଚିତ୍ରିତ କାବ୍ୟ କାଞ୍ଚନରେ ଅମୂଲ୍ୟ ନୀତିରତ୍ନାବଳୀ କବି ସଂଯୁକ୍ତ କରିଥିବାରୁ, ଉତ୍କଳ ସାହିତ୍ୟାନ୍ତରୀକ୍ଷରେ ପୁସ୍ତକଟି ସମୁଜ୍ଜ୍ୱଳ ନକ୍ଷତ୍ର ରୂପେ ଶୋଭୁଥିବ । ପ୍ରକାଶ ଥାଉକି ଶୌରିପଦୀ ସୌରୀ ମିଳନବତ୍‍ ପୁସ୍ତକରେ ପ୍ରାଚୀନ ଓ ଆଧୁନିକ ବର୍ଣ୍ଣନାଗୁଡ଼ିକ ଅବିରୋଧ ଭାବେ ରହିଥିବାରୁ ପାଠକବୃନ୍ଦଙ୍କ ପରମାହ୍ଲାଦକର ହେବ, ସନ୍ଦେହ ନାହିଁ । ଇତି ।

 

ପୁଟୁଗ୍ରାମ-ଧରାକୋଟ

ଶ୍ରୀ ଶ୍ୟାମସୁନ୍ଦର ଦାସ ଗୋସ୍ୱାମୀ

ଶ୍ରୀ ରାମଚନ୍ଦ୍ର ଦେବ

ପଦ୍ୟାଳଙ୍କାର,

ମହାରାଜଙ୍କ ଅ ୧୮ ଙ୍କ

ସମ୍ପାଦକ

ବୃକ୍ଷ ଦି ୩ ନ

‘ବିନାୟକ ପାଠାଗାର’

☆☆☆

 

ଅଭିମତ

 

ମହାଭାରତୀୟ ଉପାଖ୍ୟାନ ନଳ ଚରିତକୁ ଆଧୁନିକ କାବ୍ୟ ଆକାରରେ ରୂପ ଦେଇ ‘ନିଷଧେଶ୍ୱର’ ନାମିତ କ୍ଷୁଦ୍ର କାବ୍ୟ ଖଣ୍ଡି ଲେଖା ଯାଇଛି । ବୃଦ୍ଧକବି ଶ୍ରୀଯୁକ୍ତ ପଟ୍ଟନାୟକ ମହାଶୟ ତାଙ୍କ ଲିଖିତ ଅନ୍ୟାନ୍ୟ ଲେଖାଠାରୁ ଏହି ବହିଟିରେ ଏତିକି ମାତ୍ର ବିଶେଷତା ରଖିପାରିଛନ୍ତି । ଲେଖକ କବି ହୃଦୟ ଅଥଚ ସିଦ୍ଧହସ୍ତ ଥିବାର ଆମ୍ଭେ ତାହାଙ୍କ ଲିଖିତ ‘ବାଳବିକ୍ରମ’ ଓ ‘ଋତୁସଂହାର’ ପ୍ରଭୃତି ଲେଖାରୁ ଅନୁଭବ କରିପାରିଛୁ । ଶଂସିତ ବହିଟିରେ ଏସବୁ ସର୍ଭେ କେତେକ ନୂତନତା ଆମ୍ଭେ ଦେଖିବାକୁ ପାଉଁ । ଅଳଙ୍କାର ସଂଯୋଗ ଏପରି ନୂତନ ଓ ଚତ୍ମକାର ଯେ; ବାସ୍ତବିକ ତାହା ସାହିତ୍ୱିକ ସମାଜର ସମାଦରଣୀୟ ଅଟେ । ଏବଂ ତାହା ପଢ଼ିବା ମାତ୍ରେ ମନେହୁଏ, ଉତ୍କଳ ସାହିତ୍ୟ ନିଜର ପରିପୁଷ୍ଟି ଲାଗି ଲେଖକଙ୍କଠାରୁ ଅନେକ ଆଶା କରିଛି । ପୌରାଣିକ ଆଖ୍ୟାନକୁ ସାହିତ୍ୟ ଓ ଆଧ୍ୟାତ୍ମିକ ମତବାଦର ସୁଦୃଢ଼ ପତ୍ତନ ଉପରେ ଠିଆ କରାଇବାରେ କବିଙ୍କର ନୈପୁଣ୍ୟ ଅନନ୍ୟ ସାଧାରଣ ଅଟେ । ଲେଖକ ଜଣେ ଅବସାରପ୍ରାପ୍ତ ଡେପୁଟିକଲେକ୍ଟର । ଦାୟିତ୍ୱପୂର୍ଣ୍ଣ କର୍ମକ୍ଷେତ୍ରରୁ ଅବସର ନେଇ ଚତୁର୍ଥ ଜୀବନରେ ସାହିତ୍ୟ କ୍ଷେତ୍ରରେ ସାହସ ଧରି ଅବତୀର୍ଣ୍ଣ ହେବା କ୍ୱଚିତ୍‌ ଦେଖାଯାଏ । ଅଥଚ ସେହି କ୍ଷେତ୍ରରେ ପଟୁତା ଦର୍ଶାଇ ପାରିବା ତା’ଠାରୁ ବଳି ବିରଳ, ଏହା ଅବିସଂବାଦିତ ସତ୍ୟ । ଏସବୁ ଦୃଷ୍ଟିରେ ଆଶା କରାଯାଏ କବିଙ୍କର ଲେଖାଗୁଡ଼ିକ ଉତ୍କଳ ଭାରତୀଙ୍କର ପୂଜା ପୀଠରେ ଗୋଟିଏ ସୁନ୍ଦର ଉପଚାରର ସ୍ଥାନ ଅଧିକାର କରିବ । ଇତି ।

 

ଧରାକୋଟ,

ଶ୍ରୀ ହରିହର ମିଶ୍ର କାବ୍ୟତୀର୍ଥ

ତା ୧୧-୫-୧୯୪୧

ଓଡ଼ିଶା ସଂସ୍କୃତ ପରିଷତ୍‌ ସଭ୍ୟ

☆☆☆

 

ଅଭିମତ

 

ପରଗୁଣ ପରମାଣୃନ୍‌ ପର୍ବତୀକୃତ୍ୟନିତ୍ୟଂ

ନିଜହୃଦି ବିକସନ୍ତଃ ସନ୍ତି ସନ୍ତଃ କିୟନ୍ତଃ

 

ଶ୍ରୀଯୁକ୍ତ ଅଭିମନ୍ୟୁ ପଟ୍ଟନାୟକଙ୍କ ବିରଚିତ ନିଷଧେଶ୍ୱର କାବ୍ୟର ପାଣ୍ତୁଲିପି ପ୍ରାରମ୍ଭରୁ ଅଷ୍ଟମ ସର୍ଗ ପର୍ଯ୍ୟନ୍ତ, ସପ୍ତଦଶ ଓ ଅଷ୍ଟାଦଶ ସର୍ଗମାନଙ୍କରୁ କିୟଦ୍ଦଂଶ ମୁଁ ଶ୍ରବଣ କରି ସବିଶେଷ ତୃପ୍ତି ଲାଭ କରିଅଛି । ନିଷଧେଶ୍ୱରଙ୍କ ଚରିତ ବୁଝାଉ ଥିବାରୁ କାବ୍ୟଟିର ନାମ ନିଷଧେଶ୍ୱର ପରିବର୍ତ୍ତନରେ ନୈଷଧେଶ୍ୱର ରହିବା ବାଞ୍ଛନୀୟ ମନେକଲି । ଏହି କାବ୍ୟ ରଚନାରେ ରଚୟିତା କୌଣସି ସଂଦର୍ଭର ଛାୟାକୁ ଆଶ୍ରୟ କରି ନାହାନ୍ତି । ଏହାର ଭାଷା ସରଳ, ସୁବୋଧ୍ୟ ଏବଂ ଭାବ ମଧ୍ୟ ଚିତ୍ତାକର୍ଷକ ହୋଇଅଛି । ଅନେକ ସ୍ଥାନରେ ଅଭିନବ ଉପମାଦି ଅଳଙ୍କାର ଦେଖାଦେଇ କବିଙ୍କର ସ୍ୱକପୋଳକଳ୍ପିତତାକୁ କାବ୍ୟଟି ବୁଝାଇ ଦେଉଅଛି । କାବ୍ୟଟି ନଳଙ୍କର କୀର୍ତ୍ତନରେ ପରିପୂର୍ଣ୍ଣ ଥିବାରୁ,–‘‘କର୍କୋଟକସ୍ୟ ନାଗସ୍ୟ ଦମୟନ୍ତ୍ୟାନଳସ୍ୟଚ । ଋତୁପର୍ଣ୍ଣସ୍ୟ ରାଜର୍ଷେଃ କୀର୍ତ୍ତନଂ କଳିନାଶନଂ’’–ଏହି ବାକ୍ୟାନୁସାରେ କଳିମଳ ବିନାଶକ ହେବା ଅସମ୍ଭବ ନୁହେଁ । କାବ୍ୟଟିରେ ଉପାଦେୟ ଭାବ ଅକ୍ଷୁଣ୍ଣ ଥିବାରୁ, ଭଗବତ୍‌ ପରାୟଣତାର ପରିଚୟ ସର୍ବତ୍ର ସୁଲଭ ହେଉଥିବାରୁ କବିଙ୍କୁ ଭକ୍ତ କବି ଉପାଧି ନଦେଇ ମୁଁ ଅବସର ଗ୍ରହଣ କରିପାରୁ ନାହିଁ । ଏହି କବି ଆଜ ସୁଦ୍ଧା ପ୍ରାୟ ଉନବିଂଶ ଖଣ୍ଡି ପୁସ୍ତକ ରଚନା କରି ଉତ୍କଳ ଭାଷା ଭାରତୀ ଭଣ୍ଡାରକୁ ବିଭୂଷିତ କରିଅଛନ୍ତି । ତନ୍ମଧ୍ୟରୁ ଏହି କାବ୍ୟଟି ସମାଜ ସମାଦରର ପ୍ରଥମ ସ୍ଥାନ ଅଧିକାର କରିବ, ଏହା ମୋର ସମ୍ପୂର୍ଣ୍ଣ ଆଶା । ଏହି କାବ୍ୟରେ ମନୁଷ୍ୟସୁଲଭ କୌଣସି ଦୋଷ ଧରାଯାଇ ନପାରେ । ଯେହେତୁ କାବ୍ୟଟିର ଗୁଣ ଗମ୍ଭୀରତା ବହୁଳ ଭାବେ ବିଦ୍ୟମାନ । ‘‘କାବ୍ୟେ ବହୁଗୁଣାକୀର୍ଣ୍ଣେ ଦୋଷଂ ପଶ୍ୟତି ଦୁର୍ମତିଃ । ବନେ ବହୁଫଳାକୀର୍ଣ୍ଣେ ପୁରୀଷମୀବ ଶୂକରଃ ।’’ ପରିଶେଷରେ ମୋର ଆଶଂସା ଏହି ଯେ ଅବିଳମ୍ବେ କାବ୍ୟଟି ଉପରିତନ ଅଧିକାରୀମାନଙ୍କ ନେତ୍ରପାତକୁ ସାଦର ଆମନ୍ତ୍ରଣ କରି ପ୍ରତ୍ୟେକ ପାଠଶାଳାମାନଙ୍କରେ ପାଠ୍ୟ ଭାବେ ପରିଣତ ହେଉ । ଇତି ଶଂ ।

 

୨୭-୫-୪୧

ପଣ୍ଡିତ ଲକ୍ଷ୍ମୀଚରଣ ବିଦ୍ୟାଳଙ୍କାର

ପଟ୍ଟଲଲାମପୁର

ପ୍ରହରାଜ

☆☆☆

 

ମନ୍ତବ୍ୟ

 

ସ୍ୱନାମଧନ୍ୟ ଉତ୍କଳରେ ସୁପରିଚିତ ଅବସରପ୍ରାପ୍ତ ଡିପୋଟି କଲେକ୍‌ଟର ଶ୍ରୀମାନ୍‌ ଅଭିମନ୍ୟୁ ପଟ୍ଟନାୟକ ମହାଶୟଙ୍କ ସଂଶ୍ରବରେ ପ୍ରାୟ ମୁଁ ବାଇଶି ବର୍ଷ ହେଲା ଆସୁଛି । ମୋର ଦେଖାହେବା ପୂର୍ବରୁ ତାଙ୍କର କବିତାପାଟବ ଯଥେଷ୍ଟ ଥିଲା । ଯେହେତୁ ତାଙ୍କର ପ୍ରଥମ ଦେଖାରେ ତାଙ୍କ ରଚିତ ‘କମଳିନୀ ଜଣାଣ’ ନାମକ ଖଣ୍ଡିଏ ପୁସ୍ତିକା ମୁଁ ଉପହାର ସ୍ୱରୂପ ପାଇଥିଲି । ତା’ପରେ ଛତ୍ରପୁର ଅବସ୍ଥାନ ବେଳେ ସରକାରୀ କାର୍ଯ୍ୟରେ ନିଯୁକ୍ତ ଥାଇ ସୁଦ୍ଧା ସେ ମହାଶୟ ନାନାଦି ବିକ୍ଷିପ୍ତ କବିତାବଳୀ ଲେଖିବାକୁ ଆରମ୍ଭ କଲେ । ମୁଁ ସେତେବଳେ ସେ କବିତା ବାଳିକାଗଣଙ୍କର ଧାତ୍ରୀ ସ୍ୱରୂପ ଥିଲି କହିଲେ ଚଳେ । କିଛି ସମୟ ପରେ ସେ ମହାଶୟ ସରକାରୀ କାର୍ଯ୍ୟରୁ ସସମ୍ମାନ ଅବ୍ୟାହତି ପାଇ କବିତାପ୍ରସୂ ଭଞ୍ଜଭୂମିର ଅଧୁନାତନ ପ୍ରଧାନତମସ୍ଥାନ ରସୁଲକୁଣ୍ଡାରେ ନିଭୃତ କକ୍ଷରେ ରହି, ବାଗଦେବୀ ଆରାଧନାରେ ନିବିଷ୍ଟ ହେଲେ । ଉକ୍ତ ମହାଶୟ ଆଜି ସୁଦ୍ଧା ୧୯ ଖଣ୍ଡ ବହି ଓଡ଼ିଆ ଭାଷାରେ ରଚନା କଲେଣି । କବି ମହାଶୟଙ୍କର ଚାତୁରୀ ନିଶ୍ଚୟ ଧନ୍ୟ । ଯତଃ–‘‘ଯାଲୋକଦ୍ୱୟସାଧିନୀ ତନୁଭୃତାଂ ସା ଚାତୁରୀ ଚାତୁରୀ ।’’ ପୁନଃ ‘‘କୀର୍ତ୍ତିରକ୍ଷର ସମ୍ବନ୍ଧା ସ୍ଥିରା ଭବତି ଭୂତଳେ ।’’ ତଥାଚ ଶ୍ରୁତିଃ ‘‘ଏକଃ ଶବ୍ଦଃ ସମ୍ୟକ୍‌ ଜ୍ଞାତଃ ସୁପ୍ରଯୁକ୍ତଃ ସ୍ୱର୍ଗେ ଲୋକେ କାମଧୁରା ଭବତି ।’’

 

ମହର୍ଷି ବାଲ୍ମୀକି, ବ୍ୟାସ ମହାକବି ଶ୍ରୀହର୍ଷ, କାଳିଦାସ ପ୍ରଭୃତି ମହାତ୍ମାଗଣ ପୁଣ୍ୟଶ୍ଳୋକ ନଳମହାରାଜାଙ୍କ ଚରିତକୁ ସଂସ୍କୃତ ଭାଷାରେ ଲିପିବଦ୍ଧ କରିଥିଲେ ସୁଦ୍ଧା ଅନେକ ବିଭିନ୍ନ ପ୍ରାଦେଶିକ କବି ନିଜ ନିଜର ମାତୃ ଭାଷାରେ ସେହି ପୂତ ନଳ ଚରିତକୁ ଅବଲମ୍ବନ କରି ଅନେକ କାବ୍ୟ ଲେଖୁଅଛନ୍ତି । ତଥାପି ତାହା ଜନମନ ଶ୍ରବଣ ଆକର୍ଷଣ କରୁଅଛି, ଯେହେତୁ ‘‘ସୁନ୍ଦରେ ତୃପ୍ତିର ଅବସାଦ ନାହିଁ ।’’ ନଳମହାରାଜାଙ୍କ ଚରିତ କେବଳ ସୁନ୍ଦର ନୁହେଁ, ଅଥଚ ପବିତ୍ରକର । ଯଥା–

 

‘‘କର୍କୋଃ କସ୍ୟ ନାଗସ୍ୟ ଦମୟନ୍ତ୍ୟାନଳସ୍ୟଚ ।

ଋତୁପୂର୍ଣ୍ଣସ୍ୟରାଜର୍ଷେଃ କୀର୍ତ୍ତନଂ କଳିନାଶନଂ ।’’

 

ଅଧୁନା କବି ଅଭିମନ୍ୟୁ ପଟ୍ଟନାୟକ ମହାଶୟ ସେହି ଜଗତ୍ପାବନ ନଳଚରିତକୁ ନେଇ ‘ନିଷଧେଶ୍ୱର’ ନାମକ ଗୋଟିଏ କାବ୍ୟ ରଚନା କରିଅଛନ୍ତି । କାବ୍ୟ ଖଣ୍ଡିକର ପାଣ୍ଡୁଲିପି ପଢ଼ିବାର ସୁଯୋଗ ମତେ ମିଳିବାରୁ ମୁଁ ମନୋନିବେଶ ସହକାରେ ତାହା ଥରେ ଆମୂଳଚୂଳ ପାଠ କଲି । ଏହାର ଭାଷା ପ୍ରାଚୀନ କବିମାନଙ୍କ ଭାଷାର ଅନୁରୂପ ହେଲେହେଁ, କବି ନବ୍ୟ ପ୍ରାଚୀନର ସମ୍ମେଳନ ସୁନ୍ଦର ଭାବେ କରିପାରିଅଛନ୍ତି । ଏହା ଅଷ୍ଟାଦଶ ସର୍ଗରେ ବିଭକ୍ତ ହୋଇ ମହାକାବ୍ୟ ଲକ୍ଷଣରେ ଲକ୍ଷିତ ହୋଇଅଛି । କୌଣସି ସଂସ୍କୃତ ବା ଉତ୍କଳ କବିଙ୍କର ଭାବ ଭାଷାର ଅନୁକରଣରେ ଏହା ଲେଖା ହୋଇନାହିଁ । କବିଙ୍କର ଏହାହିଁ ବିଶେଷତ୍ୱ । ସେ କେବେ କାହାକୁ ଅନୁକରଣ ବା ଅନୁସରଣ କରିବା ଜାଣନ୍ତି ନାହିଁ । ତଥାପି ନିଜ ହୃଦୟୋତ୍‌ଥିତ ନୂତନ ଭାବରାଶି, ନବ ନବ ଶବ୍ଦବିନ୍ୟାସ ପରମ୍ପରା, କାବ୍ୟଶୋଭାବର୍ଦ୍ଧକ ଅଳଙ୍କାର ଶ୍ରେଣୀରେ କାବ୍ୟଟିକି ସୁନ୍ଦର ଭାବେ ମଣ୍ଡିତ କରିପାରିଅଛନ୍ତି । ଯେଉଁ ସ୍ଥାନରେ ତାଙ୍କ ହୃଦୟରେ ଯେଉଁ ଭାବ ଉଦୟ ହୋଇଅଛି, ତାକୁ ନୀତିପୂର୍ଣ୍ଣ ଭାବରେ ପ୍ରକାଶ କରିଅଛନ୍ତି । ସୁତରାଂ କାବ୍ୟଟି ମନୋରମ ଓ ଉପାଦେୟ ହୋଇଅଛି ।

 

ଉପସଂହାରରେ ଏତିକି କୁହାଯାଇ ପାରେ ଯେ, ‘‘ଭିନ୍ନ ରୁଚିର୍ହି ଲୋକଃ’’ ଏହି ଉକ୍ତଟିର ଯଥାର୍ଥ ତତ୍ତ୍ୱ କବି ଉପଲବ୍‌ଧି କରି ନିଜର ପବିତ୍ର କର୍ତ୍ତବ୍ୟ ମାର୍ଗରେ ପଥିକ ହୋଇ ଅଛନ୍ତି, ଏହାହିଁ ଆନନ୍ଦର ବିଷୟ । ଇତି ।

 

ଓଡ଼ିଆ ସି. ପଣ୍ଡିତ,

ଶ୍ରୀ ପ୍ରଭାକର ମିଶ୍ର କାବ୍ୟତୀର୍ଥ

ଛତ୍ରପୁର ହାଇସ୍କୁଲ

୧୫-୧୧-୦୧

ଗଞ୍ଜାମ

 

☆☆☆

 

ନିବେଦନ

 

ଏହି କାବ୍ୟ ମୁଦ୍ରଣରେ ସ୍ଥାନେ ସ୍ଥାନେ ଭ୍ରମ ରହିଯାଇଥିବା ଯୋଗୁଁ ଶେଷ ଭାଗରେ ଶୁଦ୍ଧିପତ୍ର ଖଣ୍ଡିଏ ଦିଆଗଲା । ସହୃଦୟ ପାଠିକା ପାଠକଙ୍କ ଦୃଷ୍ଟି ଆକର୍ଷଣ କରୁଁ ।

☆☆☆

 

ନିଷଧେଶ୍ୱର

 

କୃପାସିନ୍ଧୁ, ଦୀନବନ୍ଧୁ, ସିନ୍ଧୁ-ଜେମା ବନ୍ଧୁ

ମନ୍ଦରଧାରୀ-ସିନ୍ଦୁରାନନା-କପି, ବନ୍ଧୁ

ମନ୍ଦ-କପାଳ ବଶତଃ ମୋରେ କି ଅବନ୍ଧୁ

ହୋଇ ନ ପ୍ରଦାନ ଥରେ କୃପା-ଜଳବିନ୍ଦୁ ।

ବୃନ୍ଦାରକ-ବୃନ୍ଦ-ବନ୍ଦ୍ୟ-ପାଦାମ୍ବୁଜ ଦ୍ୱନ୍ଦୁଁ

କ୍ଷରିତ ମକରନ୍ଦେ ମୋ ମନାଳିନ୍ଦ ଫନ୍ଦୁ ।

ବନ୍ଦ୍ୟ-ଦେବ ସବନ୍ଦନା ବନ୍ଦାପନା ଯୋଗେ

ଯୋଗ ଯୋଗାଡ଼ କରିବେ ମୋ ପାଇଁ ସରାଗେ ।

☆☆☆

 

ଉପକ୍ରମ

ରାଗ–ବଙ୍ଗଳାଶ୍ରୀ

 

ପବିତ୍ର ଭାସ୍କର- କୁଳେ ବିଶ୍ୱମ୍ବର

ଜନ୍ମିଲେ ନରାବତାରେ

ହୋଇଲା ପବିତ୍ରୀ- କୃତ ଯେ ଧରିତ୍ରୀ

ତାଙ୍କ ମହିମା-ରାଶିରେ ।

ପାପୀ ଦଶାନନ ନାଶେ ଦେବଗଣ

ପ୍ରାର୍ଥନା ବଶେ ଦେବେଶ

ଅବତୀର୍ଣ୍ଣ ହୋଇ ନର-ଦେହ ବହି

ଭୂ-ଭାର କଲେ ଉଶ୍ୱାସ ।

ଜନକ ନୃପତି ରାଜ୍ୟେ ଯେ ପ୍ରକୃତି-

ରୂପା ଦେବୀ ହେଲେ ଜାତ

୧ସୀତାରୁ ଜନମି ସୀତା ନାମ ଘେନି

ହେଲେ ଜଗତେ ବିଖ୍ୟାତ ।

ସ୍ରଷ୍ଟା ସୃଷ୍ଟି କଲେ ଚନ୍ଦ୍ର-ସୀତା ଦୁଇ

ପରଖି ନେଇ ସୌଷ୍ଠବ୨

ସୀତାଙ୍କୁ ଆଦରେ ରଖିଲେ ଭୂମିରେ

ଚନ୍ଦ୍ରେ ଦେଲେ ଶୂନ୍ୟେ ଠାବ ।

ରୂପେ ଗୁଣେ ସୀତା ୩ସିତ-ପକ୍ଷ ଶଶୀ

ଜିଣି ନେଲେ କାଳକ୍ରମେ

ଧରଣୀ ତନୟା ସେହି ଧରା-ରାଣୀ

ପୂଜ୍ୟା ହେଲେ ଧରା-ଧାମେ ।

ବିଧାତା ବିଧାନ କଲା ସଂଘଟନ

ସୀତା-ଶ୍ରୀରାମ ଦମ୍ପତି

ହୋଇ ମହୀଦେଶେ ମଣ୍ଡି ନେଇ ଯଶେ

ଧ୍ୟେୟ ହେଲେ ଯୋଗୀ ତତି ।

ରାମ-ପିତା-ଦଶ- ରଥ ହେଲେ ତୋଷ

ପୁତ୍ର-ବଧୂ ଦେଖି ପୁରେ

ସୁତେ ରାଜ-ଗାଦି ପ୍ରଦାନେ ସାମଗ୍ରୀ

ଆୟୋଜନ କଲେ ଘରେ ।

ରାମ ରାଜ୍ୟ ଭାର ବହିଲେ ଦୁଷ୍କର

ହେବ ରାବଣ ବିନାଶେ

ଚିନ୍ତି ଦେବ-ଗଣେ କୂଟ ଆଚରଣେ

ନେଲେ ତାଙ୍କୁ ବନ ଦେଶେ ।

ସତୀ ଶ୍ରେଷ୍ଠା ସୀତା ମାନସେ ସୁପ୍ରୀତା

ହୋଇ ଗଲେ ପତି ସଙ୍ଗେ

କିଛି କାଳପରେ ଦଣ୍ଡକାରଣ୍ୟରେ

ବିହରିଲେ ଋଷି ସଙ୍ଗେ ।

କପଟ ବେଶରେ ଦିନେ ଲଙ୍କେଶ୍ୱର

ମିଳିଲା ତାଙ୍କ କୁଟୀରେ

ରାମାନୁପସ୍ଥିତେ ସୀତା ନେଇ ରଥେ

ବନ୍ଦୀ କଲା ନିଜ ପୁରେ ।

ପରେ ରାମ ପର୍ଣ୍ଣ- ଶାଳେ ପ୍ରତ୍ୟାଗମି

ଦେଖିଲେ ନାହାନ୍ତି ସୀତା

ବାତୁଳ ସମାନ ଜଙ୍ଗଲେ ଭ୍ରମିଣ

ଖୋଜିଲେ ଜନକ-ସୂତା ।

ଭେଟିଲେ ମାର୍କଣ୍ଡେ ଦଣ୍ଡ, କମଣ୍ଡଳୁ,

ହସ୍ତେ ଆସନ୍ତି ଅଗ୍ରତେ

ଲଭି ପରିଚୟ ହୋଇ ସବିନୟ

ପୂଜିନେଲେ ଯଥାମତେ ।

ମୁନି ଆତ୍ମ-ଜ୍ଞାନ ବଳେ ଯେ ନିଦାନ

କଲେ ସେହି ରଘୁନାଥ

ଦେବ ହିତ କାମେ ହେଲେ ରସାଧାମେ

ଚିନ୍ତି ରାବଣ ନିହତ ।

କାନନେ ସ୍ୱପତ୍ନୀ ହରାଇ ବୁଲନ୍ତି

ଉଦ୍‌ବିଗ୍ନ ଚିତ୍ତେ ଅବଶ୍ୟ

ସାନ୍ତ୍ୱନା ତଦର୍ଥେ ସେ କହିଲେ ତାଙ୍କୁ

ନଳ-ଉପାଖ୍ୟାନ ରସ ।

ଚରିତ ସ୍ମରଣେ, ପଠନେ, ଶ୍ରବଣେ

ରସା ତାପ ହୁଏ ହ୍ରାସ

ତାହାର ଆଶ୍ରୟ ନେଲେ ଚିତ୍ତସ୍ଥୟ

ହେବ ସେ ଦୃଢ଼ ବିଶ୍ୱାସ ।

ଚରିତ ବ୍ୟାଖ୍ୟାନ କଲେ ମୁନିରାଣ

ଜାଣି ତାହାଙ୍କ ୪ଆଶୟ

ଅଚିରେ ସନ୍ତାପ ମନୁଁ ହେଲା ଲୋପ

ଜ୍ଞାନ ହେବାରୁ ଉଦୟ ।

ଅନତିବିଳମ୍ବେ ଲଙ୍କେଶକୁ ଦମ୍ଭେ

ବିନାଶି ସୀତା ଉଦ୍ଧାର

କରି ରାଜ୍ୟେ ଫେରି ରାଜ ସିଂହାସନେ

ଆସୀନ ହେଲେ ନିକର ।

ପ୍ରବଳ ଅବନୀ- ତାପ ବଶେ ପୁଣି

ପ୍ରଣେତା ରହଇ ଯେଣୁ

ପ୍ରତିକାର ହେତୁ ନଳ-ଦମୟନ୍ତୀ

ଆଖ୍ୟାନ ଲେଖଇ ତେଣୁ ।

ପୁରାଣୁଁ ଉଦ୍ଧୃତ କରି ସେ ଚରିତ

ପଦ୍ୟାକାରେ ନିଏ ରଚି

ପାଠିକା, ପାଠକ ପୁଲକ ଦାୟକ

କାବ୍ୟେ ହେବ ଅଭିରୁଚି ।

ପ୍ରକୃତି, ପୁରୁଷ ଚିନ୍ତନେ ଅନିଶ

କାଟେ ଅବସର କାଳ

୫ମନନ ଶକତି ବଣେ ଅନ୍ତଃଶକ୍ତି

ତୁଟାଇବେ ତ୍ରୁଟିଜାଳ ।

କାଳକ୍ଷେପେ କାବ୍ୟ- ରଚନା ମୋ ଭାଗ୍ୟେ

ଉପୁଜିଲା ଏହି କାଳେ

ହିତ ବା ଅହିତ ହେବ ତହୁଁ ଜାତ

ଜାଣନ୍ତି କୋବିଦକୁଳେ ।

କର୍ମ-କ୍ଷେତ୍ରେ କର୍ମ କରିବା ଧରମ

ଫଳାକାଂକ୍ଷା ରଖି ଦୂରେ

ସେ ନୀତି ଆଚରି ନିଏ ଦିନ ସାରି

ମୋ କର୍ତ୍ତବ୍ୟ କର୍ମ କରେ ।

ଜାଣେ ମୁଁ ନିଶ୍ଚିତ ମୋ କାବ୍ୟ ଗୃହୀତ

ହେବ ସମ ଜ୍ଞାନବନ୍ତେ

ମୋ ମତିରୁ ଗୁରୁ ଅବା କ୍ଷୁଦ୍ର ଜନେ

ନ ରଖିବ ପରିତୃପ୍ତେ ।

ମୁଁ ଗୁଣ ଦୋଷକୁ ନ ନିଏ ମତିକୁ

କରେ ମୋ ଭାବ ପ୍ରକାଶ

ସୁଫଳ କୁଫଳ ପ୍ରତ୍ୟାଶୀ ନ ହୋଇ

ରଚଇ ମୋ ଇଚ୍ଛାବଶ ।

 

୧ ଲଙ୍ଗଳସିଅର, ୨ ସୌନ୍ଦର୍ଯ୍ୟ, ୩ ଶୁକ୍ଳ, ୪ ମନୋଭାବ, ୫ ବାରମ୍ବାର ଚିନ୍ତନ

☆☆☆

 

ପ୍ରଥମ ସର୍ଗ

 

ଅଖିଳ ଭୂଖଣ୍ଡେ ଭାରତ ବରଷ

ଅଟେ ବିଶିଷ୍ଟ ପ୍ରଦେଶ

ଦେବ ନାରାୟଣ ବ୍ରହ୍ମାଣ୍ଡ କାରଣ

କରନ୍ତି ଯାକୁ ୧ଆଶ୍ଳେଷ ।

ମନ୍ଦର-କନ୍ଦର ଆଶ୍ରିତେ ଶଙ୍କର

ପବିତ୍ର କରନ୍ତି ମହୀ

୨ମାତଙ୍ଗ-ଅଇରି- ବାହିନୀ ଗଉରୀ

ଯା ଅଙ୍ଗେ ରହନ୍ତି ଶୋହୀ ।

ଶତ-ଶତ ଯୋଗୀ ଆତ୍ମଜ୍ଞାନୀ, ତ୍ୟାଗୀ

ଈଶ-ଚିନ୍ତାଶୀଳ ଜନେ

ଯା’ କ୍ରୋଡ଼େ ବସତି କରି ଦିନ-ରାତି

ମାତୁଥାନ୍ତି ଧର୍ମ କର୍ମେ ।

ହିନ୍ଦୁ-ମତେ ପୁଣ୍ୟ କ୍ଷେତ୍ର ଦରଶନ

ଲାଭ ହୁଅଇ ଭାରତେ

ତାହାକୁ ଉତ୍କୃଷ୍ଟ ସାମ୍ରାଜ୍ୟ କହିବା

ଉଚିତ ମଣନ୍ତି ଭକ୍ତେ ।

ସେ ବିଖ୍ୟାତ ଦେଶେ ନିଷଧ ସୁଦେଶେ

ଚନ୍ଦ୍ର ବଂଶୋଦ୍‌ଭବ ରାଜା ।

ନ୍ୟାୟ ପରାୟଣ, ଧର୍ମ-ପ୍ରାଣ ବୀର-

ସେନ ପାଳନ୍ତି ପରଜା ।

ଯଜ୍ଞ ଅନୁଷ୍ଠାନ, ଦେବତା ଅର୍ଚ୍ଚନ,

ଅତିଥି-ଜନ ସତ୍କାରେ

ଦିନ ସେ ହରାନ୍ତି ଦୀନ ଜନେ ତୃପ୍ତି

କରୁଥାନ୍ତି ତୋଷଭରେ ।

ପ୍ରଜାଙ୍କୁ ମଣନ୍ତି ଯଥା ପୁତ୍ର, ନାତି

କାହାରି କଷ୍ଟ ମୋଚନେ

ପଶ୍ଚାତ୍‌ପଦ ନୋହି ଅଭାବକୁ ଧ୍ୟାୟି

କରନ୍ତି ସୁବିଧା ଯତ୍ନେ ।

କନକ, ରତନ- ବେଶ, ଧନ-ଧାନ୍ୟ

ପୂରିଥାନ୍ତି ରାଜକୋଷେ

ତଥାପି ରାଜନ ମନ ରହେ କ୍ଷୀଣ

ପୁତ୍ର ଅଭାବେ ଅନିଶେ ।

ଲୌକିକ ବିଶ୍ୱାସ ପୁତ୍ରହିଁ ଅବଶ୍ୟ

ପୂତ ନରକରୁ ତ୍ରାହି

କରିବା ସାମର୍ଥ୍ୟ ପୁରାଣ ଉକତ

ସନ୍ଦେହ ମୁଁ ମଣୁଥାଇ ।

‘‘ସ୍ୱକର୍ମ ବନ୍ଧନ ବଳେ ଜୀବଗଣ

ସମ୍ପାଦନ୍ତି ପାପ, ଧର୍ମ’’

ଏକରୁ କୁଫଳ ଆନରୁ ସୁଫଳ

ଭୋଗୁଥାନ୍ତି ଅନୁଦିନ ।

ସେ ନ୍ୟାୟସଙ୍ଗତ ହେଲେହେଁ ଧୀମତ

ନରଙ୍କ ଦୃଢ଼ ଧାରଣା

ପୁନ୍ନାମ ନରକୁଁ ତାରିବାକୁ ମୁଖ୍ୟ

ପାତ୍ର ମାତ୍ର ପୁତ୍ର କିନା ।

ଜୀବ ବ୍ରହ୍ମଅଂଶ ହେବାରୁ ଅବଶ୍ୟ

ଦୃଢ଼ କାମନା ସୁଫଳ

ପ୍ରଦାନିବ କାଳେ ରହନ୍ତି ଅଟଳେ

ଐଶ ଚିନ୍ତା ନରକୁଳ ।

ଅନୁସରି ନୀତି ଶୁଭ କର୍ମେ ମାତି

ଦୃଢ଼ କଲେ ରାଜା ମତି

ଅଚିରେ ସନ୍ତାନ ଲଭିଲେ ରାଜନ;

କଲେ ମନସ୍ତାପ ଶାନ୍ତି ।

ତୁଟିଲା ଯେ ମୋହ ହେଲା ଶୁଦ୍ଧ ଦେହ

ପୁଣ୍ୟ କର୍ମେ ବଢ଼େ ସ୍ପୃହା

ଶାସ୍ତ୍ରୋକ୍ତ ବଚନ ପ୍ରମାଣେ ରାଜନ

ବଢ଼ାଇଲେ ଜୀବେ ଦୟା ।

୩ଭୂୟୋଭୂୟଃ ପର- ଶଂସା ପାତ୍ର ହୋଇ

ରହିଲେ ମହୀ ମଣ୍ଡଳେ

ଶୁଭ୍ର ଯଶୋ-ବୈଜୟନ୍ତୀ୪ ବୈଜୟନ୍ତ୫

ଊର୍ଦ୍ଧରେ ଉଡ଼ିଲା ହେଲେ ।

 

୧ ଆଲିଙ୍ଗନ, ୨ ହସ୍ତୀ, ୩ ପୁନଃପୁନଃ, ୪ ପତାକା, ୫ ଇନ୍ଦ୍ରପୁରୀ

☆☆☆

 

ଦ୍ୱିତୀୟ ସର୍ଗ

 

ଯଥା କାଳେ ଜାତ- କର୍ମ ଅନୁଷ୍ଠାନ

କରାଗଲା ଶିଶୁଙ୍କର

ଜ୍ୟୋତିଷିକ ମତେ ଜନମ ନକ୍ଷତ୍ରେ

ରାଶିରେ ହେଲା ବିଚାର ।

୧ସର୍ବାନୁଶୀଳନ କ୍ରମେ ନଳ-ନାମ

ଦିଆଗଲା ଶିଶୁବରେ

ଶୁକ୍ଳ ପକ୍ଷ ଶଶୀ ସମ ସେ ବଢ଼ନ୍ତି

ରାଜପୁର-ଆକାଶରେ ।

ସୁଭଗ, ସୁଭଗା ଜନକ, ଜନନୀ

ତୋଷ-କୁମୁଦ ବିକାଶେ

ସହଚରୀ ଗଣ- ତାରାଳି ସମାନ

ଘେରି ରହନ୍ତି ଅନିଶେ ।

ପ୍ରସୂତି ଅଗାର ବ୍ୟାପ୍ତ ଅନ୍ଧକାର

ହେଲେ ଅପସରି ରହେ

ବିଧୁ ଜ୍ୟୋତ୍ସ୍ନା ବଶେ ତାହାର ବିନାଶେ

ମନ-ଧ୍ୟାନ କିବା ଦିଏ ।

ପୂର୍ବ କର୍ମ ଫଳ କରାଯାଏ ଠୁଳ

ଦେଖି ଶୈଶବ ଆକୃତି

କେ ବିଭବଶାଳୀ କେ ବିଭବ-ହୀନ

ନିଦାନଇ ବୁଦ୍ଧି-ମତି ।

ଅନୁଭବୀ ଜ୍ଞାନୀ ତର୍କଣା ବଶତଃ

ଭାବିଲେ ଶିଶୁ ମହାତ୍ମା

କୁଳ ୨ପ୍ରତିପତ୍ତି ବିକାଶନେ ମର୍ତ୍ତ୍ୟେ

ବିରାଜିଲେ କି ଚନ୍ଦ୍ରମା ।

ଲାଳନେ, ପାଳନେ ଲାଗି ରାଜା, ରାଣୀ

କରନ୍ତି ସୁବିଧା ଯେହି

୩ପାଦପକୁ ଛାୟା ରହେ ଯଥାବିଧ

ତଥା ଜଗନ୍ତି ସେ ଦୁଇ ।

ଦୁର୍ଘଟଣା ଯୋଗେ ସନ୍ତାନ ଶରୀରେ

ରୋଗ କଲେ ଆକର୍ଷଣ

ଶ୍ରଦ୍ଧା, ଯତ୍ନ ଭରେ ଲାଗି ଶୁଶ୍ରୂଷାରେ୪

କରନ୍ତି ସୁସ୍ଥ ବହନ ।

କ୍ରମେ କ୍ରମେ ବାଳ ଲଭି ଜ୍ଞାନ ବଳ

ହେଲେ ସେ ଆଦର ପାତ୍ର

ଯୋଗ୍ୟ ଗୁରୁବର୍ଗ ଶାସନେ ସକଳ

ବିଦ୍ୟାରେ ହେଲେ ଶିକ୍ଷିତ ।

ଆଜନ୍ମୁଁ ବିଦ୍ୱାନ ଥିବାରୁ ନନ୍ଦନ

ଅନାୟାସେ ବହୁ ଶାସ୍ତ୍ରେ

ପାରଦର୍ଶୀ ହେଲେ ସାହିତ୍ୟେ, ନାଟକେ

ଅଳଂକାର ଆଦି ଗ୍ରନ୍ଥେ ।

ମନ ନିବେଶିଣ ହୟ ଶାସ୍ତ୍ର ଜ୍ଞାନ

ଲଭିଲେ ସେହି ଅପାର

ଘୋଟକ ଲକ୍ଷଣ, ଚାଳନ, ସ୍ତମ୍ଭନ

ବଶୀକରଣେ ସେ ବୀର (ହେଲେ) ।

ପ୍ରବଳ, ପ୍ରତାପୀ ଅଶ୍ୱ ଦେଇ ଠୁକି

ତାକୁ ୫ସାରମେୟ ବତ

୬ପ୍ରତୋଦ ବିହୀନ ଚାଳନେ ନିପୁଣ

ହେବା ଲଭିଲେ ସାମର୍ଥ୍ୟ ।

ମନ୍ତ୍ରେ ମୋହି ଅଶ୍ୱ ପବନ ସଦୃଶ

ଗତି କରଣେ ସକ୍ଷମ

ହୋଇ ମହୀଧାମେ ଖ୍ୟାତି-ସୁମନସ-

ହାରେ ଦିଶିଲେ ମୋହନ ।

ସର୍ବ ଶାସ୍ତ୍ର ଜ୍ଞାନେ ନନ୍ଦନ ମଣ୍ଡିତ

ଥିବାରୁ ହେଲେ ଆଦୃତ

ଯଥା ‘‘ସ୍ୱଚ୍ଛ ନୀରେ ଭରିଥିବା ସର

କାହାରେ ନୁହେ ନିନ୍ଦିତ ।’’

ବସନ୍ତ ଆଗମେ କରନ୍ତି ପ୍ରଚାର

୭ବସନ୍ତ-ଦୂତ ନିକର

ତଥା ବୁଧଗଣ ରାଜ ସୁତ ଗୁଣ

ଭୂଧାମେ କଲେ ପ୍ରସାର ।

ଶାସ୍ତ୍ର ଚର୍ଚ୍ଚା କାଳେ ସେ ବିଜୟୀ ହେଲେ

ତା’ ଦେଖି ନିଜ ଶିକ୍ଷକ

ମନରେ ଭାବିଲେ ଲଭିବେ ଅଚିରେ

ରାଜନ ପାରିତୋଷିକ ।

ସେ ଆଶା-ପାଦପ ଫଳିଲା ସୁଫଳ

ଛାତ୍ରଠୁଁ ହେଲେ ବିଭିନ୍ନ

ରାଜନ ଦମ୍ପତି କଲେ ହର୍ଷମତି

ଦେଖି ସୁତ ଗୁଣବାନ ।

ଶସ୍ତ୍ର ବିଦ୍ୟା ଜ୍ଞାନ କଲେ ଉପାର୍ଜନ

୮ନୈସର୍ଗିକ କ୍ଷାତ୍ର ଗୁଣ

ନାନାବିଧ ଶର ଚାଳନେ ଆବର

ଉପସଂହାରେ ଯେ ଜ୍ଞାନ ।

ସ୍ୱନ ଶୁଣି ମନୋ- ଭେଦୀ ନିକ୍ଷେପଣ

କରିବାରେ ହେଲେ ବର

ବୀରତ୍ୱ ଗୁମାନ ସବୁରି ନିୟୂନ

ହେଲା ସମ୍ମୁଖେ ତାଙ୍କର ।

ବାକ୍ୟ ଯୁଦ୍ଧ କାଳେ ୯ବାଗ୍ମୀ ପରକାରେ

ରସାରେ ହେଲେ ବିଦିତ

ନାନାବିଧ ଗୁଣ ହୋଇ ସମ୍ମିଳିତ

ପାର୍ଶ୍ୱେ ରହେ ଛତ୍ରବତ ।

ଏସନ ୧୦ପୌଗଣ୍ଡ ସମୟ ବିତିଲା

ଯୌବନ-ରାଜା ଆଦର

କରି ନଳେ କୋଳେ ବସାଇ ସେ କାଳେ

ଦ୍ୟୁତି କଲା ମନୋହର ।

କାଞ୍ଚନ ବରନ ସେ କଲା ପ୍ରଦ୍ୟୋତ୧୧

ମୁଖ-ଶବଦ ଗମ୍ଭୀର

ରସାଣିଲା ଅଙ୍ଗ ପ୍ରତ୍ୟଙ୍ଗ ତାଙ୍କର

ବହି ମାନସେ ଆଦର ।

ମୁଖ ୧୨ଦ୍ୱିଜରାଜେ ଗତି ମୃଗରାଜେ୧୩

ବକ୍ଷ କପାଟକୁ ନିନ୍ଦେ

ବାହୁ ଗଜ ଶୁଣ୍ଡ କହିଲେ ଅଯଥା

ନ ମଣିବେ କବି ବୃନ୍ଦେ ।

ମୁକୁର ବିମ୍ୱକୁ ତୁଚ୍ଛ କରିନିଏ

ମୁଖ ଦ୍ୟୁତି ନଳଙ୍କର

ପଦ୍ମେ ପରାଜିତ କରନ୍ତି ଯେ ନେତ୍ର

ଗଣ୍ଡ-ମଣ୍ଡଳ ଚଟୁଳ ।

ତଥି ମଧ୍ୟେ ରହେ କ୍ଷୁଦ୍ର ଶ୍ମଶ୍ରୁରାଜି

ମୃଗାଙ୍କେ ଯଥା କାଳିମା,

ଦର୍ଶକ ଦର୍ଶନ ଇନ୍ଦ୍ରିୟ ପାବନ

ହେବ ତ ଦେଖି ୧୪ସୁଷମା ।

କରାଙ୍ଗୁଳି ଦିଶେ ଶରାଳି ସଦୃଶ

ଜନମୁଁ ସେ ୧୫ଯୁଯୁଧାନ

୧୬ଅରିନ୍ଦମ ବୀର ବୋଲିଣ ତାହାଙ୍କୁ

ଘେନନ୍ତି ଯେ ଯୋଦ୍ଧାଗଣ ।

ଭ୍ରୂଲତା ଗଠନ ଅତି ମନୋରମ

କୋଦଣ୍ଡ ତା ଉପମାନ

କହିଲେ ଅଯଥା ନୋହିବ କିଞ୍ଚିତ

ଦେହେ ରାଜେ ବୀର ଚିହ୍ନ ।

କଦା ମୁଖେ ସ୍ମିତ ଛଟା ବିକଶିତ

ରୌପ୍ୟ-ସମ୍ପୁଟକ୧୭ ସମ

ଦନ୍ତପନ୍ତି ମୋତି ଗୋପନେ-ଭରତି

କରଣେ ଉତ୍ସୁକ ମନ ।

କ୍ରୋଧେ ମହେଶ୍ୱର ଅତନୁ-ଶରୀର

ପୁରାକାଳେ ଥିଲେ ନାଶି

ସେ କିବା ସ୍ୱତନୁ ବହିଲା ଏକ୍ଷଣ

ନଳରୂପେ ଭୂମେ ଆସି ।

ମୁଖ ସଂଦର୍ଶନେ ଭାବ ଆସେ ମନେ

ଧୈର୍ଯ୍ୟ, ସ୍ଥୈର୍ଯ୍ୟାଦି୧୮ ସୁଗୁଣେ

ନଳ ଦେହେ ଠୁଳେ ବସନ୍ତି ଉଜ୍ଜ୍ୱଳେ

୧୯ସାର୍ବଭୌମ ହେବେ ଦିନେ ।

ନଗର ଭ୍ରମଣେ ଗଲେ ନଳରାଣ

ଉତ୍ସୁକେ ନିରେଖି ଜନେ

ବୃଷଭ ଉପମା କରୁଥାନ୍ତି ଜଣା

ଲାଗିଣ ଗୁଣ ବ୍ୟାଖ୍ୟାନେ ।

ତାଙ୍କ ଗୁଣ ଚୟ ଜଣାନ୍ତି ନିଶ୍ଚୟ

ସେ ଜଣେ ଦେବ-ପୁରୁଷ

ଦେବତା ସୁଗୁଣ ନିଚୟେ ସେ ଯେଣୁ

ମଣ୍ଡିତ ଥିଲେ ଅବଶ୍ୟ ।

ପିତା ଦତ୍ତ ବୀର୍ଯ୍ୟେ ସନ୍ତାନ ଉପୁଜେ

ସେ ନୀତି ଶାସ୍ତ୍ର କଥିତ

ବୀରସେନ ଯୋଗେ ଲଭି ହବିର୍ଭାଗ୨୦

କେ ଦେବ ହେଲେ ଆରତ ।

କିବା ସର୍ବ ସୁରେ ପାଇ ହବ୍ୟ-ଧାର

ରାଜାଠାରେ ଥିଲେ ଋଣୀ

ଯେ ଯା’ ରୂପ, ଗୁଣୁଁ ଦେଇ କିୟଦ୍ଦଂଶ

ଜାତ କଲେ ନଳ ଆଣି ।

ଋଣ ପରିଶୋଧ ଅର୍ଥେ ରାଜପୁରେ

ପୁତ୍ରମଣି ହେଲେ ଜାତ

ସେ ହେତୁ ସଦ୍‌ଗୁଣ ନିଚୟ ନିଧାନ

ଥିଲେ ବୀରସେନ ସୁତ ।

ପୁରାକୃତ ଫଳେ, ବିଭୁ ଦତ୍ତ ଫଳେ,

କିବା ଦେବ କୃପାବଳେ

ରାଜା ଶ୍ରେଷ୍ଠ ନଳ ବୋଲାଇ ଭୂତଳେ

ବିହରିଲେ ଯୁବା କାଳେ ।

 

୧ ସର୍ବବିଚାରେ, ୨ ସମ୍ମାନ, ୩ ବୃକ୍ଷକୁ, ୪ ସେବା, ୫ କୁକୁର, ୬ ଲଗାମ, ୭ କୋକିଳ, ୮ ସ୍ୱାଭାବିକ, ୯ ବାକ୍‍ପଟୁ, ୧୦ କୌମାର, ୧୧ ଦୀପ୍ତ, ୧୨ ଚନ୍ଦ୍ରେ, ୧୩ ସିଂହେ, ୧୪ ସାତିଶୟ ଶୋଭା, ୧୫ ଯୋଦ୍ଧା, ୧୬ ଶତ୍ରୁ ଦମନକାରୀ, ୧୭ ଫରୁଆ, ୧୮ ସ୍ଥିରତା, ୧୯ ଚକ୍ରବର୍ତ୍ତୀ, ୨୦ ଆହୁତି

☆☆☆

 

ତୃତୀୟ ସର୍ଗ

 

ନଳ ରାଜା ଖ୍ୟାତି ପୁର, ପଲ୍ଲୀ ମାତି

ରହିଲା ଅନିଳ ବତ

ରାଜା, ରାଣୀ ଚିତ୍ତ ହେଲା ସ୍ଫୂର୍ତ୍ତିଯୁତ

ଚିନ୍ତିଲେ ସନ୍ତାନ ହିତ ।

ସତ୍ୱ ଗୁଣେ ପୂର୍ଣ୍ଣ ଥିଲାରୁ ରାଜନ

ବଦଳିଲା ତାଙ୍କ ମତ

ନଳେ ଦଣ୍ଡ ଛତ୍ର ପ୍ରଦାନି ତୁରିତ

ରାଜାସନେ କଲେ ସ୍ଥିତ ।

ବାନପ୍ରସ୍ଥ ବ୍ରତେ ବଳାଇ ସେ ମତି

ଛାଡ଼ିଲେ ଗୃହସ୍ଥାଶ୍ରମ

ପୁର ତ୍ୟାଗ କରି କାନନେ ବିହରି

ରହିବା ଭାବିଲେ ଧର୍ମ ।

ନିଷ୍କଣ୍ଟକେ ରାଜ- ସିଂହାସନେ ବସି

ନଳ ହେଲେ ନରପତି

ସୁର-ପୁରେ ୧ପୁର- ନ୍ଦର ପରକାର

ବିକାଶିଲା ତାଙ୍କ ଭାତି ।

୨ଆର୍ଜବେ ସେ ଦୀନ ଜନଙ୍କ ସମାନ

ଦୟାଦ୍ରୋଣୀ ତାଙ୍କ ହୃଦ

କ୍ଷମା ୩ସରିତ୍‌ପତି କହିଲେ ନୃପତେ

ଯଥାର୍ଥ ମଣିବ ବୁଧ ।

ସହଜେ ନୃପତି ୪ତିତିକ୍ଷାରେ ଜିତି

ନିଅନ୍ତି ଯେ ବସୁମତୀ

ଅତ୍ୟୁକ୍ତି ତାହାକୁ ବୋଲିଣ କାହାକୁ

କିଞ୍ଚିତ ନ ହେବ ମତି ।

୫ମାର୍ଦ୍ଦବେ ଜଡ଼ିତ ରହେ ହୃଦ କ୍ଷେତ୍ର

୬ପୟେ ନବନୀତ ପ୍ରାୟ

ସମୟେ ମନ୍ଥନ ଯୋଗେ ନିଜ ଗୁଣ

ବାହାର ହୁଏ ନିଶ୍ଚୟ ।

ଜ୍ଞାନେ ବୃହସ୍ପତି ମନ୍ତ୍ରଣେ ୭ଭୃଗୁଜ

ରୂପେ ୮କିନ୍ନରେ ହରାଇ

ଦେବାକୁ ସକ୍ଷମ ସେ ଥିଲେ ନିଦାନ

ଧର୍ମ ପ୍ରତିମୂର୍ତ୍ତି ହୋଇ ।

ବ୍ରହ୍ମତେଜ ଦେହେ ମାତି ରହିଥାଏ

ସେ ଥିଲେ ବଳିଷ୍ଠୋତ୍ତମ

ସେ କଥା ସରବେ ମାନିଣ ଗୌରବେ

ଦେଖୁଥାନ୍ତି ଅନୁକ୍ଷଣ ।

ପୁରଜନ ପ୍ରଜା- କୁଳଙ୍କ ସନ୍ତୋଷ

ଭାଜନ ଥିଲେ ନରେଶ

ଆବ୍ରହ୍ମ ଚଣ୍ଡାଳ ତାଙ୍କ କୀର୍ତ୍ତିଜାଳ

ଗାନ କରନ୍ତି ଅନିଶ ।

୯ଈତି-ଭୟ ତେଜି କୃଷକ ସମୂହ

ନିଜ କର୍ମେ ଥାଇ ରତ

ଦ୍ୱେଷ, ହିଂସା, ବୈର କେହି ନ ଆଚରି

ସର୍ବେ ରହିଲେ ତୃପତ ।

ସର୍ବ ଗୁଣାନ୍ୱିତ ରାଜା ପ୍ରଜା ହିତ

ଚିନ୍ତା ପୂରାଇ ମାନସେ

ଅଧୀନସ୍ଥ କର୍ମ- ଚାରୀ ଗଣେ ସେହି

ଚଳାନ୍ତି ଦକ୍ଷତା ବଶେ ।

କେହି କା’ ଗୁହାରି ଜଣାନ୍ତେ ରାଜନେ

ତତ୍‌କ୍ଷଣେ ହୁଏ ବିଚାର

ଅବିଳମ୍ୱେ ଯଥା- ଯୋଗ୍ୟ ନ୍ୟାୟ ଲଭି

ରହନ୍ତି ସରବେ ସ୍ଥିର ।

କାହାକୁହିଁ ଦିନେ ହେଲେହେଁ ଅଜ୍ଞାନେ

ନ କରନ୍ତି ଅପମାନ

ଯେମନ୍ତ ଗୃହସ୍ଥ ପରିବାର ବର୍ଗେ

ତଥା ପାଳନ୍ତି ରାଜନ ।

ଅପରାଧୀ ଯଥା ଶାସ୍ତି ନେଇ ଲଭି

କେ ନୁହେ ଅପରିତୃପ୍ତ

ଶାସନ ଖସଡ଼ା ଦୟା, କ୍ଷମା ଯୋଡ଼ା

ହୋଇ ରହେ ଅବିରତ ।

ବଳ ଯହିଁ ରହେ କ୍ଷମା, ଦୟା ତହିଁ

ରହିବା ମାତ୍ର ବିରଳ

ହେଲେ ସେ ସମ୍ପତ୍ତି ରାଜା ଦେହେ ମାତି

ରହିଥାନ୍ତି ଚିରକାଳ ।

କାରାଗାର ରହେ ବନ୍ଦୀ-ଜନ-ହୀନ

ରାଜା ସୁବିଚାର ଭାବୁଁ

ଉପଦେଶ ଲଭି ଦୁର୍ବୃତ୍ତ ମାନବେ

ଶୋଧନ୍ତି ଦୁର୍ଗୁଣ ଗର୍ଭୁଁ ।

‘‘ଦୁରାଚାରହୀନ ଦେଶେ କାରାଗୃହ

ରହିବା ନିଷ୍ପ୍ରୟୋଜନ

୧୦ନଗ୍ନ ଦେଶେ ଶୁକ୍ଳ- କାରୀ ରହିଲେ କି

କରେ ଉଦର ପୋଷଣ ।

ଶ୍ରୋତା ବିନା ବକ୍ତା କରେ କି କାରଣ

ନିରର୍ଥକ ତା’ ଜୀବନ

କାନନ-ମଲ୍ଲିକା ସମ ତା ଜୀବିକା

ନିଶ୍ଚେ ଅଟେ ଅକାରଣ ।’’

କେବେ ହେଲେ କେହି ନ ପାରିବ କହି

ଅନ୍ୟାୟ କଲେ ରାଜନ

ସରଗେ ଯେମନ୍ତ ଚଳେ ଅବିରତ

ମଘବାନ ସୁ-ଶାସନ ।

ମହୀଧାମେ ଦେବ- ଗଣ ମଧ୍ୟୁଁ ଏକ

ପ୍ରୀତେ ହେଲେ ଉପଗତ

ଜନମ କାଳରେ ଭାବିଲେ ଯା’ ଧୀରେ

କାଳେ ତା ହେଲା ବ୍ୟକତ ।

ଦେବୋପମ ଗୁଣ ବାହୁ ପରାକ୍ରମ

୧୧ଅରାତି ରଖେ ବିଦୂରେ

‘‘ଯେମନ୍ତ ସଜ୍ଜନେ ବିପତ୍ତି ଦୁର୍ଜ୍ଜନ

ସର୍ଜନା କରି ନ ପାରେ ।’’

ପ୍ରଜାକୁଳ ସଦା ରାଜାଙ୍କରେ ବନ୍ଧା

ସେ କଥା ରସା ପ୍ରଚାର

ହେବାରୁ ସରବେ ଭୟ ରଖି ଗର୍ଭେ

ନ ଆସିଲେ ତାଙ୍କ ପୁର ।

‘‘ରାଜା, ପ୍ରଜା ମତ ଅଭିନ୍ନ ଥିଲେ ତ

୧୨ଜିଗୀଷା ଅରାତି ମନେ

ନ ବସିବ ହେଳେ ଜଣାନ୍ତି ସରଳେ

୧୩ସାମରିକ ବୀରମାନେ ।

ଭେଦ ଭାବ ଯହିଁ ଶତ୍ରୁ କଳି ନେଇ

ଦୃଢ଼ କରେ ଆକ୍ରମଣ

ଜୟ ନେତ ତାର ଶିରେ ଫରହର

ଉଡ଼ଇ ନଥାଏ ଆନ’’ ।

‘‘ଗୁଣେ ନରନାରୀ ହୁଅନ୍ତି ସୁମାରି

ଦୃଢ଼ ନୀତି ବାକ୍ୟ ସେହି

ସେହି ହେତୁ ପିକ ବାୟସୁଁ ଅଧିକ

ବିବୁଧେ ଥାଆନ୍ତି କହି ।

ସୁଗୁଣ ଦୁର୍ଗୁଣ କରେ ପରାହତ

ନୀତି ରସା ପ୍ରକଟିତ

୧୪ତପନ ଉଦିତେ ୧୫କୁହେଳୀ ନିପାତ

ରୀତି ଆସେ ଦୃଷ୍ଟିପଥ ।

ଧୀମାନ ମାନବ ସଙ୍ଗତେ ଅଧମ

ନ ମିଶଇ କଦାଚନ

ଯେମନ୍ତ ମୟୂର ସଙ୍ଗତେ ବାୟସ

ନ ହୁଏ କଦା ମିଳନ ।’’

ଶତ୍ରୁ ରାଜା ତେଣୁ ରାଜ୍ୟ ଆକ୍ରମଣ

ଚିନ୍ତନେ ହେଲେ ବିରତ

ନଳରାଜା ସାର୍ବ- ଭୌମ ନରପତି

ରୂପେ ଜଗତେ ବିଖ୍ୟାତ ।

ସୁଖ୍ୟାତି ନଗେନ୍ଦ୍ର ଉପରେ ବିଜୟ

କରିନେଇ ନଳରାଜା

ପ୍ରାକୃତ ଶୃଙ୍ଗାର ସୁରସୁଁ ବିଦୂରେ

ରଖୁଥାନ୍ତି ନିଜ ମଜ୍ଜା ।

କାମିନୀ-ପ୍ରସଙ୍ଗ ଯହିଁ ପ୍ରସ୍ତାବିତ

ତହିଁ ନଳ ପରାଙ୍‌ମୁଖ

ହୋଇଣ ଏକାନ୍ତ ପ୍ରକୋଷ୍ଠେ ନିରତେ

ରହିବା ମଣନ୍ତି ସୁଖ ।

୧୬ଗାର୍ହସ୍ଥ୍ୟ ସୁଧର୍ମ ମଣନ୍ତି ସେ ନ୍ୟୂନ

୧୭ଅନୂଢ଼ ଜୀବନ ସ୍ରୋତେ

ଭାସିବାକୁ ସେହି ନେଉଥାନ୍ତି ଧ୍ୟାୟି

ଯୁବକ ସରଳ ଚିତ୍ତେ ।

‘‘ବିଷୟାନୁଭବ- ବଳେ ସିନା ଜନ

ଦୃଢ଼ ରଖଇ ମାନସେ

ଅଭାବେ ତାହାର ଭାବୁଥାଏ ନର

କରିବ ତା ଇଚ୍ଛାବଶେ ।

ମାୟା ହସ୍ତେ ସେହି ବନ୍ଧା ହୋଇ ରହି

ଖେଳେ ପୁତ୍ତଳିକା ବତ

ଐଶ କୃପା ବଳ ନ ଭାବେ ଯୁବକ

ଅନୁଭବ-ହୀନ ଗାତ୍ର ।’’

ସର୍ବ ଦିଗେ ଯଶ- ବଶେ ନରଈଶ

ଥିଲେ ତ ପ୍ରଶାନ୍ତମନା

ଉଦ୍ଧତ ଯୌବନ ତାଙ୍କ ଅଙ୍ଗେ ସ୍ଥାନ

ଲଭି କରିଲା ଉନ୍ମନା ।

ଅବସ୍ଥା କରିଲା ମନେ ଉଦ୍ଦୀପନ

୧୮ପରିଗ୍ରହେ ଲାଳାୟିତ

ଦେଖି ପରିଜନେ ମନ ବିମୋହନେ

ଲାଗିଲେ ଅନବରତ ।

ଦିନୁଁ ଦିନ ଚିନ୍ତା ବଢ଼ି ଅପ୍ରମିତ

ନୃପତେ କଲା ବିବ୍ରତ

ରୂପେ ଗୁଣେ ପୂର୍ଣ୍ଣ ରମଣୀ ରତନ

ଅନ୍ୱେଷଣେ ହେଲେ ରତ ।

ମନେ ମନେ ଗୁଣି ଜୀବନ ସଙ୍ଗିନୀ

କାମନା ପୂରିତ ହୃଦେ

ସାମ୍ରାଜ୍ୟ ଶାସନ କର୍ମେ ମନ ନ୍ୟୂନ

କଲେ ରହି ଅବସାଦେ ।

‘‘ଜୀବେ ସ୍ୱାର୍ଥପର ସେ କଥା ନିକର

କା’ ସୁଖ କେହି ନ ଲୋଡ଼େ

ଗରଭ ପୂରଣ ଉପାୟ ଚିନ୍ତନ

ସକଳ ହୃଦୟେ ବଢ଼େ ।’’

ବାହ୍ୟେ ରାଜା ମନ ପ୍ରବର୍ତ୍ତନେ ଧ୍ୟାନ

ଦେଖାଇ ନେଲେ ଚାକର

ମୁନିବ ସଦିଚ୍ଛା ଆନୁକୂଲ୍ୟ ବ୍ରତେ

ନ ହୋଇ କେହି ଆତୁର ।

 

୧ ଇନ୍ଦ୍ର, ୨ ସରଳତା, ୩ ସାଗର, ୪ ସହିଷ୍ଣୁତା, ୫ କୋମଳତା, ୬ କ୍ଷୀର,୭ ଶୁକ୍ର, ୮ ସ୍ୱର୍ଗଗାୟକେ, ୯ ଅତିବୃଷ୍ଟି ଅନାବୃଷ୍ଟି, ୧୦ ଲଙ୍ଗଳ,୧୧ ଶତ୍ରୁ, ୧୨ ଜୟଇଚ୍ଛା, ୧୩ ଯୁଦ୍ଧସମ୍ବନ୍ଧୀୟ, ୧୪ ସୂର୍ଯ୍ୟ, ୧୫ କୁହୁଡ଼ି,୧୬ ଗୃହୀ, ୧୭ ଅବିବାହିତ, ୧୮ ପତ୍ନୀ

☆☆☆

 

ଚତୁର୍ଥ ସର୍ଗ

 

୧ଦାରେଷଣା-ଚିନ୍ତା ଜଡ଼ିତେ ଯେ ନଳ

କାଟନ୍ତି ଦିବା ରଜନୀ

ତାହାଙ୍କ ଚରିତ ନକରେ ବର୍ଣ୍ଣନା

ବିଦର୍ଭେ ନିଏ କାହାଣୀ ।

ବୀର ଭୀମସେନ ସେ ଦେଶେ ରାଜନ

ମଣ୍ଡିତ ରହନ୍ତି ଯଶେ

୨ନିକଷେ କଷିଲେ ନଳ, ସେ ସମାନ

ହେବେ ସଦଗୁଣ ବଶେ ।

ଉଭୟେ ପ୍ରଭେଦ କେବଳ ବୟସେ

ନଳ ଯେ ସୁଶିଷ୍ଟ ଯୁବା

ଆନ ଅନୁଭବୀ ପୌଢ଼ ନରପତି

ସଜ୍ଜନ-କୁଳ-ମଘବା ।

ଭୀମସେନ ପାନ୍ଥ ସୁବିଧା କରଣେ

ସତ୍ର-ଭବନ ନିର୍ମ୍ମାଣି

ଖାଦ୍ୟାବାସ ଦେଇ ଗୌରବେ ରଖାଇ

ତୋଷୁଥାନ୍ତି ବହୁପ୍ରାଣୀ ।

ଭଗ୍ନ ଦେବାଗାର କଲେ ସେ ଉଦ୍ଧାର

ନବ ଦେବାଳୟ ଗଢ଼ି

ବେଦୋକ୍ତ ସଂସ୍କାର ଯଥାବିଧି କରି

ଧର୍ମେ ରହିଥାନ୍ତି ଜଡ଼ି ।

ନାନାବିଧ ଯାଗ କରଣେ ସରାଗ

କରୁଥାନ୍ତି ବାରେ ବାରେ

ଲକ୍ଷ ଲକ୍ଷ ଜୀବ ଲଭିଣ ସୁଭକ୍ଷ

ପ୍ରୀତ ହୁଅନ୍ତି ରାଜାରେ ।

ପ୍ରଜାଗଣେ ନିଜ ଆତ୍ମୀୟ ସମାନ

ପାଳୁଥାନ୍ତି ନରନାଥ

ଅହିଂସା ପଥିକ ଥିଲେ ନରଶିଖ

ସର୍ବେ ହୁଅନ୍ତି ତୃପତ ।

ଆଧ୍ୟାତ୍ମିକ-ଚିନ୍ତା- ପ୍ରବୀଣ ରାଜନ

ଧର୍ମାର୍ଜ୍ଜନେ ଥାନ୍ତି ସୁଖେ

ପରଦୁଃଖେ ଦୁଃଖୀ ସେ ରହି ନିରତେ

ପ୍ରଶଂସା ଲଭନ୍ତି ଲୋକେ ।

ଧନେ ସେ କୁବେର ବଳେ ୩ପୁରନ୍ଦର

ସମ ପରାକ୍ରମବନ୍ତ

ଅପୁତ୍ରିକ ଯେଣୁ ପ୍ରାଣାନ୍ତେ ୪ନିରୟ-

ଯାତାନା ମାନସେ ବ୍ୟସ୍ତ ।

ସକଳ ବିଭୂତି ତୁଚ୍ଛ ଘେନି ମତି

(ସେ) ରହନ୍ତି ସଦା ସନ୍ତପ୍ତ

ତଦୁଦ୍ଦେଶେ ଦାନ- ଧର୍ମ ଆଚରଣ

କରୁଥାନ୍ତି ସେ ବହୁତ ।

‘‘କର୍ମ ଫଳ କେବେ ଆନ ନୁହେ ଲବେ

ଘୂରାଏ ସବୁରି ମନ

ଧନ ଥିଲା ଜନ ଦୁଃଖେ କାଟେ ଦିନ

କେବେହେଁ ନୋହି ପ୍ରସନ୍ନ ।’’

ଉତ୍ତରାଧିକାରୀ ନଥାଇ ରାଜାଙ୍କ

ଅସନ୍ତୋଷ କୀଟ ହୃଦେ

ପ୍ରବେଶ କରିଣ କାଟେ ଅନୁକ୍ଷଣ

ନିରତେ ରଖେ ବିଷାଦେ ।

‘‘ଧନ ଥିବା ଜନ ସନ୍ତାନ ବିହୀନ

ଧନ-ହୀନ ବହୁସୁତେ

ଲଭନ୍ତି ସଂସାରେ ରହନ୍ତି ଖେଦରେ

ଉଭୟେ ଏକଇ ମତେ ।’’

ବିଶ୍ୱ ସୃଷ୍ଟି ମାୟା ନୁହେ କଳନୀୟା

ଅଜ୍ଞାତେ ରହେ କାରଣ

ମାୟା ୫ବିଭୀଷିକା ସୁଖ, ଦୁଃଖ ଦୁହେଁ

ଘୋଟି ରହନ୍ତି ସମାନ ।

ଦୁଃଖ ପରେ ସୁଖ ସୁଖ ପରେ ଦୁଃଖ

ଭୋଗିବା ମାତ୍ର ନିୟତ

ସେ ହେତୁ ସୁଜ୍ଞାନ ଉଭୟେ ସମାନ

ଭାବେ ଦେଉଥାନ୍ତି ଚିତ୍ତ ।

ମୋହ ବଂଶୁ ଭୀମ ନନ୍ଦନ କାମନା

ଜଡ଼ିତ ହୃଦେ ରହନ୍ତି

ଅତିଥି ସତ୍କାର କରନ୍ତି ପ୍ରଚୁର

କେବେ ବିମୁଖ ନୁହନ୍ତି ।

ଦମନ ନାମକ ଜଣେ ତପୀଶିଖ

ହେଲେ ଦିନେ ଉପଗତ

ଯଥାଯୋଗ୍ୟ ପୂଜା ତାଙ୍କୁ କଲେ ରାଜା

ମନେ ହୋଇ ଆନନ୍ଦିତ ।

ରାଜନ-ବଦନେ ବିଷାଦ-କାଳିମା

ଦେଖି ନେଇ ମୁନୀଶ୍ୱର

ପ୍ରଶ୍ନେ ସେ ଜାଣିଲେ ପୁତ୍ରାଭାବ ବଶେ

କ୍ଷୋଭେ କାଟନ୍ତି ବାସର ।

ପ୍ରଦାନିଲେ ବର ଅଚିରେ ସନ୍ତାନ

ଜନମିବେ ରାଜାଙ୍କର

ଏକ ସୁତା ତିନି କୁମର ଜନମି

ହେବେ ବିଦର୍ଭାଳଙ୍କାର ।

କନ୍ୟା-ଜ୍ୟେଷ୍ଠା ନାମ ହେଲା ଦମୟନ୍ତୀ

ସେହି ସେ କାବ୍ୟ ନାୟିକା

ତାଙ୍କ ଗୁଣଗାନେ ମୁଁ ରହେ ତତ୍ପର

କୁମରେ କରେ ଉପେକ୍ଷା ।

ପିତା, ମାତା, ଆଶା ଅନୁରୂପା ସୁତା

ହେଲେ ଦମୟନ୍ତୀ ଦେଈ

ରାଜନ ଦମ୍ପତି ବହୁ ସ୍ନେହ ପାତ୍ରୀ

କରି ନେଲେ ତାହାଙ୍କୁହି ।

ଦେବୀ ପ୍ରତିମୂର୍ତ୍ତି ତାହାଙ୍କୁ ଭାବନ୍ତି

ସଦା ରଖନ୍ତି ପାରୁଶେ

ବେଳେ ବେଳେ ବୁଦ୍ଧି ନିଅନ୍ତି ପରଖି

ବିବିଧ ତର୍କଣା ବଶେ ।

ସ୍ୱପାଶୁଁ ବିଭିନ୍ନ କରଣେ ବିମନା

ହୋଇ ରାଜା-ରାଣୀ ଯୁତ

ଜେମା ଦମୟନ୍ତୀ ଶିକ୍ଷୟିତ୍ରୀ ସମା

ଜନନୀ ହେଲେ ନିଯୁକ୍ତ ।

ଶୈଶବୁଁ ନନ୍ଦନା ସ୍ୱକୋଳେ ରଖିଣ

ଜନନୀ କଥା ପ୍ରସଙ୍ଗେ

ନୀତିମୟ ଗଳ୍ପ ପୁରାଣ ଚରିତ

ଶିଖାନ୍ତି ତ ଅନୁରାଗେ ।

ସୁଚତୁରା ରାଣୀ ବିବିଧ କାହାଣୀ

ଛଳେ ଦେଲେ ନୀତି ଶିକ୍ଷା

ଉପଦେଶ ଜାଳ ଦମୟନ୍ତୀ ଠୁଳ

କଲେ ୬ସ୍ମୃତି ଦେଶେ ଦକ୍ଷା ।

‘‘ନୀର ଲଭି ଯଥା ବଢ଼ନ୍ତି ପାଦପେ’’

ତଥା ଗୁଣେ ଦମୟନ୍ତୀ

କାଳକ୍ରମେ ପୂରି ରହିଲେ ଗମ୍ଭୀରା-

୭ନୀଳାମ୍ୱୁକୁ ନେଇ ଜିତି ।

ନୀତି ବିଶାରଦା କଲେ ସେ ନନ୍ଦନା

ହୃଦ (ହେଲା) ତାଙ୍କ ଗୁଣପୂର୍ଣ୍ଣ ।

ପୂର୍ଣ୍ଣ ଶଶୀ ପ୍ରାୟ ସେ ହେଲେ ବିକାଶ

ତେଣୁ ସେ ଜଗନ୍ମୋହନା ।

ବହୁ ସତୀ-ନାରୀ ଗାଥା ଶୁଣି ତାଙ୍କ

ମତି ହେଲା ବଡ଼ ଟାଣ

ଯେମନ୍ତ-କନକ ରସାଣେ ବର୍ଦ୍ଧିତ

ହୁଏ ତାର ତେଜ ଗୁଣ ।

‘‘ସଂସର୍ଗ ଆବର ୮ସୁ-ଅନୁଶୀଳନ

କରେ ଚରିତ୍ର ଗଠନ’’

ଯେ ହେତୁ ଉଭୟ ଥିଲେ ସ୍ୱଚ୍ଛମୟ

ବଢ଼ିଲା ଜେମା ସଦ୍‌ଜ୍ଞାନ ।

‘‘ବୁଦ୍ଧି ବଳ ଯାର ଜ୍ଞାନ ବଳୀୟାର

ହୁଅଇ ତାହାର ସିନା

କେଶରୀ ପ୍ରସାଦେ ୯ଅଜା ଯଥା ମୁଦେ

କ୍ରୀଡ଼େ ଗଜ ଶିରେ କିନା ।’’

ସର୍ବାଂଶରେ ଯେଣୁ ସୁଗୁଣେ ଭରତି

ଥିଲେ ଜେମା ଦମୟନ୍ତୀ

ତାଙ୍କ ସମକକ୍ଷ ହେବାକୁ କେ ଲକ୍ଷ

ନ କରେ ଆନ ଯୁବତୀ ।

ଅନଳେ ଦହନ ଶସ୍ତ୍ରେ ପ୍ରହାରଣ

କଲେ ଯେ ଲୌହ ୧୦ଇସ୍ପାତେ

ବଦଳେ ଯେମନ୍ତ ଶାସ୍ତ୍ର, ରସା ଜ୍ଞାନ

ଶିକ୍ଷାରୁ ହେଲା ସେ ମତେ ।

ଚତୁରା, କୋମଳା- ବାଳା ବୁଦ୍ଧିବଳେ

ହୋଇଲେ ସୁଗୁଣବତୀ

ପୁଣ୍ୟ କୁଳେ ଜାତା ଗୁଣୀ ସଂବେଷ୍ଟିତା

କିମ୍ପା ହୋଇବେ ଦୁର୍ମତି ?

ସତୀ ପ୍ରାଣେ ପ୍ରାଣ କଲେ ସଂଗଠନ

ଧୈର୍ଯ୍ୟ, ସ୍ଥୈର୍ଯ୍ୟ ଆଦି ଗୁଣ

ମାତା ତହୁଁ ଅନୁ- କରଣ କରିଣ

ଦୃଢ଼ କଲେ ତାଙ୍କ ମନ ।

ଜନେ ଦେଖି ନେଇ ସୁଗୁଣ ସମ୍ପନ୍ନା

ସୁଲକ୍ଷଣା ଜେମା ମୂର୍ତ୍ତି

କରନ୍ତି ଭାବନା ସାଗର-ଜନମା

ରମା ବିଜେ ବସୁମତୀ ।

ଯଥା କାଳେ ଆସି ଯୌବନ ନରେଶ

ତାଙ୍କୁ କଲା ଆକ୍ରମଣ

ବିଧାତା ନିର୍ମ୍ମାଣେ ଦେଖି ନେଇ ଖୁଣ

କରିଲା ତ୍ରୁଟି ପୂରଣ ।

କନକ-ବଲ୍ଲରୀ ସମ ସେ ବଢ଼ନ୍ତି

ବଢ଼ାଇଲା ବିଶାଳତା

ଭାବ, ହାବ, ଳଜ୍ଜା ୧୧ମାର୍ଦବ ସ୍ତମ୍ଭରେ

୧୨ବିତାନ ରଚେ ଶୋଭିତା ।

କୁସୁମିତ-କାଳ ଜାଣିଣ କୁସୁମ-

ଗୁଚ୍ଛ ରଖେ ବକ୍ଷଦେଶେ

ପବିତ୍ରା ନବୀନା ପବିତ୍ର ଚରିତ୍ର

ପ୍ରସାରଣେ ସୁମ ବଶେ ।

୧୩ ରଙ୍ଗାଜୀବ ସମ ଅଧର ଲପନ

ରଙ୍ଗିଲା ୧୪ତୁଳିକା ଧରି

ରଦନ, ଆବର କଲା ସ୍ୱଚ୍ଛତର

ମୌକ୍ତିକ ଆଭା ସୁମରି ।

୧୫ଖଞ୍ଜନ-ଈକ୍ଷଣେ କଟାକ୍ଷ ୧୬ଆଶୁଗ

ଯୋଚିଦେଲା ପ୍ରୀତି ଭରେ

ରତ୍ନ-ଭୂଷା ଯୁତେ କଲା ଶୋଭାବତୀ

ଆଗତ ହିତ ଚିନ୍ତାରେ ।

ବର-ନାରୀ ଜନ୍ମ ସାଫଲ୍ୟ କରଣେ

ସାରଲ୍ୟ ଯେ ୧୭ଅଙ୍ଗରାଗ

ସର୍ବାଙ୍ଗେ ଲେପିଣ ଦ୍ୟୁତି ବଢ଼ାଇଣ

ମାଠିଲା ବହି ସରାଗ ।

୧୮କୁମୁଦ-ବାନ୍ଧବ- ମୁଖ ଯେ ଚକୋର

ନୟନ ଦେଖି (ରହେ) ପ୍ରଫୁଲ୍ଲ

୧୯ଧରେଶ୍ୱର-ବର ମନ ଆକର୍ଷଣେ

ଚୁମ୍ୱକ ସେ ଅବିକଳ ।

୨୦କୋଦଣ୍ଡ ଆକାର ସମାନ ଭ୍ରୂଲତା

ଶରଜାଳେ ଯୋଚା ରହେ

ଶୂର, ବୀରବର ହେବେ ରାମା-ବର

ଆଭାସ ବା ସେହି ଦିଏ ।

ପକ୍ୱ ୨୧ବିମ୍ୱାଧର ଲୋଭେ ନାସା କୀର

ଦୌଡ଼େ କି ହୋଇ ପ୍ରଖର

ଅଗ୍ରେ ରତ୍ନ ଭୂଷା ବହନେ ସହସା

ହେଲା ତା’ ଆକାଂକ୍ଷା ଦୂର ।

ଲଲାଟ ରାଜଇ ଖେଳା-ପାଲି ପରି

ଚୂର୍ଣ୍ଣ-କୁନ୍ତଳ-ପଦକ

ଖେଳି ବସେ ତହିଁ ଦର୍ଶକ ହରାଇ

ନେବାକୁ କରି ବିବେକ ।

ଚାରୁ କଣ୍ଠ ଦେଖି କମ୍ୱୁ ହୋଇ ଦୁଃଖୀ

ଉଚ୍ଛିଷ୍ଟ ହେଲା ଆନରେ

ହୀନମୁଖେ ପଡ଼ି ୨୨ନିଷ୍ଠୀବନେ ପୂରି

ରହିଲା ଭଁ ଭଁ ଡାକରେ ।

ବଦନ, ନୟନ ସୁଷମାକୁ ହାରି

କମଳ, ମୀନ ସରସେ

ଲୁଚିଲେ କହିଲେ ଅଯଥା ନ ହେବ

ସେ ଭାବ ଖେଳେ ମାନସେ ।

୨୩ମୃଣାଳକୁ ଜିଣି ଦିଶେ ବାହୁ ଦ୍ୱୟ

ବିବିଧ ଭୂଷା ମଣ୍ଡିତ

ଦରଶନେ ତାହା ହୁଅଇ କଳନା

ପଦ୍ମା ପଦ୍ମେ ତ ଆସକ୍ତ ।

ମୃଗ ଦୃଶା ଗଜେ- ସିଂହେ ପରାଜିତ

କରନ୍ତି ବକ୍ଷେ ୨୪ନିତମ୍ୱେ

ମୋହନ-ଆକାର- ରମଣୀ ଦର୍ଶନେ

ମୋହିତ ହେବେ ସରବେ ।

କରାଙ୍ଗୁଳି ଜିଣେ ଚମ୍ପକ ୨୫କୋରକ

ତେଣୁ ଚମ୍ପକ ୨୬ଉଦ୍ଭିଜ୍ଜେ

ନରହି ନଗରେ ରମଣୀ ଆଗରେ

ଲୁଚି ଗଲେ ବନ-ରାଜ୍ୟେ ।

ଉଲଟ ୨୭ରମ୍ଭାକୁ ବହେ କି ଆଦରେ

ଜାନୁ-ଯୁଗଳ ତାଙ୍କର

ଶୁଭ କର୍ମେ ତରୁ ପ୍ରଶସ୍ତ ହେବାରୁ

ଜେମା କଲେ ତା ଆଦର ।

ନାୟକ, ନାୟିକା ବର୍ଣ୍ଣନା ନିଚୟ

ବଢ଼ାଇବେ କାବ୍ୟ ରୁଚି

ହୋଇ ମୁଁ ୨୮ବିମୃଷ୍ୟ- କାରୀ କିୟଦ୍ଦଂଶ

ବର୍ଣ୍ଣିଲି ଏଠାରେ ବାଛି ।

୨୯ଅଭ୍ରଂକଷ ୩୦ସୌଧେ ଆବଦ୍ଧ ରହନ୍ତି

ହୋଇଣ ୩୧ଅସୂର୍ଯ୍ୟଂପଶ୍ୟା

ସୁରମ୍ୟା ରମଣୀ ସହଚରୀ ଶ୍ରେଣୀ

କରନ୍ତି ତାଙ୍କ ଶୁଶ୍ରୂଷା ।

ଉନ୍ମତ୍ତ ଯୌବନ- ଦେବେ ଆକର୍ଷିତ

ହେବାରୁ ଯୁବତୀ ବରା

ଲଜ୍ଜା-ଶୃଙ୍ଖଳେ ସେ ରହିଲେ ଆବଦ୍ଧା

୩୨ଅପ୍ରକାଶ୍ୟ-ବନ୍ଦୀ ପରା ।

 

୧ ପତ୍ନୀଇଚ୍ଛା, ୨ କଷ୍ଟୀପଥର, ୩ ଇନ୍ଦ୍ର, ୪ ନରକ, ୫ ଭୟପ୍ରଦର୍ଶନ, ୬ ସ୍ମରଣଶକ୍ତି, ୭ ସମୁଦ୍ର, ୮ ଆଲୋଚନା, ୯ ଛେଳି, ୧୦ ଅଙ୍ଗାଇତ, ୧୧ ମୃଦୁତ୍ୱ, ୧୨ ଚାନ୍ଦୁଆ, ୧୩ ଚିତ୍ରକାର, ୧୪ ରଙ୍ଗିବାକାଠି, ୧୫ କଜ୍ଜ୍ୱଳପାତି ପକ୍ଷୀ, ୧୬ ଶର,୧୭ ଅଙ୍ଗେ ଲେପିବା ଦ୍ରବ୍ୟ ଯଥା ହଳଦୀ, ଚନ୍ଦନ, ୧୮ ଚନ୍ଦ୍ର, ୧୯ ରାଜାଶ୍ରେଷ୍ଠ, ୨୦ ଧନୁ, ୨୧ ପାଚଲା ତୋରଡ଼ା, ୨୨ ଛେପ, ୨୩ ପଦ୍ମନାଡ଼, ୨୪ କଟୀଦେଶେ, ୨୫ କଢ଼ି, ୨୬ ବୃକ୍ଷ, ୨୭ କଦଳୀତରୁ, ୨୮ ଯେ ବିଚାରଣା କରି କାର୍ଯ୍ୟ କରେ, ୨୯ ଆକାଶସ୍ପର୍ଶୀ, ୩୦ ଅଟ୍ଟାଳିକା, ୩୧ ଯେ ସ୍ତ୍ରୀକୁ ସୂର୍ଯ୍ୟ ସୁଦ୍ଧା ଦେଖେ ନାହିଁ, ୩୨ ଅସ୍ପଷ୍ଟ

☆☆☆

 

ପଞ୍ଚମ ସର୍ଗ

 

ଯୌବନ ସୁଲଭ ଗୁଣେ ହୋଇ ପୂର୍ଣ୍ଣ

ନବୀନା ହୃଦ ଗମ୍ଭୀର-

୧ରତ୍ନାକର ବତ ହେଲା ଯେ ନିୟତ

ପ୍ରେମ ରତ୍ନେ ଥିଲା ଭର ।

ସୁବାସ-ସୁମନ ମୋହିତ କା’ମନ

କରିବ ସେ ଚିନ୍ତା ମନେ

ଜନନୀ, ଜନକ ରଖି ଅବିରତେ

ଲାଗିଲେ ବର ସନ୍ଧାନେ ।

ଦମୟନ୍ତୀ ଦୂର ହୋଇବେ ଅଚିର

ସହଚରୀ କରି ସ୍ଥିର

ହରଷ, ବିଷାଦ- ପୂର୍ଣ୍ଣେ ସ୍ୱ ସ୍ୱ ହୃଦ

ସର୍ବଦା ରଖନ୍ତି ଭର ।

ସୁଗୁଣ ସମ୍ପନ୍ନା ଅବନୀ ମଣ୍ଡନା

ହୋଇବେ କା’ ଗଳାହାର

ସେ ଚିନ୍ତା ସରବ ଗର୍ଭେ କରି ଠାବ

ସନ୍ତପ୍ତ କରେ ଅନ୍ତର ।

ବେଳେ ବେଳେ ଜେମା ପ୍ରମୋଦ କରଣେ

ବହୁ ଦେଶ ସମାଚାର

ବିବୃତି କରିଣ ବଦନୁଁ ନିଦାନି

ନିଅନ୍ତି ଭାବ ତାଙ୍କର ।

ହୃଦୟ କାନନେ ବସି ୨ତ୍ରପା-ମୃଗ

କରେ ତାଙ୍କୁ ନିରୁତ୍ତରା

ପ୍ରବୀଣା ସଙ୍ଗିନୀ ମନୋଭାବ ଜାଣି

ମାତିବେ ରହସ୍ୟେ ପରା ।

ଦମୟନ୍ତୀ ଧରା ସମା ଧୀରା, ସ୍ଥିରା

ରହନ୍ତି ଅଧୋବଦନେ

୩ଉଚିତାନୂଚିତ କରିଣ ତର୍କଣା

ଭାବ ରଖନ୍ତି ଗୋପନେ ।

ଦିନେ ଏକ ସହ- ଚରୀ ସୁଚତୁରୀ

ଶୁଣି ଦାଣ୍ଡେ ନଳ ଗୁଣ

କଲା ତା ବ୍ୟାଖ୍ୟାନ ହୋଇଣ ଉତ୍ସୁକ

ଜମିଲେ ସଙ୍ଗିନୀଗଣ ।

ଦମୟନ୍ତୀ ମୁଖ କରି ନେଇ ବକ୍ର

ଶୁଣିଲେ ଆମୂଳ-ଚୂଳ

୪ଆସ୍ୟେ ଜଣାଇଲେ ସହଚରୀକୁଳେ

ନୁହନ୍ତି ସେ ବାର୍ତ୍ତା-ଭୋଳ ।

ଗୁଣୀ ନରପତି ଗୁଣ ରାଶି ଶୁଣି

ପ୍ରେମାତୁରା ପରିତୃପ୍ତା

ଅନ୍ତରେ ଥିଲେହେଁ ଦେଖାନ୍ତି ବାହାରେ

ନ ଥିଲେ ସେ ଅନୁରକ୍ତା ।

‘‘ମନେ ତୋଷ ଥିଲେ ହେଲେ ଲଜ୍ଜା ବଶେ

ସେ ଗୁଣ ନୁହେ ବିକାଶ’’

୫ସିତେ କଟୁଯୁକ୍ତ ହେଲେ ତ ଅବଶ୍ୟ

ଶର୍କରା ଆଦର ହ୍ରସ୍ୱ ।

ଲଜ୍ଜାଶୀଳା ଯେଣୁ ରମଣୀ ରତନ

ମନୋବୃତ୍ତି ଅବିଦିତ (ରହେ)

‘‘ପେଟିକା ଆବଦ୍ଧ ଥିଲେ କେ ରତନ

କଦା ହୁଏ ଦୃଷ୍ଟିଗତ ?’’

‘‘ଲଜ୍ଜାହୀନ-ଜନ ଅସଦାଚରଣେ

କରେ ସିନା ବ୍ୟଭିଚାର

ଲଜ୍ଜାର ବିକାଶେ ଇନ୍ଦ୍ରିୟ ଲାଳସା

ଶରୀରୁଁ ହୁଏ ଅନ୍ତର ।

ଲଜ୍ଜା ବଂଶୁ ସିନା ଆଚ୍ଛାଦନ-ବାସେ

ଲୋଡ଼ି ବସୁଥାନ୍ତି ଜନେ

ସେ ହେଲେ ବିଲୟ ବାସେ କା’ର ଲୟ

ନଥାଇ ରଖନ୍ତା ନଗ୍ନେ ।’’

ନଳ ଭାବ ଅନୁ- ଶୀଳନେ ନିଷଧେ

ଚରିତ ନିଏ ଏକ୍ଷଣି

କି ପ୍ରାୟ ଦିବସ କାଟନ୍ତି ନରେଶ

ଜାଣିବା ମାନସେ ପୁଣି ।

ଗାର୍ହସ୍ଥ୍ୟ ଜୀବନ ସେ ଅନୁଭବନେ

ମାନସେ ବଢ଼ାନ୍ତି ଶ୍ରଦ୍ଧା

ଅନୁକ୍ଷଣେ କାନ୍ତା- ଚିନ୍ତା ମନାସନେ

ବସି ଦିଏ ନାନା ବାଧା ।

ହୋଇ ସେ ୬ବିବିକ୍ତ- ସେବୀ ଦିବାରାତ୍ରି

ଈଶ୍ୱରେ ସମର୍ପି ମତି

ଲଜ୍ଜା-ଭରେ ମନୋ- ବେଦନା କାହାରେ

ପ୍ରକାଶ ସେ ନ କରନ୍ତି ।

ଚିନ୍ତା ସୂର ଶର ନିକ୍ଷେପେ ଅପାର

ଯନ୍ତ୍ରଣା ପ୍ରବେଶି ମନେ

୭ନିଭୃତ ୮ପ୍ରକୋଷ୍ଠେ ନିବାସ କାମନା

ମଣିଲେ ହିତ-ସାଧନେ ।

୯ପୁରୋପାନ୍ତେ ରହେ କ୍ରୀଡ଼ନ-ଆବାସ

ଥିଲା ସେହି ସୁସଜ୍ଜିତ

ବିଶ୍ରାମୋପଯୋଗୀ ସ୍ଥାନ ବୋଲି ସେହି

ନୃପ ବଳାଇଲେ ଚିତ୍ତ ।

‘‘ଚିନ୍ତା ବିନାଶନେ ମନ ପ୍ରବର୍ତ୍ତନ

ଅଟଇ ଯେ ମହୌଷଧି’’

ନଳ ତା ଆଶ୍ରୟ ନେବା ସୁସମୟ

ଚିନ୍ତା ବିନାଶନେ ବିଧି ।

ସଉଧେ ନିବାସ ସୁଖାଦ୍ୟ, ବିଳାସ

ମଣିଲେ ଅହିତକର

ଜନ ସମାଗମେ ମନ କଲେ ନ୍ୟୂନ

ଏକାକୀ ରହିଲେ ସ୍ଥିର ।

୧୦ଉପକଣ୍ଠେ ତାର ଏକ ସରୋବର

ସ୍ୱଚ୍ଛ ନୀରେ ରହେ ଭରି

୧୧କୁମୁଦ, ୧୨କହ୍ଲାର ନୀଳୋତ୍ପଳ ଦଳ

ବକ୍ଷେ ସେ ନିଅଇ ଧରି ।

ଉପବନ ରହେ ବିବିଧ ସୁମନେ

ଭୃଙ୍ଗଦଳ ଆମନ୍ତ୍ରଇ

କାହିଁ ଶ୍ୱେତ, ପୀତ, କାହିଁ ବା ଲୋହିତ

ବର୍ଣ୍ଣ-ପୁଷ୍ପେ ମନ ମୋହୀ ।

କାହାର ମୁକୁଳ ମୁକୁଟ ପ୍ରକାର

ଦିଶୁଥାଏ ମନୋହର

ଯୁବା-ଜନ ମନ ମୋହନେ ନିଦାନ

ଜନମ ଅଟ ତାହାର ।

କାହିଁ ମୋତି ହାର ପରାଏ ସୁନ୍ଦର

ପୁଷ୍ପ ହାରାବଳୀ ଖେଳେ

ନବୀନ ବୟସ୍କା ନାଗରୀ ମାନସ

ହରିବାକୁ ଅବିକଳେ ।

ପୁଷ୍ପବାଟୀ ପାଖେ କିଶଳୟ ପୂର୍ଣ୍ଣ

ତମାଳ ତରୁ ବିରାଜେ

ଘନ-ଆଗମନ ଭ୍ରାନ୍ତିକୁ ବହନ

ଚାତକ ମାନସେ ଗୁଞ୍ଜେ ।

ଗୁଣଗ୍ରାହୀ ୧୩ଗନ୍ଧ- ବହ ତା ସୁଗନ୍ଧ

ପ୍ରସାରଇ ପୁରେ ପୁରେ

ସୁଗନ୍ଧ ପାଲଟେ ପୀରତି ଉଲଟେ

ଘେନେ ସ୍ୱଲାଭ ଆଶାରେ ।

‘‘ସୁଗୁଣୀ ସୁଗୁଣ କରେ ପ୍ରସାରିତ

ବିପରୀତେ ବିପରୀତ

ଫଳ ଉତ୍ପାଦନ କରଇ ନିଦାନ

ତାହା ହେଲା ପ୍ରକଟିତ ।’’

ଚିନ୍ତାଶୀଳ ମନ ସାନ୍ତ୍ୱନା କରଣେ

ସେହିଟି ସୁଦିବ୍ୟ ସ୍ଥାନ

ଭାବିନେଇ ମନେ ନଳ ସେହି ସ୍ଥାନେ

କଲେ ଅସ୍ଥାୟୀ ଆସ୍ଥାନ ।

ଦୃଶ୍ୟ ବିମୋହିତ ଶୁଦ୍ଧ ବାୟୁଯୁତେ

ମୋହିଲା ନୃପ ମାନସ

ପ୍ରଭାତ ସମୟେ ଦିନେ ସରକୂଳେ

ଜମା ହେଲେ ରାଜହଂସ ।

କନକ-ବରନ ଚଞ୍ଚୁ, ପକ୍ଷ, ହେମ

ଦିଶନ୍ତି ଆଶ୍ଚର୍ଯ୍ୟ ଜୀବେ

ବ୍ରହ୍ମାଣ୍ଡ କରତା ବ୍ରହ୍ମାଙ୍କ ବାହନ

ଯେହେତୁ ପବିତ୍ର ଭବେ ।

ମନୋହର ଦୃଶ୍ୟ ଦେଖି ନରଈଶ

ଉତ୍‌ଫୁଲ୍ଲ ହୋଇଣ ମନେ

ହଂସ ଏକ ଧରି ନେବା ମନସ୍କାମେ

ଲାଗିଲେ ୧୪ଅନୁଧାବନେ ।

ନଳ ଗତି ଦେଖି ପତତ୍ରୀ ସକଳେ

ଉଡ଼ିଗଲେ ଆନ ସ୍ଥାନ

ଗୋଟିଏ ତହିଁରୁ ନ ହୋଇଣ ଭୀରୁ

କଲା ସଧୀର ଗମନ ।

ସତୃଷ୍ଣ ନୟନେ ଦେଖିଣ ରାଜନ

ନେଲେ ତାକୁ ଦୃଢ଼େ ଧରି

୧୫କାରୁଣିକ ସ୍ୱନ କରି ପକ୍ଷୀରାଣ

କହେ ଆହେ ଦଣ୍ଡଧାରୀ ।

ଉନ୍ନତ ୧୬ମନ୍ଦରେ କିବା ତରୁବରେ

ବଜ୍ର ପେଷେ ୧୭ମରୁତ୍ୱାନ

୧୮ତାଚ୍ଛଲ୍ୟ ଭାବରେ ପରିତ୍ୟାଗ କରେ

୧୯ପଲ୍ୱଳେ ତୃଣେ ନିଦାନ ।

କେଶରୀ କେବେ କି ମୂଷିକ ନାଶନେ

କରେ ବାରେ ଆକ୍ରମଣ

ନୀତି ୨୦ବିପର୍ଯ୍ୟୟ କଲେ ମହାଶୟ

ତବାଦର୍ଶ ନୀଚତମ ।

ମୋ ବିନାଶେ ଦୁଃଖୀ ହେବେ ପ୍ରିୟ ସଙ୍ଗୀ

ସୁଖୀ ହେବେ ମୋ ଅପ୍ରିୟ (ଜନେ)

ସେଥକୁ ଶୋଚନା ନାହିଁ ମୋର କିନା

ମାତା ଶୋକେ ଦିଏ ଲୟ ।

ମୋ ଜନମ କାଳୁଁ ସହି କଷ୍ଟ ଜାଳ

ପାଳିଲା ମୋତେ ଆଦରେ

ବାର୍ଦ୍ଧକ୍ୟ ସମୟେ ମୋର ୨୧ଇହତ୍ୟାଗ

ଅସହ୍ୟ ତ ହେବ ତାରେ ।

ଶୁଣେ ମୁଁ ଆପଣ ସୁଗୁଣ ସମ୍ପନ୍ନ

ଦୟାଳୁ କୃପା-ସାଗର

ମୁଁ ହୀନ ପରାଣ ନାଶନେ ଗୁମାନୀ

ହେଲେ ହେବ ନିନ୍ଦା ଘୋର ।

‘‘କହନ୍ତି ପଣ୍ଡିତେ କ୍ଷମା ସଂଯୋଜିତେ

ଲୋକପ୍ରିୟ ବଳବାନ

ହୁଏ ମାତ୍ର କ୍ଷମା ବିହୀନ ହୃଦୟ

ବହଇ ଯେ ବଳହୀନ ।’’

ବ୍ରହ୍ମାଙ୍କ ପ୍ରସାଦୁଁ ମୁଁ ଜାଣଇ ସବୁ

ସର୍ବପୁରେ ମୁଁ ବିହରେ

ସର୍ବଜ୍ଞ ପ୍ରକାର ଜାଣି ସମାଚାର

ସଦୁପଦେଶ ବିତରେ ।

ମୁଁ ଦେବେ ପ୍ରେରିତ ସାଧି ତବ ହିତ

ଚଳିବି ମୋ ନିଜ ସ୍ଥାନେ

ଦ୍ୱେଷ ମୋରେ ଦୂର କର ନରବର

ହିତକାରୀ ମାନ ମନେ ।

ମନୋବୃତ୍ତ ତବ ଜାଣେ ମୁଁ ସରବ

କାମ-ସଫଳ କରଣେ

ଉପାୟ ଯେ ରହେ କହିବି ହେ ରାୟ

ନ ଭାବ ଅପର ମନେ ।

ମୁହିଁ ରାଜପୁରେ ମୋ ସ୍ୱାମୀଙ୍କ ତୁଲେ

ଫେରୁଥାଏ ୨୨ଅବିରତ

ସର୍ବ ସୁକୁମାର କୁମାରୀ ଚରିତ

ବ୍ୟାଖ୍ୟାନେ ମୁଁ ସମରଥ ।

ମାତ୍ର ତୁଚ୍ଛ ପକ୍ଷୀ ବୋଲି ମତେ ଦେଖି

ନ ନିଅହେ ନର-ରାଣ

ମୋହର ବିଶ୍ୱାସ ହେବ ହୃଦଗତ

କାଳେ କହେ ସ୍ଥିରେ ଶୁଣ ।

ପରୀକ୍ଷା ନ ଦେଇ ବାଢ଼ିଲେ ସାମର୍ଥ୍ୟ

ହାସ୍ୟାସ୍ପଦ ମାତ୍ର ତାହା

ଅଳ୍ପକାଳେ ମୋର ଗୁଣ ପରିଚୟ

ଲଭିବ ହେ ନରନାହା ।

ଜଣାଏ ଏତେକ ମୁଁ ହିତକାରକ

ସରଳ ବିଶ୍ୱାସୀ ଦାସ

କାର୍ଯ୍ୟାବଳୀ ମୋର ହେବ ସ୍ପଷ୍ଟତର

ମାନସୁଁ ବରଜ ୨୩ଦ୍ୱେଷ ।

ଦେବ ବଳେ ମୋର ଅକଳଣା ବଳ

ହେଲେହେଁ ମୁଁ ପକ୍ଷୀ-ଜାତି

ତବ ମନୋଭାବ ଜାଣେ ମୁଁ ସରବ

ସାଧିବି ନୋହି ବିଚ୍ୟୁତି ।

ପ୍ରେୟସୀ ଲାଳସା ତବ ହୃଦେ ବସା

ସୁଦୃଢ଼େ କରିଛି ଏବେ

ସୁଯୋଗ୍ୟା ରମଣୀ ଅଛି ଯେ ଜନମି

ବଢ଼େ ସେ ବିଦର୍ଭେ ଶୁଭେ ।

କୋମଳ, ମଞ୍ଜୁଳ୨୪ କମଳ-କଳିକା୨୫

ବିଧି ରଖି ଭୀମ ପୁରେ

ତା’ ଗୁଣ ପ୍ରକାଶି ତାହାକୁ ବିକାଶି

ଦେଲେ ଏବେ ପ୍ରୀତିଭରେ ।

୨୬ବିଦ୍ୟୁଲ୍ଲତା ଆଭା ମହାଲକ୍ଷ୍ମୀ ଶୋଭା

ସେହି କରନ୍ତି ପରାସ୍ତ

ସୁଗୁଣ ସାଗରୀ ଯେଣୁ ହେମଗୋରୀ

ଦେବଯୋଗ୍ୟା ସେ ନିୟତ ।

ତୁମ୍ଭେ ରୂପେ, ଗୁଣେ ତାଙ୍କ ସମପାତ୍ର

ମୁଁ କହଇ ନରମଣି

ଅନୁଜ୍ଞା ଲଭିଲେ ତାହାଙ୍କୁ ମନାଇଁ

କରାଇବି ତବ ରାଣୀ ।’’

କାମ-ଦାବାନଳେ ନଳ ଦଗ୍‌ଧ-ଦେହ

୨୭ଅପର୍ଯ୍ୟାପ୍ତ ଦୁଃଖ ସହି

ନେଉଥିଲା ଯେଣୁ ୨୮ବରଟ ଭାଷଣ-

ବାରିଧାରା କଲା ତ୍ରାହି !

ଭାବିଲେ ଈଦୃଶ ସୁବିଜ୍ଞ ୨୯ବିହଗ

କଦା ନୁହେ ଦୃଷ୍ଟିଗତ

୩୦ପତତ୍ରୀ ଚରିତ ଥିଲାରୁ ଅଜ୍ଞାତ

ସଂଶୟ ମନେ ଉଦିତ ।

ହେବାରୁ ସେ ଥରେ ଭାବିଲେ ଚିତ୍ତରେ

ଅଜ୍ଞାତ ନୁହେ ବିଶ୍ୱସ୍ତ

ବିଶ୍ୱାସ ଭାଜନ ହୁଏ ସେ ନିଦାନ

ପୂର୍ଣ୍ଣ ପରୀକ୍ଷିତେ ମାତ୍ର ।

ହିତ-ଉପଦେଶ ବାକ୍ୟ ଅନୁଶ୍ରୁତ

ଯୋଗ୍ୟାଯୋଗ୍ୟ ବିଚାରଣା

ମାନସେ ପ୍ରବେଶି ଶ୍ରମ ଦେଲା ବେଶି

(ତେଣୁ)କଲେ ବିବିଧ ତର୍କଣା ।

ସୂକ୍ଷ୍ମ ଅନୁସୂକ୍ଷ୍ମ ଆଲୋଚନା ପରେ

ମଣିଲେ ତାକୁ ବିଶ୍ୱାସୀ

ମନେ ତୋଷ ବହି ଅଙ୍ଗିକାର ଦେଇ

ବୋଲନ୍ତି ହିତ-ଲାଳସୀ ।

‘‘ଯଥାଯୋଗ୍ୟ କର୍ମ କର ପକ୍ଷୀ-ରାଣ

ନାହିଁ ଉପଦେଶ ମୋର

ସୁଜ୍ଞାନୀ, ସୁଦକ୍ଷ- ୩୧ପ୍ରଣିଧେ ବିଶେଷ

କହିବି କିସ ଆବର ।

ଏତିକି ମାତର କରଇ ଗୋଚର

୩୨ପ୍ରତ୍ୟାବର୍ତ୍ତନେ ତୁମ୍ଭର

ଜଗି ରହିଥିବି ଉତ୍‌କଣ୍ଠିତ ମନେ

ଶ୍ରବଣେ ଜେମା ଉତ୍ତର ।’’

ଉଡ଼ିଯାଇ ହଂସ ମିଶିଣ ସ୍ୱଗୋଷ୍ଠେ

କହିଲା ଚଳଣିତକ

ମନ ସମୁତ୍ସୁକେ ଉଡ଼ିଲେ ସରବେ

ଭୀମ-ପୁରେ ରଖି ଲକ୍ଷ୍ୟ ।

ଯଥା କାଳେ ପୁରେ ହେଲେ ଉପଗତ

ଦେଖିନେଲେ ସରୋବର

ନଗର ଉପାନ୍ତେ ରହେ ବିଦ୍ୟମାନ

ସ୍ୱଚ୍ଛ ନୀରେ ସେହି ଭର ।

କ୍ରୀଡ଼ା କଉତୁକେ ମାତିଲେ ସେ ସରେ

ଦର୍ଶକେ ହେଲେ ମୋହିତ

କିୟତ୍‌କ୍ଷଣ ପରେ ଆସି ସର କୂଳେ

ଅଙ୍ଗ-ଶୁଷ୍କେ ହେଲେ ରତ ।

୩୩ଗାତ୍ର-ପ୍ରକ୍ଷାଳନେ ସହଚରୀଗଣ

ସଙ୍ଗେ ଜେମା ଦମୟନ୍ତୀ

ସର-କୂଳେ ଆସି ଦେଖି ହଂସ, ହଂସୀ

ଧରିବା ଉପାୟ ଚିନ୍ତି (ନେଲେ) ।

ଗତି ତାଙ୍କ ମନୋ- ଭାବ ଜଣାଇଲା

ପକ୍ଷୀ ହେଲେ ୩୪ଇତସ୍ତତଃ

ଭଗ୍ନ ମନୋରଥା ହୋଇ ଯୁବତୀଏ

୩୫ଅନୁଧାବନୁଁ (ହେଲେ) ବିରତ ।

ନଳ-ଦୂତ-ହଂସ ନ ହୋଇ ବିରସ

କରୁଥିଲା ମନ୍ଦଗତି

୩୬ଦ୍ରୁତ ଗତି କରି ଗଲେ ଦମୟନ୍ତୀ

ତା ପାଖେ ହେଲେ ଝଟିତି ।

ହଂସ ଦେଖି ନେଲା ଏକାକିନୀ ସେହି

ଛାଡ଼ିଲା ୩୭ଅନ୍ତୁଁ ତା’ ଭୀତି

କୋମଳ ସୁସ୍ୱରେ ନଳ ତେଜାକୃତି

ବର୍ଣ୍ଣିନେଲା ବହି ପ୍ରୀତି ।

ଶୁଣି ତା’ ବିବୃତି ହେଳେ ଦମୟନ୍ତୀ

ଚିତ୍ତ-ପଟେ କରି ଚିତ୍ର

ମାନସେ ବସାଇ ଦେଖିଲେ ଫିଟାଇ

ତାହାଙ୍କର ଅନ୍ତର୍ନେତ୍ର ।

ବିଶ୍ୱ ବିମୋହିତ ରୂପେ ସେ ମୋହିତା

ହୋଇ ହେଲେ ହୃଷ୍ଟମନା

ଲଭିବେ ସେ ପତି କାମନା ପୂରିତେ

ବିଶ୍ୱେଶେ କଲେ ବନ୍ଦନା ।

‘‘ବିଧି ସୁବିଧାନ ନ ହୁଏ ତ ଆନ

ଯେ ଯାର ସେ ନିଶ୍ଚେ ତାର

ରୂପ ସଂଦର୍ଶନେ, ସୁଗୁଣ ଶ୍ରବଣେ

ପ୍ରେମ ଜନମ ନିକର ।

ହେଲେ ସେ ଉଦିତ ଧ୍ୟାନ-ନୀରେ ଯୁତ

ହେଲେ ବଢ଼େ ଅନୁପମେ

ସମୀପ, ଅନ୍ତର ନ ରହେ ବିଚାର

ଖେଳେ ସେହି ଅନ୍ୟ ଅନ୍ୟେ ।

କାନନେ ମୟୂର ଗଗନେ ୩୮ମୁଦିର

ଯଥା ଏକ ଏକେ ମୋଦି

ପଦ୍ମିନୀ ୩୯ସରସେ ତପନ ୪୦ଆକାଶେ

ମିତ କହନ୍ତି ଯେ ୪୧ ସୁଧୀ ।

୪୨ଆଦିତ୍ୟ ଉଦିତେ କମଳ ବିକାଶେ

ପ୍ରେମ ବଢ଼ାଏ ମହତ୍ୱ

୪୩ନୈକଟ୍ୟ, ଦୂରତା ନ ଲୋଡ଼ନ୍ତି ତଥା

ପ୍ରେମିକ, ପ୍ରେମିକା ଚିତ୍ତ ।’’

ନଳ ନ ଚିହ୍ନନ୍ତି ଜେମା ଦମୟନ୍ତୀ

ନ ଜାଣନ୍ତି ନଳେ ସେହି

ତଥାପି ଦୁହିଙ୍କୁ ପ୍ରେମ-ଡୋର ବଳେ

ବାନ୍ଧିଲେ କୃପାଳୁ ବିହି ।

ବିଭୁ ନିୟମିତ ଅଟେ ଏ ଜଗତ

ନିୟାମକ ସେହି ସିନା

ନିଜେ ସେ ନକରି ଆନ ଜନ ଦ୍ୱାରା

ସିଦ୍ଧ କରାନ୍ତି କାମନା ।

କାହିଁ ପୁରେ ଜେମା କାହିଁ ସେ ବରଟ

ଅନ୍ୟୋନ୍ୟେ ଅପରିଚିତ

ବିଶ୍ୱ-କୃପା-ଡୋର ସୁଦୃଢ଼ ବନ୍ଧନେ

ଉଭୟେ ହେଲେ ସୁମିତ ।

ନୟନେ ନ ଦେଖି ମନ ପଟେ ଲେଖି

ରଖିଲେ କେଉଁ ବୃତ୍ତାନ୍ତ

କର୍ଣ୍ଣେନ୍ଦ୍ରିୟେ ଶୁଣି ଚରିତ ବର୍ଣ୍ଣନା

ରୂପ ଗଢ଼େ ଅନ୍ତର୍ନେତ୍ର ।

ସମଗ୍ର ଚରିତା- ମୃତ ନଳଙ୍କର

କର୍ଣ୍ଣେ ପାନ କରି ଜେମା

ମନେ କଲେ ସ୍ଥିର ରୂପେ, ଗୁଣେ ସେହି

ତାଙ୍କ ଯୋଗ୍ୟପାତ୍ର ସିନା ।

ଉତ୍ତର ଦେବାକୁ ବିମୁଖିନୀ ହୋଇ

ମଉନେ ରହିଲେ ସେହି

ରାଜ-ହଂସ ମୁଖ ଦେଖି ସେ ସହସେ

ଦେଲେ ମାତ୍ର ପଦେ କହି ।

୪୪ଆର୍ଯ୍ୟପୁତ୍ର-ଯୋଗ୍ୟା ମୁହିଁ ଅଟେ ବୋଲି

ନ ଭାବଇ କଦାକାଳେ

ତାହାଙ୍କ କରୁଣା ହେଲେ ମୁହିଁ ହୀନା

କୃତାର୍ଥ ହୋଇବି ବାରେ ।

ପୁଣ୍ୟ ନରବରେ କହିବ ଆବର

ତାଙ୍କ ମୂର୍ତ୍ତି ହୃଦାସନେ

ଧରିଛି ଯୁବତୀ ଯେମନ୍ତ ୪୫ସାବିତ୍ରୀ

ରଖିଥିଲେ ୪୬ସତ୍ୟବାନେ ।

ନିଷଧ ନଗରେ ବରଟ ପ୍ରବେଶି

ଜେମା ପ୍ରତ୍ୟୁତ୍ତର ନଳେ

ଜଣାଇ ସ୍ୱପୁରେ ଗମିଲା ସଧୀରେ

ଆକାଂକ୍ଷା ରଖି ସୁଫଳେ ।

 

୧ ସମୁଦ୍ର, ୨ ଲଜ୍ଜା, ୩ ଯୋଗ୍ୟାଯୋଗ୍ୟ, ୪ ଭଙ୍ଗିରେ, ୫ ସାକରରେ, ୬ ଏକାନ୍ତେସବୀ, ୭ ଗୋପନ, ୮ ବଖରା, ୯ ପୁରନିକଟେ, ୧୦ ନିକଟ ସ୍ଥାନ, ୧୧ କଇଁ, ୧୨ ଶ୍ଵେତପଦ୍ମ, ୧୩ ପବନ, ୧୪ ପଶ୍ଚାତ୍ ଗମନ, ୧୫ ଦୈନ୍ୟ, ୧୬ ପର୍ବତେ, ୧୭ ଇନ୍ଦ୍ର, ୧୮ ହେୟଜ୍ଞାନେ, ୧୯ ଗାଡ଼ିଆ, ୨୦ ବିପରୀତରେ, ୨୧ ପରଲୋକ, ୨୨ ସର୍ବଦା, ୨୩ ଶତ୍ରୁତା, ୨୪ ସୁନ୍ଦର, ୨୫ କଢ଼ି, ୨୬ ବିଜୁଳୀ, ୨୭ ଅଶେଷ, ୨୮ ରାଜହଂସ, ୨୯ ପକ୍ଷୀ, ୩୦ ପକ୍ଷୀ, ୩୧ ଦୂତେ, ୩୨ ଫେରସ୍ତ, ୩୩ ସ୍ନାନାର୍ଥେ, ୩୪ ଏଣେତେଣେ, ୩୫ ଗୋଡ଼ାଇବାରୁ, ୩୬ ଶ୍ରୀଘ୍ର, ୩୭ ହୃଦୟାନ୍ତୁ, ୩୮ ମେଘ, ୩୯ ସରୋବରେ, ୪୦ ସୂର୍ଯ୍ୟ, ୪୧ ବିଦ୍ୱାନ, ୪୨ ସୂର୍ଯ୍ୟ, ୪୩ ନିକଟତା, ୪୪ ସ୍ୱାମୀ ଉଦ୍ଦେଶ୍ୟେ ସ୍ତ୍ରୀ ବ୍ୟବହାର କରେ, ୪୫ ମହାସତୀ, ୪୬ ତାହାଙ୍କ ଗୃହସ୍ଥ,

☆☆☆

 

ଷଷ୍ଠ ସର୍ଗ

 

ଉଦାର ନବୀନା ମନୋରଥ ବିନା

ଥିଲେ ନିଶ୍ଚେ ଭୂତ-କାଳେ

ନଳ ପ୍ରତିମୂର୍ତ୍ତି ହୃଦାସନେ ବସି

କଲା ୧ବିବର୍ତ୍ତ ସେ କାଳେ ।

ଦୁର୍ବୃତ୍ତ ମଦନ ଦେବାକୁ ୨କଦନ

ପ୍ରହାରି ନେଇ ବିଶିଖ

ରାଜପୁରାକାଶେ କରି ସେ ନିବାସ

ଦେଖେ ଜେମା ଦୁଃଖତକ ।

କାନ୍ତ-ପ୍ରେମ ଚିନ୍ତା ହୋଇ ବା ଦୁରନ୍ତ-

ରାକ୍ଷସ ହୃଦ ଆସନେ

ଆସୀନ ହୋଇଣ ଚାଳିଲା ଜେମାକୁ

ତାର କର୍ତ୍ତୃତ୍ୱ ବିହୀନେ ।

ମୁମୂର୍ଷୁ ଅବସ୍ଥା ପ୍ରକାରେ ତା’ ଦଶା

ହୋଇ ବାହ୍ୟ ଜ୍ଞାନମୋକ୍ଷ

ହେବାରୁ ତାହାକୁ ଶୁଆଇ ପଲଙ୍କେ

ମନେ ବାଢ଼େ ବହୁ ଦୃଶ୍ୟ ।

ଅଙ୍ଗ ପ୍ରତି ଅଙ୍ଗ ହୋଇଲେ ଅବଶ୍ୟ

ମୁଖ କଣ୍ଠ ହେଲେ ଶୁଷ୍କ

ପାଗଳିନୀ ସମ ବାଚାଳ ସେ ହୋଇ

ପ୍ରଳାପି ନେଲେ ଅନେକ ।

ଖାଦ୍ୟ, ପେୟ କାଳ ହେଲା ବ୍ୟତିକ୍ରମ

ଥିଲେ ଯେଣୁ ଭାବ-ସରେ

ନଳ ଗୁଣ, ରୂପ ହୋଇ ୩ସ୍ତୂପୀକୃତ

କ୍ଷୁଧା, ତୃଷା ସେ ନିବାରେ ।

ଦମୟନ୍ତୀ ତନୁ ବେଳୁଁ ବେଳ କ୍ଷୀଣ

ହେବାର ଦେଖି ସଙ୍ଗିନୀ

ରାଜମାତା ପାଖେ କରିଲେ ଜଣାଣ

ନନ୍ଦନା ଦୁଃଖ କାହାଣୀ ।

କ୍ରମେ କ୍ରମେ କ୍ଷୀଣା ହେବାରୁ ନନ୍ଦନା

ରାଜବୈଦ୍ୟ ଆମନ୍ତ୍ରିତ

ହୋଇଣ ଅଚିରେ ସୁବିଚାର ଭରେ

କଲେ ଚିକିତ୍ସା ବହୁତ ।

ଚିକିତ୍ସା ସୁଫଳ ନୋହି ବୈଦ୍ୟଦଳ

ବିଷାଦ ମୁଖେ ଫେରିଲେ

ବହୁ ଧନ, ମାନ ଅର୍ଜନେ ସୁଯୋଗ

ବିଧିବଂଶୁ ହରାଇଲେ ।

ଧନ୍ୱନ୍ତରୀ ସମ ଅଭିଜ୍ଞ, ସୁଦକ୍ଷ

ରାଜବୈଦ୍ୟ ଅଣାଗଲେ

ଦମୟନ୍ତୀ ଜେମା ଚିକିତ୍ସା କରଣେ

ତାଙ୍କ କରେ ସମର୍ପିଲେ ।

ଚରକାଦି ଶାସ୍ତ୍ର- ଚିନ୍ତା ବୈଦ୍ୟରାଜ

ମସ୍ତକେ ଥିଲା ପୂରିତ

ନାଡ଼ି ପରଖିଣ ରଖିଲେ ନିଦାନ

ରୋଗ ମାତ୍ର ଚିନ୍ତା-ଜାତ ।

ଅନୁଭବୀ ଯେଣୁ ରସା ଜ୍ଞାନ ତେଣୁ

ଥିଲା ତାଙ୍କ ପୂର୍ଣ୍ଣ ଭାବେ

ନବୀନ ବୟସ୍କା ବିଭବ ଶାଳିନୀ

ନ ଥାନ୍ତି କିଛି ଅଭାବେ ।

ବୟସୁଁ ନିଦାନ କଲେ ବା ରମଣୀ

ହୃଦେ ୪ପ୍ରଣୟୀ ଲାଳସା

ଜନମି ତାହାଙ୍କୁ ଦେଲା ସେ ଗତିକୁ

ରଖିଲା ତାଙ୍କୁ ଅବଶା ।

ବୈଦ୍ୟ ଶାସ୍ତ୍ର ମତେ ଔଷଧ ନିର୍ଣ୍ଣୀତ

ନ ଦେଖି ଭିଷକ-ରତ୍ନ

ରୋଗ ଉପଶମେ କୌଶଳ ଚିନ୍ତନେ

ମନେ ମନେ କଲେ ଯତ୍ନ ।

ଲୋକ-ମୁଖେ ନଳ ଗୁଣ, କୀର୍ତ୍ତିଜାଳ

ବିଦର୍ଭେ ହୁଏ ବିଖ୍ୟାତ

ଜେମା ପରିଣୟ ଯୋଗ୍ୟ ବୋଲି ସେହି

ଅବିକଳେ କଲେ ମତ ।

ବକ୍ର ଉକ୍ତି ବଶେ କହିଲେ ୫ନଳଦେ

ସେ ବ୍ୟାଧି ୬ଅପନୋଦନ

ସଙ୍ଗିନୀ ଫଳଦ ଆଶାରେ ନଳଦ

କଷାୟ ଦେଲେ ବହନ ।

ରୋଗ ଉପଶମ ନ ହୋଇ କିଞ୍ଚିତ

ସରବେ କଲା ବ୍ୟଥିତ

ଜ୍ଞାନୀବର ମନ୍ତ୍ରୀ ଡକାଇ ନୃପତି

କହିଲେ ପୂରା ଚରିତ ।

ଆବର କହିଲେ ଚିକିତ୍ସକ ମତେ

ନଳଦେ ତୁଟିବ ରୋଗ

ସହଚରୀ ଗଣ କଲେହେଁ ପାଳନ

ନ ହେଲା ତାହି ରୋଗଘ୍ନ ।

ହୃଦୟ-କେଦାରେ ପ୍ରେମ-ବୀଜ ବୁଣା

ହେବାରୁ ସମ ବୟସ୍ୟ

ଗୁଣୀ, ଭାଗ୍ୟବାନ ରାଜନ ଚିନ୍ତିଣ

ହୁଅନ୍ତି ସେ ନିଶ୍ଚେ କୃଶ ।

ସିଦ୍ଧାନ୍ତେ ପହଞ୍ଚି କହିଲେ ଝଟିତ

ନଳଙ୍କୁ ଦେଲେ ନଳଦ

ହୋଇବ ନିଶ୍ଚିତ ବ୍ୟାକରଣ ମତେ

କରାଯାଉ ତଥା ବିଧ ।

ଚିନ୍ତିଣ ନରେଶ ମନ୍ତ୍ରୀ ଉପଦେଶ

କରଣେ ହେଲେ ସମ୍ମତ

ଶବଦ ବ୍ୟାଖ୍ୟାନ ତାହାଙ୍କ ଶୁଣିଣ

ମଣିଲେ ସେ ତ ଯଥାର୍ଥ ।

ନୃପ, ମନ୍ତ୍ରୀ ଦୁଇ ଦାର୍ବଟେ୭ ବିଚାରି

(କଲେ) ଜେମା ସ୍ୱୟମ୍ବର ସ୍ଥିର

ତଦର୍ଥେ ସାମଗ୍ରୀ ସଂଗ୍ରହ କରଣେ

ରହିଲେ ହୋଇ ତତ୍ପର ।

କ୍ଷିତି-ପତି ୮ତତି ଅତି ସମାଦରେ

ଆମନ୍ତ୍ରିଲେ ଯଥା ବିଧ

ନଳ ନୃପବରେ ସ୍ୱର୍ଣ୍ଣାକ୍ଷରେ ପତ୍ର

ଲେଖିଲେ ହୋଇ ପ୍ରମୋଦ ।

ବିଜ୍ଞ, ଯୋଗ୍ୟ ଦୂତ ହୋଇଲେ ପ୍ରେଷିତ

ଧରି ଆମନ୍ତ୍ରଣ ପତ୍ର

ଦେଶ, କୁଳାଚାର ହେଲା ଅନୁଷ୍ଠିତ

ପ୍ରୟାଣେ ସେ ହେଲେ ରତ ।

ଦେବେ, ନରେ ଜାତି ଅସମାନ ଯୋଗୁଁ

ଦେବେ ନୋହି ଆମନ୍ତ୍ରିତ

ରହିବାର ତ୍ରୁଟି ହେଲା ବୋଲି ରାଜା

ନ ଥିଲେ କଦା ବ୍ୟଥିତ ।

ନାରଦ ପ୍ରଚାର କଲେ ସେ ଖବର

ଶୁଣିଲେ ସ୍ୱର୍ଗେ ଦେବେନ୍ଦ୍ର

ସେ କାଳେ ବରୁଣ, ବୈଶ୍ୱାନର, ଯମ

ଥିଲେ ଇନ୍ଦ୍ର ସଭାସଦ ।

ଦମୟନ୍ତୀ ଗୁଣ ୯ବୃନ୍ଦାରକଗଣେ

ସ୍ପଷ୍ଟେ ଥିଲା ତ ଗୋଚର

ସୁନ୍ଦରୀ, ସୁଗୁଣା- ଳଙ୍କୃତା ରମଣୀ

ଲଭେ ଦେବେ ତତପର ।

‘‘ସୁବାସ କୁସୁମ ଆଘ୍ରାଣେ କା’ମନ

ହୋଇବ କେବେ ନିୟୂନ

ନିଷ୍କଳଙ୍କ ନିଧି ନେବାକୁ ସମ୍ପାଦି

ଲୋଭ କା’ ନୁହେ ବର୍ଦ୍ଧନ ।

ପ୍ରଚୁର ଆହାର ଥିଲେହେଁ କାହାର

ଘୃତ-ପକ୍ୱ ପିଷ୍ଟକରେ

ମନ ନ ବଳାଇ ହାତ ନ ବଢ଼ାଇ

ରହିବ କି ହେଲେ ବେଳେ ।

ମଳିନତା ଭଜି ଥିଲେ କି କାଞ୍ଚନ

ହୁଏ କା’ରେ ଅନାଦୃତ

ସୁଭାଗ୍ୟ ସମ୍ପନ୍ନ ହେଲେହେଁ କେ’ଜନ

ନ ବଢ଼ାଇବ ତା ହାତ ।’’

ନୀତି କ୍ରମେ ଚତୁ- ଷ୍ଟୟ ଦେବେ ଭ୍ରମେ

ମନେ ହେଲା ସ୍ଥିରୀକୃତ

ମର-ପୁର ଦେବୀ ରୂପ, ଗୁଣ ଘେନି

ଯିବେ ସ୍ୱୟମ୍ୱର କ୍ଷେତ୍ର ।

ଦେବେ ନିମନ୍ତ୍ରଣ ହେଲା ଯେଉଁ ଦିନ

ହେଲା ଦେବେ ସମାଦର

ରାଜନ ନ ହୁଡ଼ି ପୃଥକ ନ ଲୋଡ଼ି

ଥିଲାରୁ (ସେ) କ୍ଷମାପାତର ।

ଆମନ୍ତ୍ରଣ ପତ୍ର ନଳ ରାଜା ହାତେ

ପଡ଼ି ଆଣିଲା ଚମକ

ଭାବିଲେ ସୁରମ୍ୟା, ରମଣୀ ସତେକି

(ହେବେ) ତାହାଙ୍କ କଣ୍ଠେ ପଦକ ।

‘‘ରମଣୀ ରତନ ଲଭିବା ସୁଦିନ

କା’ ଭାଗ୍ୟେ ହେଲେ ନିକଟ

ଘୂର୍ଣ୍ଣବାୟୁ ସମ ମନୋଭାବ ଗଣ

ଜନ୍ମାଇ ରଖେ ୧୦ପ୍ରହୃଷ୍ଟ ।’’

ଯା’ ପ୍ରେମ ଲାଳସୀ ହୋଇ ଦିବା ନିଶି

କଷ୍ଟେ ସେ କାଟନ୍ତି ଦିନ

ତା ମୁଖ ଦର୍ଶନେ ତା ଅଙ୍ଗ ସ୍ପର୍ଶନେ

ଭରସା (ରଖେ) ମନେ ପ୍ରସନ୍ନ ।

ପ୍ରାଣ-ଧନ ମନ- ମୋହନ ସୁବେଶ

ବାଛି ନେଲେ ବହି ପ୍ରୀତି

ଯୋଗ୍ୟ ବେଶ ଭୂଷା ସେ କାଢ଼ି କୋଷରୁ

ଦେଲେ ଥୋଇଲା ସାରଥି ।

ନିଜେ ଯେଣୁ ଅଶ୍ୱ- ଶାସ୍ତ୍ରେ ସୁପ୍ରବୀଣ

ତ୍ୱରେ ୧୧ମନ୍ଦୁରା ପ୍ରବେଶି

ହୟ ଚତୁଷ୍ଟୟ ତହୁଁ ଫେଇ ନେଇ

ଆଣିଲେ ତାଙ୍କୁ ଆଶ୍ୱାସି ।

ପ୍ରଭାତେ ପ୍ରୟାଣ କଲେ ନରରାଣ

୧୨ଭବ-ପ୍ରାଣ-ଗତି ହୟେ

ପରାଜିତ କରି ପଥେ ଯାନ୍ତି ଚଳି

ଲୟ ରଖି ରାଜା ଜୟେ ।

ମାର୍ଗେ ସେ ଦେଖିଲେ ଚଳେ ବ୍ୟୋମଯାନ

ସମକକ୍ଷ ଏକ ରଥ

ବିଶ୍ୱ ବିମୋହନ ଚାରି ଯୁବା ଘେନି

କରୁଥିଲା ଗତି ଦ୍ରୁତ ।

୧୩କଶାଘାତ ବଳେ ନିଜ ଅଶ୍ୱ ଚାଳି

ଭେଟିଲେ ସେ ଦିବ୍ୟ ଯାନେ

ତାଙ୍କ ପରିଚୟ ଲଭିବା କାରଣେ

ରତ ହେଲେ ସମ୍ଭାଷଣେ ।

ଇନ୍ଦ୍ର ନିଜ ପରି- ଚୟ ଦେଇ କହି

ଯମାଗ୍ନି ବରୁଣାବରେ

ଆଗତ ଯେ ନଳ ବୋଲିଣ ଜାଣିଲେ

ସର୍ବ ଲକ୍ଷ ସ୍ୱୟମ୍ୱରେ ।

ଦମୟନ୍ତୀ ଲାଭ ଆଶା ବିପୂରିତ

ଅନ୍ୟୋନ୍ୟେ ଜାଣିଲେ ସ୍ଥିରେ

ନଳ ଯଥା ମାନ୍ୟ ଘେନି ଦେବଗଣେ

କୌଶଳ ଭିଆଇ ନେଲେ ।

କହିଲେ ଦେବେନ୍ଦ୍ର ହେ ନଳ ନୃପେନ୍ଦ୍ର

ତୁମ୍ଭେ ଅଟ ସତ୍ୟବାନ

ସତ୍ୟ ବ୍ରତ ପାଳ ନ ହୋଇ ବିକଳ

ଘେନି ଆମ୍ଭ ନିବେଦନ ।

ଆମ୍ଭ ଦୂତ ପଣେ ଦମୟନ୍ତୀ ପାଶେ

ଆଗେ ଚଳିବ ଆପଣ

ମନାଇବ ତାଙ୍କୁ ଚାରି ଦେବୁଁ ଏକୁଁ

ବରିନେବେ ସେ ନିଦାନ ।

ନଳ ନେଲେ ଭାବି ମେଘ ବିନା ପବି୧୪

ହେଲା ବା ତେବେ ପତିତ

ଯା’ କର ଗ୍ରହଣେ ସେ ଉତ୍ସୁକ ମନେ

ତାଙ୍କରେ ସେ ହେବେ ଦୂତ ।

ବୋଇଲେ ହେ ଦେବ ମୋର ଜେମା ଭାବ

ପ୍ରବଳତମ ମୁଁ ଶୁଣେ

ଉପଯୋଗୀ ତେଣୁ କେମନ୍ତ ହୋଇବି

ଦେବଗଣ ଦୂତ ପଣେ ।

ଜେମା ମୁଖେ ଉପ- ହାସ କରି ବାସ

ମତେ ଦେଖି ହୀନମତେ

ଅନାଦର ପାତ୍ର ମଣିବେ ନିୟତ

ଅଧମେ ଗଣିବେ ମତେ ।

ମୋ କରେ ପତିତ ୧୫ନିଧି ମୁହିଁ ତ୍ୟକ୍ତ

କରଣେ କଲେ ପ୍ରସ୍ତାବ

ଅଯୋଗ୍ୟ ମୁକୁଟ- ମଣିରେ ନିପଟ

ଗଣିବେ ବିଶ୍ୱ-ମାନବ ।

ସ୍ପଷ୍ଟ ହେଲେ ହେଲେ ମୋ ଅବିବେକିତା

ଦେବାଜ୍ଞା ମୋ ଶିରାଗ୍ରତେ

ବହିନେବି ବୋଲି କରେ ମୁଁ ସ୍ୱୀକୃତି

ଦୈବୀବଳ ଦିଅ ମତେ ।

ମହାରାଜ ଜେମା ସୁଦୃଢ଼ ପ୍ରକୋଷ୍ଠେ

ବହୁ ନାରୀ ସଂବେଷ୍ଟିତେ

ରହିଥିବେ ଯେଣୁ କିପରି ମୁଁ ତେଣୁ

ହାଜର ହେବି ପୁରତେ ।

ବହୁ ବୀର ସେନା ସଶସ୍ତ୍ର ହୋଇଣ

ରହିଥିବେ ଜଗୁଆଳେ

କେମନ୍ତ ଭିତରେ ମୁଁ ହେବି ପ୍ରବେଶ

କହ କି ଉପାୟ ବଳେ ।

ଦେବରାଜା ତହୁଁ ଦେଲେ ଦିବ୍ୟ ମନ୍ତ୍ର

ଯା’ ବଳେ ସେହି ଅଦୃଶ୍ୟେ

ପ୍ରବେଶ କରିବେ ଜେମା ନିଦ୍ରାଗାରେ

ଅତୀବ ଗୋପନ ବଶେ ।

ପଥେ ସେ ଭାବନ୍ତି କିବା ଜଳାଞ୍ଜଳି

ଦେବେ ସେ ନିଜ କାମନା

ଅବା ଦୃଢ଼ ସତୀ- ବରତ ପାଳନ

କରିବେ ଭୀମ ନନ୍ଦନା ।

ମନେ, ବଚନେ ସେ ମତେ ବରିଛନ୍ତି

ଆନେ ମନ ସଂଯୋଜନା

କଲେ ନିଶ୍ଚେ ତାଙ୍କ ସତୀତ୍ୱ-ରତନ

ଅପବିତ୍ର ହେବ ସିନା ।

ନାନା ବିଧ ଯୁକ୍ତି ତର୍କ କରି କରି

ହେଲେ ସେ ରାଜପ୍ରାସାଦେ

ଦେବେନ୍ଦ୍ର ପ୍ରଦତ୍ତ ମନ୍ତ୍ର ଉଚ୍ଚାରଣେ

ଜେମା ପୁରେ ହେଲେ ମୁଦେ ।

ଦେଖିଲେ ଅସଂଖ୍ୟ ସହଚରୀ ବୃନ୍ଦ

ମଧ୍ୟେ ବିଜେ ନାରୀମଣି

୧୬ତାରାଳୀ ଯୁକତେ ୧୭ରୋହିଣୀ ପ୍ରତୀକ

ବିକାଶନ୍ତି ଆଭା ଶ୍ରେଣୀ ।

୧୮ନିଭୃତ ପ୍ରକୋଷ୍ଠେ ପୁରୁଷ ପ୍ରବେଶ

ରକ୍ଷକେ କଲା ସଚେତ

ତେଣୁ ନଳ ଉପ- ଗତେ ଦାସୀକୁଳ

ଚେଇଁ ହେଲେ ଉତ୍‌କଣ୍ଠିତ ।

ଅଦ୍ଭୁତ ଦର୍ଶନେ ଭୟ ସର୍ବ ମନେ

ପ୍ରବେଶ କଲା ସେକ୍ଷଣି

ଯେ ଦେଖିଲେ ନଳେ ରହିଲେ ବିହ୍ୱଳେ

ଦେଖି ତାଙ୍କ ବପୁ, ଠାଣି ।

କେ ଭାବେ ନଶ୍ୱର- ପୁରୁଷ ନୁହନ୍ତି

ସୁର-ପୁର କିଂପୁରୁଷ୧୯

କା’ ମତେ ୨୦ପୁଷ୍ପେଷୁ ଅଗାରେ ପ୍ରବେଶ

କଲା ବହି ମନେ ତୋଷ ।

ପଲଙ୍କ ଶାୟିନୀ ଥିଲେ ଜେମାମଣି

ଉଠିଲେ ଚହଳ ଜାଣି

ଆଗତ ଦ୍ୟୁତିରେ ଲାଞ୍ଛିତ ଦେଖିଲେ

ପ୍ରକୋଷ୍ଠ ଆଲୋକ ଶ୍ରେଣୀ ।

ଅଭେଦ୍ୟ, ରକ୍ଷିତ ପୁରେ ଉପଗତ

ହୋଇଲେ କେଉଁ ଯୁବକ

ତାଙ୍କ ଆଗମନ କାରଣ ନ ଜାଣି

ଯୁବତୀ ହେଲେ ବିମୁଖ ।

ଭାବିଲେ କି ଯୁବା ଯୁବତୀ-ନିହନ୍ତା-

ମନ୍ମଥ କଲେ ବିଜୟ

ସତୀବ୍ରତେ ତାଙ୍କ ପକାଇ କଣ୍ଟକ

ନାଶିବାକୁ ଧର୍ମ ଚୟ ।

କେଉଁ ସମ୍ୱୋଧନ କି ଅଭିନନ୍ଦନ୨୧

କରିବେ କଲେ ବିଚାର

ଯେ ଅଜ୍ଞାତ-କୁଳ- ଶୀଳ ଯୁବାବର

ବହନ୍ତି ଶିଷ୍ଟ ଆକାର ।

ବାହ୍ୟ ଜ୍ଞାନ ଶୂନ୍ୟ ହେଲା ତାହାଙ୍କର

ହେଲେ ନିତାନ୍ତ କାତର

ପରେ ସମାଦରେ କହିଲେ ହେ ବୀର

(ତବ) ପରିଚୟ ୨୨ଲିପ୍‌ସା ମୋର ।

ଅଶିଷ୍ଟ ଆଚାର ନିଦାନି ନିଜର

ଆଗନ୍ତୁକ ହୋଇ କ୍ଷୁବ୍‌ଧ

କ୍ଷମା ପ୍ରାର୍ଥୀ ହେଲେ ଯୋଡ଼କରେ ରହି

ବୋଇଲେ ନ କର କ୍ରୋଧ ।

ଦେବେନ୍ଦ୍ର, କୁବେର, ଯମ, ବୈଶ୍ୱାନର

ଆସୁଛନ୍ତି ଏକ ରଥେ

ତବ ପାଣି ଲୋଭେ ଅଛନ୍ତି ସେ ଦମ୍ଭେ

ପଠାଇଲେ ଦୂତେ ମତେ ।

ତାହାଙ୍କ ପ୍ରଦତ୍ତ ମନ୍ତ୍ର ବଳେ ମୁହିଁ

ଲଭିଲି ତବ ସାକ୍ଷାତ

ନିଶାର୍ଦ୍ଧେ ତୁମ୍ଭର ୨୩ସଂବେଶ ସମୟେ

ହେଲି ପୁରେ ଉପଗତ ।

ଚାରିଙ୍କ ମଧ୍ୟରୁ ଜଣକୁ ବରଣ

କଲେ ପୂର୍ଣ୍ଣ ମନୋରଥ

ହେବେ ବୋଲି କହି ମତେ ସେ ପଠାଇ

ଦେଇଛନ୍ତି କହେ ସତ ।

ଯୁବା ୨୪ଦ୍ୟୁତି ବିମୋହିତା ନାରୀବରା

ରହିଲେ ହୋଇ ଚକିତ

ଭାବିଲେ କନକ- ମନ୍ଦର କି ଶାପେ

ଲୌହ ଉଦ୍‌ଗୀରଣେ ରତ ।

ପୀୟୂଷ ୨୫ଦ୍ରୋଣିରୁ ଗରଳ ୨୬କ୍ଷରିତ

ନଥିଲା ତ କାହିଁ ଦେଖା

ହୋଇଣ ଅସ୍ଥିରା ସୁ-ସ୍ୱର ଯୁକତେ

କହିଲେ ନ କରି ଶଙ୍କା ।

ବୋଇଲେ ମୁଁ ବାରେ ବରିଅଛି ବୀର

ନିଷଧପୁର ଈଶ୍ୱରେ

ସେ ୨୭ପଣୁଁ ଭ୍ରମାଇ ନ ପାରନ୍ତି ନେଇ

ଠୁଳ ହୋଇ ସର୍ବ ସୁରେ ।

ସତୀ ତାର ବର ବାଛଇ ନିକର

ପିତା, ମାତା ସହୋଦର

ମନ ପ୍ରବର୍ତ୍ତନେ କେ ହେଲେ ସମର୍ଥ

ନ ହୋଇବେ ଏକ ବାର ।

‘‘କି ଅବା ୨୮ପ୍ରତୀଚୀ ଦିଗରେ ୨୯ବାସର-

ଈଶ୍ୱର ହେଲେ ଉଦୟ

ସତୀ-ମନ-ଧନ ଲୁଣ୍ଠନେ ଭାଜନ

ନୋହିବ କେହି ନିଶ୍ଚୟ ।

ସତୀତ୍ୱ-ଭୀଷଣ- ତାର ସେ ୩୦ଭାଷଣ

ନଳ-ହୃଦେ ସୁଧାଧାର-

ପ୍ରତୀକ ପ୍ରବାହି ଶୀତଳ ଜନ୍ମାଇ

(କଲା) ଶରୀର-ତାପ ବିଦୂର ।

ବାହାରେ କହିଲେ ଜେମା ! ଭାବ ଭଲେ

ଅପମାନି ଦେବ ବରେ

ଛାର, ନର ନଳେ ବରିଲେ ନିକର

ନିନ୍ଦିବେ ଜଗତ ନରେ ।

ଆବର କହିଲେ ଶୁଣ ମନ ଦେଇ

ଅନିଷ୍ଟ ସେ ଭିଆଇବେ

ତବ-ପୁର ନାଶି ସ୍ୱଜନ ବିନାଶି

ତ୍ୱଦୀୟ କ୍ଳେଶ ସର୍ଜ୍ଜିବେ ।

ପିତା, ମାତା, ଗୁରୁ- ଜନେ ହୋଇ ଭୀରୁ

ନିଶ୍ଚେ ଦେବେ ଦେବ କରେ

ପରିଣାମ ଫଳ ହେବ ଛାରଖାର

କର ସୁବିଚାର ଥରେ ।’’

କହନ୍ତି ସୁବିଜ୍ଞା ମୋ ଦୃଢ଼ ପ୍ରତିଜ୍ଞା

ନ ବରିବି ଆନ ବରେ

ଦୈବ ୩୧ବିପର୍ଯ୍ୟୟେ ମୁଁ ଜଳେ ବୁଡ଼ିବି

ପୋଡ଼ିବି ବା ୩୨ବୈଶ୍ୱାନରେ ।

ଅବା ୩୩ଉଦ୍‌ବନ୍ଧନେ କିବା ବିଷପାନେ

ହାରିବି ନଶ୍ୱର ଦେହ

ନଶ୍ୱର ଜୀବନ ବିନାଶନେ କିବା

ରହିବ ମୋହର ମୋହ ।

‘‘ଜୀବନ ଧାରଣ ମାତ୍ର ଅକାରଣ

ଯେ ଜ୍ଞାନ, ବିବେକ ହୀନ

ଉଭୟ ୩୪ବିଲୟ ରହିବା ଦୁର୍ବୁଦ୍ଧେ

ଜିଇଁବା ମରିବା ସମ ।’’

ନଳ ଯେ କହନ୍ତି ତବ ବୁଦ୍ଧି ଭ୍ରମ

ହେଲା ବୋଲି ମୁହିଁ ମଣେ

ଆତ୍ମହତ୍ୟା ଫଳ ଭୋଗି ଅବିକଳ

ରହିବ ନିଶ୍ଚୟ ଦିନେ ।

ଅନଳେ ସ୍ୱଦେହ ଦାହି ନେଲେ ଶେଷେ

ଯିବ ବୈଶ୍ୱାନର କୋଳେ

ଜଳେ ବୁଡ଼ିମଲେ ବରୁଣ ରାଜନ

ଅର୍ଦ୍ଧାଙ୍ଗିନୀ (ହେବ) ପରକାଳେ ।

ଶୂନ୍ୟେ ତବ ପ୍ରାଣ ଗଲେ ଉଦ୍‌ବନ୍ଧନେ

ମଘବା ଯେ ହେବେ ପତି

ବିଷ-ପାନେ ଜୀବ ଛାଡ଼ିଦେଲେ ହେବ

ଜୀବ-ଈଶ ପ୍ରିୟବତୀ ।

ଜୀବନାନ୍ତେ ଚାରି ଦେବଙ୍କ ମଧ୍ୟରୁ

ଏକ ହେବେ ତବ ବର

ସଦ୍ୟ ଅପମାନ ସେ ଦେବେ କରିବା

ନୁହେ ଉଚିତ ବେଭାର ।

ଆବର କହଇ ଶଚୀପୂଜା ଆଦ୍ୟେ

ପରେ ହୁଏ ସ୍ୱୟମ୍ୱର

ଇନ୍ଦ୍ରେ ନ ବରିଲେ ଶଚୀ ଆଗମନ

ହୋଇବ ମାତ୍ର ଦୁଷ୍କର ।

ଜଳାନଳାଭାବେ ସ୍ୱୟମ୍ୱର ହେବ

ତାହି ଯେଣୁ ଅସମ୍ଭବ

ବରୁଣ ଅନଳ ନ କଲେ ଗ୍ରହଣ

ଶାସ୍ତ୍ରୋକ୍ତ ବିଧି ନ ହେବ ।

ପ୍ରେତପତି ଯେବେ ପରିବାରୁ ନେବେ

ଜଣକୁ ତାଙ୍କ ଭୂମିକୁ

ଅଶୌଚ ବଶତଃ ସ୍ୱୟମ୍ୱର ନୋହି

ସ୍ଥଗିତ ହେବ ଆଗକୁ ।

ଅପର କାରଣ ମୋର ଠାରୁ ଶୁଣ

ଯେବେ ଇନ୍ଦ୍ରେ ଅନାଦର

ତାହାଙ୍କ ଅଧୀନ କଳ୍ପ ଦ୍ରୁମେ ମାଗି

ଲଭିବେ ତୁମ୍ଭର କର ।

ବରୁଣ ନିଜର କାମଧେନୁ ବର

ଲଭି ହେବେ ତବ ବର

ସରବ କାମିକ ଯଜ୍ଞରେ ପାବକ

ସଂକଳ୍ପ ସିଦ୍ଧେ ତତ୍ପର ।

ପ୍ରେତେଶ୍ୱର ପ୍ରଜା ଅଗସ୍ତି ଯେ କର

ଦେବାକୁ ହେଲେ ତତ୍ପର

ତୁମ୍ଭଙ୍କୁ ଦେବାକୁ ମାଗିଲେ ତାହାଙ୍କୁ

ସେ ହେବେ ତୁମ୍ଭର ବର ।

‘‘ପ୍ରାର୍ଥୀର ପ୍ରାର୍ଥନା ନ କରିଣ ଘେନା

ପୂରଣ କଲେ ତା’ ପରେ

ଉପହାସ ଜାଳ ମାତିବେ ଭୂତଳେ

ଘୃଣା-ଯୋଗ୍ୟା ହେବ ନରେ ।’’

ବିବିଧ ସିଦ୍ଧାନ୍ତ ବଳେ ନଳ ଦୂତ-

ପଣ ଯେ ହୋଇଲା ବ୍ୟର୍ଥ

ସତ୍ୟବ୍ରତେ ଜେମା ଦେଖି ଦୃଢ଼ୀଭୂତ

ମାନସେ ହେଲେ ବ୍ୟଥିତ ।

ଜାଣିଲେ ଜେମାଙ୍କ ହୃଦାସନେ ତାଙ୍କ

ସ୍ଥାନ ଥିଲା ଅତ୍ୟଧିକ

ତଥାପି ମାନସ ନୋହି ହର୍ଷଭର

ଦେଲା ତାଙ୍କୁ ବହୁ ଦୁଃଖ ।

ସୁଯୋଗ୍ୟା ଚତୁରୀ ବିବେକିନୀ ନାରୀ

ଯୁକ୍ତିର ନୋହି ଆୟତ୍ତ

ରହିବା ଦେଖିଣ ନ୍ୟୂନ କରି ମନ

ମଣିଲେ ସେ ବିଧିକୃତ ।

ଗୁରୁତର କଷ୍ଟ ହୃଦେ ସନ୍ନିବିଷ୍ଟ

କରି ବିଦା ନେଲେ ନଳ

ପଥେ ମୁହୁର୍ମୁହୁଃ ଜେମାଙ୍କ ଉତ୍ତର

ଚିନ୍ତି ହୋଇଲେ ବିକଳ ।

ଭାବିଲେ ସେ କିବା ଫେରିବେ ସ୍ୱପୁରେ

ନିଜ କାମନାକୁ ତେଜି

ଘଟିତ ଚରିତ କରିଲା ବିବ୍ରତ

ବୁଦ୍ଧି ଗଲା ତାଙ୍କ ହଜି ।

ଜେମା ସଂକଳପ ଜଣାଇଲା ଠିକ

ନିଜ ବିନା ଆନେ ସେହି

ନ ବରିବେ କେବେ ନିଶ୍ଚେ ପ୍ରାଣତ୍ୟାଗେ

ମନକୁ ନେବେ ବଳାଇ ।

ଅପର ଦିଗରେ ଭାବିଲେ ସେ ଥରେ

ଦେବେନ୍ଦ୍ରାଦି ଅପମାନି

କି ଦୁର୍ଦ୍ଦଶା ସରେ ଭାସିବେ ସେ ପରେ

ସକଳ ନେଲେ ସେ ଗୁଣି ।

ସେହି କାଳେ ଭେଟି ଦେବରଥ ଗୋଟି

କହିଲେ ଚଳଣିତକ

ବିଷଣ୍ଣ ଆନନେ ରହିଣ ଆପଣେ

ପ୍ରକାଶିଲେ ବହୁ ଦୁଃଖ ।

କହିଲେ ମୋ ସତ୍ୟ ପାଳି ଯଥୋଚିତ

ବିବିଧ ଯୁକ୍ତି ବଶତ

ତାହାଙ୍କୁ ସୁପଥେ ନେବାକୁ ସମର୍ଥ

ନ ହେଲି ତେଣୁ ଦୁଃଖିତ ।

 

୧ ଅନିୟମ, ୨ ପୀଡ଼ନ, ୩ ଗଦା, ୪ ଅନୁରକ୍ତ ନାୟକ, ୫ ଉସିରବେଣା ମୂଳ, ଯେ ନଳକୁ ଦିଏ, ୬ ଦୂରୀକରଣ, ୭ ମନ୍ତ୍ରଣାଗୃହେ, ୮ ସମୂହ, ୯ ଦେବ, ୧୦ ପ୍ରଫୁଲ୍ଲ, ୧୧ ଅଶ୍ୱଶାଳା, ୧୨ ପବନ, ୧୩ କୋରଡ଼ା, ୧୪ ବଜ୍ର, ୧୪ ରତ୍ନ, ୧୬ ତାରାସମୂହ, ୧୭ ଚନ୍ଦ୍ରଙ୍କ ପତ୍ନୀ, ୧୮ ଗୁପ୍ତ, ୧୯ କିନ୍ନର, ୨୦ କନ୍ଦର୍ପ, ୨୧ ସାଦର ଅଭ୍ୟର୍ଥନା, ୨୨ ଇଚ୍ଛା, ୨୩ ନିନ୍ଦ୍ରା, ୨୪ ଶୋଭା, ୨୫ କୁଣ୍ଡ, ୨୬ ଝରିବା, ୨୭ ପ୍ରତିଜ୍ଞା, ୨୮ ପଶ୍ଚିମଦିଗ, ୨୯ ସୂର୍ଯ୍ୟ, ୩୦ କଥା, ୩୧ ବୈପରୀତ୍ୟେ, ୩୨ ଅଗ୍ନିରେ, ୩୩ ଦୌଡ଼ିଦେଇ ମରିବା, ୩୪ ଲୁପ୍ତ

☆☆☆

 

ସପ୍ତମ ସର୍ଗ

 

ପରଦିନ ଦମ- ୟନ୍ତୀ ସ୍ୱୟମ୍ୱର

ପ୍ରାତେଃ ଟମକ ଘୋଷଣା

କରିବାରୁ ରହେ ପୁର ସୁସଜ୍ଜିତେ

ସରବେ ଯେଣୁ ତନ୍ମନା ।

ରାଜ ପରିଚାରେ ପଥ ପରିଷ୍କାର

କଲେ ଯତ୍ନ ସହକାରେ

ନାଗର, ନାଗରୀ ହରଷ ଯୁକତେ

ସ୍ୱଚ୍ଛେ ରଖିଲେ ସ୍ୱ-ଦ୍ୱାରେ ।

ନଗର ପ୍ରବେଶ- ଦ୍ୱାରେ ୧ଅଭ୍ରଂକଷ

ବୈଜୟନ୍ତୀ ଝୁଲେ ଧୀରେ

ଗୁଣେ ରୂପେ ଜେମା ସମ ଯା ଗରିମା

ଜଣାଏ ବା’ ଯାନ୍ତୁ ପୁରେ ।

ଶୁଭ ଦିନ ଯେଣୁ ଦ୍ୱାରେ ରମ୍ଭା ତରୁ

ରୋପିଲେ ଜନେ ମୁଦରେ

ମଣ୍ଡଳ ଉପରେ ଦୀପ, ପୂର୍ଣ୍ଣକୁମ୍ଭ

ବାଢ଼ିଲେ ହରଷ ଭରେ ।

ଶ୍ରେଣୀବଦ୍ଧ ଗୃହେ ଶ୍ରେଣୀ ଚ୍ୟୁତି ନୋହି

ରହିଲେ ଶୁଭ ସଂକେତେ

୨ପୁର-ଶ୍ରୀ ବର୍ଦ୍ଧନେ ପ୍ରଶସ୍ତ ସେମାନେ

ହୋଇଲେ ଦର୍ଶକ ନେତ୍ରେ ।

ଚୂତ ପତ୍ରେ ସୁମ- ମାଳେ ସୁଗ୍ରଥିତେ

ତୋରଣ ଶ୍ରେଣୀ ରାଜନ୍ତି

ଦର୍ଶକ ଦୃଷ୍ଟିକି ଇନ୍ଦ୍ର-ଧନୁ ସମ

ସେ ପ୍ରତୀତ ବା ହୁଅନ୍ତି ।

ନୃପ ସେନାଗଣ ଶସ୍ତ୍ରାସ୍ତ୍ର ଧରିଣ

ମଧ୍ୟେ ମଧ୍ୟେ ଛିଡ଼ା ରହି

ସୁବେଶେ ଶୋଭିତ ମନ ବିମୋହିତ

ଦୃଶ୍ୟ ବାଢ଼ୁଥାନ୍ତି ସେହି ।

ଜଣାନ୍ତି ସେ କିବା ଦମୟନ୍ତୀ ଶୋଭା

ବିଭାଗେ ରହଇ ପୁରେ

ଆଗନ୍ତୁକ-ଭ୍ରମ ନିବାରଣେ ସେନା

ଜଗନ୍ତି ସରବ ଦ୍ୱାରେ ।

କିବା ଯେହି ଧର୍ମ- ପରାୟଣ ରାଣ

ଚଳିବେ ସେ ରାଜ-ମାର୍ଗେ

ଶତ ଶତ ଶୁଭ- ଚିହ୍ନ ତାଙ୍କ ନେତ୍ରେ

ପଡ଼ିବେ ଦିଗେ ବିଦିଗେ ।

ସ୍ୱପୁରେ ସମ୍ଭବ ଯେ ଶୁଭ ସଙ୍କେତେ

ଦେଖାଗଲେ ଆନ ପୁରେ

ଦର୍ଶକ ମାନସ ହୁଏ ବିକଶିତ

ଉତ୍ସାହେ ସେ ରହେ ଭରେ ।

ଉତ୍‌କଣ୍ଠିତ ନଳ ନିଜ ସେନା ଦଳ

ମଧ୍ୟେ ତାଙ୍କ ଦିବ୍ୟ ରଥେ

ଉପବିଷ୍ଟ ହୋଇ ସର୍ବ ଦିଗେ ଚାହିଁ

ଘୋଟକେ ଚାଳନ୍ତି ତୃପ୍ତେ ।

ଧ୍ୱଜା ଦେଖି ରାଜା ଭାବନ୍ତି କିବା ସେ

ଦମୟନ୍ତୀ ଯଶ-ନେତ

ସ୍ୱର୍ଗ, ମର୍ତ୍ତ୍ୟ ପୁରେ ସମ ନାହିଁ ତାରେ

ଚଳନେ ସେ କରେ ଖ୍ୟାତ ।

ଦ୍ୱାରେ ଦ୍ୱାରେ ପୁର ନବୀନା ଯୁବତୀ

୩ଦେହଳୀ ପାରୁଶେ ରହି

ରାଜା ଆଗମନ ଦେଖନ୍ତି କୁତୁକେ

ଉପରାଣ ଫେଇ ନେଇ ।

କଲେ ନେତ୍ର ଧନ୍ୟା ନିଜେ ହେଲେ ଧନ୍ୟା

ନଳ-ବପୁ ଚାହିଁ ନେଇ

ଦମୟନ୍ତୀ ବର ଲଭନ୍ତୁ ତାହାଙ୍କୁ

ମନାସିଲେ ସର୍ବେ ତାହି ।

ହେମ-ଥାଳୀ ସମ ଦିଶେ ତାଙ୍କ ଆସ୍ୟ୪

ବରଣ-ଥାଳୀ ବା ଧାତା

ଦମୟନ୍ତୀ ପରି- ଣୟ ନେଇ ଚିନ୍ତି

(କଲେ) ସରବ ପୁରେ ଶୋଭିତା ।

ନଳ ନେତ୍ର ପଥେ ସରୋଜ-ବଦନ

ପଡ଼ିବାରୁ ଅନୁକ୍ଷଣ

ଧୀରେ ସେ ଚଳାନ୍ତି ହୟ ଚତୁଷ୍ଟୟ

ଦେଖନ୍ତି ରୂପ ମୋହନ ।

କିଛି କାଳ ପରେ ରାଜ ସିଂହଦ୍ୱାରେ

ରଥ ହେଲା ପରବେଶ

ଶସ୍ତ୍ର ଧାରୀ ୫ପୁର- ପାଳେ ପାଶେ ମିଳି

ପୁରେ ଛାଡ଼ିଲେ ନରେଶ ।

କୁହାକୁହି ହେଲେ ସୌନ୍ଦର୍ଯ୍ୟ ତାଙ୍କର

କନ୍ଦରପେ ଦିଏ ହାରି

ପନ୍ଦର ବୟସୀ ନବୀନା ଲାଳସୀ

ହୋଇବା ୬ହର-ଅଇରି ।

କେ ବୋଲଇ ହର ବରଜି ମନ୍ଦର

ଛଦ୍ମବେଶେ ଭୀମପୁରେ

ଯୋଗାସନ ତେଜି ହେଲେ ଉପଗତ

ଜେମା-କର କାମନାରେ ।

କାହା ମତେ ପୁର- ନ୍ଦର ବା’ ବିଜୟ

କଲେ ବିଦର୍ଭ ନଗରେ

ସୁର-ବିମୋହିନୀ ଦେବ କନ୍ୟା ଶ୍ରେଣୀ

ତୁଚ୍ଛ କରି ଅବହେଳେ ।

ଦେଖିଲେ ନୃପତି ବାଟେ ଭାଟତତି

ଲାଗିଛନ୍ତି ନିଜ କର୍ମେ

ରାଜ ବଂଶାବଳୀ କରନ୍ତି ଆବୃତ୍ତି

ସାଧୁ ଶବଦେ ନିଃଶ୍ରମେ ।

ଉପକଣ୍ଠେ ୭ଚୋପ- ଦାର ବିଦ୍ୟମାନ

କରେ ଧରି ରୌପ୍ୟଦଣ୍ଡ

ଆଖଣ୍ଡ-ମଣ୍ଡଳ- ଦଣ୍ଡଧର ଭୀମ

ସର୍ବ ଯଶ ତାଙ୍କେ ରୁଣ୍ଡ ।

ଯଶେ, ଗୁଣେ ଯେହି ଥିବେ ସମ ହୋଇ

ଜେମା ତାଙ୍କୁ ନେବେ ବରି

କେଶରୀ-ଶାବକ କେବେ କି ଗୌରବ

କରେ ହୀନ ବତ୍ସ-ତରୀ୮ ।

ଖୁଣ୍ଟିଆ ଉପାଧି ଧାରୀ ଯେ ପୁରୁଷ

ଖୁଣ୍ଟି ପ୍ରାୟ ଛିଡ଼ା ରହେ

ଚୋପଦାର ସମ ରାଜା ସ୍ତୁତି ଗାନ

କରି ନେଉଥାଏ ମୁହେଁ ।

ତାର ବାକ୍ୟ ଗୁଳି୯ ଶୁଣି ନେଇ ନଳ

ନୟନେ ମଣ୍ଡପ ଶୋଭା

ନିରୀକ୍ଷଣେ ଲାଗି ତନ୍ନ ତନ୍ନ କରି

ଦେଖିଲେ ସେ ମନୋଲୋଭା ।

ଷଟକୋଣ ବୃତ୍ତ କରେ ପରାହତ

ସୁଦିବ୍ୟ ମଣ୍ଡପ ଛାତ

ସ୍ୱର୍ଣ୍ଣ ବିଜଡ଼ିତ ଷଟ, ଶକ୍ତ ସ୍ତମ୍ଭ

ଊର୍ଦ୍ଧ୍ୱଦେଶେ ତାର ସ୍ଥିତ ।

ଦ୍ୱାର-ହୀନ ହୋଇ ସମଗ୍ର ଉନ୍ମୁକ୍ତ୧୦

ଛାତ ଯେଣୁ ଥିଲା ଉଚ୍ଚେ

ଦୃଷ୍ଟି-କ୍ଷୀଣ ଥିଲେ କେ ହେଲେ ଦର୍ଶକ

ଦେଖଇ ସକଳେ ସ୍ୱଚ୍ଛେ ।

ସ୍ତମ୍ଭ ଊର୍ଦ୍ଧ୍ୱ ଦେଶେ ନାନା କାରୁ କାର୍ଯ୍ୟ

ମନ-ଧନ ନିଏ ହରି

କାହିଁ ବା’ ସାବିତ୍ରୀ କାହିଁ ଶଚି ଚିତ୍ର

ଦୃଷ୍ଟି ନିଅଇ ଓଟାରି ।

ପ୍ରକାଣ୍ଡ ବିତାନ ୧୧ପ୍ରତିକୃତି ପୂର୍ଣ୍ଣ

ହୋଇ ଦିଶେ ମନୋହର

ମହୀଧାମେ ବୀର- ଶୂର ଯୁବାଙ୍କର

ଚିତ୍ରରେ ସେ ଥିଲା ଭର ।

ବିଚିତ୍ର ଚିତ୍ରଣ ଭାବୁକ ଦେଖିଣ

ଭାବିବ ସେ ଉତ୍ତେଜନା

ଯୁବକ, ଯୁବତୀ ମନେ କରୁଥାନ୍ତି

ରହି ସେ ମଣ୍ଡପେ କିନା ।

ଧାଡ଼ି ଧାଡ଼ି ହୋଇ କନକ ଆସନେ

ଚିତ୍ରବାସେ ବିମଣ୍ଡିତ

ଆଗତ ରାଜନେ ଆସନ ବିଧାନେ

ହୋଇଥିଲେ ଅବସ୍ଥିତ ।

ଊର୍ଦ୍ଧ୍ୱଦେଶେ ତାର ସୁବର୍ଣ୍ଣ କଲଶେ

ବିରାଜନ୍ତି ଶ୍ରେଣୀବଦ୍ଧେ

ସୁବାସ କୁସୁମେ ସେ ରହନ୍ତି ପୂର୍ଣ୍ଣ

୧୨ଗୁଣ ସଂଯୋଜିତ ହୃଦେ ।

ରାଜନେ ଆସୀନ ହେବା କ୍ଷଣେ ଗୁଣ

ଓଟାରି ପରିଚାରକେ

ପୁଷ୍ପ ବୃଷ୍ଟି କରି ନରପତି ଶିରେ

ରଖନ୍ତି ତାଙ୍କୁ ୧୩ପୁଲକେ ।

ନଳ ରାଜା ତହିଁ ବସି ଏକାସନେ

ଦେଖନ୍ତି ମଣ୍ଡପ-ଦୃଶ୍ୟ

କୁସୁମ ବରଷି ଗଲା ତାଙ୍କ ଶିରେ

ବଦନେ ଫୁଟିଲା ହାସ ।

ସୁଯୋଗ୍ୟ ମାନବ ୧୪ଭୂରୀ ଭୂରୀ ଚିତ୍ର

ଆବର ରମଣୀ ରତ୍ନ

ଦେଖି ପ୍ରୀତ ମନେ ରହିଲେ ଅନାଇ

ନାନା ଭାବ ମନେ ପୂର୍ଣ୍ଣ ।

ତା ପରେ ଆସିଲେ ଦେବ ଚତୁଷ୍ଟୟ

ନଳଙ୍କ ସ୍ୱରୂପ ବହି

ନଳଙ୍କ ପାରୁଶେ ବସିଲେ ଚାରିହେଁ

ସ୍ଥୈର୍ଯ୍ୟେ, ଗାମ୍ଭୀର୍ଯ୍ୟେ ଅନାଇଁ ।

ମାଳବ, ଗୁଜ୍ଜର କାନ୍ୟକୁବ୍‌ଜ ନର-

ପତି ହେଲେ ଉପଗତ

ସୌରାଷ୍ଟ୍ର, ବିରାଟ, ମହାରାଷ୍ଟ୍ର ରାଟ

ଦିଲ୍ଲୀଶ୍ୱରାଦି ଆଗତ ।

କେ ମନ-ମୋହନ- ସୁବେଶେ ମଣ୍ଡିତ

ରତନ ମାଣିକ୍ୟ ହାରେ

ମନଲୋଭା ଶୋଭା ଯା’ ଦୃଷ୍ଟି ପ୍ରତିଭା

୧୫ଅବେକ୍ଷଣେ ବ୍ୟକ୍ତ କରେ ।

କା’ ଭଙ୍ଗୀ ଜଣାଏ ଗମ୍ଭୀର ହୃଦୟେ

ପୂରିଛନ୍ତି ନରରାଣ

ସୁବେଶ ସରଳ ହେଲେହେଁ ତାଙ୍କର

ଗୁଣେ ୧୬ରତ୍ନାକରୋପମ ।

ଉଦବିଗ୍ନ ଚିତ୍ତେ ବସି ନରପତେ

ଭାସୁଥାନ୍ତି ଚିନ୍ତା ସ୍ରୋତେ

ଦମୟନ୍ତୀ ପ୍ରେମ- ଆଶା-ନାବେ ପୁଣ

କୃତାର୍ଥେ ରହିବେ ମର୍ତ୍ତ୍ୟେ ।

ସେ କାଳେ ଗହଳ- ଧ୍ୱନି ଅନ୍ତଃପୁରୁ

୧୭ମଳୟ-ମରୁତ ସମ

ବିନିର୍ଗତ ହୋଇ ସର୍ବ ମନ ମୋହି

ଦୃଷ୍ଟି କଲା ଆକର୍ଷଣ ।

ଗର୍ଭାଧାନ ଆଦି ଜେମାଙ୍କ ସଂସ୍କାର

ଆରମ୍ଭିଲେ ପୁରୋହିତେ

ଶ୍ରବଣେ ରାଜନେ ଭାବିଲେ ସେକ୍ଷଣ

କର୍ମ ପ୍ରାରମ୍ଭେ ବେଦୋକ୍ତେ ।

୧୮ବାଦିତ୍ର ବାଦନ ସାଧ୍ୱୀ ମୁଖ ସ୍ୱନ

କମ୍ୱୁ-ଧ୍ୱନି ସଂମିଶ୍ରଣେ

ଆନନ୍ଦ-ସରିତ- ପତି ୧୯ଉଦବେଳିତ

ହେଲା ଭାବ ବସେ ମନେ ।

କର୍ଣ୍ଣବେଧ, ଚୂଡ଼ା କରଣ ବିଧାନ

ଯଥା କାଳେ ହେଲା ଶେଷ

ରଜ-ପୁରେ ପରେ ଶୋକ-ସ୍ରୋତ ଖେଳେ

ହେଲେ ସରବେ ୨୦ବେହୋସ୍‌ ।

୨୧ଚେଟୀ ମନୋଯୋଗେ ଦମୟନ୍ତୀ ବେଶ

କରିଲେ ସରାଗ ବହି

ଚିତ୍ତ-ପଟ ପରେ ଆଗତ-ବିଚ୍ଛେଦ-

ଚିନ୍ତା-ଘାତ କରୁଥାଇ ।

ଗବାଶନ ପାଶେ ଜେମା ସୁଖାସନେ

ବସାଇଣ ପ୍ରୀତି ଭରେ

ସେମାନେ ପାରୁଶେ ହେଲେ ଉପବିଷ୍ଟ

(ଯଥା) କିନ୍ନରୀ, ଶଚି ଛାମୁରେ ।

ସଭା, ଶୋଭା ଦେଖି ନିଅନ୍ତି ସରବେ

ସୁଧର୍ମାକୁ ଜିତି ଶୋହେ

ବର ବର୍ଣ୍ଣନାର ବର ବରିବାର

ସମୟ ହାଜର ହୁଏ ।

ଜନନୀ ହାଜର ହୋଇ ବର୍ଣ୍ଣଥାଳୀ

ପରଖି ନେଇ ସରାଗେ

ଜେମାଙ୍କୁ କହିଲେ ସଖୀ ସହ ଚାଲ

ସ୍ୱୟମ୍ୱର ସ୍ଥଳେ ବେଗେ ।

ରାଜନ ମଣ୍ଡଳୀ ମଣ୍ଡି ସଭାସ୍ଥଳୀ

ବସନ୍ତି ଉତ୍ସୁକ ମନେ

ତବ ମୁଖ-ଶଶୀ ଦର୍ଶନେ ଲାଳସୀ

ଅଟନ୍ତି ଚକୋରୋପମେ ।

୨୨ଉତ୍‌କଣ୍ଠିତ ମତି ବଶେ ସେ ଯୁବତୀ

ଉଥିାନେ କରନ୍ତେ ମନ

୨୩ତ୍ରପାସୁର ବଳେ ରଖି ନିଜ କୋଳେ

ବସାଇ ଦେଲା ବହନ ।

୨୪ଦେରି ଦେଖି ରାଜା ଆତ୍ମଜା ପୁରତେ

ହାଜର ହୋଇ ସେକାଳେ

୨୫ଉପାଲମ୍ଭ ରାଶି ସରୋଷେ ବର୍ଷାଇ

କହିଲେ ଚାଲ ସକଳେ ।

ଜନକ-ରାଜନ ଅନୁଜ୍ଞା ପାଳନ

କରଣେ ସେ ଜେମାଦେଈ

ଗାତ୍ରୋତ୍‍ଥାନ କଲେ ଆସନ ଛାଡ଼ିଲେ

ବିନମ୍ର ବଦନା ହୋଇ ।

ମନ ନିଜ ଶକ୍ତି ୨୬ଆଦାନେ ଅଶକ୍ତ

ଥିଲା ଯେଣୁ ନଳେ ଚିନ୍ତି

ସହଚରୀ ବ୍ରାତ ଧରି ତାଙ୍କ ହସ୍ତ

ସଧୀରେ ତାଙ୍କୁ ଚଳାନ୍ତି ।

ମନ୍ଥର ସୁଗତି ନେଉଥାଏ ଜିତି

ଦମୟନ୍ତୀ ଗତି ହେଳେ

ଯଥାକାଳେ ସଭା ଶୋଭା ବିକାଶିଲେ

ମୋହିନୀ-କନ୍ୟା ବା’ ଛଳେ ।

ପ୍ରେମ-ସୁଧା ଦେବେ ମାତ୍ର ନଳ-ଦେବେ

ଉପେକ୍ଷା କରି ଇତରେ

ଏକ ଏକ ନୃପ ସଖୀ ପରିଚୟେ

ତ୍ୟଜନ୍ତି ତାଙ୍କୁ ସତ୍ୱରେ ।

ପ୍ରଥମେ ନେପାଳ- ଭୂପାଳ ୨୭ମଞ୍ଜୁଳ-

ବେଶେ ଥିଲେ ମନୋହର

ତାଙ୍କ ଗୁଣ, ଧନ, ଯଶ, ଶୂର ପଣ

ଶୁଣିଲେ ହେଁ ଅନାଦର (କଲେ) ।

ଦେଖିଲେ କର୍ଣ୍ଣାଟା- ଧିପତି, ଧୀମତି

କର୍ଣ୍ଣେ ଶୁଣି ତାଙ୍କ କୀର୍ତ୍ତି

ମନ ନ ବଳାଇ ତାଙ୍କୁ ପଛିଆଇ

ଚଳିଲେ ଜେମା ଝଟିତି ।

କାନ୍ୟକୁବ୍‌ଜ ୨୮ଅବ୍‌ଜ- ବଦନ ନରେଶ

ଯଶ-ଗାନ ରୁଚିକର

ନମଣି ରମଣୀ ହୋଇ ବକ୍ରାନନୀ

ଅଗ୍ରେ ଚଳିଲେ ତତ୍ପର ।

ମିଥିଲା ଅଧୀଶ ୨୯ଅଧୋଢ଼ା ବୟସ

ଦୃଷ୍ଟିକୁ ଯେଣୁ ଗୋଚର

୩୦ପର୍ଯ୍ୟୁଷିତ ପଦ୍ମ ମଧୁପ ବର୍ଜନ

କଲାପରି କଲେ ଦୂର ।

ମଗଧ ରାଜନ ମକର-କୁଣ୍ଡଳେ

ଥିଲେ ଯେ ଉପବେଶନ

୩୧ସୌଷ୍ଠବ ତାଙ୍କର ମନୋମୁଗ୍‌ଧକର

ହେଲେହେଁ ନ ନେଲେ ମାନ ।

କାହା ଗୁଣେ, ରୂପେ ନୋହି ବିମୋହିତା

ଭ୍ରମନ୍ତି ଯେ ଦମୟନ୍ତୀ

ନିଷଧ-ରାଜନ ନଳ ଅନ୍ୱେଷଣେ

ନିଯୋଜିଣ ନିଜ ମତି ।

ଗୋଟି ଗୋଟି ଦେଖି ଗଲେ ସେ ସୁମୁଖୀ

ହେଲେ ଯହିଁ ନଳରାଜା

ପାଞ୍ଚଜଣ ଏକା- କାର ଅବସ୍ଥିତି

ଦେଖି ହ୍ରସ୍ୱ କଲେ ମଜ୍ଜା ।

କେହି ସତ୍ୟ ନଳ କେହି ଅବା ଛଳ-

ରୂପୀ ନିଦାନେ ଅକ୍ଷମା

ହୋଇ ଦମୟନ୍ତୀ ମନେ ମନେ ଚିନ୍ତି

କଲେ ବିବିଧ ତର୍କଣା ।

ପୂର୍ବେ ଜଣେ ଦୂତ- ପଣେ ଉପଗତ

ହୋଇ ତାହାଙ୍କ ପୁରତେ

ଚାରି ଦେବେ ତାଙ୍କ ପାଣି ୩୨ଲାଳାୟିତ

କହିଥିଲେ ଥରେ ସତେ !

ସେହି ଚାରି ଦେବେ ନଳ ପ୍ରତିମୂର୍ତ୍ତି

ସଭାରେ ଉପବେଶନ

ଥିବାର ପ୍ରତ୍ୟକ୍ଷ ଦେଖାଗଲା ତେବେ

ଚିନ୍ତା-ସରେ ହେଲେ ମଗ୍ନ ।

ଦେଲେ ବର୍ଣ୍ଣ-ହାର ୩୩ଛଳ-ନଳ ଗଳେ

ହେବ ତ ସତୀତ୍ୱ କ୍ଷୀଣ

ସେ ହେତୁ ଅଧ୍ୟାତ୍ମ୍ୟ- ଚିନ୍ତା ତାଙ୍କ ଅସ୍ତ୍ର

କଲେ ଚିନ୍ତି ଆର୍ତ୍ତତ୍ରାଣ ।

ଦେବତା ଚରଣ ନ ଲାଗିବ ଭୂମେ

ଦୃଷ୍ଟି ଥିବ ୩୪ନିର୍ନିମେଷ

ଜ୍ଞାତ ଥିଲେ ହେଲେ ଚଳଣି ତାଙ୍କରେ

ଦୃଢ଼ ମନ ହେଲା ୩୫ହ୍ରସ୍ୱ ।

ଆପଦ-ବାନ୍ଧବ ଆପଦୋଦ୍ଧାରଣ-

ବାନା ଯା’ଙ୍କ ଉଡ଼େ ବିଶ୍ୱେ

ତାହାଙ୍କ କରୁଣା ମୋହ ପାଶ ଛିନ୍ନ

କରିଦେବ ଭାବବଶେ ।

ଐଶ ଚିନ୍ତା ବଳେ ମତି ଦୃଢ଼ତମ

କରିନେଲେ ବିବେକିନୀ

ସାନୁନୟ ବାକ୍ୟ ଶରେ ସର୍ବ ବକ୍ଷ

ବିଦାରିଲେ ସେହିକ୍ଷଣି ।

ବୋଇଲେ ଜଗତ ହିତ ସାଧନ ତ

ଦେବ କରେ ସମର୍ପିତ

ନାକଲୋକେ ବାସ କରି ଚାଳ ବିଶ୍ୱ

ସେ ୩୬ଭଣ୍ଡ ମଣେ ଏବେ ତ ।

ପ୍ରଭୁ କେବେ ହେଲେ ଅନୀତି ଚଳଣି

କରନ୍ତି କି ସ୍ୱାର୍ଥ ଲାଭେ

ସର୍ବ ଜନ ହିତ ସାଧନ ନିଯୁକ୍ତ

ରହି ବିଚରନ୍ତି ୩୭ଭବେ ।

ଆପଣଙ୍କ ତହୁଁ ହିତ, ନୀତି ଶିକ୍ଷା

ଲଭନ୍ତି ସୁଗୁଣୀ ଶ୍ରେଣୀ

ଦୁର୍ଗୁଣେ ପୂରିତ ଆପଣେ ଅଟ ତ

ଅନୀତି ତବ ଚଳଣି ।

ଇନ୍ଦ୍ରିୟ ଲାଳସା ନ କରେ ତ ବସା

ସରଗ ଧାମେ କେବେହେଁ

ପିତା ମୋର ହୋଇ ମୁଁ ହୀନା ପରାଣୀ

ପ୍ରେମ ଲୋଡ଼ କିପାଁ କହେ ।

ଦେବ ଓ ମାନବ ପ୍ରଭେଦ ସ୍ୱଭାବେ

ରହନ୍ତି ନିଶି ଦିବସେ

କେଉଁ ପ୍ରେମ-ସୁଖ ମୋହ ଦ୍ୱାରା ଲକ୍ଷ୍ୟ

ହୋଇବ ଚିନ୍ତ ମାନସେ ।

ଯମ ରାଜାଶ୍ରିତେ ନରନାରୀ ଗଣେ

ବିହରନ୍ତି ସୁଖେ ଦୁଃଖେ

୩୮ନଶ୍ୱର ଯେ ନିଶ୍ଚେ ୩୯ଅବିନଶ୍ୱରେ ସେ

ସମ୍ୱନ୍ଧ ରହେ କି ସୁଖେ ।

ସ୍ୱର୍ଗେ ନାହିଁ ଦୁଃଖ ଭବେ ନାହିଁ ସୁଖ

ଜାଣ ତ ଆପଣମାନେ

ମୁଁ ହେଲେ ସଙ୍ଗିନୀ ତବ ଅର୍ଦ୍ଧାଙ୍ଗିନୀ

ରହିବ କାହୁଁ ପ୍ରସନ୍ନେ ।

ହାଟକ ବରଜି ତୁଚ୍ଛ କାଚେ ମଜ୍ଜି

ରହିବା ଅଯୁକ୍ତ କଥା

ଜ୍ଞାନେ ପୂର୍ଣ୍ଣ ହୋଇ ସତ୍ତ୍ୱେ ରହ ଶୋହୀ

ତବ ଈପ୍‌ସିତ ଅଜ୍ଞତା ।

ସତ୍ୟ ପ୍ରକଟନ ପଣ ତ ଆପଣେ

କରିନିଅ ଦେବଗଣେ

ମୋ ସତ୍ୟ ବିନଷ୍ଟ କରଣେ ଅଶିଷ୍ଟ

(ହେଲେ) ନିନ୍ଦ୍ୟ ହେବ ତ୍ରିଭୁବନେ ।

ପିତା କଦା କନ୍ୟା ଗ୍ରହଣ ନ କରେ

ନିଜ ୪୦ଅର୍ଦ୍ଧାଙ୍ଗିନୀ ସମେ

ପଶୁ ସମାଜେ ଯା ଅଟେ ପ୍ରଚଳିତ

ଆଚର ଏବେ ଅଧମେ ।

ସତୀ ସିନା ମାନ- ଦଣ୍ଡ ଧରଣୀର

ସେ ସତୀତ୍ୱ ସଂରକ୍ଷଣେ

ମନ ବଳାଇବା ସାଧୁ ମନୋବୃତ୍ତି

ଅସାଧୁ କି ଦେବଗଣେ ।

ଦାସୀ ପଣେ ତବ ଅଯୋଗ୍ୟ ୪୧ଅତୀବ

ମୁଁ ମଣେ ଆପଣାକୁହି

କି ସୁଖ ଲଭିବ ମୋ ପାଣିଗ୍ରହଣେ

ଦିଅ ତା ମତେ ବୁଝାଇ ।

ଦମୟନ୍ତୀ ଶ୍ଳେଷ ସତ୍ୟ ଉକ୍ତିଚୟ

ଦେବ-ହୃଦ କଲା କ୍ଷତ

୪୨କର୍ଣ୍ଣିଶର ବତ ବିଦାରଣେ ରତ

ହୋଇ କରିଲା ବ୍ୟଥିତ ।

ନିଜ ଦୁର୍ବଳତା ମାନି ସେହିମାନେ

ସ୍ପଷ୍ଟେ ସ୍ୱରୂପ ବହିଲେ

କିଛିହିଁ ସନ୍ଦେହ ନଥିଲା ଜେମାଙ୍କ

ପ୍ରକୃତ ନଳ ଚିହ୍ନିଲେ ।

ସତୀ ୪୩ତିରସ୍କାରେ ବିରକ୍ତ ସେ ନୋହି

ବରଂ ପ୍ରୀତ ହେଲେ ମନେ

ନଳ ପତି ପଣେ ଲଭ ଦମୟନ୍ତୀ

ବର ଦେଲେ ସେହିମାନେ ।

ଏକ ପୁତ୍ରୀ ଏକ ସୁପୁତ୍ର ଲଭିଣ

ଅହ୍ୟ ୪୪ସୁଲକ୍ଷଣୀ ହୋଇ

ପରାକାଷ୍ଠା ସତୀ ବ୍ରତ ପାଳି ନେଇ

ଖ୍ୟାତି-ରତ୍ନେ ମଣ୍ଡ ମହୀ ।

ଆବର ସେମାନେ ହୋଇ ତୃପ୍ତ ମନେ

ନଳେ ଦେଲେ ନାନା ବର

ଦେବେନ୍ଦ୍ର କହିଲେ ମୋ ସାକ୍ଷାତ ଭଲେ

ଯୋଗେ ଲଭିବ ନିକର ।

ଅନଳ-ଅଭାବେ ଅନଳ ଲଭିବ

ନଳେ ଦେଲେ ଅଗ୍ନି ବର

ବରୁଣ ସାଦରେ କହିଲେ ରାଜନ

ଲୋଡ଼ିଲେ ପାଇବ ନୀର ।

୪୫ଦଶେରକେ ଥିଲେ ହେଲେ ଜଳାଭାବ

ନ ରହିବ ଜାଣ ନଳ

ଆବଶ୍ୟକ କାଳେ ମନେ ସ୍ମରି ନେଲେ

ଲଭିବ ଯଥେଚ୍ଛା ଜଳ ।

ଯମ ବରେ ରାଜା ରନ୍ଧନ କର୍ମରେ

ନିରତେ ହେବେ ସୁଦକ୍ଷ

ପାକେ ଅବହେଳା ଥିଲେହେଁ ତାଙ୍କର

ସୁସ୍ୱାଦୁ ରହିବ ଭକ୍ଷ ।

ଚାରି ଦେବେ ବର ନରେଶେ ପ୍ରଦାନି

କହିଲେ ମହୋପକାର

ଆବଶ୍ୟକ କାଳେ ତଦ୍ୱାରା ଲଭିଣ

ଜଗତେ ହେବ ହେ ବର ।

‘‘ହାରିଥିବା ନିଧି ଲଭି ଯଥା ସୁଧୀ

ହୁଅଇ ମନେ ପ୍ରମୋଦ

ବ୍ୟାଧ କରୁଁ ମୁକ୍ତ ୪୬କୁରଙ୍ଗୀ ଯେମନ୍ତ

ତଥା ହେଲା ଜେମା ହୃଦ ।’’

ଯା’ଙ୍କ ଚିନ୍ତାନଳେ ମନ ପ୍ରାଣହୂତି

ଦେଉଥିଲେ ଅନୁକ୍ଷଣ

କରମ ସୁଫଳ ହୋଇ କଲା ଠୁଳ

ନଳ ପ୍ରାଣେ ନିଜ ପ୍ରାଣ ।

ଚନ୍ଦ୍ରମା-ବଦନ ତାଙ୍କର ଦର୍ଶନେ

ହରିଲା ଦୁରିତ ତତି

ଏକାଗ୍ର ଦୃଷ୍ଟିରେ ନିଯୁକ୍ତ ରହିଲେ

ନଥାଇ କିଛିହିଁ ଭୀତି ।

ପ୍ରେମ-ଉତ୍ସ୪୭ ହୃଦ- କେଦାର୪୮ ତିନ୍ତାଇ

୪୯ଉଦ୍‌ବୃତ୍ତ କଲା ବାହାର

ଅଙ୍ଗେ ପ୍ରତି ଅଙ୍ଗେ ଫୁଟି ଦେଖାଗଲା

୫୦ମୋତିପରି ସ୍ୱେଦ ନୀର ।

ସମୀର ବିହୀନେ ପର୍କଟୀ୫୧ ପତର

ଯେମନ୍ତ ରହେ ଦୋହଲି

ତେମନ୍ତ ୫୨ବେପଥୁ ସଙ୍ଗେ କଣ୍ଠରୋଧେ

ରହିଲେ ପ୍ରେମ ବିହ୍ୱଳୀ ।

ପରିଶେଷେ ଦେବ- ଯୋଗ୍ୟ ବରମାଲ୍ୟ

ଗଳାଇଲେ ନଳଗଳେ

ଜୟ ନଳ, ଦମ- ୟନ୍ତୀ ଶୁଭନାଦ

ନିନାଦିତ ସଭା ସ୍ଥଳେ ।

 

୧ ଆକାଶସ୍ପର୍ଶୀ, ୨ ପୁରଶୋଭା, ୩ ଏରଣ୍ଡି, ୪ ବଦନ, ୫ ପୁର-ରକ୍ଷକ, ୬ କନ୍ଦର୍ପ, ୭ ଖୁଣ୍ଟିଆ ସହକର୍ମୀ, ୮ ବାଛୁରୀ, ୯ ସମୂହ, ୧୦ ଖୋଲା, ୧୧ ଚିତ୍ର, ୧୨ ତିଗା, ୧୩ ହର୍ଷେ, ୧୪ ବହୁବହୁ, ୧୫ ଦର୍ଶନେ, ୧୬ ସମୁଦ୍ର, ୧୭ ଦକ୍ଷିଣା ପବନ, ୧୮ ବାଦ୍ୟ, ୧୯ ଉତ୍ସୁଳିତ, ୨୦ ଅଜ୍ଞାନ, ୨୧ ଦାସୀ, ୨୨ ଉଦ୍‌ବିଗ୍ନ, ୨୩ ଲଜ୍ଜାସୁର, ୨୪ ବିଳମ୍ୱ, ୨୫ ଭର୍ତ୍ସନା, ୨୬ ଗ୍ରହଣେ, ୨୭ ସୁନ୍ଦର, ୨୮ ପଦ୍ମ, ଚନ୍ଦ୍ର, ୨୯ ଦରବୁଢ଼ା, ୩୦ ବାସି, ୩୧ ସୌନ୍ଦର୍ଯ୍ୟ, ୩୨ ବାସନା କରିବା, ୩୩ କପଟ, ୩୪ ଅପଲକ, ୩୫ ଊଣା, ୩୬ ମିଥ୍ୟା, ୩୭ ସଂସାରେ, ୩୮ ବିନାଶଶୀଳ, ୩୯ ବିନାଶ ରହିତ, ୪୦ ଭାର୍ଯ୍ୟା, ୪୧ ଅତିଶୟ, ୪୨ ତେଣ୍ଟା, ୪୩ ଭର୍ତ୍ସନା, ୪୪ ପତିବ୍ରତା ଶ୍ରେଷ୍ଠ, ୪୫ ମରୁଭୂମି, ୪୬ ହରିଣୀ, ୪୭ ଝରଣା, ୪୮ କ୍ଷେତ୍ର, ୪୯ ବଳନ୍ତି, ୫୦ ମୁକ୍ତା ସମୂହ, ୫୧ ଅଶ୍ୱଥି, ୫୨ କମ୍ପ

☆☆☆

 

ଅଷ୍ଟମ ସର୍ଗ

 

ନଳ-ମୁଖ-ଚନ୍ଦ୍ର ଜ୍ୟୋତ୍ସ୍ନା ୧ବିକୀରଣ

କରିଲା ସଭା ଗଗନେ

ନୃପ-ଦଳ ଆସ୍ୟ ୨ନଳିନ-କୋରକ

ଅଚିରେ ରହିଲା ମ୍ଳାନେ ।

ଦେଖି ପ୍ରାଣ-ବନ୍ଧୁ ନଳ-ହୃଦ-ସିନ୍ଧୁ

ହୋଇଲା ସୀମାତିକ୍ରାନ୍ତ

ତୁରିତ ପ୍ରାଣେଶୀ ସହାସ-ବଦନ-

କୁଳେ ରଖିଲା ସ୍ଥଗିତ ।

ଭୀମ ନରପତି- ମତି ଯେ ଚକୋର

ବିକାଶ ହେଲା ସେ କ୍ଷଣି

ଚକୋରୀ ସମାନ ରାଣୀ-ସୁବଦନ

୩ଆଲୋଡ଼ନ ନେଲା ଜିଣି ।

ନବୀନ ଦମ୍ପତି ମୂରତି ଦେଖିଣ

ଦର୍ଶକେ ଭାବିଲେ ବେଳେ

କାମ ପୂର୍ବ ଦେହ ବିହିକି ବିଜୟ

କରି ରତି ଧରେ କୋଳେ ।

ବର-କନ୍ୟା ଦ୍ୱୟ ଅନ୍ତଃପୁରେ ନେଇ

ବେଦୋକ୍ତ ବିଧି-କରମ

ଜମି ସାଧ୍ୱୀଗଣ କଲେ ସମାପନ

ମିଶ୍ରିତେ ୪ମଙ୍ଗଳସ୍ୱନ ।

ବାଦିତ୍ର କାହାଳୀ କମ୍ୱୁ, ସିଂହା ଧ୍ୱନି

ଚମକାଇଲା ନଗର

ଅପସରା ଜିଣି ନର୍ତ୍ତକୀ ମଣ୍ଡଳ

ଗାୟନେ, ତାନେ ବିଭୋଳ ।

ମହା ସମାରୋହେ ଶୁଭ ପରିଣୟ

ବିଧାନ ହେଲା ସମାପ୍ତ

୫ଆପ୍ତ, ବନ୍ଧୁ ଜନେ ପୁର ପ୍ରଜାଗଣେ

ଉତ୍ସବେ ହେଲେ ଉନ୍ମତ୍ତ ।

‘‘ସଚ୍ଚରିତ୍ର, ଯତ- ଚିତ୍ତ, ଆତ୍ମା ନର

ସୁଦୃଢ଼ କଲେ ସ୍ୱ-କାମ

ଅବଶ୍ୟ ସୁଫଳ ଲଭି ନେଇ କାଳେ

ମନୁଁ ତୁଟାଇବ ଭ୍ରମ ।

ରସା-ବିଭୀଷିକା୬ ୭ଭ୍ରମ-ମରୀଚିକା

ନ ବାଧିବ ତାକୁ ଥରେ

ସୁଖେ, ଦୁଃଖେ ଯେଣୁ ସମ ଜ୍ଞାନ ତାର

ମୋହେ ନ ପଡ଼ିବ ବାରେ ।

ସଜ୍ଜନ ମାନସେ ଯା ରହେ ଅଙ୍କିତ

ପରକାଳେ ସ୍ୱର୍ଣ୍ଣାକ୍ଷରେ

ତାହା ଲିପିବଦ୍ଧ ହୁଏ ଅବାରିତ

ଅନୁଭବୀ ତା ସୁମରେ ।

ଲକ୍ଷ୍ୟ ହେଲେ ମାତ୍ର ଅଲକ୍ଷଣେ ଯୁତ

ସୁଫଳ ରହେ ବିଦୂରେ

ଯେ ବରଟ ଶ୍ୱେତ ମୟୂର ଚିତ୍ରିତ

(ଯେଣୁ) ସେ ବିଜେ ହୃଦ ୮ଅଗାରେ ।

ତାହାଙ୍କୁ ଅଜ୍ଞାତ ନଥାଏ କିଛି ତ

ଲୋଡ଼ନ୍ତି ସେ ଯୋଗ୍ୟ ପାତ୍ର

ଯୋଗ୍ୟ ଯୁବା ଜନେ ସୁଯୋଗ୍ୟା ରମଣୀ

କରାନ୍ତି ଦମ୍ପତି ମାତ୍ର ।’’

ନଳ-ଦମୟନ୍ତୀ ଚରିତ, ସୁଖ୍ୟାତି

ଅନୁରୂପେ ଏକ ପ୍ରାଣ

ହେବାର ଉଚିତ ଜାଣି ବିଶ୍ୱ-ତାତ

ଉଭୟ କଲେ ମିଳନ ।

ପିତ୍ରାଳୟେ ସୁତା ଆବର ଜାମାତା

ବିଶ୍ରାମିଲେ କେତେ ଦିନ

ଉଭୟେ ତୃପତି କରି ଯେ ଦମ୍ପତି

ସ୍ୱ-ପୁରେ ପ୍ରୟାଣେ ମନ (କଲେ) ।

ବହୁ ଧନ, ଯାନ, ଗଜାଦି ସଇନ

ସହ ପେଷିଲେ ଗୌରବେ

କନ୍ୟା-ରତ୍ନ ଆଗେ ନଥିଲେ ସେ କିଛି

ଲୌକିକାଚାର ତା’ ଭବେ ।

ଯଥା କାଳେ ନଳ ପ୍ରାଣପ୍ରିୟା ମେଳେ

ମିଳନ୍ତେ ନିଷଧପୁରେ

ପୁର ପରଜାଏ ଭକ୍ତି ପୁରଃସରେ

ଭେଟିଲେ ତାଙ୍କୁ ମାର୍ଗରେ ।

ମରଧାମୁଁ ଇନ୍ଦ୍ର ବରୁଣାଦି ଦେବେ

ଫେରୁଥିଲେ ସୁର-ପୁରେ

ଦେଖିଲେ ଦ୍ୱାପର, କଳି ଯାଉଛନ୍ତି

ସ୍ୱୟମ୍ୱର ସଭା ସ୍ଥଳେ ।

ସକଳ ବିବୃତ କରିଲେ ୯ବୃତ୍ରାରି

କହିଲେ ଯେ ଭାଗ୍ୟବାନ

ହେଲେ ନଳରାଜା ଲଭି ଭୀମାତ୍ମଜା

ତିନି ପୁରେ ଯେ ରତନ ।

ଉଭୟେ ନିଷଧେ ଫେରିଲେ ଆନନ୍ଦେ

ତୁମ୍ଭେ ଯିବା ଅକାରଣ

ବୃଥା ପରିଶ୍ରମ ଅଶ୍ରେୟ ନିଦାନ

ହେବ ମୋ ବଚନ ମାନ ।

ଭାଷା, ଭୂସା ସମ ତାଙ୍କ ହୃଦେ ସ୍ଥାନ

କଲାରୁ ହେଲେ ବିରସ

ନାକ-ଦେବେ ତେଜି ଦମୟନ୍ତୀ ନଳେ

ବରିବାରୁ କଲେ ରୋଷ ।

‘‘ନାରୀ ଲୋଭେ କାମ ହୋଇଲା ଜନମ

କାମରୁ କ୍ରୋଧ ଉତ୍ପତ୍ତି

କ୍ରୋଧୁଁ ପାପଚୟ ଜନମେ ନିଶ୍ଚୟ

ଘଟିଲା ତେବେ ସେ ନୀତି ।’’

ସ୍ଥିର କଲେ ଯାଇ ନିଷଧେ ସେ ରହି

ନଳେ କରିନେବେ ହିଂସା

ଧର୍ମ ବଳୁଁ ସିନା ନଳ ଯାନ୍ତି ଗଣା

(ଦେବେ) ଧର୍ମ ବିନାଶି ଦୁର୍ଦ୍ଦଶା ।

‘‘ଯହିଁ ସତ୍ୱପୂର୍ଣ୍ଣ ତାମସ ନଗଣ୍ୟ

ଭାବେ ମାତ୍ର ମିଶିରହେ

ହଂସ ୧୦ନିକୁରମ୍ୱେ ରହିଲେହେଁ ବକ

ସେ ହଂସ ଗଣିବ କିଏ ।’’

ତରକି ସୁକାଳ କଳି ନଳ ପାଶେ

ଗୋପନେ କଲେ ବିହାର

ସେ ୧୧ଶ୍ୟେନ ପ୍ରକାର ନଳ-ମୀନ ଗ୍ରାସେ

ସର୍ବଦା ରହେ ଆତୁର ।

କାର୍ଯ୍ୟ ବଶେ ନଳ ପାଦ ପ୍ରକ୍ଷାଳନ

ଭୁଲି ଯାଇ କଲେ ସନ୍ଧ୍ୟା

କଳି ସେ ଅନୀତି ବଶେ ତାଙ୍କ ଦେହେ

ପ୍ରବେଶେ ଲଭେ ସୁବିଧା ।

ପୁଷ୍କର ନାମକ ନଳ ସହୋଦର

ଥିଲେ ସ୍ୱରାଜ୍ୟେ ନୃପତି

ଦ୍ୱାପର ପ୍ରବେଶି ତାହାଙ୍କ ଅନ୍ତରେ

ଚାଲିଲା ତାହାଙ୍କ ମତି ।

କଳି ଓ ଦ୍ୱାପର ମଧ୍ୟେ ସ୍ଥିରୀକୃତ

ହୋଇଥିଲା ସେ ବିଚାର

ଏକ ନଳ ଦେହେ ଅପର ପୁଷ୍କରେ

ରହି ସାଧିନେବେ ବୈର ।

ଦ୍ୱାପର ପୁଷ୍କରେ ସାହାଯ୍ୟ କରଣେ

ଥିଲା ଯେଣୁ ତତପର

ଆଶା ପାଶେ ତାଙ୍କୁ ବାନ୍ଧି ରଖିବାକୁ

କୌଶଳ କଲା ବିଚାର ।

ନଳରାଜା ସଙ୍ଗେ ଦ୍ୟୂତ କ୍ରୀଡ଼ା ରଙ୍ଗେ

ମନାଇ ନେଲା ପୁଷ୍କରେ

ହୋଇ ଆଶାନ୍ୱିତ ସେ ଗଲେ ତୁରିତ

ହେଲେ ନଳଙ୍କ ଆଗରେ ।

କ୍ରୀଡ଼ନେ ପ୍ରସ୍ତାବ କରନ୍ତେ ପୁଷ୍କର

ନଳ-ଦେହେ ସ୍ଥିତ କଳି

ପ୍ରବର୍ତ୍ତାଇ ତାଙ୍କୁ ସ୍ୱୀକାର କରାଇ

ଦେଲା ତାଙ୍କ ହୃଦ ଟାଳି ।

‘‘କାହାକୁ ଇତର- ଧନେ ଧନେଶ୍ୱର

ହେବାକୁ ନବଳେ ଆଶା

କେ ସମ୍ପତ୍ତିବାନ ହେଲେହେଁ ତା ମନେ

ନ ବଢ଼ିବ ଧନ ତୃଷ୍ଣା ।

ସହଜେ ଅପର ଧନ ଲଭିବାର

ସୁଯୋଗ ହେଲେ ଆଗତ

ପାପ ଭୀତି ମନୁ ରଖାଇ ବିଦୂରେ

କରଇ ଧନାଶୀ ୧୨ଧୂର୍ତ୍ତ ।’’

ପଶା କାଠି ମଧ୍ୟେ ଦ୍ୱାପର ଗୋପନେ

ରହିଣ ପ୍ରମୋଦ ଭରେ

ପୁଷ୍କର ବିଜୟ କରଣେ କାମନା

ରଖିଲା ନିଜ ଅନ୍ତରେ ।

‘‘ଦୁର୍ଜ୍ଜନ ସଙ୍ଗମେ ସୁଗୁଣ ବିନାଶ

ହୋଇଯାଏ ଅବାରିତ

ଦୁଗ୍‌ଧ ପୂର୍ଣ୍ଣ ଭାଣ୍ଡେ ଗରଳ ନିକ୍ଷେପେ

(ହୁଏ) ଦୁଗ୍‌ଧ ବିଷେ ପରିଣତ ।

ଶରତ୍‌କାଳ ପୂର୍ଣ୍ଣ- ଚନ୍ଦ୍ର ଜ୍ୟୋତ୍ସ୍ନାବଶେ

ପ୍ରଦ୍ୟୋତ ରହେ ଯେ ମହୀ

ବିଧୁନ୍ତୁଦ ତାକୁ କରିଲେ ସ୍ପରଶ

ଅମାବାସ୍ୟା ନିଶା ହୋଇ ।’’

ନଳ ଆଗେ ହୁଡ଼ କଲେ ରାଜକୋଷ

ଧନ, ରତ୍ନାଦି ସହିତ

ନିଜେ ପରାଜିତ ହେବାରୁ ନିୟତ

ସର୍ବେ ଗଲେ ଭ୍ରାତା ହସ୍ତ ।

ତବ୍ଦତ ରାଜନ ଧାନ୍ୟାଦି ସମସ୍ତ

ହାରିଣ ହେଲେ କ୍ଷୋଭିତ

ବଢ଼େ ବେଳୁଁବେଳ ପୁଷ୍କର ମହତ୍ୱ

ଦ୍ୱାପର ଯୋଗୁଁ ନିଶ୍ଚିତ ।

ପରିଷଦଗଣେ ରହିଲେ ବିଷଣ୍ଣେ

ଜଣାଇଲେ ଦମୟନ୍ତୀ

ରାଣୀଙ୍କ ଉଦନ୍ତ- ମହତ୍ୱ ନମାନି

ରାଜା ନ ତେଜିଲେ ରତି ।

କାହା ନିବାରଣ ନ ଶୁଣି ରାଜନ

ହାରିଲେ ସର୍ବ ସମ୍ପତ୍ତି

ଦୁର୍ଦ୍ଦଶା କାହାଣୀ ମୁଖେ ମୁଖେ ଗମି

ବଢ଼େ ଯଥା ୧୩ସ୍ରୋତସ୍ୱତୀ ।

ରାଜା ଦୁଶ୍ଚରିତେ ରାଣୀ ଯେ ଦୁଃଖିତା

ଶୋକାକୁଳା ହେଲେ ବାରେ

ଭାବିଲେ ଦୁର୍ଦ୍ଦଶା- ବଶେ ନଳରାଜା

ରତ ହେଲେ ଅନାଚାରେ ।

‘‘ବିଶ୍ୱେଶ ଚାଳିତ ମାନବ ଜଗତେ

ବିହରି ରହେ ଅନିଶ

କାହାର ସ୍ୱତନ୍ତ୍ର ନାହିଁ କେଉଁଥିରେ

ବାଳ-ଖେଳନା ସଦୃଶ ।

ସୁଜ୍ଞାନୀ, ଧାର୍ମିକ, ସାତ୍ୱିକ ରାଜନ

କ୍ରୀଡ଼ନେ ହେଲେ ଆସକ୍ତ

ବିଧି-ବଶ ତାହା କୁହାଯିବ ସିନା

ଅଟନ୍ତି ସେ ଅନିନ୍ଦ୍ୟ ତ ।

ଭବିଷ୍ୟତ ଚିନ୍ତା ସୁଜ୍ଞା ରାଣୀ ଶିରେ

ପ୍ରବେଶ କଲା ସେକ୍ଷଣି

କୁମାର, କୁମାରୀ ସୁଗତି ସୁମରି

କର୍ତ୍ତବ୍ୟ ନେଲେ ନିଦାନି ।

ଭାବିଲେ ବିପତ୍ତି ପଶାଖେଳୁଁ ଜାତ

ହୋଇପାରେ ଭବିଷ୍ୟତ

ନିଜ ପିତ୍ରାଳୟେ ସନ୍ତାନ ପ୍ରେଷଣେ

ବଳାଇଲେ ତାଙ୍କ ଚିତ୍ତ ।

‘‘ଦ୍ୟୂତ କ୍ରୀଡ଼ା ଏବଂ ମାଦକ ସେବନ

ସେବୀ କରାଏ ଉନ୍ମତ୍ତ

ସେ ଭାବୀ-ଅହିତ ମନୁଁ ଦୂରୀଭୂତ

କରାଇ ଦିଏ ନିଶ୍ଚିତ ।’’

ପରିଣାମ ଫଳ ରାଣୀ ମନେ ଠୁଳ

ହେବାରୁ ହେଲେ ବିବ୍ରତା

ଉଭୟ ସନ୍ତାନ ହାରିବେ ବା ରାଣ

ଚିନ୍ତା ଘୂରାଇଲା ମଥା ।

ମନ୍ତ୍ରୀକୁ ଡକାଇ କହିଲେ ଚତୁରୀ

ନିବର୍ତ୍ତାଅ ରାଜେ ସର୍ବେ

ବେଳୁଁ ବେଳ ବଢ଼େ କ୍ରୀଡ଼ନ ଉନ୍ମାଦ

ରାଜା କିବା ଭିକ୍ଷୁ ହେବେ ।

ସେହି କାଳେ ରବ ହେଲା ନଳ ଧବ

ରାଜ୍ୟ ହାରି ଦେଲେ ଖେଳେ

ପୁଷ୍କର ପୁଷ୍କର- ଘନ ପରକାର

ପ୍ରଭାବ ବାଢ଼ିଲେ ପୁରେ ।

ବାର୍ଷ୍ଣେୟ ନାମକ ସୁଯୋଗ୍ୟ ସାରଥି

ଡକାଇଣ ଦମୟନ୍ତୀ

ଦେଲେ ଯେ ଆଦେଶ ଉଭୟ ସନ୍ତାନେ

ନେଇ ଛାଡ଼ ଭୀମ କତି ।

ଶ୍ରେଷ୍ଠ ହୟ ଯୁତେ ରାଜା-ଯାନ ନେଇ

ରଖ ବିଦର୍ଭ ନଗରେ

ଯାନ ହୟ-ରକ୍ଷା ମୋ ପିତା ପାଳକେ

କରିନେବେ ସୁବିଚାରେ ।

ସାଧ୍ୱୀ ସୁଚରିତ୍ରା ରାଣୀ ଆଜ୍ଞା ପାଳି

ଚଳିଲା ସାରଥିବର

ଭୀମସେନ ରାଜେ ନିଷଧ ଚଳଣି

କହିଲା ଅକ୍ଷରାକ୍ଷର ।

ଆଶଙ୍କା ବିହୀନ ପୁଷ୍କର ରାଜନ

ହେଲେ ନିଷଧ ରାଜ୍ୟରେ

ସୁର-ପୁରେ ସୁର- ରାଜ ପରକାର

ସେ ବିଜେ ରାଜ ଗାଦିରେ ।

ମନ୍ତ୍ରୀକି ଡକାଇ ସୁ-ଗମ୍ଭୀର ସ୍ୱରେ

ରାଜାଜ୍ଞା କଲେ ପ୍ରଚାର

ରାଜ୍ୟୁଁ ୧୪ନିର୍ବାସିତ ନଳ ହେଲେ ବୋଲି

ଘୋଷଣା ଦିଅ ସତ୍ୱର ।

ସେ ଆଦେଶ ରାଣୀ ଶୁଣି ହୋଇ ତୁନି

ପ୍ରବେଶି ସ୍ୱାମୀ ନିକଟେ

ବୋଲନ୍ତି ଅରଣ୍ୟ ତବ ରାଜଧାନୀ

ହେଲା ଜାଣ ଏବେ ସ୍ପଷ୍ଟେ ।

ଥରେ ଦେବ-ଦୂତ ଆସି ମୋ ପ୍ରକୋଷ୍ଠେ

ଦେଲେ ଯେ ସଦୁପଦେଶ

ଦୃଢ଼ ସତୀ ପଣେ ତା ମୁଁ ହେୟଜ୍ଞାନେ

ମଣିନେଲି ହେ ନରେଶ ।

‘‘ବିଜୟ ପତାକା ସତ୍ୟ ଶିରେ ଉଡ଼େ

ଅସତ୍ୟର ପରାଜୟ-

କାଳିମା-କାଳିକା୧୫ ହୃଦୟ କେଦାର

ଜ୍ଞାନ-ଶସ୍ୟ କାଳମୟ (ଅଟେ) ।

ଦେବ-କୂଟ ବୋଲି ନ ଘେନ କଦାପି

ଉଭୟ ପରୀକ୍ଷା-କାଳ

ଉପଗତ ବୋଲି ଭାବିବା ଉଚିତ

ନ ହୋଇ ବାରେ ବିକଳ ।

ସୁ-ଜ୍ଞାନ ବିବେକେ ଭର ହୋଇ ଜନ

ଭାସଇ ଅଜ୍ଞାନ-ସରେ

କାହା ବଶେ ସେହି ସ୍ୱଗୁଣ ବିସ୍ମରେ

କେ କହି ପାରିବ ସ୍ଥିରେ ।

ସୁକୃତୀ ସୁକୃତ ଅନ୍ଧ-ଯଷ୍ଟିବତ

ଚଳାଏ ନଶ୍ୱର ଦେହୀ

ବିଧିବଶେ କାହିଁ ଉପୁଜିଲେ ଭ୍ରମ

ନିନ୍ଦିବେ ସୁକୃତେ କେହି ।’’

ଅର୍ଦ୍ଧାଙ୍ଗିନୀ ତବ ମୁଁ ଜାଣେ ସରବ

ଆପଣ ୧୬ମିହିର ସମ

ଅଟ ତେଜୀୟାନ ନୁହେ କି ୧୭ତପନ

କଦା ୧୮ବାରିଦେ ଗୋପନ ।

ବାଣୀ-ରାଣୀ ତବ ହୃଦ-ସିଂହାସନେ

୧୯ବାଚସ୍ପତି ତବ ମୁଖେ

ସତ୍ୟ ପ୍ରତିମୂର୍ତ୍ତି ଅଟ ତ ନୃପତି

ଧର୍ମେ ଜିଣ ତିନି ଲୋକେ ।

ତବେ ଆଶ୍ୱାସନା ଦେବାକୁ ସାମର୍ଥ୍ୟା

ନୁହେ ମୁଁ କରେ ସ୍ୱୀକାର

ସମ୍ପଦେ, ବିପଦେ ମୁଁ ଯେଣୁ ବାନ୍ଧବୀ

କହଇ ନୀତି ପ୍ରକର ।

ନିଷଧ ଅଧର୍ମେ ଅସତ୍ୟେ ପୂରିତ

ହେଲା ଯେଣୁ କରେ ମତି

୨୦ନିବିଡ଼ କାନନେ ଗଜ, ମୃଗଗଣେ

Unknown

କରିନେବା ଆମ୍ଭ ସାଥି ।

ବିଶ୍ୱକର୍ତ୍ତା ବିଶ୍ୱ- ସରଜନା ବେଳେ

ଦ୍ୱେଷ, ହିଂସାଦି ଦୁର୍ଗୁଣେ

ନରଖି କାନନେ ଠୁଳେ ୨୧ଜନ-ପଦେ

ରଖିଲେ ସହର୍ଷ ମନେ ।

ଦୁର୍ଗୁଣ ଭଣ୍ଡାର କେବଳ ନଗର

ନ ରହେ ତ ବନଦେଶେ

୨୨ଯମ, ତପ ଆଚ- ରଣେ ପୂତ ସ୍ଥାନ

ତେଣୁ ଘେନନ୍ତି ତପୀଶେ ।

ପ୍ରାଣେଶୀ ୨୩ଅମିୟ ନୀତି-ବାକ୍ୟଚୟ

ନଳ କର୍ଣ୍ଣେନ୍ଦ୍ରିୟେ ପାନ

କଲାରୁ ନିସ୍ତେଜ ବିଚିନ୍ତିତ ହୃଦ

ହୋଇଲା ୨୪ଅଶନି ସମ ।

ବାସ, ବେଶ, ଭୂଷା ବିହୀନ ଦମ୍ପତି

ମନେ ଧ୍ୟାୟି ଦେବଈଶ

ଯୁଗ୍ମବସ୍ତ୍ରା ହୋଇ ଚଳିଲେ ମାର୍ଗରେ

ହେଲେ ଦର୍ଶକେ ବିରସ ।

କେ ନିନ୍ଦେ ବିଧିକି ଯେ ଦୟାନିଧିକି

କଢ଼ାଇ ନେଇ ନିଷଧୁଁ

କାନନେ ପୂରାଇ ରଖିଲେ ଦମ୍ପତି

କି ଲାଭ ହେବ ତନ୍ମଧ୍ୟୁଁ ।

କେ ବୋଲେ ପରାଣ, ମାନଦାତା ରାଣ

ହେଲେ ଯେବେ ନିର୍ବାସିତ

ତାହାଙ୍କୁ କାନନେ ନ ଛାଡ଼ି ପତ୍ତନେ

ପ୍ରଜା ରଖିବା ବିହିତ ।

ପାପ-ତାପ ବୈର ନ ଥାଇ ରାଜାଙ୍କ

କଲେ ସରବେ ପାଳନ

ପ୍ରପୂଜ୍ୟ ଅତିଥି ନକଲେ ସତ୍କାର

ପ୍ରଜା ନିନ୍ଦା ହେବ ଘନ ।

ଯଥାବିଧି ପ୍ରବୋ- ଧନ ଦେଇ ନଳ

ପ୍ରୟାଣେ କଲେ ଉଦ୍ୟମ

ନର, ନାରୀ କୁଳ ହୋଇ ସମାକୁଳ

କଲେ ତାଙ୍କୁ ନିବାରଣ ।

ବାଧ୍ୟ ହୋଇ ଦୁହେଁ ରହିଲେ ନଗରେ

ହୋଇ ପୁର-ଜନାତିଥି

ଚାର ମୁଖୁଁ ଶୁଣି ପୁଷ୍କର ରାଜନ

ପ୍ରଚାରେ ଆଜ୍ଞା ଝଟିତି ।

ଖାଦ୍ୟ ଦ୍ରବ୍ୟ ଯେହି କରିବ ଯୋଗାଡ଼

ନଳେ ସତକାର ଅର୍ଥେ

ରାଜ ଦଣ୍ଡେ ସେହି ଦଣ୍ଡିତ ହୋଇବେ

ଜାଣନ୍ତୁ ସରବେ ସତ୍ୟେ ।

କ୍ରୂର-ନରାଧମ ଆଦେଶ ବନ୍ଧନୀ

ଜନେ ବାନ୍ଧିଲା ସୁଦୃଢ଼େ

ନଳ-ଦମୟନ୍ତୀ କୋମଳ ହୃଦୟେ

କ୍ଷୁଧାବାଧା ତେଣୁ ବଢ଼େ ।

୨୫ଇତସ୍ତତଃ ବୁଲି ଶାକ, ଫଳ ମୂଳ

ନଳ କଲେ ୨୬ଆନୟନ

ତିନି ଦିନ ପୁର ଉପାନ୍ତେ ରାଜନ

ନେଲେ ମନେ ମାତ୍ର କ୍ଷୀଣ ।

ପାଳକ ପାଳିତ ଆଗେ ହୀନମତେ

ରହିବା ଅଟେ ଅଶ୍ରେୟ

ବରଂ ବନ ମଧ୍ୟେ ଅଜ୍ଞାତେ ରହିବା

ମଣିଲେ ସେ ବହୁ ଶ୍ରେୟ ।

ନୀତି ସ୍ଥିରୀକୃତ କରିନେଇ ଦୁହେଁ

ଚଳିଲେ ବନାଭିମୁଖେ

ଗମନେ ଅଶକ୍ତ କ୍ରମଶଃ ସେ ହେଲେ

ରହିବାରୁ କ୍ଷୁଧା-ଦୁଃଖେ ।

 

୧ ବିକାଶ, ୨ ପଦ୍ମ, ୩ ଆନ୍ଦୋଳନ, ୪ ହୁଳୁହୁଳା, ୫ ଆତ୍ମୀୟ, ୬ ଭୟ ପ୍ରଦର୍ଶନ, ୭ ମୃଗତୃଷ୍ଣା, ୮ ଗୃହେ, ୯ ଇନ୍ଦ୍ର, ୧୦ ସମୂହେ, ୧୧ ଛଞ୍ଚାଣ, ୧୨ କପଟୀ, ୧୩ ନଦୀ, ୧୪ ବହିଷ୍କୃତ, ୧୫ କଳାମେଘ, ୧୬ ସୂର୍ଯ୍ୟ, ୧୭ ସୂର୍ଯ୍ୟ, ୧୮ ମେଘେ, ୧୯ ବୃହସ୍ପତି, ୨୦ ଘନ, ଗାଢ଼, ୨୧ ଦେଶେ, ୨୨ ସଂଯମ, ୨୩ ଅମୃତ, ୨୪ ବଜ୍ର, ୨୫ ଏଣେତେଣେ, ୨୬ ଆଣିଲେ

☆☆☆

 

ନବମ ସର୍ଗ

 

ଦେଖିଲେ ପଥରେ କପୋତ, କପୋତୀ

ବିହରନ୍ତି ଏଣେ ତେଣେ

ମାଂସ ଆଶା କରି ନଳ ଦଣ୍ଡଧାରୀ

ଲାଗିଲେ ୧ଅନୁଧାବନେ ।

‘‘କ୍ଷୁଧାତୁର ଜନ ରୁଚି, ପକ୍ୱାହାର

ନ ଲୋଡ଼ଇ ହେଲେ ବେଳେ

କରଗତ ଖାଦ୍ୟ କରଇ ଆହାର

ନିର୍ବାପଣେ କ୍ଷୁଧାନଳେ ।’’

ଦୈବୀ ବଶେ ପକ୍ଷୀ ଧୀର ଧୀର ଚଳି

ଭ୍ରମାଇ ନେଇ ନଳଙ୍କୁ

ତାଙ୍କ ମନୋଦ୍ଦେଗ ବର୍ଦ୍ଧନେ ସରାଗ

କଲେ ବା ଆସେ ମନକୁ ।

କୃତକାର୍ଯ୍ୟ ଆଶା ପୋଷିଣ ନରେଶ

ନିଜ ପରିଧାନ ଖଣ୍ଡି

ଫିଙ୍ଗିଲେ ତଦ୍ୱାରା ଏକ ପକ୍ଷୀ ହେଲେ

ଧରିବେ ପରା ଦରାଣ୍ଡି ।

ଚଞ୍ଚୁପୁଟେ ବାସ ଧରି ପକ୍ଷୀବେନି

ଚଳିଲେ ଅପର ପଥେ

ଭରସା ଦୁର୍ଦ୍ଦଶା ନଳେ ଜନମାଇ

ରଖିଲା ତାଙ୍କୁ ବିବସ୍ତ୍ରେ ।

‘‘ଦୁରାଶା, ଦୁର୍ଦ୍ଦଶା ହୋଇ ସତୀ-ପତ୍ନୀ

ହେଲେ ବା ନଳ ସଙ୍ଗିନୀ

ପ୍ରଥମ ପୁରତେ ଦ୍ୱିତୀୟ ପଶ୍ଚାତେ

କୌତୁକେ ଚାଲନ୍ତି ବେନି ।’’

ପିନ୍ଧି ଉତ୍ତରୀୟ ନ ଘୋଡ଼ାଇ କାୟ

ଗଲେ ଦମୟନ୍ତୀ ପାଶେ

ଚଳଣି ବିବୃତି କଲେ ଦୁଃଖେ ଅତି

ଅଶେଷ ସେ ନମି ଈଶେ ।

ସେ କାଳେ ଶୁଭିଲା ଯେ ଶୂନ୍ୟୁଁ ବଚନ

ଦ୍ୱାପର ଯେ ଛଦ୍ମବଶ

ହରି ନେଲା ବାସ ଜାଣ ନରଈଶ

ଭୋଗିବ ଅଶେଷ କ୍ଳେଶ ।

ପୁଷ୍କର ସାହାଯ୍ୟେ ପଶାକାଠି ମଧ୍ୟେ

ରହିଥିଲା ସେ ଗୋପନେ

ଦାନେ ତାଙ୍କ ଜିତା ସେ ନେଇ ଭିଆଇ

ହରାଇ ଦେଲା ଆପଣେ ।

ନିଜ ଦୁରବସ୍ଥା ଦେଖି ଗୁଣୀ ରାଜା

ନୋହି ମାନସେ ବିଷାଦ

ଭାରିଯା ସମୀପେ ହୋଇ ଉପଗତ

କହିଲେ ଖୋଲିଣ ହୃଦ ।

ଆଗତ ଦୁର୍ଦ୍ଦଶା ଦୃଷ୍ଟି ଲକ୍ଷ୍ୟେ ରାଜା

ପ୍ରବୋଧିଲେ ପ୍ରାଣପ୍ରିୟେ

ସୁକୋମଳା ବନ- ବାସ କ୍ଳେଶ ସହ୍ୟ

କରିବା କଷ୍ଟ ମୁଁ କହେ ।

ତବ ପିତ୍ରାଳୟେ ୨କତିପୟ ଦିନ

କାଟିନିଅ ଯୋଷାମଣି

ଦୁର୍ବିପାକୁଁ ପାର ମୁଁ ହେଲେ ନିକର

ଭେଟିବି ସେଠାରେ ପୁଣି ।

କହି କହି ସେହି ବିଦର୍ଭ-ସରଣୀ୩

ଦେଖାନ୍ତି ବହି ଆଦର

ସେ ରୀତି ଦର୍ଶନେ ଦମୟନ୍ତୀ ମନେ

ଶଙ୍କା ଜନ୍ମିଲା ଅପାର ।

ସେ ଭାବିଲେ ନଳ ତାଙ୍କ ପରିତ୍ୟାଗେ

କରିଣ ନେଲେ ବିଚାର

ଶୋକାକୁଳା ହୋଇ ଦୈନ୍ୟେ ଦେଲେ କହି

ସ୍ୱାମୀ କର ସୁବିଚାର ।

ମୋ ପ୍ରାଣ ସର୍ବସ୍ୱ ଆପଣ ଅବଶ୍ୟ

ମୁଁ ଅଟଇ ଅର୍ଦ୍ଧାଙ୍ଗିନୀ

କ୍ଳେଶେ ମୁଁ ଭାଗିନୀ ନ ହେଲେ ପାପିନୀ

ନିଶ୍ଚେ ଗଣିବେ ସୁଜ୍ଞାନୀ ।

ନାହାନ୍ତି ୪ସଚିବେ ନାହାନ୍ତି ବାନ୍ଧବେ

ନାହାନ୍ତି ୫ପରିଚାରକ

ପରାମର୍ଶ ଦାନେ ୬ଶୁଶ୍ରୂଷା କରଣେ

କେ ଅଛି ସମୀପେ ଲୋକ ।

ଆପତ୍‌କାଳେ ଆପ୍ତ- ଜନ ୭ସମାବେଶ

ଅଟଇ ଯେ ହିତକର

ଦୁଃଖାପନୋଦନେ ଧଇର୍ଯ୍ୟ ପ୍ରଦାନେ

ସଙ୍ଗୀ ଥିବା ଦରକାର ।

ମୁଁ ତ ଦାସୀ ପଣେ କି ଅବା ମନ୍ତ୍ରଣେ

ଅଯୋଗ୍ୟା ନୁହଇ ବାରେ

ମୁଁ ହେବି ସଙ୍ଗିନୀ ତବ ମନ ଜାଣି

ସେବୁଥିବି ଅନିଶରେ ।

କହିଲେ ଅବର ପ୍ରାଣ-ଧନ-ମୋର

ମନେ ଚିନ୍ତ କି ଅପାୟ

ସଙ୍ଗିନୀ ତୁମ୍ଭର ଥିଲେ ସଙ୍ଗେ ମାତ୍ର

ନ ହେବକି ସଦୁପାୟ ।

ପିତ୍ରାଳୟେ ମତେ ୮ପ୍ରେଷଣ ନିମନ୍ତେ

କର ଯେବେ ମନେ ସ୍ଥିର

ମୋ ସଙ୍ଗେ ଆପଣ ସଙ୍ଗୀ ହେଲେ ଜାଣ

ସୁଖିନୀ ହେବି ନିକର ।

ଆମ୍ଭର ସନ୍ତାନେ ଅଛନ୍ତି ସେ ସ୍ଥାନେ

ଦେଖି ତାଙ୍କୁ ଦୁଃଖ ରାଶି

ବହୁକ୍ଷଣ ଚିତ୍ତୁଁ ହୋଇବେ ୯ବିଲୟ

କି କହିବି ବିଜ୍ଞେ ବେଶି ।

ଭୀମ ନରପତି ଅଶିଷ୍ଟ, ଦୁର୍ମତି

ନ ହେଉ ତେଣୁ ଗୁମାନ

ଆତ୍ମୀୟ ନରେଶ ତବେ ସୁଖ-ଦାନେ

ନିରତେ ଥିବେ ନିମଗ୍ନ ।

ଯୁକ୍ତି, ତର୍କ ବଳେ କହିଲେ ଯେ ନଳ

ଭୀମ ହେଲେହେଁ ସୁଶୀଳ

ଅନୁଚରଗଣେ ଶିଷ୍ଟତା ଯୁକତେ

ରହିବା ମାତ୍ର ୧୦ବିରଳ ।

‘‘ସମ୍ପତ୍କାଳେ ଯେହି କରେ ସମାଦର

ବିପତ୍କାଳେ ଅନାଦର

କରଇ ଯେମନ୍ତ ମଧୁପେ ବର୍ଜିତ

ଯେ ୧୧ପର୍ଯ୍ୟୁଷିତ କମଳ ।

ଦୁରାଦୃଷ୍ଟ ଭୋଗେ ଐଶଚିନ୍ତା ଯୋଗେ

ରହେ ନର ଅବିରତ

ଜନ ସମାଗମେ ସେ ଚିନ୍ତା ବିଲୟ

ହୁଏ ତା ମାତ୍ର ନିଶ୍ଚିତ ।

ଲକ୍ଷ୍ମୀବନ୍ତ ନର ଜଗତେ ଆଦର

ପାତ୍ର ହୋଇଥାଏ ସିନା

ଲକ୍ଷ୍ମୀ ଅନାଦରେ ଟେଳା ପରକାରେ

ହୁଏ ସେ ସମାଜେ ଗଣା ।’’

ସ୍ୱୟଂବର କାଳ ଆଡ଼ମ୍ବର ଜାଳ

ଦର୍ଶକେ ପକାଇ ମନେ

ନାସିକା୧୨ କୁଞ୍ଚନ କରିବେ ନିଦାନ

ସେ ନଳେ ଦେଖି ଏକ୍ଷଣେ ।

ସୁକୁମାରୀ ଜେମା ସହିବେ ଯାତନା

ସେ ଚିନ୍ତା ନଳ-ମାନସେ

୧୩ବିଷଧର-ବିଷ ସମାନ ସର୍ବାଙ୍ଗେ

ପ୍ରସରି ରଖେ ଅବଶେ ।

ଈଦୃଶ ବେଦନା- ୧୪ଧର୍ଷିତ ରାଜନ

ପ୍ରିୟା ପରିତ୍ୟାଗ କାମ

ମନ-କ୍ଷେତ୍ରେ ରୋପି ଅନ୍ତେ ସନ୍ତାପିତ

ହେଉଥିଲେ ଅନୁକ୍ଷଣ ।

ସେ କାଳେ ତପନ ଭ୍ରମଣୁଁ ବିରତ

ଛୁଇଁଲେ ଯେ ଅସ୍ତଗିରି

୧୫ଗୈରୀକ, କନକ ବରନ ବସନ

ଆକାଶେ ଦେଲେ ବିସ୍ତାରୀ ।

ପ୍ରଦୋଷ ରମଣୀ ଇଚ୍ଛା ଆନୁକୁଲ୍ୟ

ବସନ ଯେ ନେବେ ବାଛି

ହୋଇଣ ସୁବେଶ ମୋହିନେବେ ବିଶ୍ୱ

ବଢ଼ାଇ ସ୍ୱ-ଅଭିରୁଚି ।

ବିଶ୍ୱେଶ ଆଦରେ ବିହଙ୍ଗ ନିକରେ

୧୬କୂଜନ କଲେ ଅପାର

ପ୍ରଦୋଷ କାମିନୀ ଅଭ୍ୟର୍ଥନା ବାଣୀ

ରସାରେ କଲେ ପ୍ରଚାର ।

ଦିନପତି ହୀନ ଗତିକି ନିଦାନି

ସାଧ୍ୱୀ ଶିରୋମଣି ଦିବା

ନିଜ ଦୁର୍ବଳତା ବଶେ ସେ ଦୁଃଖିତା

ହୋଇ ଲୁଚିଗଲା କିବା ।

ଚକୋର ଦମ୍ପତି କଲେ ତୋଷମତି

ଶତ୍ରୁ ଅପଜୟ ଜାଣି

ବୁଲି ଚତୁର୍ଦ୍ଦିଗେ ରହିଳେ ସରାଗେ

ଯଥା ବିଜୟୀ ସେନାନୀ ।

କାଳ ଜାଣି ଦୁହେଁ ବିଶ୍ରାମୋପଯୋଗୀ

ସ୍ଥାନ ଦେଖି ବୁଲୁଥିଲେ

୧୭ସଇକତମୟ ଆସ୍ଥାନ ଦର୍ଶନେ

ମନେ ପରିତୋଷ ହେଲେ ।

୧୮ଅରଣ୍ୟାନୀ ମଧ୍ୟେ ସେ ସ୍ଥଳ ଦର୍ଶନେ

ଭାବିଲେ ଆତପ୍ତ ଚିତ୍ତେ

ଅରକ୍ଷ ପରାଣୀ ସାନ୍ତ୍ୱନା କରଣେ

ସ୍ରଷ୍ଟା ବା ରଖନ୍ତି ପଥେ ।

ଦମ୍ପତି ସେଠାରେ ରହିଲେ ନିଶିରେ

ଅନୁଭୂତି କ୍ଳେଶ ସ୍ମରି

‘‘ସମ୍ପତ୍କାଳେ ଦୂର ବିପଦେ ବାନ୍ଧବ’’

ଚିନ୍ତି ନେଲେ ଦେବ ହରି ।

ସୁଦିବ୍ୟ ପଲଙ୍କେ କୋମଳ ତଳପେ

ନୁହନ୍ତି ନିଦ୍ରାଭିଭୂତା

ଯେହି ଦମୟନ୍ତୀ ଭୂ-ଶଯ୍ୟା ପତିତା

ସୈକତେ ହେଲେ ନିଦ୍ରିତା ।

‘‘କ୍ଳେଶେ ପ୍ରପୀଡ଼ିତ- ହୃଦେ ବିମୋହିତ

ନିଦ୍ରା ଦିଏ ନିଦ୍ରା ଦେବୀ

ଦଗ୍‌ଧ ଅନ୍ତରାତ୍ମା ସୁଶାନ୍ତି କରଣେ

ସେ ୧୯ଘନ ଉପାୟ ଭାବି ’’।

ପ୍ରିୟାଙ୍କ ୨୦ସଂବେଶ ଦେଖି ପ୍ରାଣଈଶ

ମନସ୍କାମ ସୁମରିଣ

ପାଶେ ଉପଗତ ହୋଇ ସେ ଦେଖିଲେ

ତାଙ୍କ ଶଶାଙ୍କ-ବଦନ ।

ପ୍ରିୟା ପ୍ରେମ-ଗୁଣ ଭାବି ସେ ରାଜନ

ଥିଲେ ବିଚ୍ଛେଦେ ୨୧ବିରତ

ଖଳ-କଳୀ ବଳେ ବିଭିନ୍ନେ ରହିବା

ଭାବିନେଲେ ମନେ ହିତ ।

ରାଣୀ ପରିଧେୟ ବସନୁଁ ଖଣ୍ଡିଏ

କାଟିବାକୁ କଲେ ମନ

ଶସ୍ତ୍ର ଅନ୍ୱେଷଣେ ଚୌଦିଗେ ବହନ

କରିନେଲେ ନିରୀକ୍ଷଣ ।

ଦ୍ୱାପର ନିଦାନି ମତି ସେହିକ୍ଷଣି

ଅଦୃଶ୍ୟେ ଗୋଟିଏ ଛୁରି

ରଖିଦେଲା ପାଶେ ତା ଦେଖି ନରେଶ

ତୃପ୍ତ ହେଲେ ମନେ ଭାରି ।

ତଦ୍ୱାରା ବିଚ୍ଛିନ୍ନ କରିଣ ବସନ

କର୍ପଟ ନେଲେ ପହୁରି

ବିଧି ବିଧାନ ଯେ ଅଲଂଘ୍ୟ ନିଦାନ

ଗଲେ ତାହି ଅନୁସରି ।

ନିଜପ୍ରାଣ ସମେ ଯେ ଥିଲେ ଭବନେ

ବନେ ଛାଡ଼ି ଏକାକିନୀ

ତାହାଙ୍କ ଦୁର୍ଗତି ନ ନେଲେ ସେ ଚିନ୍ତି

ରକ୍ଷକ-ବିଶ୍ୱେଶ-ଧ୍ୟାନି ।

 

୧ ପଶ୍ଚାତ୍‌ଦଉଡ଼ିବା, ୨ କେତେକ, ୩ ମାର୍ଗ, ୪ ମନ୍ତ୍ରିମାନେ, ୫ ସେବକ, ୬ ସେବା, ୭ ଏକତ୍ର ରହିବା, ୮ ପଠାଇବାର, ୯ ବିନାଶ, ୧୦ ଅଳ୍ପ, ୧୧ ବାସି, ୧୨ ନାକଡିଆଁ, ୧୩ ସର୍ପ, ୧୪ ପରାଭବପ୍ରାପ୍ତ, ୧୫ ଗେରୁଆ, ୧୬ ନିନାଦ, ୧୭ବାଲୁକା, ୧୮ ମହାରଣ୍ୟ, ୧୯ ବଡ଼, ୨୦ ନିଦ୍ରା, ୨୧ କ୍ଷାନ୍ତ

☆☆☆

 

ଦଶମ ସର୍ଗ

 

କିଛି କାଳ ପରେ ସଜ୍ଞା ଲଭି ରାଣୀ

ଦେଖିଲେ ନାହାନ୍ତି ନାଥ

ବୋଲି ନାଥ, ନାଥ ବକ୍ଷେ ମାରି ହାତ

ରୋଦିଲେ ଅପରିମିତ ।

ବାତାହତ ତରୁ ପରାଏ ତରୁଣୀ

ହୋଇଲେ ଧରା ପତିତା

କିଛି କାଳ ପରେ ସଚେତ ସେ ହୋଇ

ହୋଇଲେ କ୍ରନ୍ଦନେ ରତା ।

ଯେଣିକି ଦେଖିଲେ ନଳ ପ୍ରତିମୂର୍ତ୍ତି

ଦିଶୁଥାଏ ଛନ୍ନ ଛନ୍ନ

ତରୁ ଲତା କିବା ଧରି ନଳ ଶୋଭା

ସମ୍ମୁଖେ ଉପବେଶନ ।

ଦିଶୁଥାନ୍ତି ନଳ ଡାକିଲେ ବିକଳେ

ନ ମିଳେ ପ୍ରତି ଉତ୍ତର

ଅନ୍ଧକାରମୟ ଦିଶିଲା ଧରଣୀ

(ଗଲା) କର୍ତ୍ତବ୍ୟ ଜ୍ଞାନ ବିଦୂର ।

‘‘ଦେଖୁଁ ଦେଖୁଁ ନିଶା ହେଲା ୧ଅବସାନ

ବହିଲା ୨ଉଷା-ସମୀର୩

ଧୀର ଧୀର ଶୀତ- ହିମ ସଂପୁଟକ

କଲେ ଈଶ୍ୱର ବାହାର ।

ଶୀତ ବାୟୁ ଗାତ୍ର ଉତ୍ତାପ ନାଶିଲା

କୁଲାୟ ତେଜି ପତତ୍ରୀ

୪କୂଜନ କଲାରୁ ମନ ବିମୋହିତ

କଲା ସରବେ ଧରିତ୍ରୀ ।’’

ସମୀର ଆଶ୍ୱାସ ୫ବିହଗ ନିଃସ୍ୱନ

ଶିଖାଇଲା ଦମୟନ୍ତୀ

‘‘ଯଥା କାଳେ ଜୀବେ ସୁଖେ, ଦୁଃଖେ ମାତି

ବିହରିବେ ବସୁମତୀ ।’’

୬ଉପଦେଷ୍ଟା ଦୃଷ୍ଟି ଗୋଚରେ ନ ଆସି

ଜୀବରାଶି ଆଶ୍ୱାସନ୍ତି

ଉପଦେଶ ମାନି ସୁଚତୁରୀ-ରାଣୀ

୭ଉତ୍‌କଣ୍ଠିତା ସେ ନୁହନ୍ତି ।

ମୁଖୁଁ ନଳ ନାମ ନୁହେ ନିବାରଣ

ହୁଏ ସ୍ୱେଚ୍ଛା ବିନିର୍ଗତ

‘‘୮ଜୃମ୍ଭା ଯଥା ଦେହ ଅନ୍ତରଙ୍ଗ ରୀତି

ନଳ ନାମଟି ତଦ୍‌ବତ ।’’

ଭୀଷଣ ଆକାର ଏକ ଅଜଗର

ରାଣୀ ପୁରତେ ହାଜର

ହୁଅନ୍ତେ ପୁଚ୍ଛିଲେ ନଳଙ୍କୁ ପ୍ରତ୍ୟକ୍ଷେ

ଦେଖିଲ କି ନାଗବର ।

ନ ଦେଇ ଉତ୍ତର ସେ ଯାଇ ପ୍ରଖର

ଗିଳିଲା ଯେ ବିହ୍ୱଳିନୀ

ନଳ ଥିଲେ ରାଣୀ ଦୁର୍ଗତି ନୁହନ୍ତା

ରାବି ନେଲେ ଗୁଣ ଗୁଣି ।

ରକ୍ଷାକର ନଳ ଡାକ ସମଗର

ବନଦେଶେ ଗଲା ବ୍ୟାପି

ପ୍ରତିଧ୍ୱନି ଶୁଣି ବନ-ଜୀବ ଶ୍ରେଣୀ

୯ହେରିଲେ ଚୌଦିଗେ ଛପି ।

ଧନୁ-ଶର, ଛୁରି ହସ୍ତେ ଧରିକରି

ବ୍ୟାଧ ବୁଲୁଥିଲା ବନେ

ସ୍ୱନ ଦିଗେ ପ୍ରଧା- ବିତ ହୋଇ ସେହି

ନାରୀ ଦୁର୍ଦ୍ଦଶା ମୋଚନେ ।

ଅବିଳମ୍ବେ ଛୁରି କଲା ସେ ପ୍ରୟୋଗ

ଚିରିଦେଲା ଅଜଗର

ତା’ର ବିନାଶନେ ନାରୀ ଉଦ୍ଧାରଣେ

ସାଧନା କଲା ନିକର ।

ସୁକୋମଳା ବାଳୀ ଦେଖି ହୋଇ ଭୋଳ

କରିଣ ଯଥା ଶୁଶ୍ରୂଷା

ଅଙ୍ଗ ପ୍ରତିଅଙ୍ଗ ସ୍ୱଚ୍ଛ ନିରୀକ୍ଷଣେ

କାମାର୍ତ୍ତ ହେଲା ସହସା ।

ବିବିକ୍ତ କାନନେ ଶରଚ୍ଚନ୍ଦ୍ରାନନା

ପଡ଼ିବାରୁ ନେତ୍ର ପଥେ

‘‘ମାନସ କୁମୁଦ ତା ହୋଇ ପ୍ରମୋଦ

ହେଳେ ରହେ ବିକଶିତେ ।

ଦୁରାଶାରୁ ଜାତ ହେଲା ମତିଭ୍ରମ

ପରେ ଇନ୍ଦ୍ରିୟ ଲାଳସା

ବସା କରି ତାକୁ କଲା ବ୍ୟାକୁଳିତ

ସେ କଲା ତା ପ୍ରେମେ ଆଶା ।’’

ସେ ଭାବନା ଗୁରୁ ହେବାରୁ ହୃଦରୁ

ବହିର୍ଗତ ହେଲା ତ୍ୱରେ

ଅଭିବ୍ୟକ୍ତ କଲା ମନସ୍କାମ ତାର

ପ୍ରତ୍ୟାଶାପୂର୍ଣ୍ଣ ହୃଦରେ ।

ଉପକୃତା ଯେଣୁ ରାଣୀ ତା ବିନାଶେ

ମନ ନ କଲେ ପ୍ରଥମେ

କାନନେ ମିଳନ ଜନ ଶୂନ୍ୟ ସ୍ଥାନ

ଦେଖି ବିଚାରିଲେ ମନେ ।

ଧର୍ମ ନ ଲଙ୍ଘିଲେ ମୋ ସତୀତ୍ୱ ରତ୍ନ

ସେ କରିନେବ ହରଣ

ଅସାହାୟା, ହୀନା ଶରଣ କେବଳ

ଅଟନ୍ତି ଯେ ଭଗବାନ ।

ନିଜେ ଶମ୍ଭୁ ହୋଇ ୧୦ଲୁବ୍‌ଧକ କନ୍ଦର୍ପେ

ନିକ୍ଷେପି ଦୃଷ୍ଟି ଅନଳ

୧୧ବିଭୂତି ତାହାକୁ କଲେ ବୁଦ୍ଧିମତି

ସତୀତ୍ୱ କରିଣ ମୂଳ ।

ଦୁର୍ଦ୍ଦଶାରୁ ପାର ହୋଇ ରାମାବର

ଫେରିଲେ ଗହନ ବନେ

ସୁରମ୍ୟ ମନ୍ଦିର ନୟନ ଗୋଚରେ

ରହିଲା ଯେ ତତକ୍ଷଣେ ।

ଦେଖିଲେ ୧୨ତାପସେ ରହି ସେ ଆବାସେ

ଅନୁରକ୍ତ ନିଜ କର୍ମେ ।

ପ୍ରଶ୍ନ କଲେ ତାଙ୍କୁ ଦେଖିଛ କି ବାବୁ

ବନେ ନିଷଧ ରାଜନେ ।

ଜ୍ଞାନ ଦୃଷ୍ଟି ବଳୁଁ ସେ ଜାଣି ସମସ୍ତ

କହିଲେ ହେ ଦମୟନ୍ତୀ

ଅଚିରେ ଲଭିବ ତୁମ୍ଭେ ନିଜପତି

ଆବର ସର୍ବ ବିଭୂତି ।

‘‘ଘଟନା ଦର୍ଶନେ ଭାବ ଆସେ ମନେ

ଭାବ-ଗ୍ରାହୀ ଅଗୋଚରେ

ରହିଲେ ହେଲେହେଁ କପଟ ବେଶରେ

ସାନ୍ତ୍ୱନା ଦିଅନ୍ତି ବାରେ ।’’

ପରକ୍ଷଣେ ରାଣୀ ବିବିଧ ପ୍ରଶନ

କରଣେ ହୋଇ ମନସ୍ଥ

ଦେଖିଲେ ସେଠାରେ ନାହାନ୍ତି କେ ହେଲେ

ସର୍ବେ ହେଲେ ଅନ୍ତର୍ହିତ ।

ନିରାଶା-ସ୍ରୋତେ ସେ ଗଲେ ଭାସି ଭାସି

ମିଳିଲେ ଅଶୋକ ମୂଳେ

ନାମ ସ୍ୱାର୍ଥ କରି ସେ କହ ବୋଇଲେ

କାହିଁ ନଳ ନୃପ ଗଲେ ।

ଯିବ ମୋର ଶୋକ ତୁମ୍ଭର ଅଶୋକ

ନାମ ହେବାର ସାର୍ଥକ

ହେବ ବୋଲି କହେ ମୋରେ ପ୍ରୀତ ରହି

କର ମୋ ପ୍ରାର୍ଥନା ତକ ।

ଶୋକ ବିନାଶକ ଅଶୋକେ ବିବେକ

କରିନେଇ ବୁଧ ଜନ

ଚୈତ୍ର ସିତାଷ୍ଟମୀ ଦିନେ ଅଷ୍ଟ ସଂଖ୍ୟା

କୋରକ କରେ ସେବନ ।

ଉତ୍ତର ନ ଲଭି ରମଣୀ ରତନ

ଚଳିଗଲେ ସେ ସ୍ଥାନରୁ

ମାର୍ଗେ ବଣିଜାରୁ ଦଳ ଭେଟି ଦୂରୁଁ

ଡାକିଲେ ତାଙ୍କୁ ପଛରୁ ।

୧୩ମନ୍ଦରେ, ୧୪କନ୍ଦରେ ୧୫ଉତ୍ସ, ୧୬ଗୁଳ୍ମାଦିରେ

ଭ୍ରମୁଥିଲେ ଅନାହାରେ

କୃଶା, ଭୂଷାହୀନା ନଳ-ମନୋରମା

ଦିଶୁଥାନ୍ତି ୧୭କିମାକାରେ ।

ବଣିକ ସମାଜୁଁ କେବୋଲେ ଡାକିନୀ

କେ କହେ ସେ ପିଶାଚିନୀ

ବଣିକଙ୍କ କ୍ଷତି ମନେ ନେଇ ଚିନ୍ତି

ଅଟନ୍ତି ପୃଷ୍ଠ ଗାମିନୀ ।

କହି କହି ସର୍ବେ ଗଲେ ଇତଃସ୍ତତଃ

ହୋଇ ଭୟ ବିଜଡ଼ିତ

ମାନସ ବିକଳେ ଦେବ, ଦେବୀକୁଳେ

ଚିନ୍ତାରେ ନୋହି ବିରତ ।

ସଂକଟ ଆଗମେ ସଂକଟୋଦ୍ଧାରିଣୀ

ଚିନ୍ତିଲେ ବଣିକଦଳ

କେହି କେହି ନାମ କରି ଉଚ୍ଚାରଣ

ଦୌଡ଼ିଲେ ହୋଇ ବିକଳ ।

ବଣିକଙ୍କ ଗତି, ମତି ନେଇ ଚିନ୍ତି

ବିବେକିନୀ ସୁଚତୁରୀ

ଆଶ୍ୱାସନା ବାକ୍ୟେ ସମ୍ବୋଧନ କରି

କହିଲେ ମୁଁ ହୀନା ନାରୀ ।

ପ୍ରାଣପ୍ରିୟ କାନ୍ତ ହରାଇ ୧୮କାନ୍ତାରେ

ବୁଲେ ପାଗଳିନୀ ପ୍ରାୟ

ମୋ ବେଶେ ବଣିକେ ଭୀତ ହେବା ଦେଖି

ମାଗେ ତବ କ୍ଷମାଚୟ ।

ଶିଷ୍ଟ, ମିଷ୍ଟ ବାକ୍ୟ ଶୁଣିଣ ବଣିକେ

କଲେ ଭୟାପନୋଦନ

ରମଣୀ ରତନ ଅପେକ୍ଷା କରଣେ

ସ୍ଥଗିତେ ରହିଲେ ପୁଣ ।

ଦମୟନ୍ତୀ ମିଶି କରିଲେ ବିବୃତି

ନିଜ ଦୁର୍ଗତି କାହାଣୀ

ପୂରା ଭାବେ ଶୁଣି ବଣିଜାରୁ ଶ୍ରେଣୀ

୧୯ବିସ୍ମିତ ହେଲେ ସେକ୍ଷଣି ।

କହନ୍ତି ଆକାର ପ୍ରକାର ତୋହର

ଜଣାନ୍ତି ତୁ ଭାଗ୍ୟବତୀ

କି ଦୁର୍ଦ୍ଦଶା ବଶେ ତୁ ହୋଇ ନିର୍ମାଖୀ

ଫେରୁ ତୁ ଅରକ୍ଷା ଏଥି ।

ବର୍ଜି ଶିଷ୍ଟାଚାର ନ ଦେଇ ଉତ୍ତର

ମୌନେ ରହି କିଛିକ୍ଷଣେ

ଭାବିଲେ ଅନ୍ତରେ ମିଥ୍ୟା ଭାଷା ଡରେ

ସେ ନ କରିବେ ବ୍ୟାଖ୍ୟାନ

ପୁଛିନେଲେ ନାରୀ କୋ ଦେଶେ ବେପାରୀ

ଯାଉଛ ତ ଦଳବଦ୍ଧେ

ଦଳପତି କହେ ସର୍ବେ ବାଣିଜ୍ୟାର୍ଥେ

ଯାଉଁ ଚେଦି-ପୁରେ ମୁଦେ ।

ଯହିଁ ନରବର ସୁବାହୁ ସୁନ୍ଦର

ଶାନ୍ତ, ଶିଷ୍ଟ, ପ୍ରଜାପୋଷୀ

ଅରି-କୁଳ-କାଳ ନୃପତି ନିକର

ସଜ୍ଜନ-ଗଗନେ ଶଶୀ ।

ପ୍ରତାରକେ ରାଜ୍ୟେ ରହନ୍ତି ଅଦୃଶ୍ୟେ

ଦୁରାଚାରହୀନ ପୁରେ

ବେପାର ସ୍ୱଚ୍ଛନ୍ଦେ ଚଳିବ ସେ ଭାବେ

ଯାଉଛୁ ଲାଭ ଆଶାରେ ।

ରାଣୀ ରାଜା ଗୁଣ ବର୍ଣ୍ଣନା ଶୁଣିଣ

ବୋଇଲେ ମୋତେ ସଙ୍ଗତେ

ନେଲେ ଉପକୃତ ମୁଁ ହେବି ବହୁତ

ନ ଲୋଡ଼େ କିଛିହିଁ ପଥେ ।

‘‘ଧନାକାଂକ୍ଷା ସିନା ଜନ ଆତ୍ମପର

ଭିଆଣେ ଅଟେ ସମର୍ଥ

ଅଭାବେ ତାହାର ବଢ଼େ ସମାଦର

ପ୍ରାର୍ଥୀ ରଖେ ସମ୍ମାନିତ ।

ଯାଚ୍‍ଞା ବିକାଶେ ବୁଦ୍ଧି, ଜ୍ଞାନ, ଯଶ,

କାନ୍ତ୍ୟାଦି ଗୁଣ ନିଚୟ

ଯାଚକ ଦେହରୁ ହୋଇ ବହିର୍ଗତ

ରହନ୍ତି ହେଳେ ବିଲୟ ।’’

ରାଣୀ ତାଙ୍କ ସଙ୍ଗେ ଚଳିଲେ ସରାଗେ

ମନ, ଧ୍ୟାନ ରଖି ନଳେ

ନଳ ମୂର୍ତ୍ତି ଅନ୍ତ- ର୍ନେତ୍ରେ ଦେଖି ନେଇ

ରହନ୍ତି ସଦା ବିକଳେ ।

ନଳ ପ୍ରତିମୂର୍ତ୍ତି ସର୍ବତ୍ର ଦିଶଇ

ଯଥା ହଳୀମକ ରୋଗୀ

ଜଗତେ ଯାବତ ଦେଖଇ ହରିତ

ଆନ ବର୍ଣ୍ଣ ପରିତ୍ୟାଗି ।

ଦିନକର ଅସ୍ତ- ଅଚଳେ ପ୍ରବେଶ

ହେବାର ଦେଖି ସକଳେ

କୁମୁଦ, କହ୍ଲାର ଆଦି ବିମଣ୍ଡିତ

ସରକୁଳେ ବିଶ୍ରାମିଲେ ।

ଦୁର୍ନିବାର ଦୈବୀ- ଘଟନା ବଶତଃ

କରୀ-ଯୂଥ ନିଶାକାଳେ

ଜଳ-ପାନେ ସରେ ପ୍ରବେଶ କାଳରେ

ବହୁ ଜନ ପ୍ରାଣନେଲେ ।

ଭୟାବେଗ ହୋଇ ସରବେ ଅସ୍ଥିର

ହୋଇଲେ ଦେଖି ଘଟଣା

ତତକ୍ଷଣେ ସ୍ଥାନ- ତ୍ୟାଗି ସେ ପ୍ରୟାଣ

କଲେ ଯେ ଚେଦି ପାଟଣା ।

ପ୍ରଭାତେ ସରବେ ମିଳି ଲକ୍ଷ୍ୟ ପୁରେ

ପଥେ ଯାନ୍ତି କୁତୂହଳେ

ତାହାଙ୍କ ସଙ୍ଗତେ ଦୁଃଖିନୀ ରମଣୀ

ଏକି ଚାଲନ୍ତି ପଛରେ ।

ବିମୁକ୍ତ-କୁନ୍ତଳା ବିବର୍ଣ୍ଣ ଶରୀରା

୨୦କର୍ପଟକୁ ପରିଧାନି

ଥିଲେ ହେଲେ ସେହି ଦର୍ଶକ ଚକ୍ଷୁରେ

ଦିଶନ୍ତି ମନୋମୋହିନୀ ।

କୁତୁକ ବଶତଃ ବାଳେ ଉପଗତ

ହୋଇ ସହାସ ବଦନେ

କରତାଳି ମାରି ଆଣ୍ଟ ପାଟିକରି

ସୁଦୃଶ୍ୟ ଦେଖାନ୍ତି ଜନେ ।

କର୍ଦ୍ଦମାକ୍ତ ହେମ ସମ ଅପଘନ

ଦ୍ୟୁତି ରହଇ ବିକାଶି

ମୀନ ବିଲୋଚନା ଦେଖି ବାଳଶ୍ରେଣୀ

ନିଅନ୍ତି ବାତୁଳୀ ଭାଷି ।

ନୃପତି-ପ୍ରାସାଦେ ରାଜ-ମାତା ବସି

ଦେଖନ୍ତି ନଗର ଶୋଭା

ବାଳେ ହୋଇ ରୁଣ୍ଡ କରୁଥାନ୍ତି ତୁଣ୍ଡ

ଯୁବତୀ ବାୟାଣୀ କିବା ।

ଗୁଣବତୀ ରାଣୀ ୨୧ସ୍ୱ-ଜାତି ମାନିନୀ

ଦେଖି ନାରୀ ଦୁରବସ୍ଥା

ହୃଦାସନେ ତାଙ୍କ ରଖିଣ ମମତା

କଲେ ତାର ଗତିଚିନ୍ତା ।

ଡାକି ନିଜ ଧାତ୍ରୀ କହିଲେ ନବରେ

ଯାଇ ଆଣ ସେ ଲଳନା

ତାର ଭାବ, ହାବ ଜଣାନ୍ତି ସରଳେ

ଦୁଃଖେ ସେ ଅଛି ବା ମଗ୍ନା ।

କିୟତ୍‌କ୍ଷଣ ପରେ ରାଣୀଙ୍କ ଛାମୁକୁ

ଅଣାଗଲେ ଦମୟନ୍ତୀ

ରସା ଅନୁଭୂତି ପ୍ରବଳା ମହିଷୀ

ନିଦାନିଲେ ତା ଆକୃତି ।

ତାଙ୍କ ପରିଚୟ କଲେ ସେ ଜିଜ୍ଞାସା

ସତ୍ୟ ନ କହି ରମଣୀ

କହିଲେ ସମ୍ଭ୍ରାନ୍ତ କୁଳଜା ସେ ମାତ୍ର

ବିଧିବଶେ ଅଭାଗିନୀ ।

ବୁଲୁଥିଲେ ବନେ ହୋଇ ଏକାକିନୀ

ଆହାରାଦି ବିବର୍ଜିତ

ବଣିଜାରୁ ଦଳ ସଙ୍ଗେ ହୋଇ ମେଳ

ପ୍ରବେଶିଲେ ପୁରେ ସେ ତ ।

ଜୀବନ ଧାରଣେ ଅନ୍ନହିଁ କାରଣ

ତା ସମ୍ପାଦନେ ଆକାଂକ୍ଷା

ଥିଲେ ହେଲେ ମନେ ପରାଧୀନ ବିନା

ରହିବା କରନ୍ତି କକ୍ଷା ।

ଦୈବୀ ବଳେ ତାଙ୍କ ବିଭୂତି ନିଚୟ

ହେଲା ପରେ ଅପହୃତ

ସତୀ ବ୍ରତେ ଯୁକ୍ତା ମାତ୍ର ସେ ଅରକ୍ଷା

ବିବିଧ କ୍ଳେଶେ ସନ୍ତପ୍ତ ।

ଜୀବନ ଧାରଣେ ଚାକରାଣୀ ପଣେ

ନ କରନ୍ତି ସେ ସରାଗ

ଯେ ହେତୁ ସେ ଅଟେ ସତୀତ୍ୱ ରତନ

ଅପବିତ୍ର ହେବା ମାର୍ଗ ।

ସଙ୍ଗିନୀ ପ୍ରତୀକ ହେଲେ ସେ ନିଯୁକ୍ତ

କେବଣ ରାଜ ନବରେ

ଦୁର୍ଦ୍ଦଶା ବିମୁକ୍ତ ହେବା କାଳତକ

କାଟିବେ ସେବା କର୍ମରେ ।

ଶୁଣିଣ ବିବୃତି ରାଣୀ ହୋଇ ପ୍ରୀତି

ସଚ୍ଚରିତ୍ରା ନେଇ ମାନି

ନିଜ କନ୍ୟା ସୁନ- ନ୍ଦନାକୁ ଡକାଇ

ବୋଇଲେ ଦେଖ ସଙ୍ଗିନୀ ।

ସହଚରୀ ହୋଇ ରହିବେ ସେ ପୁରେ

ଯେଣୁ ସେ ନିଶ୍ଚେ ଦୁଃଖିନୀ

ଜ୍ୟେଷ୍ଠା ଭଗ୍ନୀ ସମେ ରମଣୀକୁ ତୁମେ

ଦେଖୁଥିବ ଅନୁକ୍ଷଣି ।

ବିପଦ୍‌ଗ୍ରସ୍ତ ଚିତ୍ତ ହେବ ତ ବ୍ୟଥିତ

କଲେ ନିଷ୍ଠୁରାଚରଣ

ଦମୟନ୍ତୀ ଆଶ୍ୱା- ସନା ପୁରଃସର

କାଟିଲେ ଦୁର୍ଦ୍ଦଶାଦିନ ।

ଦୃଢ଼ ସଂକଳପ ନ ହେଲା ବିଲୋପ

ହେଲା ମନୋବାଞ୍ଛା ସିଦ୍ଧ

ଈଶ ସୁମହତ୍ୱ ସ୍ମରଣେ, ମନନେ

ନ ହେଲେ ସେ ଅବସାଦ ।

ରାଜ-ମାତା ବେଳେ- ବେଳେ ଆସି ଆଳେ୨୨

ଆଶ୍ୱାସନ୍ତି ବାକ୍ୟ ମେଳେ

ଭୀମ-ଜେମା ହେଳେ ଚେଦିରାଜ ପୁରେ

ସଙ୍ଗିନୀ ସମ ରହିଲେ ।

 

୧ ଶେଷ, ୨ ପ୍ରଭାତ, ୩ ପବନ, ୪ ପକ୍ଷିରାବ, ୫ ପକ୍ଷୀ, ୬ ଶିକ୍ଷାଦାତା, ୭ ଉଦ୍‌ବିଗ୍ନା, ୮ ହାୟୀ, ୯ ଦେଖିଲେ, ୧୦ ବ୍ୟାଧ, ୧୧ ପାଁଶ, ୧୨ ତପିମାନେ, ୧୩ ପର୍ବତେ, ୧୪ଗୁହାରେ, ୧୫ ଝରଣାରେ, ୧୬ ଖଣ୍ଡନଟାଦିରେ, ୧୭ କି ପ୍ରକାରେ, ୧୮ ବଣରେ, ୧୯ ଆଶ୍ଚର୍ଯ୍ୟାନ୍ୱିତ, ୨୦ ଛିଣ୍ଡାଲୁଗା, ୨୧ ନାରୀଜାତି, ୨୨ ଘରକୁ

☆☆☆

 

ଏକାଦଶ ସର୍ଗ

 

ପ୍ରାଣେଶୀ ବିଚ୍ଛେଦେ ନଳ ବନ ମଧ୍ୟେ

ଏକାକୀ କଲେ ବିହାର

ବ୍ୟାଧ-ବିଦ୍ଧ ମୃଗ ପରାୟ ଭ୍ରମିଲେ

ହୋଇ ବ୍ୟାକୁଳ ଅନ୍ତର ।

କଳି-ଭ୍ରମ ବଶେ ନୟନ ପିତୁଳୀ

ହାରି ଏକାକିନୀ ବନେ

ସ୍ୱ-ଗଣ୍ଡ-ମଣ୍ଡଳ ଅନୁତାପ-ବନେ୧

ଆର୍ଦ୍ର କରୁଥିଲେ ଧ୍ୟାନେ ।

ଦୁରାତ୍ମା ଯେ କଳି ୨ନିରାକାରେ କିବା

କରୁଥିଲା ଅଗ୍ରଗତି

ଅକର୍ତ୍ତବ୍ୟ ଭାବେ ଚଳୁଥାନ୍ତି ନଳ

ଈଶ୍ୱରେ ରଖିଣ ମତି ।

ନିଜ ପାପ କୃତ୍ୟ, ଅବଳା ଦୁର୍ଗତି,

ଦୁଃସ୍ଥିତି ପରିଚିନ୍ତନେ

ବାହ୍ୟଜ୍ଞାନଶୂନ୍ୟ ହୋଇ ସେ ରାଜନ

ଫେରନ୍ତି ବିଷଣ୍ଣ ମନେ ।

ଚତୁର୍ଦିଗୁଁ ସେହି ସୁଦୃଢ଼ ବିଷାଦ-

ବନ୍ଧନୀ ପରିବେଷ୍ଟିତେ

ଫାନ୍ଦେ ନିପତିତ ୩ବିଳେଶୟ ବତ

ରହନ୍ତି ବିଦଗ୍‌ଧ ଚିତ୍ତେ ।

କିଛି କାଳ ପରେ ଦେଖିଲେ ବନରେ

ଅନଳ ହୋଇ ପ୍ରଦ୍ୟୋତ

ଲତା, ତରୁ, ଗୁଳ୍ମ କରି ବିନାଶନ

ସାଧିଣ ବହୁ ଅହିତ ।

ଶତ ଶତ ଜୀବ କଲା ସେ ନିର୍ଜୀବ

ତା ହେଲା ଦୃଷ୍ଟିଗୋଚର

ସନ୍ତପ୍ତ-ହୃଦୟେ ରହିଲେ ସେ ସ୍ଥିର

ଚଳଣି କରି ନଜର ।

ସେ କାଳେ ଶୁଭିଲା ‘‘ହେ ନଳ ରାଜନ

ଉଦ୍ଧର ମତେ ସତ୍ୱର’’

ଶବଦ ଜନମ- ସ୍ଥାନକୁ ବହନ

ଚଳିଗଲେ ନରବର ।

ଦେଖିଲେ ଭୀଷଣ କର୍କୋଟକ ନାଗ

ଥିଲା ଅଗ୍ନି-କବଳିତ୪

ତା’ ଉଦ୍ଧାର ଚିନ୍ତି ସେ ଦଉଡ଼ି ଯାନ୍ତେ

କହେ ଉଦ୍ଧର (ହୋଇ) ସୁପ୍ରୀତ ।

ଶିଳା ସମ ହିୟା ଥିଲେହେଁ ମାନବ

ତରଳିବ ତା ନିଶ୍ଚିତ

ଦୟା ଦ୍ରୋଣୀ ଯାର ହୃଦେ କରେ ଘର

ତା ଭାବ ପରିଚିନ୍ତିତ ।

ସମୀପେ ରାଜନ ବିସ୍ମିତ ଆନନେ

ଦେଖିଲେ ନାଗ ଅନଳେ

ଅଚିରେ ବିଦଗ୍‌ଧ ହେବାର ଆଶଙ୍କା

ଜନମିଲା ହୃଦ ସ୍ଥଳେ ।

୫ଚକ୍ଷୁଶ୍ରବା କହେ ‘‘ମତେ କିଛିଦୂର

ନିଅ ଦୟାଳୁ ନରେଶ

ମୁଁ ହେବି ଉଦ୍ଧାର ତବ ଉପକାର

ସାଧିତ ହେବ ଅବଶ୍ୟ।’’

ଅବିଶ୍ୱାସୀ ଜୀବ ବିଶ୍ୱାସ-ଭାଜନ

ନ ହେଲେହେଁ ନୀତି ମତେ

ପ୍ରାଣୀ ନାଶ ଭୟେ ରହିଣ ଅସ୍ଥୟେ

କଲେ ତା ଆକାଂକ୍ଷା ମତେ ।

କର୍କୋଟକ ନାଗ ହୋଇଲା ଉଦ୍ଧାର

ଦଂଶିଦେଲା ନଳ ରାଣେ

ତା ପରେ ଆପଣା ସ୍ୱରୂପ ବହିଣ

ଯୁକ୍ତି ବାଢ଼ିନେଲା କ୍ଷଣେ ।

‘‘ହୋଇ ଉପକୃତ ଉପକାର ମାନି

ନ ନେଲି ବୋଲି ଭାବନା

ମନେ ନାହିଁ କର ଆହେ ଦଣ୍ଡଧର

ମୋ କୃତ୍ୟ (ତବ) ହିତ ସାଧନା ।

ଦଂଶିଲି ଆପଣେ ଅନ୍ତଃଶତ୍ରୁ ଟାଣେ

ବାଧିବ ଭାବନା ଧରି

ସୁସ୍ଥେ ରହ ତୁମ୍ଭେ ଅପାର ଯନ୍ତ୍ରଣା

ଅନ୍ତେ ଭୋଗେ କଳି-ଅରି ।

ମନେ ବଳାଇଲା ତବ ହୃଦେ ବସି

କପୋତ ଧରିବା ପାଇଁ

ଦ୍ୱାପର ଅଦୃଶ୍ୟେ ହରିନେଲା ବାସ

ଜାଣ ବୀର ନରସାଇଁ ।

ମହାରାଜ ହୋଇ ନାନା କଷ୍ଟ ସହି

ନେଉଛ ନଳ ଏକ୍ଷଣି

ଅଜ୍ଞାତେ ରହିବା ଉଦ୍ଦେଶ୍ୟେ ମୁଁ ଏବେ

ସଜାଡ଼ିଲି ତନୁ ପୁଣି ।

ତବ ଅଙ୍ଗ ଶୋଭା ଜଣାଇବେ ଯୁବା

ମହତ ପୁରୁଷ ଜଣେ

ତହୁଁ ପ୍ରତିଫଳ ହେବ ସମାକୁଳ

ଯେ ଅଭାବ ବଶେ ବନେ ।

ସେ ହେତୁ କହଇ ଉପକାର ବିହି

ନେଲି ମୋ ସ୍ୱଭାବ ଗୁଣୁଁ

ମନେ ରଖ ତାହା ଆହେ ନରନାହା

ଅପକାରୀ କେ ନଗଣୁ ।

ପ୍ରାକୃତିକ ବେଶେ ଇଚ୍ଛା କଲେ କେବେ

ସ୍ମରିବ ମୁଁ-ହୀନ ଚିତ୍ତେ

ଶୂନ୍ୟୁଁ ଲଭି ବାସ ତାକୁ ପରିଧାନି

ଦିଶିବ ୬ପୌର୍ବିକ ମତେ ।

କଳି ଗୁଣ ଜାଣି ରଖ ନରମଣି

ସେ କ୍ରୂର, ଚରିତ୍ର-ହୀନ

ଧର୍ମ ବିନାଶିବ ତପ ନାଶି ଦେବ

ଅସତ୍ୟେ ରଖି ଭୁବନ ।

ପତି, ପତ୍ନୀ ମଧ୍ୟେ ପ୍ରେମ ବିଦୂରିତେ

ଇତରେ ପତ୍ନୀ ଆଦର

ବଢ଼ାଇ ସତୀତ୍ୱ ତାହାରି କ୍ଷୀଣତା

କରୁଥିବ ଶ୍ରଦ୍ଧାଭର ।

ପିତା, ପୁତ୍ର ମଧ୍ୟେ ଦ୍ୱେଷ ନେଇ ସାଧି

ଉପୁଜାଇ ଭେଦଭାବ

ଏକ କୃତ କର୍ମେ ଅସନ୍ତୁଷ୍ଟ ମନେ

ଆନକୁ ନିଶ୍ଚେ ଚାଳିବ ।

ଯେ ଯାର ପୋଷଣେ ରହିବେ ସରାଗି

କେ ନ କରି କାର ଚିନ୍ତା

ପିତା-ଗୁରୁ ଭାବ ନିଶ୍ଚେ ଛଡ଼ାଇବ

ପିତ୍ରାଦେଶ ହେବ ବୃଥା ।

ରହ ସାବଧାନ ହେ ମହାରାଜନ

ସେହି ସେ ଚାଳେ ଆପଣ

କେବଳ ଈଶ୍ୱର ଚିନ୍ତା-ସୁଧାଧାରେ

ଲଭିବ ତ ପରିତ୍ରାଣ ।

କହେ କିଛି କାଳ ରହିଲେ ଗୋପନେ

ଶ୍ରେୟ ହୋଇବ ପ୍ରଚୁର

ପ୍ରାଣପ୍ରିୟ ଜାୟା ସଙ୍ଗତେ ମିଳିତ

ହେବ କହେ ସତ୍ୟ ଗିର ।

ତବ ନଷ୍ଟ ରାଜ୍ୟ ସକଳ ବିଭୂତି

ଲାଭ ହେବ ନଳ-ରାଣ

ଇକ୍ଷ୍ୱାକୁ ବଂଶଜ ରୁତୁପନ୍ନ ରାଜ୍ୟେ

ଗୁପ୍ତେ ରହ କିଛି ଦିନ ।

ନାମ ନ ଜଣାଇ ବାହୁକ ବୋଲାଇ

ରହିଲେ ଯେ ରୁତୁପନ୍ନ

ଅଶ୍ୱ ଶାସ୍ତ୍ର ଜ୍ଞାନେ ହୋଇ ପ୍ରୀତମନା

ଦେବେ ସେ ବାହକ ପଣ ।

ପ୍ରସିଦ୍ଧ ବଂଶଜ ସୁଗୁଣେ ମଣ୍ଡିତ

ପଣ୍ଡିତ ସେ ନରପତି

ଅଙ୍କ ଶାସ୍ତ୍ରେ, ଅକ୍ଷ- ଶାସ୍ତ୍ରେ ପାରଦର୍ଶୀ

ଅପାର ତାଙ୍କ ବିଭୂତି ।

ସେ ମହଦାଶ୍ରୟ ନ ମଣ ହେ ହେୟ

ତବ ସମକକ୍ଷ ସେହି

ପରିଣାମେ ଜଣା ଗଲେ ଗୁପ୍ତବାସ

ଜନେ ନ ନିନ୍ଦିବେ କେହି ।

ମୁଁ ଜାଣେ ଅବଶ୍ୟ ରାଜପୁର ଅଶ୍ୱେ

ରହିବେ ତୁମ୍ଭ ଅଧୀନେ

ରାଜ୍ୟ ଅଧିକାର ବିହୀନ ନୃପତି

ଲାଗିବ ଅଶ୍ୱ ଶାସନେ।’’

ଶ୍ୟାପ-ବଶେ ନାଗ ଥିଲା ଯେ ଗନ୍ଧର୍ବ

ନଳ ହାତେ ମୁକ୍ତି ପାଇ

ନଳଙ୍କୁ ପ୍ରଣମି ଗଲା ସ୍ୱ-ଭବନେ

ତହୁଁ ଅନ୍ତର୍ହିତ ହୋଇ ।

ନାଗବର ବାଣୀ କର୍ଣ୍ଣେ ନେଇ ଶୁଣି

ନଳ ରୁତୁପନ୍ନ-ପୁରେ

ଅନତିବିଳମ୍ବେ ଚଳିଣ ସରାଗେ

ହେଲେ ନୃପତି ଛାମୁରେ ।

ଆତ୍ମ ପରିଚୟ ଦେବାକୁ ୭ଜିଜ୍ଞାସା

କରନ୍ତେ କହିଲେ ନଳ

ସମ୍ଭ୍ରାନ୍ତ କୁଳଜ, ଜ୍ଞାନ, ବୁଦ୍ଧିଯୁକ୍ତ

ସର୍ବ ଶାସ୍ତ୍ରେ ସେ କୁଶଳ ।

ଅଶ୍ୱଶାସ୍ତ୍ର ବଳ ତାହାଙ୍କ ପ୍ରବଳ

ମନ୍ତ୍ରଣେ ସେ ମନ୍ତ୍ରିବର

ସୁସ୍ୱାଦୁ ରନ୍ଧନ ତାଙ୍କ ହସ୍ତ ଗୁଣ

ସଂଗ୍ରାମେ ଅପ୍ରତି ବୀର ।

ବାହୁକ ପଦବୀ ବଶେ ସେହି ଗର୍ବୀ

ସେ ଅଦ୍ୱିତୀୟ ସାରଥି

ତାଙ୍କ ସମ କେହି ଧରାତଳେ ନାହିଁ

ଜଣାଇଲେ ସେ ନୃପତି ।

ରାଜା ଗୁଣାବଳୀ ଶୁଣି ନେଇ ନଳ

ସେ ହେଲେ ତାଙ୍କ ପୁରତେ

ଉଦର ବାଧା ଯେ କାହାକୁ ନରଖେ

ଯୋଗ୍ୟ ସଜ୍ଜନ ଆଶ୍ରିତେ ।

ସୁମିଷ୍ଟ ବଚନ ଶୁଣି ରୁତୁପନ୍ନ

କହିଲେ ଯାନ-ବାହକ

ହୋଇ ମୋର ପୁରେ ରହହେ ସୁଖରେ

ଆବର ହୟ-ରକ୍ଷକ ।

ମନ୍ତ୍ରୀକି ଡକାଇ କହିଲେ ପ୍ରଚାର

କର ରାଜାଜ୍ଞା ପ୍ରକର

ଯଥା ଯୋଗ୍ୟ ମାନ୍ୟ କରି ପୁରଜନେ

(କରନ୍ତୁ) ବାହୁକଙ୍କୁ ସମାଦର ।

ସମ୍ମାନିତ ହୋଇ ନଳ ରହି ତହିଁ

ତ୍ରୁଟି ବିହୀନ ସ୍ୱକର୍ମ

କରି ନେଇ ରାଜା ଅନୁଜ୍ଞା ପାଳନ୍ତି

ଯଥା ସେବକ ଧରମ ।

‘‘ମହତ-ମାନବ ମହତ ଆଶ୍ରିତ

ହେଲେହେଁ ଦୁର୍ଦ୍ଦଶା ବଶେ

ହୁଏ ସମ୍ମାନିତ ୮ପାରୀନ୍ଦ୍ର ଯେମନ୍ତ

ରହେ ରାଜପୁରେ ପାଶେ ।’’

ଦିବା ରାଜ କର୍ମେ ରାତ୍ର ଚିନ୍ତା-ବର୍ମେ୯

ରହିଥାନ୍ତି ଆବେଷ୍ଟିତ

ପ୍ରେୟସୀ ଭାବନା କରେ କ୍ଷୁଣ୍ଣମନା

ନିଦ୍ରା ରହେ ବିଦୂରିତ ।

‘‘ସ୍ୱପ୍ରିୟା ବିଚ୍ଛେଦ ସହିବ କା’ହୃଦ

ହେଲେହେଁ ସେ ଶିଳାସମ

ଜଗତେ କପୋତ- କପୋତୀ ଶିଖାନ୍ତି

ଦମ୍ପତି ପ୍ରେମ ଉତ୍ତମ ।

ରମଣୀ ବିମୁଖୀ ହୋଇ ୧୦ପଞ୍ଚମୁଖ

ବସିଥିଲେ ଯୋଗାସନେ

ପରେ ଅର୍ଦ୍ଧନାରୀ ସୁବେଶ ଆଦରି

ବିହରନ୍ତି ରସା ଧାମେ ।

ସତୀ ସିନା ପତି ୧୧ବିଭୂତି ଆଧାର

ପାଶରୁ ହେଲେ ସେ ଭିନ୍ନ

ରସ ୧୨ନିଷ୍କାସନେ ପକ୍ୱାମ୍ର ଦେହରୁ

ତୁଚ୍ଛ ଯଥା (ତା) ଆବରଣ ।’’

ହୃଦୟ ବେଦନା ତାଙ୍କ ନୁହେ ଜଣା

ଅନ୍ତର୍ଦାହେ ସେ ବିକଳ

ହୋଇ ସଢ଼ୁଥାନ୍ତି ୧୩କୁଷ୍ମାଣ୍ଡ ପରାଏ

ବାହ୍ୟେ ନ ଦିଶେ ସ୍ୱଚ୍ଛଳ ।

 

୧ ବାରିରେ, ୨ ଶୂନ୍ୟାକାରେ, ୩ ସର୍ପ, ମୂଷିକ, ୪ ନିଆଁରେ ପୋଡ଼ି, ୫ ସର୍ପ, ୬ ପୂର୍ବାନୁରୂପେ, ୭ ଜାଣିବା ଇଚ୍ଛା, ୮ ସିଂହ, ୯ ସାଞ୍ଜୁ, ୧୦ ଶିବ, ୧୧ ଐଶ୍ୱର୍ଯ୍ୟ, ୧୨ ଚିପୁଡ଼ା, ୧୩ କଖାରୁ

☆☆☆

 

ଦ୍ୱାଦଶ ସର୍ଗ

 

ନଳ-ଦମୟନ୍ତୀ ଦୁର୍ଦ୍ଦଶା, ଦୁର୍ଗତି

ବିଦର୍ଭ ରାଜ୍ୟେ ପ୍ରକଟେ

ତଦର୍ଥେ ପରଜା ବରଜ ନିସ୍ତେଜ

ହେଲେ ରାଜା ରାଣୀ କଷ୍ଟେ ।

ଅଶନେ, ପାନେ କା’ ମନ ନ ବଳିଲା

ଦମୟନ୍ତୀ-ଚିନ୍ତା ମଥା

ଘୂର୍ଣ୍ଣିତ କରିଣ ଆଣିଲା ବିଭ୍ରମ

ଜ୍ୱର-ତାପାଗମେ ଯଥା ।

ସେହି ସେ ଲଙ୍ଘନ ପ୍ରତୀକ ବା ହେଲା

ପରେ ପ୍ରତିକାର ଚିନ୍ତି

ବସି ପୁର ନାରୀ, ନର ମିଳି କରି

ଗଲେ ପ୍ରାସାଦେ ଝଟିତ ।

ବହୁତ ସାନ୍ତ୍ୱନା ରାଣୀଙ୍କୁ ପ୍ରଦାନି

କହିଲେ ଦୂତ ପଠାଇ

ନନ୍ଦନା ଉଦନ୍ତ ଅଣାଅ ତୁରିତ

କି ଦଶା ଭୋଗନ୍ତି ସେହି ।

ଉପଦେଶ ମାନି ନେଇ ବିଜ୍ଞା ରାଣୀ

ରାଜାଙ୍କୁ କଲେ ଗୋଚର

ସେ କ୍ଷଣି ରାଜାଜ୍ଞା ହୋଇଲା ପ୍ରଚାର

ଜମିଲେ ଅସଂଖ୍ୟ ଚାର ।

‘‘ଧନାଶା କାହାକୁ ନ ଆଣେ ପାଖକୁ

ଯଥା ୧ପିପୀଲିକା ଶ୍ରେଣୀ

ଇକ୍ଷୁ ରସାଘ୍ରାଣେ ଚଳନ୍ତି ବହନେ

ଦୂର-ସମୀପ ନ ମଣି ।

ଅନାୟାସେ ଧନ ଲଭିବା କାରଣ

ଜନେ ହୋଇ ଉତ୍‌କଣ୍ଠିତ

ଅନାହୂତେ ମଧ୍ୟ ହୋଇ ଉପଗତ

କରନ୍ତି ଦାନୀ ବିରତ ।’’

ହୋଇଲା ତଦ୍‌ବତ ଜନେ ସମବେତ

ହେଲେ ରାଜ ପ୍ରାସାଦରେ

ପାଥେୟ ଲଭିଲେ ଦିଗେ ଦିଗେ ଗଲେ

ଧନାଶାପୂର୍ଣ୍ଣ ହୃଦରେ ।

କୃତକାର୍ଯ୍ୟ ନୋହି ଗୋଟି ଗୋଟି ହୋଇ

ରାଜାପାଶେ ହୋଇ ପରେ

ପ୍ରୟାଣ ବିବୃତି କଲେ ନୋହି ୨ସ୍ଫୂର୍ତ୍ତି

ଧନାଶା ଛାଡ଼ି ବିଦୂରେ ।

ମନସ୍କାମାନଳ ରାଣୀ ହୃଦ ସ୍ଥଳେ

ଜଳିବାରୁ ବାର ବାର

ସେ କ୍ଷାନ୍ତ ନ ହୋଇ ଆନ ଦୂତ ପାଇଁ

ବରଗିଲେ ନିଜ ଚାର ।

ସୁଦେବ ନାମକ ବିପ୍ରବର ଏକ

ସ୍ୱପୁରୁଁ ହୋଇ ବାହାର

ଦେବ, ଦେବୀ ଧ୍ୟାନି ହୋଇ ପଥଗାମୀ

(ହେଲେ) ରାଣୀ ପୁରତେ ହାଜର ।

‘‘ହୃଦ-ସରେ ଆଶା ୩ସରୋଜ ବିକାଶ

ହୁଏ ଯେବେ ଜୀବେ କ୍ଷଣେ

ନାସ୍ତିକ ହେଲେହେଁ ଈଶ୍ୱର ଚିନ୍ତନ

କରିବ ସୁଫଳ କାମେ ।’’

ପୂର୍ବୁଁ ପରିଚିତ ଥିବାରୁ ସେ ବିପ୍ର

ରାଣୀ ହୋଇ ପ୍ରୀତିଭରା

ବିଶ୍ୱାସେ କହିଲେ ଜେମା ଖୋଜ ଭଲେ

ସେ ମୋର ଦୁଃଖ ପାସୋରା ।

ଆବର ନଳଙ୍କ ୪ସନ୍ଧାନ ସମ୍ପାଦ

କାହିଁ ସେ’ ଛନ୍ତି ଗୁପତେ

କାର୍ଯ୍ୟ ସିଦ୍ଧ ପରେ ଧନାଦି ପ୍ରଚୁର

ଲଭିବ ମୁଁ କହେ ସତେ ।

ହୃଦେ ଆଶା-ଶକ୍ତି ପ୍ରବେଶି ଶକତ

କରି ନେବାରୁ ସେ ଦ୍ୱିଜ

ଦ୍ୱୟ ଅନ୍ୱେଷଣେ ଲାଗି ଅନୁକ୍ଷଣେ

ଦେଖିଲେ ସେ ବହୁ ରାଜ୍ୟ ।

କିୟତ୍‍ ଦିନ ପରେ ହେଲେ ଚେଦିପୁରେ

ବିଶ୍ରାମିଲେ ସିଂହଦ୍ୱାରେ

ପଥ-ଶ୍ରମ ବଶେ ରହିଲେ ଅବଶେ

ମଜ୍ଜିଲେ ଈଶ-ଚିନ୍ତାରେ ।

‘‘ଶାରୀରିକ କ୍ଳେଶ ମାନସିକ ତାପ

ହରଣେ ଯେ ୫ରସାୟନ

ମହେଶ ଚିନ୍ତନ ଅଟଇ ନିଦାନ

କହୁଥାନ୍ତି ଜ୍ଞାନୀ-ଜନ ।’’

ଚତୁର୍ଦ୍ଦିଗେ ନେତ୍ର କଲେ ନିପତିତ

ଦେଖିଲେ ଏକ ଯୁବତୀ

କୋମଳ ବୟସ୍କା ବାଳେ ହୋଇ ଯୁତା

ପ୍ରାସାଦେ ବସି ଖେଳନ୍ତି ।

୬କର୍ପଟ-ପିଧାନା ମଳିନ-ବଦନା

ଦୁଃଖିନୀ ପ୍ରାୟ ପ୍ରତୀତ

ହେବାରୁ ଭାବିଲେ ଦମୟନ୍ତୀ କିବା

ସେ ପୁରେ ଛନ୍ତି ଆଶ୍ରିତ ।

ଭାବନା ପରୀକ୍ଷେ ଗଲେ ସେ ପ୍ରାଙ୍ଗଣେ

ହେଲେ ଅନ୍ତଃପୁର ଦ୍ୱାରେ

ଦୃଢ଼ ମନସ୍କାମ ବଶେ ସେ ବ୍ରାହ୍ମଣ

ଡର ନ କରି କାହାରେ ।

୭ଗବାକ୍ଷ ସମୀପେ ଲୁଚି ରହି ବିପ୍ର

ନିରେଖିଲେ ସେ ନବୀନା

ବାଲ୍ୟେ ପରିଚିତା- ରମଣୀ ସର୍ବାଙ୍ଗ

ପରଖେ ହୋଇ ତନ୍ମନା ।

ଦମୟନ୍ତୀ ଭାଲ ସ୍ଥିତ ଯେଉଁ ଦାଗ

ହେବାରୁ ଦୃଷ୍ଟି ଗୋଚର

କଲେ ସ୍ଥିରୀକୃତ ସେହି ଭୀମସୁତା

ଦମୟନ୍ତୀ ଯେ ନିକର ।

ତୃଷାର୍ତ୍ତ ଚାତକ ବତ ତ ସୁଦେବ

ବୁଲୁଥିଲେ ଦେଶାକାଶେ

ଦମୟନ୍ତୀ ରୂପ- ୮ଘନ-କାଳ ସମେ

ଦେଖି ନେଲେ ନିର୍ନିମେଷେ ।

କାହିଁ ବିଦରଭ କାହିଁ ବା ନିଷଧ

କାହିଁ ରହେ ଚେଦିପୁର

ମହାରାଜ କନ୍ୟା ନଳ-ପତିପ୍ରାଣା

ଦେଖିଲେ ସେ ବିପ୍ରବର ।

ବିଧାତା ବିଧାନ ଦୁର୍ଗମ ନିଦାନ

କେ କଳି ନପାରେ ତାହା

୯କେଶରୀ କନ୍ଦର ବରଜି କି ଜାଣି

ବିଶ୍ରାମେ ବା ଶଶାଗୃହା ।

ଦରିଦ୍ର ବ୍ରାହ୍ମଣ ଆହାର ବିହୀନ

ଯାପୁଥିଲେ ଦିବା ନିଶି

ନାନା ରତ୍ନ, ଧନ, ମାନ, ସମ୍ପାଦନ

ସୁଯୋଗେ କ୍ଷୁଧା ବିନାଶି ।

ଭାଗ୍ୟ ଚକ୍ର ଗତି ଅଗୋଚରେ କ୍ଷିତି

ପରିକ୍ରମେ ଦିବାରାତ୍ର

କାହା ଶିରେ ଦେବେ ଚକ୍ରପାଣି କେବେ

ଯଶ-ରାଶି ୧୦ଆତପତ୍ର ।

ଅନ୍ନ କଷ୍ଟେ ପଡ଼ି ସଢ଼ୁଥିବା ଜନେ

ଶାଳ୍ୟାନ୍ନାଦି ଖାଦ୍ୟ ଆଶା

ମତିରେ ମାତିଲେ ତାର ପ୍ରଭାବରେ

ବଢ଼ାଏ ତୃଷ୍ଣା ସହସା ।

ହୃଦୟ ଆଳୟେ ଗଢ଼ିନିଏ ୧୧ହର୍ମ୍ମ୍ୟ

ନାନା ବାସନାଭିରୁଚି

ବଢ଼ଇ ସେକ୍ଷଣି ସ୍ରୋତସ୍ୱତୀ ଜିଣି

ବୃଦ୍ଧି କରେ ମୁଖ-ରୁଚି ।

ଆତ୍ମହରା ହୋଇ ଭାବସରେ ଭାସି

ସୁଦେବ ଯିବା ସମୟେ

ଦମୟନ୍ତୀ ଦେଖି ହେଲେ ବିମୁଖିନୀ

ପଚାରିଲେ ତୁମ୍ଭେ କିଏ ।

ପ୍ରବେଶ ନିଷେଧ- ପୁରେ ତ ୧୨ନିର୍ବୋଧ

କରି ନେଲ ଆଗମନ

ଜାଣେ ମୁଁ ଆପଣ ନୁହ ପୁରଜନ

କହ ଆଗତ କାରଣ ।

ପରିଚୟ ଦେଇ ବିପ୍ର ଦେଲେ କହି

ସେହି ଭୀମ ରାଜା ଦୂତ

ଜେମା ଅନ୍ୱେଷଣେ ବୁଲି ସ୍ଥାନେ ସ୍ଥାନେ

ଲଭିଲେ ତେବେ ସାକ୍ଷାତ ।

ପିତ୍ରାଳୟ ବାର୍ତ୍ତା ଶୁଣିବା ଆକାଂକ୍ଷା

ପୂରାଇ ମନ-କନ୍ଦରେ

ସମ୍ଭାଷଣେ ରତା ହେଲେ ଦମୟନ୍ତୀ

ନିଜେ ଥିଲେହେଁ ଖେଦରେ ।

କଥୋପକଥନୁ ଜାଣିଲେ ସରବେ

ନାରୀ ଭୀମ ରାଜଜେମା

ସ୍ୱୀୟ ଭଗ୍ନୀ ସୁତା ସୁନନ୍ଦା ସଙ୍ଗିନୀ

ଜାଣିଲେ ପୁର-ମଣିମା ।

ନଳଙ୍କ ଦୁର୍ଦ୍ଦଶା ଜାଣିଲେ ମହିଷୀ

ହେଲେ ସେ ଶୋକେ ନିମଗ୍ନା

ବୋଇଲେ ଉଚିତ ହେଲା ଦମୟନ୍ତୀ ?

୧୩ମାତୃଷ୍ୱସେ ତୁ ଗୋପନା ।

ଶୈଶବେ ମୁଁ ତତେ ମୋ ଭଗିନୀ ସାଥେ

ଦେଖିଥିଲି ଥରେ ସିନା

ପରେ ଦେଖା ନୋହି ବହୁଦୂରେ ରହି

ଭୁଲିଲି ଏବେ ମୋ କନ୍ୟା ।

ତୁହି ସେ ପ୍ରଥମା- କନ୍ୟା ତ ମୋହର

ସୁନନ୍ଦା ତୋର କନିଷ୍ଠା

ଦୁର୍ଦ୍ଦଶା ବଶତଃ ମୋର ପୁରାଗତେ

ରଖିଲୁ ଯେ ମତେ ତୁଷ୍ଟା ।

କେବେହେଁ ତୋହରେ ମୁହିଁ ଅଜ୍ଞାତରେ

ଥିଲେହେଁ ଅଶିଷ୍ଟାଚାରେ

ମୋ ଗୁରୁତ୍ୱ ମାନି ନିଅ ପ୍ରାଣଧନ

ନ ରହ କେବେ କ୍ଷୋଭରେ ।

ମୁଁ ଯେଣୁ ମାଉସୀ ମୋ ଆଶିଷ ରାଶି

ଘେନ ମୋ ଉତ୍ତମା ଜେମା

ତୋହର ଦୁର୍ଗତି ଆବର ଦୁଃସ୍ଥିତି

ମୋ ବୁଦ୍ଧି କରଇ ବଣା ।

ପତି-ପ୍ରାଣା ପତି ଭେଟିଣ ଝଟିତି

ଦୁର୍ଦ୍ଦଶାସୁର ବିନାଶି

ମୋ କଲ୍ୟାଣ ବଶେ ରହ ନିଜ ଦେଶେ

ମଣ୍ଡିତେ ବିଭୂତି ରାଶି ।

ପୁରେ ପ୍ରବେଶିଲା ଗହଳ, ଚହଳ

ସର୍ବେ ଜାଣିଲେ ଯୁବତୀ

ସତୀ ଶିରୋମଣି ନିଷଧେ ଯେ ରାଣୀ

ନିଷ୍କଳଙ୍କା ଦମୟନ୍ତୀ ।

ଗନ୍ଧବହ ସତ୍ୟ- ଗନ୍ଧ ପ୍ରକଟିତେ

ସୌରଭ ବାଢ଼ିଲା ଖର

ନଳ ରାଣୀ ଗଳେ ବାକ୍ୟ ସୁମମାଳେ

ମଣ୍ଡିଲେ ସଙ୍ଗିନୀକୁଳ ।

ସମାଦର ଭରେ ଦମୟନ୍ତୀ ପୁରେ

ବିଶ୍ରାମିଲେ କେତେ ଦିନ

ବିଦରଭେ ଯାଇ ଜନକ-ଜନନୀ

ଦର୍ଶନେ କରିଲେ ମନ ।

କିଛି କାଳ ପରେ ମହିଷୀ ଛାମୁରେ

ଆକାଂକ୍ଷା କଲେ ଗୋଚର

ସେ ଧନ ରତନ ବାହନ, ପ୍ରଦାନି

ବିଦାୟ ଦେଲେ ସତ୍ୱର ।

ଆବର କହିଲେ ମୋ ପୂଜ୍ୟା ଭଗିନୀ

ଜଣାଇବୁ ମୋ ପ୍ରଣାମ

ତୋର ପରିଚୟ ନ ପାଇ ମୁଁ ହେୟ

ନ ଦେଲି ଯୋଗ୍ୟ ସମ୍ମାନ ।

ସ୍ୱପୁରେ ପ୍ରବେଶି ନିଷଧ-ମହିଷୀ

ପିତା, ମାତା, ଗୁରୁଜନେ

ଯଥା ଯୋଗ୍ୟ ଅଭି- ବନ୍ଦନ ଭିଆଇ

ରହିଲେ ବିଷଣ୍ଣ ମନେ ।

ସ୍ୱ ସ୍ୱାମୀ ସନ୍ଧାନ ନ ଲଭି ନନ୍ଦନା

ଭଙ୍ଗୀ ଦିଶୁଥାଏ କ୍ଷୀଣା

ଚିନ୍ତା-କୀଟ ଅନ୍ତେ କାଟନ୍ତି ନିରତେ

ବୁଦ୍ଧି କରୁଥାନ୍ତି ବଣା ।

ସ୍ୱଜନ ଲାଳନା ବଶେ ଯେ ଲଳନା

ବିହରନ୍ତି ଦିବା-କାଳେ

ନିଶୀଥେ ପ୍ରବଳ ବିରହ-ଚଣ୍ଡାଳ

ବାଧାଦିଏ ହୃଦସ୍ଥଳେ ।

ଦିନୁଁ ଦିନ ଜେମା ୧୪ପ୍ରତନୁ ଶରୀରା

ଦେଖି ବିଷାଦିତ ମନେ

ରହିଲେ ଜନନୀ ହୋଇଣ ଦୁଃଖିନୀ

ଜଣାଇଲେ ତା’ ରାଜନେ ।

ନଳ ଅନ୍ୱେଷଣ- ଚିନ୍ତା ସର୍ବ ପ୍ରାଣ

ଆକର୍ଷିଲା ଦୃଢ଼ତର

ଦୂତ ପଠିଆଇ ନଳ ଖୋଜାପାଇଁ

କରିଲେ ରାଜା ବିଚାର ।

ସୁଯୋଗ୍ୟ ବ୍ରାହ୍ମଣେ ପୁରୋଧାଦି ଗଣେ

ଆମନ୍ତ୍ରିଲେ ଯଥାବିଧି

ଶାସ୍ତ୍ରଜ୍ଞାନୀ, ବାଗ୍ମୀ ପର୍ଣ୍ଣାଦଙ୍କୁ ଜାଣି

(ରାଜା) କହିଲେ ତାଙ୍କୁ ପ୍ରବୋଧି ।

ଉପଦେଶ ଆଶେ ଦମୟନ୍ତୀ ପାଶେ

ତାହାଙ୍କୁ କଲେ ପ୍ରେଷଣା

ସେ କହିଲେ ଦ୍ୱିଜ ଚଳ ରାଜ୍ୟ ରାଜ୍ୟ

ଖୋଜ ନଳ ମହାମନା ।

ଆକାର, ସ୍ୱଭାବ ବର୍ଣ୍ଣନେଇ ସର୍ବ

ଚିହ୍ନଟେ ଦେଲେ ସୁବିଧା

କହିଲେ ଅବଶ୍ୟ କଷ୍ଟ ଭୋଗ ବଂଶୁ

ଥାଇପାରେ କିଛି ଦ୍ୱିଧା ।

ଜନ ସମାଗମ ସ୍ଥଳେ ବହି ପ୍ରେମ

ପ୍ରଚାରିବ କେତେ ପ୍ରଶ୍ନେ

ଦେଖିଛକି କେହି ନିଜ ଜାୟା ନେଇ

ଏକାକିନୀ ଛାଡ଼େ ବନେ ।

ଆବର କହିବ କେ ପ୍ରିୟା ପଣନ୍ତ

କାଟିକରି ଛିନ୍ନବସ୍ତ୍ରା

୧୫ଛିନ୍ନ-ବସ୍ତ୍ରା ସମେ ଛାଡ଼ିଦେଇ ବନେ

ରହନ୍ତି ନଥାଇ ଚିନ୍ତା ।

କାହିଁ କେ ଉତ୍ତର ଦେଲେ ବିପ୍ରବର

ନିରୁତ୍ତର ଫେରି ଆସ

ଉତ୍ତର ଆଶାରେ ରାଜ୍ୟେ, ପଲ୍ଲୀ ପୁରେ

ବୁଲିରହ ଅହର୍ନିଶ ।

ମୁଁ ଜାଣେ ନିଶ୍ଚୟ ବହୁ କଷ୍ଟ ସହ୍ୟ

କରିବ ହେ ଦୂତ-ବର

ଆଶାତୀତ ଫଳ ଲାଭେ କଷ୍ଟ ଜାଳ

ଅବଶ୍ୟ ହେବ ପାସୋର ।

ରୌପ୍ୟ ମୁଦ୍ରା କେତେ ଆଣି ବିପ୍ରହସ୍ତେ

ସମର୍ପିଲେ ଦମୟନ୍ତୀ

୧୬ପାଥେୟ ସେ ସିନା ଆନେ ନୋହୁ ଘେନା

କୋମଳ-ସ୍ୱରେ ଜଣାନ୍ତି ।

ପର୍ଣ୍ଣାଦ ସ୍ୱବାସେ ଯାଇ ପ୍ରିୟା ପାଶେ

ଜଣାଇ ନେଲେ ବୃତ୍ତାନ୍ତ

ଭାଗ୍ୟଲକ୍ଷ୍ମୀ ଆମ୍ଭ ଶିରେ କଲା ଠାବ

(କହେ) ଲଭିବା ଧବ ବହୁତ ।

କାର୍ଯ୍ୟ ସିଦ୍ଧେ ମାତ୍ର ସର୍ବ ଶୁଭାଗମ

ହୋଇବ ଆମ୍ଭ ଆଳୟେ

ନିତି କର ଧ୍ୟାନ ଦେବ ଦେବୀଗଣେ

ରହିବେ ଆମ୍ଭ ସହାୟେ ।

‘‘ଦୈବ ଅନୁକୂଳ ଧନ, ମାନ, ବଳ

କରାଏ ପରିବର୍ଦ୍ଧିତ

ସେହେତୁ ଈଶ୍ୱର ଚିନ୍ତନଟି ସାର

ତାହି ହେଉ ଆଚରିତ ।

ତାଙ୍କ ପ୍ରତିକୂଳେ ବିଭବ ସମୂଳେ

ହୁଅଇ ପରା ବିନାଶ

ଯଥା ପ୍ରତିକୂଳ ବାୟୁ ଯୋଗେ ନାବ

ସାଗରେ ହୁଅଇ ଧ୍ୱଂସ ।’’

ମନ ବିମୋହନେ ଅଧିକାଂଶ ଧନ

ସମର୍ପି ପତ୍ନୀର କରେ

କରିଲେ ପ୍ରୟାଣ ଦେବେଶ ସ୍ମରିଣ

ମଙ୍ଗଳ ଗାନ ସୁସ୍ୱରେ ।

ଜେମାଜ୍ଞା ପାଳିଣ ଗଲେ ସେ ବ୍ରାହ୍ମଣ

ପ୍ରଚାରିଲେ ପ୍ରଶ୍ନାବଳୀ

ଉତ୍ତର ନ ଲଭି ମନେ ହେଲେ କ୍ଷୋଭି

ନିଜ ଦୁରାଦୃଷ୍ଟ ଭାଳି ।

ଶେଷେ ସେ ୧୭ସାକେତେ ହେଲେ ଉପଗତ

ଗମିଲେ ରାଜ ସଦନେ

କରିଲେ ବିବୃତି ଜେମା ପ୍ରଶ୍ନତତି

ରହି ଅପ୍ରସନ୍ନ ମନେ ।

ଉତ୍ତର ନ ଦେଇ ସର୍ବେ ମୌନ ହୋଇ

ରହିବା ଦେଖିଲେ ଦୂତ

ନିଦାନିଲେ ତହିଁ ଏକ କୃଷ୍ଣଦେହୀ

ଥିଲେ ମାତ୍ର ପ୍ରଭାବିତ ।

ବିଦାକି ନ ଲଭି ନମସ୍କାର ଲଭି

ଫେରିଲେ ସେ ରାଜପୁରୁଁ

‘‘ଅର୍ଥଲୋଭୀ ଜନେ କି ୧୮ଅଭିବାଦନେ

କେବେ କି ଦିଶିବେ ଚାରୁ ?

ଅର୍ଥଲୋଭୀ ଦଣ୍ଡୀ ନେବ କି କେ ଭଣ୍ଡି

ଶୁଷ୍କ-ଦଣ୍ଡବତ ଦେଇ

ଶ୍ୱାନ ଅନାହାରେ ମାତ୍ର ସମାଦରେ

ରଖିଲେ ମାନିବ କେହି ।’’

ବିଷଣ୍ଣ ବଦନେ ସେ ଗଲେ ପତ୍ତନେ

ପ୍ରତ୍ୟାଗମନାଭିମୁଖୀ

ଭେଟିଲେ ସେ ମାର୍ଗେ କୃଷ୍ଣାଙ୍ଗ ଯୁବକେ

ସେହି ତାଙ୍କୁ ନେଲେ ଡାକି ।

ପଚାରିଲେ କାହିଁ ତବ ବାସ ବିପ୍ର

କହିଲ ଗୁପ୍ତ ଚରିତ

ତବ ମୁଖୁଁ ପ୍ରଶ୍ନ ଯେହି ୧୯ଉଦ୍‌ଗୀରଣ

କାହାଦ୍ୱାରା ସେ କଥିତ ।

ଉତ୍ତର ଅପେକ୍ଷା ନ କରି ସେ ବ୍ୟାଖ୍ୟା

କଲେ ତାହାଙ୍କ ଉତ୍ତର

ସତୀ କେହି ବସ୍ତ୍ର ସ୍ୱପତି ହରଣେ

କରେ ଅପରେ ପ୍ରଚାର ।

କେହ୍ନେ ପତି ନିନ୍ଦା ତା ହୃଦୟେ ଫନ୍ଦେ

ଜାଣି ସତ୍ୟ ସମାଚାର

କ୍ଷୁଧା ବାଧା ଯୋଗେ ସ୍ୱାମୀ ନେଲା ବାସ

ହେଲା କି ତା ଅସୁନ୍ଦର ।

ପତତ୍ରୀ ଧାରଣେ ହୋଇ ସେ ୨୦ଉନ୍ମନା

ଛାଡ଼ିଲା ନିଜ ବସନ

ଦୁର୍ଦ୍ଦଶା ବଶତଃ ପକ୍ଷୀ ନେଲେ ବସ୍ତ୍ର

ତେଣୁ ସେ ଲୋଡ଼ିଲା ଆନ ।

ଗହନ କାନନେ ଥିଲେ ଯେ ଦମ୍ପତି

ଅନନ୍ୟୋପାୟ ସେ ହୋଇ

ନିଜ ପତ୍ନୀ-ବାସ ପଣନ୍ତ ସେ କାଟି

ପରିଧାନ କଲା ତାହି ।

ଲଜ୍ଜା ଡରେ ନଗ୍ନେ ନ ରହି କେ ଜନ

କାଟିଲା ପତ୍ନୀ ବସନ

ସେ କଲା ଅନୀତି ସେ କଥା କୁମତି

ବିଶ୍ୱେ କରିବେ ରଟନ ।

ବିଧି ବିଧାନ ଯେ ଦୃଢ଼େ ବାନ୍ଧି ଦେହୀ

ସରବେ କରେ ଚାଳିତ

ସତୀ ବୋଲାଇଣ ପତି-ଚୋରୀ ନିନ୍ଦା

ଦେବା କି ହେଲା ଉଚିତ ।

ଅର୍ଦ୍ଧାଙ୍ଗିନୀ ଯେହି ସୁଖେ ଦୁଃଖେ ସେହି

ପତି ସଙ୍ଗତେ ଭାଗିନୀ

ସୁଖେ ପତି ସେବା ଦୁଃଖେ ତାର ନିନ୍ଦା

ବାଢ଼ିବ କେଉଁ ୨୧ଭାମିନୀ ।

ନିଜ ପତି ନିନ୍ଦା ନ ସହିଣ ସତୀ

ନିଜ ଅଙ୍ଗ ଅଗ୍ନିକୁଣ୍ଡେ

ଦହିଥିଲେ ବୋଲି ପୁରାଣ କାହାଣୀ

ନ ଶୁଣେ କି ସତୀ ଦଣ୍ଡେ ।

ଦୁଃଖାର୍ଣ୍ଣବେ କାଳେ କେ ଭାସିବା ବେଳେ

ତାର କି ରହେ ବିବେକ

ସୁବିଚାରେ ସିନା ସୁଜ୍ଞାନ-ମାନବେ

ବୁଝିବେ ଅବସ୍ଥାତକ ।

ସନ୍ନିପାତେ ପଡ଼ି ସ୍ୱପତ୍ନୀ କାମୁଡ଼ି

ନେଲେ ପତ୍ନୀ ନିନ୍ଦିବକି

ଆପଦ ସମୟେ ମିତ୍ର ଶତ୍ରୁ ହୁଏ

କହନ୍ତି ପରା ବିବେକୀ ।

ଗୋବତ୍ସ ଉଭୟ ନିତାନ୍ତ ଆତ୍ମିୟ

ହେଲେହେଁ ଦୋହନ କାଳେ

ମାତା ପାଦେ ଶିଶୁ ବନ୍ଧା ଯାଏ ପରା

ମାତା କି ବଇରୀ ବେଳେ । (ହେଲା)

ମରଣ ସମୟେ ସନ୍ତାନେ ୨୨ଧର୍ଷଣା

ନୁହେ ବୋଲି ବିବେଚିତ

ରସାନୀତି ତତି ଯେ ସତୀ ବିସ୍ମୃତି

କରେ ମାତ୍ର ସେ ନିନ୍ଦିତ ।

ଆଦିତ୍ୟ କିରଣ ଅଟେ ମାତ୍ର ହୀନ

ସତୀତ୍ୱ ଜ୍ୟୋତ୍ସ୍ନା ଆଗରେ

ସତୀ ନାରୀ ସୌଧେ ଅବା ବନ ମଧ୍ୟେ

ଅରକ୍ଷେ ରହେ ସୁଖରେ ।

ତା’ଗୁଣ ପ୍ରବଳ ନୟନେ ଅନଳ

ହୃଦ ୨୩ଘନସାର ସମେ

ତାହାର ସମୀପେ ଗମନେ ଅକ୍ଷମ

ଅଟନ୍ତି କ୍ରୂରେ, ଅଧମେ ।

ପତି ଜାଣି ପତ୍ନୀ ସତୀ, ପତିବ୍ରତା

ଛାଡ଼ିଲେ ତାକୁ କାନନେ

ପତି ବା କି ନିନ୍ଦା- ପାଶେ ହେବ ବନ୍ଧା

ଯେ ଭୋଗେ ଯାତନା ଗଣେ ।

ବିଭବାଦି ପୂର୍ଣ୍ଣ ଯେ ଥିଲେ ଭୁବନେ

ସେ ହେଲେ ନିରନ୍ନ ପ୍ରାଣୀ

ବିଶ୍ୱକର୍ତ୍ତା ନିନ୍ଦା କରିବକି କଦା

ଯେ ନର ଅଟେ ବିଜ୍ଞାନୀ ।

ସତୀ ଧର୍ମେପତି ଦେବତା ୨୪ପ୍ରତୀକ

ପତିଠାରୁ ଗୁରୁ କେହି

ନାହିଁ ତ ଜଗତେ ତାହାର ନିନ୍ଦିତେ

ସତୀ ବୋଲାଇବ କେହି ।

କହୁ କହୁ ଗଣ୍ଡ ମଣ୍ଡଳ ଯୁବାର

ସିକ୍ତ ହେଲା ଅଶ୍ରୁ ନୀରେ

କଣ୍ଠ ଅବରୋଧେ ସ୍ପଷ୍ଟ ହୀନ ଶବ୍ଦେ

ବାହାରିଲେ ମୁଖ ଦ୍ୱାରେ ।’’

 

୧ ପିମ୍ପୁଡ଼ି, ୨ ହର୍ଷ, ୩ ପଦ୍ମ, ୪ ଅନୁସନ୍ଧାନ, ଠିକଣା, ୫ ପୁଷ୍ଟିକାରକ ଔଷଧ, ୬ ଛିଣ୍ଡାଲୁଗା, ୭ ଝରକା, ପଞ୍ଜର, ୮ ବର୍ଷା, ୯ ସିଂହ, ୧୦ ଛତ୍ର, ୧୧ ଅଟ୍ଟାଳିକା, ୧୨ ଅଜ୍ଞାନୀ, ୧୩ ମାଉସୀରେ, ୧୪ କୃଶା, ୧୫ ଦେବୀ, ୧୬ ରାସ୍ତାଖର୍ଚ, ୧୭ ଅଯୋଧ୍ୟାପୁରେ, ୧୮ ପ୍ରଣାମେ, ୧୯ ବାହାର ହେବା, ୨୦ ଉତ୍‌କଣ୍ଠିତ, ୨୧ କୋପନା ସ୍ତ୍ରୀ, ୨୨ ପରାଭବ, ୨୩ କର୍ପୂର, ୨୪ ସମାନ

☆☆☆

 

ତ୍ରୟୋଦଶ ସର୍ଗ

 

ସେ ଦୃଶ୍ୟେ ବିମୃଷ୍ୟ- କାରୀ ସେ ବିରସ

ହୋଇ ଚଳିଲେ ସ୍ୱମାର୍ଗେ

କିଛି ଦିନ ପରେ ହେଲେ ଭୀମପୁରେ

ଦେଖିଲେ ଭୀମଜା ବେଗେ ।

କହିଲେ ପ୍ରଶ୍ନକୁ କେହି ଉତ୍ତରକୁ

ନ ଦେଲାରୁ ରୁତୁପନ୍ନ-

ପୁରେ ପ୍ରବେଶିଣ ପ୍ରଶ୍ନେ ଉତ୍ଥାପନ

କଲେ ହୋଇଣ ବିଷଣ୍ଣ ।

ସଭାରେ କେ ହେଲେ ଉତ୍ତର ନ ଦେଲେ

ବିକଳାଙ୍ଗ ଯୁବା ମାତ୍ର

ଶୁଣି ମୋ ଆବୃତି କ୍ଷୀଣ କରି ମତି

ହେଲେ କେବଳ ବିରକ୍ତ ।

ଯାଉଁ ଯାଉଁ ପଥେ ସେ ଭେଟିଲେ ମତେ

ଉତ୍ତର ଦେଲେ ନିଃଶ୍ରମେ ।

ରହସ୍ୟ ପ୍ରଶ୍ନକୁ ତାହାଙ୍କ ଉତ୍ତର

କହିଲେ ବିପ୍ର ଅକ୍ଷୁଣ୍ଣେ ।

ସେହି ନଳ ବୋଲି ନିଦାନିଲେ ବାଳୀ

ଜନନୀ ସଙ୍ଗେ ମିଳିଣ

ତାହାର ଉତ୍ତର କହି ସମଗର

କଲେ ପର୍ଣ୍ଣାଦେ ସମ୍ମାନ ।

ନଳଙ୍କ ମିଳନ ହେଲେ ବହୁ ଧନ

ଲଭିବେ ସେ ପୁରସ୍କାର

କହିଣ ସରାଗେ ତୋଷି ଦୂତ ବାକ୍ୟେ

ମନେ ହେଲେ ହର୍ଷଭର ।

‘‘ନିଶାରେ ମୁଦ୍ରିତ ଥିଲା ଯେ କମଳ

ଆଶା-ତପନ ବିକାଶେ

ପ୍ରସ୍ଫୁଟିତ ହୋଇ ଯଥା ରହେ ଶୋହୀ

ତଥା ମୁଖ ଦ୍ୟୁତି ଦିଶେ ।

୧କିଶଳୟ ପୂର୍ଣ୍ଣ- ସ୍ଥାନେ ତୋଷ ମନେ

ଥିଲେ ହରିଣ ଦମ୍ପତି

ଦୂରଦୃଷ୍ଟ ବ୍ୟାଧ ମନେ ବହି ସଧ

କଲା ତାଙ୍କ ପୃଷ୍ଠେ ଗତି ।

କ୍ରୂର-କରୁଁ ଦୁହେଁ ପରିତ୍ରାଣ ପାଇ

ଦଉଡ଼ି ଗଲେ ପ୍ରଖର

ଗତି ତାରତମ୍ୟ ବଂଶୁ ଦୁଇଜଣ

ବିଚ୍ଛିନ୍ନ ହେଲେ ନିକର ।

ହରିଣୀ ସ୍ୱଜନ ସଙ୍ଗତେ ମିଳନ

ହେଲା କିଛି କାଳପରେ

ହରିଣ ତଦନ୍ତ ଲାଭେ ତାର ଅନ୍ତ

ଶୀତଳ ହେଲା ତ ବାରେ ।

ଦମୟନ୍ତୀ ହୃଦ- ୨ଉତ୍ସାହାରବିନ୍ଦ

ବିପ୍ର ବଚନ-ତପନ

କଲା ବିକଶିତ ସେ ହେତୁ ଅମିତ

ତୃପ୍ତ ହେଲେ ସେ ବହନ ।

ତାହାଙ୍କ ଦର୍ଶନ ଲାଭେ ସେ ଉଦ୍‌ବିଗ୍ନା

ହୋଇ କରିଲେ କୌଶଳ

ମାତା ଅଙ୍ଗିକୃତେ ଜନକ ଅଜ୍ଞାତେ

କଲେ ଯେ ସିଦ୍ଧାନ୍ତ ମୂଳ ।

ପୁନଃ ସ୍ୱୟମ୍ବର ଯୋଗାଡ଼ ପ୍ରଚାର

କରିନେଲେ ଦମୟନ୍ତୀ

ଦିନକରେ ତାହା କରିନେବା ସ୍ପୃହା

ଚିତ୍ତେ ତାଙ୍କ ଗଲା ମାତି ।

ପ୍ରଥମେ ବରଣ କଲେ ନଳ ରାଣ

ଜାୟା ଛାଡ଼ି ସେ ଅଦୃଶ୍ୟେ

ରହିବା ବଶତଃ ସାମାଜିକ ମତ

ସ୍ୱୟମ୍ବର କରିବେ ସେ ।

ରାଜନେ ନ ଲୋଡ଼ି ରୁତୁପନ୍ନେ ଲୋଡ଼ି

ପଠାଇଲେ ଶୁଭ-ଲେଖା

ସାରଥି ତାଙ୍କର ଯେଣୁ ନଳବର

ପହୁଞ୍ଚିବେ ନୋହି ଶଙ୍କା ।

ଆସିଲେ ବାହୁକ ସରବେ ପୁଲକ

ହେବେ ତ ସେ କଥା ସ୍ଥିର

ବିଦର୍ଭ ଆକାଶ ଦୁଃଖ-ଘନାଶ୍ରିତ

୩ଭାସୁର ହେବ ନିକର ।

ନନ୍ଦନା ମୀମାଂସା ଶୁଣି ଭୀମଯୋଷା

ସୁତାକୁ କଲେ ପ୍ରଶଂସା

୪ସୁପ୍ରଣିଧି-ବଛା- ଭାର ତାଙ୍କ କରେ

ପ୍ରୀତେ ଛାଡ଼ିଲେ ସହସା ।

ସୁଦେବ ବ୍ରାହ୍ମଣେ ପେଷି ଦୂତ ପଣେ

କହିଲେ କହିବ ରାଜେ

ଭୀମ ପୁରେ ସର୍ବେ ଲୋଡ଼ନ୍ତି ରାଜନ

କରିବେ ସେ ନିଶ୍ଚେ ବିଜେ ।

ଦେଖି ସେ ଜେମାଙ୍କୁ କରେ ବିଚାରକୁ

ଦିଶନ୍ତି ସେ ଏବେ ତୋରା

ନଳଙ୍କ ସଠିକ ୫ଉଦନ୍ତ-୬ଉଦକ

ଲାଭେ ଶୁଷ୍କ ଲତା ପରା ।

ତାଙ୍କ ଭାବ ସ୍ରୋତ- ସ୍ୱତୀ ବ୍ୟଗ୍ରଗତି

ଜେମା ଅଟକି ସେକ୍ଷଣି

କହିଲେ ବିଶ୍ୱାସେ ଚଳିବ ସାକେତେ

ଆମନ୍ତ୍ରିବ ନରମଣି ।

କାଲି ସ୍ୱୟମ୍ବର ଦିନ ରହେ ସ୍ଥିର

ଗୁପ୍ତେ କହିବ ନରେଶେ

ସମୟ ଅଭାବେ ଏଥେ ହେଲି ମୁହିଁ

ମୌଖିକ ରାଜା ଆଦେଶେ ।

ଜେମାଜ୍ଞା ପାଳିଣ ସୁଦେବ ବ୍ରାହ୍ମଣ

ପହୁଞ୍ଚି ଅଯୋଧ୍ୟା ପୁରେ

ରାଜାଙ୍କ ପୁରତେ ହେଲେ ଉପଗତ

ଜଣାନ୍ତି ରାଜା ଛାମୁରେ ।

‘‘ମୁଁ ଯେଣୁ ସଭିକ ନଗର ଚାଳକ

ରାଜନ-ବିଶ୍ୱାସ ପାତ୍ର

ରାଜନ ଦମ୍ପତି ମୋରେ ବହି ପ୍ରୀତି

ପଠାଇଲେ ମତେ ଦୂତ ।

ସୁଗୁଣ ସମ୍ପନ୍ନା ଦମୟନ୍ତୀ ଜେମା

ସର୍ବେ ଜାଣନ୍ତି ଭାରତେ

ରୂପବତୀ ପାଣି- ଗ୍ରହଣେ କେ ମାନୀ

ନୋହିବ ବା ନିଜହିତେ ।

‘ମାଳତୀ ସୁମନ- ମନ ବିମୋହନ

ଫୁଟିଲେହେଁ ବନଦେଶେ

୭ଗନ୍ଧ-ବହ ଗନ୍ଧ ପ୍ରସାରିତ ରଖି

ଭ୍ରମର ମତି ଆକର୍ଷେ ।

ସୁଗୁଣୀ ସୁଗୁଣ ପ୍ରଭା ବିକାଶିତ

କରି ନିଅଇ ନିରତେ

ବିପରୀତ ଜନେ ବିପରୀତ ଗୁଣ

ବାଢ଼ୁଥାନ୍ତି ସିନା ମର୍ତ୍ତ୍ୟେ ।’

ପରଦିନ ସ୍ୱୟ- ମ୍ବର ରହେ ସ୍ଥିର

ଜାଣ ଆହେ ମହାରାଜା

ତବ ଶୁଭାଗମ ଲୋଡ଼ନ୍ତି ରାଜନ

ଆବର ସର୍ବ ପରଜା ।

ସୁଯୋଗ୍ୟା ରମଣୀ ଯୋଗ୍ୟପାତ୍ର ଚିହ୍ନି

ବରିବେ ଭ୍ରମ ବିହୀନ

‘‘ବରଟା କି କେବେ ରାଜହଂସ ଛାଡ଼ି

ଆନେ ରଖେ ଅଭିମାନ ।’’

ରାଜା ମନ-ମୀନ ଦୂତଙ୍କ ୮ଭାଷଣ-

୯ବଡ଼ିଶରେ ହୋଇ ଧୃତ

ଉପାୟ ଚିନ୍ତନେ ବାହୁକେ ଆହ୍ୱାନ

ଆଜ୍ଞା ପଠାଗଲା ଦ୍ରୁତ ।

ତାଙ୍କ ଆଗମନେ କହିଲେ ୧୦ପ୍ରଚ୍ଛନ୍ନ

ଦମୟନ୍ତୀ ସ୍ୱୟମ୍ବର

କାଲି ହେବ କହି ଦୂତକୁ ପଠାଇ

ଽଛନ୍ତି ଭୀମ ନରବର ।

ବହୁଦୂର ପଥ କାହୁଁ ଆମ୍ଭ ରଥ

ଚଳିବ ଏକ ଦିନକେ

ସେ ଚିନ୍ତା-ଘୂର୍ଣ୍ଣିତ- ମସ୍ତକ ମୋହର

ରଖେ ମତେ ବହୁ ଦୁଃଖେ ।

ମଣିଲେ ଯେ ନଳ ସତେ କି ବୃତ୍ରାରି

ନିକ୍ଷେପିଲେ ଯେ ଅଶନି

ଦୁଃଖସରେ ଭାସି- ଥିବାରୁ ଅଜ୍ଞାତେ

ପ୍ରିୟା ସ୍ୱୟମ୍ବରେ ମାନୀ ।

ସତେ କି ମୋ ପ୍ରାଣ- ପ୍ରିୟା ଦମୟନ୍ତୀ

ଆନ ସ୍ୱୟମ୍ବରେ ରତା

ତା ପ୍ରାଣେ ମୋ ପ୍ରାଣ ଥିଲା ବିଜଡ଼ିତ

ରଜନୀଶେ ଜ୍ୟୋତ୍ସ୍ନା ଯଥା ।

୧୧ବିଭାଜ୍ୟ ସେ ନୋହି ବିଭାଗ ହେବାର

ଆଶ୍ଚର୍ଯ୍ୟ କଥା ନିଶ୍ଚୟ

ସତ୍ୟାସତ୍ୟ ବାର୍ତ୍ତା ହୋଇଲା ତର୍କିତ

ପରେ ସଦ୍‌ଭାବ ଉଦୟ ।

ଦୂତକୁ ପଠାଇ ମୋର ବାର୍ତ୍ତା ନେଇ

ଥିଲେ ସୁଚତୁରୀ ଗୋରୀ

କୃତ୍ରିମେ କିବା ସେ ପୁନଃ ସ୍ୱୟମ୍ବରେ

ପକାଇଲେ ଏବେ ହୁରି ।

ଅସତ୍ୟ ଖବର କଲେ ସେହି ସ୍ଥିର

ମତେ ନେବା ପାଇଁ ଛଳ

କରିନେଲେ ସେହି ମୋର ପ୍ରାଣସହି

ମୋ ଦେଖା କରିଣ ମୂଳ ।

ମୁଁ ଯଥା ସାକ୍ଷାତ- ଲାଳସା ବ୍ୟାକୁଳ

ତଥା ରହେ ତାଙ୍କ ମତି

ଘଟଣା ଜ୍ୱଳନ୍ତ- ଉଦାହରଣ ତ

ସଜାଡ଼ିଲେ ବୁଦ୍ଧିମତୀ ।

ନୁହେ ତାଙ୍କ କଳ ମାତ୍ର ଦୈବୀ-ବଳ

ଉଭୟ ହିତ-ସାଧନେ

ପରିଷ୍କାର ପଥ ସେହି ସେ ନିୟତ

ସେ ଭାବ ଆସଇ ମନେ ।

ଏକ ଦିନକେ ତ ବହୁ ଦୂରପଥ

କେ ନେଇ ନପାରେ ରଥ

ମୁଁ ଯେଣୁଁ ବାହକ ସେ ଜାଣନ୍ତି ଠିକ

ମୁଁ ରଥ ନେବା ସମର୍ଥ ।

ମନସ୍ତାପାନଳ ହେଲା ୧୨ନିର୍ବାପଣ

ନଳ କଲେ ମନ ଶାନ୍ତ

କହିଲେ ରାଜନେ ନ ରହି ବିମନେ

ନେବି ଏକ ଦିନେ ରଥ ।

ନକର ଭାବନା ଆହେ ମହାମନା

ମୁଁ ଶ୍ରେଷ୍ଠ ସାରଥି ବିଶ୍ୱେ

ହତାଶ ନହୁଅ ତୋଷ ମନେ ରହ

ଯିବା ସ୍ୱୟମ୍ବର ଦେଶେ ।

ବାହୁକ ବଚନ ବର୍ଷା ୧୩ଘନବନ

ଭରସା-ତରୁ ଜିଆଁଇ

ରଖିବାରୁ ସେହି ବହୁ ପ୍ରୀତ ହୋଇ

ଧନ୍ୟବାଦ ଦେଲେ କହି ।

ପ୍ରଫୁଲ୍ଲ ବଦନେ କହିଲେ ବାହୁକେ

ଅଦ୍‌ଭୁତ ତୁମ୍ଭ ଉତ୍ତର

ମୋ ହୃଦୟ ସିନ୍ଧୁ କରେ ଉଦବେଳିତ

ହୋଇ ପୂର୍ଣ୍ଣ-ଶଶଧର ।

ସାୟଂକାଳେ ଗଲେ ବିଦର୍ଭ ନଗରେ

ତୁମ୍ଭ ୧୪କୃତିତ୍ୱ ୧୫ସୁମନ-

ହାରେ ମଣ୍ଡି ହୋଇ ଦମୟନ୍ତୀ ପାଇ

ସାର୍ଥ କରିବି ଜୀବନ ।

ପ୍ରତି ଉପକାର ନ୍ୟୂନ ନୋହି ମୋର

ବରଂ ହେବ ୧୬ଗରୀୟାନ

କନକ, ରତନ ମଣ୍ଡି ଅପଘନେ

ପ୍ରଦାନିବି ନିଶ୍ଚେ ଗ୍ରାମ ।

ଅକ୍ଷକ୍ରୀଡ଼ା ବିଦ୍ୟା ଗଣିତାଦି ଶାସ୍ତ୍ରେ

ଯେ ଅଛି ମୋର ଦକ୍ଷତା

ସେ ହେବେ ତୁମ୍ଭର ଯୋଗ୍ୟ ପୁରସ୍କାର

ଛଡ଼ାଇବ ମନୁଁ ବ୍ୟଥା ।

 

୧ କୋମଳ ଘାସ, ୨ ଉତ୍ସାହ ରୂପକ ପଦ୍ମ, ୩ ତେଜୀୟାନ, ୪ ଦୂତ, ୫ ଖବର, ୬ ଜଳ, ୭ ପବନ, ୮ ଉକ୍ତି, ୯ ବନଶୀ, ଲାଠି, ୧୦ ଗୁପ୍ତେ, ୧୧ ବିଭାଗ ଯୋଗ୍ୟ, ୧୨ ଲିଭାଇବା, ୧୩ ମେଘ-ଜଳ, ୧୪ କୃତକାର୍ଯ୍ୟତା, ୧୫ ପୁଷ୍ପ, ୧୬ ଗୁରୁତର

☆☆☆

 

ଚତୁର୍ଦ୍ଦଶ ସର୍ଗ

 

ରାଜାଜ୍ଞା ଲଭିଣ ମନ୍ଦୁରା ଗମିଣ

ବାଛିଲେ ସେ ଚାରି ହୟେ

ରୁଗ୍‌ଣ, କ୍ଷୀଣ ୧ବାଜୀ ନେଇ ସେହି ଖୋଜି

ଭେଟିଲେ ଅଯୋଧ୍ୟା ରାୟେ ।

ରାଜୋଚିତ ମତେ ଶସ୍ତ୍ରାସ୍ତ୍ର ସଜ୍ଜିତେ

ପୁରୁଁ ବାହାରି ରାଜନ

ଦେଖିନେଇ ଅଶ୍ୱେ ରହିଲେ ହତାଶେ

ଯେଣୁ ମଣିଲେ ସେ ହୀନ ।

ଆଶ୍ୱାସନା ବାକ୍ୟେ କହିଲେ ବାହୁକ

ମୁଁ ଜାଣେ ଅଶ୍ୱ ଲକ୍ଷଣ

ହେୟଜ୍ଞାନ ନୋହି ପ୍ରୀତେ ନରସାଇଁ

ଚଢ଼ନ୍ତୁ ସୁଦିବ୍ୟ ଯାନ ।

ରାଜନ, ସାରଥି, ବାର୍ଷ୍ଣେୟ ସହିତ

ଆରୋହନ୍ତେ ରଥବର

ଅଶ୍ୱେ ହୋଇ ଭୀତ ହେଲେ ଭୂ-ପତିତ

ରାଜା ହେଲେ କ୍ଷୋଭଭର ।

କିମନ୍ତ୍ରେ ବାହୁକ ହୟ ଚତୁଷ୍ଟୟ

କଲେ ତେଜ, ଓଜବନ୍ତ

ଝଞ୍ଜାବାତ ବତ ୨ଉଚ୍ଚୈଃଶ୍ରବା ଜିତ

ଗତି ସେ କଲେ ପ୍ରଶସ୍ତ ।

ଶତ, ଶତ ଯୁଣ ମାର୍ଗ ଅତିକ୍ରମ

କରିନେଲେ ମୋଦବହି

ସାଗରେ ୩ଅନଳ- ପୋତ ପରକାର

ଦ୍ରୁତ-ଗତି କଲେ ସେହି ।

୪ବିୟତେ ଅନିଳ ଯଥା ରହେ ମିଳି

ତଥା ଅଦୃଶ୍ୟେ ଗମନ୍ତି

ପଲକକେ ବହୁ ଦୂର ଦଉଡ଼ନ୍ତି

କେହି କଳି ନ ପାରନ୍ତି ।

ରାଜା ଉପରାଣ ହେଲା ଭୂ-ପତିତ

ବାହୁକେ ହେଲା ରାଜାଜ୍ଞା

ସ୍ଥିରେ ରଖି ରଥ ଆଣ ସେହି ବସ୍ତ୍ର

ବାହୁକ କଲେ ଅବଜ୍ଞା ।

କହିଲେ ନରେଶେ ଛାଡ଼ ତାର ଆଶା

ପଡ଼ିଲା ସେ ବହୁ ଦୂରେ

ଅଦ୍ୟ ବିଦରଭେ ପ୍ରବେଶ କାମନା

ଥିଲେ ତବ ମାନସରେ ।

ଯାଉଁ ଯାଉଁ ବାଟେ ଶାହାଡ଼ା ପାଦପ

ଆସିଲା ଦୃଷ୍ଟି ଗୋଚରେ

ଶାଖା ପତ୍ର ସଂଖ୍ୟା କରିନେଇ ଲେଖା

କହିଲେ ରାଜା ସ୍ପଷ୍ଟରେ ।

ରୁଜୁ ନ ଦେଖିଲେ ବିଶ୍ୱାସ କି ଭଲେ

ହେବ କହି ନରରାଣେ

ବାହୁକ ଉତୁରି ସବୁ ଲେଖାକରି

ମାନିଲେ ରାଜା ଗଣନେ ।

ଖଳ-କଳି ପରି- ଚାଳିତେ ଯେ ନଳ

ଭୋଗିଲେ କ୍ଳେଶ ଅମିତ

ଅଳ୍ପକାଳେ ଦୂର- ଦୃଷ୍ଟ ନଳଙ୍କର

ବିନାଶ ହେବା ନିଶ୍ଚିତ (ଜାଣିଲା) ।

ତାହାଙ୍କୁ ଏକାକୀ ଦେଖି ନେଲା କଳି

ନିଦାନି ତାହା ସୁକାଳ

ଦେହୁଁ ବହିର୍ଗତ ହୋଇଣ ପୁରତେ

ହାଜର ହେଲା ଚଞ୍ଚଳ ।

ବୋଇଲା ରାଜନ ଦ୍ୱେଷ ଭାବାପନ୍ନ

ହୋଇ ମୁଁ ଦେଲି ଯାତନା

ମୋ ଦୋଷ ସ୍ୱୀକୃତେ କ୍ଷମା ବହି ଚିତ୍ତେ

ମୋ ତ୍ରୁଟି କର ମାର୍ଜନା ।

‘‘କ୍ଷମା ପ୍ରାର୍ଥୀ ପୂର୍ବେ ଶତ୍ରୁ ଥିଲେ ହେଲେ

ସଜ୍ଜନ କରେ ଗ୍ରହଣ

ଶତ୍ରୁ ମିତ୍ର ସମ- ଭାବେ ଯେ ଗଣନ୍ତି

ନୀତିବନ୍ତ ପ୍ରାଣୀ ଗଣ ।’’

ଶତ୍ରୁ-ଭ୍ରାତା ବିଭୀ- ଷଣେ ଅନାଦର

କଲେକି ଦେବ ଶ୍ରୀରାମ

ମିତ୍ର ଭାଇ ବାଳୀ ସଂହାରଣେ ଛଳି

ଥିଲେ ସେ କହେ ପୁରାଣ ।

ନଳ କ୍ଷମା କଲେ ଦେଇ ଅଭୟକୁ

ଚଳିଲେ ସେ ରଥପାଶେ

ଅସ୍ତାଚଳେ ୫ସୂର ପ୍ରବେଶ ପୂର୍ବରୁ

ମିଳିଲେ ବିଦର୍ଭ ଦେଶେ ।

ରୁତୁପନ୍ନ ପ୍ରୀତ ହୋଇଣ ଅମିତ

ନଳେ ଦେଲେ ପୁରସ୍କାର

ଅକ୍ଷକ୍ରୀଡ଼ା ଜ୍ଞାନ ଗଣିତ ନିଦାନ

ତାହାଙ୍କୁ ଦେଲେ ସତ୍ୱର ।

ସ୍ୱାଗତ ୬କୁମୁଦ- ବନ୍ଧୁ ଦେଖି ଜେମା

୭କୁମୁଦ-ହୃଦୟେ ମୋଦ

ପ୍ରବେଶ କରିଣ ନେଲା ଯେ ପ୍ରାସାଦେ

ନଳ ଦେଖିବାକୁ ସଧ ।

ଦେଖିଲେ ସେ ତିନି ଜଣ ରଥାରୋହୀ

କରନ୍ତି ଶୁଭ ବିଜୟ

ପ୍ରାଣପ୍ରିୟ ନଳ ନ ଦେଖି ବିକଳ

ହେଲା ତାହାଙ୍କ ହୃଦୟ ।

ନଳ-ରାଜା ହୟେ ଭୀମ ରାଜାଳୟେ

ଆଣିଥିଲେ ଯେ ବାର୍ଷ୍ଣେୟ

ଶାଳେ ସେହିମାନେ ହ୍ରେଷାରାବ ଦେଇ

ଚମକାନ୍ତି ରାଜାଳୟ ।

‘‘ଥୋକେ ପଶୁ ନିଜ ସ୍ୱାମୀ ଚିହ୍ନୁଥାନ୍ତି

ଆଘ୍ରାଣେନ୍ଦ୍ରିୟ ବଶତଃ

ତହିଁ ମଧ୍ୟୁଁ ହୟ ଏକ ତ ନିଶ୍ଚୟ

ଜାଣିଲେ ଯେ ଥିଲା ସତ୍ୟ ।’’

ସେ ସଙ୍କେତ ଆସି ରାଣୀଙ୍କୁ ଆଶ୍ୱାସି

କହିଲା ତାଙ୍କ ପ୍ରାଣେଶ

ପୁରାଗତ ହେଲେ ସେହି ଶୁଭକାଳେ

ଚିହ୍ନିଲେ ସରଳେ ଅଶ୍ୱ ।

ଭୀମ ରାଜା ଶୁଣି ସ୍ୱପୁରୁଁ ବାହାରି

ପାଛୋଟିଲେ ରୁତୁପନ୍ନେ

ମହା ସମାରୋହେ ନେଇ ତାଙ୍କୁ ଗୃହେ

ରଖିଲେ ତାଙ୍କୁ ବିଭିନ୍ନେ

ଯଥାଯୋଗ୍ୟ ସତ- କାର ସମ୍ପାଦିତ

ହୋଇଲା ଯେ ରୁତୁପନ୍ନେ ।

ଶୁଭ ସମ୍ଭାଷଣେ ଦୁହେଁ ପରକ୍ଷଣେ

ଲାଗିଲେ ଉତ୍ସୁକ ମନେ ।

ଭୀମ ନରପତି ହୋଇ ତୁଷ୍ଟମତି

କହିଲେ ଥରେ ସାକ୍ଷାତ

ଲଭିଥିଲି ପୂର୍ବେ ମୁଁ ରହଇ ଗର୍ବେ

ହେଲି ତ ଏବେ କୃତାର୍ଥ ।

ମୋର ଭାଗ୍ୟବଂଶୁ ମୋ ପୁରେ ଭେଟିଲି

ଯୋଗ୍ୟବୀର ନରମଣି

ଆଗତ କାରଣ ୮ଜିଜ୍ଞାସିତେ ମନ

ବଳି ରହେ ଏହିକ୍ଷଣି ।

ପ୍ରଶ୍ନ ଜଣାଇଲା ମିଥ୍ୟା ସେ ପ୍ରବାଦ

ଦମୟନ୍ତୀ ସ୍ୱୟମ୍ୱର

କେଉଁ କଉଶଳୀ କଉତୁକ ଭାଳି

କଲା ବା ତାହା ପ୍ରଚାର ।

ସତ୍ୟ ସମାଚାର କଲେ ତ ଗୋଚର

ଲଜ୍ଜିତ ହେବେ ନିଦାନ

ସେ ହେତୁ ଅସତ୍ୟ କହିଲେ ରାଜନ

ସାକ୍ଷାତେ ବଳିଲା ମନ ।

ବାର୍ଷ୍ଣେୟ, ବାହୁକେ ନିବାସେ ବିଭିନ୍ନ

ପ୍ରକୋଷ୍ଠ ଯୋଗାଡ଼ ରହେ

ଭଗ୍ନ ମନୋରଥା ହେବା ମନଶ୍ଚିନ୍ତା

ଦମୟନ୍ତେ ଘାରୁଥାଏ ।

ନଳ, ଦ୍ୟୁତି, କାନ୍ତି, ଗୁଣ, ଦୁଃଖତତି

ଚିନ୍ତା ରହିଣ ପୁରତେ

୯ଇନ୍ଦ୍ରଜାଲୀ ବତ ଦେଖାଏ ବହୁତ

ଖେଳା-ପଟୁତା ସାକ୍ଷାତେ ।

କଦା ମନାସନେ ହରଷ ଆସୀନେ

ବଦନେ ଫୁଟାଏ ହାସ

ପରକ୍ଷଣେ ଭାବ ହୁଅଇ ବିଲୟ

ଆର୍ଦ୍ରକରେ ଗଣ୍ଡଦେଶ ।

ବିଷାଦ-ନିର୍ଝର ନୀର-କଣାବତ

ଶୋଭଇ ମୁଖ ମଣ୍ଡଳ

ଜନନୀ ଆଗମ ଆତପ-ତପନ

ଶୁଖାଏ ତାହା ୧୦ତୁମୂଳ ।

କୂଟ ନୀତି ବିଶା- ରଦା ଯେ କେଶିନୀ

ଥିଲା ତାହାଙ୍କ ସଙ୍ଗତେ

ନଳଙ୍କ ଖବର ଆନୟନ ସତ୍ତ୍ୱେ

ରାଣୀ ଧରିଥିଲେ ସାଥେ ।

ପର୍ଣ୍ଣାଦେ ଯା କହି ଥିଲେ ଜେମାଦେଈ

ସେ ପ୍ରଶ୍ନ କରଣେ ଶିକ୍ଷା

ଲଭିଲା କେଶିନୀ ନଳ ନେଇ ଚିହ୍ନି

ସମ୍ମୁଖେ ସେ କଲା ବ୍ୟାଖ୍ୟା ।

ସେ ବାହୁକେ ଦେଖି ପ୍ରତିଅଙ୍ଗ ଳକ୍ଷି

ପଚାରିଲା ପ୍ରଶ୍ନତକ

ପ୍ରଥମ ବ୍ରାହ୍ମଣେ ଯେ ଉତ୍ତରଗଣେ

ଆବୃତି ହେଲା ସେତକ ।

କେଶିନୀ ପଚାରେ ତୁମ୍ଭେ, ନରବର

ଅପର ସଙ୍ଗୀ କିଏସେ

ବାହୁକ ଉତ୍ତର ଦେଲେ ସେ ବାର୍ଷ୍ଣେୟ

ନଳରାଜା ସାରଥି ସେ ।

ରଥ ଚାଳନାରେ ରନ୍ଧନ କାର୍ଯ୍ୟରେ

ଦେଖି ମୋହର ପଟୁତା

ରାଜନ ସାଦରେ ରଖନ୍ତି ଯେ ମୋତେ

ଅଶ୍ୱଶାଳେ କରି ନେତା ।

ଚତୁରା କେଶିନୀ ନ ରହିଣ ତୁନି

କହେ ନଳ ଗଲେ କାହିଁ

ବାହୁକେ କହିଲେ ସେ କାନନେ ଗଲେ

ଠିକଣା ନଜାଣେ କେହି ।

ଆବର ବାର୍ଷ୍ଣେୟ ନଳଙ୍କ ତନୟେ

ଛାଡ଼ିଲେ ମାତୁଳାଳୟେ

କହିବା ବୃତ୍ତାନ୍ତ ସତ କି ଅସତ

ମତେ ତା ବିଦିତ ନୁହେ ।

ବାହୁକ ଇଙ୍ଗିତ ନେଇଣ ନିଦାନି

କେଶିନୀ ସହାସ ମୁଖେ

କହିଲା ଆପଣ କପଟ-ନିଧାନ

ମୁଁ ଜାଣିଲି ସର୍ବ ସୁଖେ ।

‘‘ଆଦିତ୍ୟ କିରଣ ରହିଲେ ଗୋପନେ

ନ ଜାଣେ କି କମଳିନୀ

ଶୋଧିତ-କନକ ଥିଲେ କର୍ଦ୍ଦମାକ୍ତ

ଚିହ୍ନେ ତ ହେମ-ବିନ୍ଧାଣି ।

କାନନେ ମାଳତୀ ରହିଲେ ଗୁପତେ

ନ ଜାଣେ କି ଭୃଙ୍ଗବର

ଘନାଚ୍ଛନ୍ନେ ରହି ଥିଲେହେଁ ସୁଧାଂଶୁ

ଲଭେ କୁମୁଦ ଆଦର ।’’

ମିଥ୍ୟା ଭାଷା କହି ସ୍ୱଜନେ ଭୁଲାଇ

ନେବା ମାତ୍ର ଅକାରଣ

ବିଧି-କୃପା-ବିଧୁ ହେଲେ ବିକଶିତ

ଜଗତ ହେବ ମୋହନ ।

ଦଉଡ଼ି କେଶିନୀ ଗଲା ରାଜପୁରେ

ସମ୍ଭାଷଣପୂରା ଭାବେ

ଭୀମଜାଙ୍କୁ କହି ହର୍ଷମତି ହୋଇ

ତୋରା ଦିଶେ ଭାବେ ହାବେ ।

ରମଣୀ ବିବୃତି ଶୁଣି ଦମୟନ୍ତୀ

ଚିନ୍ତିଲେ ଆନ କୌଶଳ

ବୋଇଲେ ବାହୁକେ ଦେବ ଖାଦ୍ୟ ଦ୍ରବ୍ୟ

ବରଜି ଜଳ, ଅନଳ ।

କହିଲେ ଦାସୀକୁ ଗୋପନେ ତୁ ରହି

ଦେଖିବୁ ରନ୍ଧନ ବିଧି

ଅନଳ, ସଲିଳ ବିହୀନେ ବାହୁକ

କେମନ୍ତ ପାରନ୍ତି ରାନ୍ଧି ।

ଅନୁଜ୍ଞାନୁଯାୟୀ ଦାସୀ ଲୁଚି ରହି

ଦେଖେ ତାଙ୍କ ରନ୍ଧାକ୍ରମ

ପାତ୍ର ସ୍ପର୍ଶେ ଜଳେ ପ୍ରପୂରିତ ରହେ

ତୃଣ ତ ହେଲା ୧୧ଇନ୍ଧନ ।

ଜଳାନଳା ଭାବ ହେଲା ବିଦୂରିତ

ସମାପ୍ତ ହେଲା ରନ୍ଧନ

ଦେଖି ନେଇ ଦାସୀ ଅଦ୍‌ଭୁତ ପ୍ରଣାଳୀ

ଆଶ୍ଚର୍ଯ୍ୟ ହେଲା ସେକ୍ଷଣ ।

ଦେବୋପମ କର୍ମ ବିବୃତି ସମ୍ପୂର୍ଣ୍ଣେ

କରିନେଲା ଜେମା ଆଗେ

ସନ୍ଦେହ-ପାଦପ୧୨ ତାହାଙ୍କ ନିପାତ

କଲା ସତ୍ୱର ସରାଗେ ।

ବିମୃଷ୍ୟକାରିଣୀ ମହା ବିବେକିନୀ

ଲାଗିଲେ ଆନ ପରଖେ

ମାଂସ ତରକାରୀ କିଛି କରି ଚୋରୀ

ବୋଇଲେ ଆଣ ମୋ ପାଖେ ।

ଆଦେଶ ପାଳିତ ହେଲା ବିଧିମତ

ତରକାରୀ ଜେମା ହାତେ

ପଡ଼ିବାରୁ ସେହି ପୁଲକିତା ହୋଇ

ବସିଲେ ତା ପରକ୍ଷିତେ ।

ରସନା ଇନ୍ଦ୍ରିୟେ ନେଲେ ତା ପକାଇ

କହିଲେ ନଳ ବ୍ୟତୀତ

ଆନ କଲେ ପାକ ସେ ରାନ୍ଧଣା ତକ

ସ୍ୱାଦେ ହେବ ପରାଭୂତ ।

ସେ ପୁଙ୍ଖାନୁପୁଙ୍ଖ ପରୀକ୍ଷା ବଶତଃ

ଜଣାନ୍ତି ନଳ ବାହୁକ

ନାମେ ରାଜାପାଶେ ରହନ୍ତି ଗୋପନେ

ନୁହେ ତା କଦା ୧୩ଅଲୀକ ।

ମଘବା ସାରଥି ବିନା କାହା ରଥ

ଗତି ହେବ ବାୟୁଜିତ

ଦିନକେ ଅଯୋଧ୍ୟା ଛାଡ଼ି ବିଦରଭେ

ଯାନ ହେବ ଉପଗତ ।

ମାତଳି ଭାବନା ହେବ ନିଶ୍ଚେ ଊଣା

ପାକ-ବିଧି ସନ୍ଦର୍ଶନେ

ସଲିଳ, ଅନଳ ବିହୀନ ରନ୍ଧନ

କେ କରିବ ନଳ ଆନେ ।

ନଳ ହୟେ ହ୍ରେଷା- ରାବ ନ କରନ୍ତେ

ମାତଳି ହେଲେ ଆଗତ

ସର୍ବ ସମାଚାର କରିନେଇ ଠୁଳ

ସ୍ଥିର କଲେ ନଳ ସେ ତ ।

ଦୁହିତା, ସନ୍ତାନ ଦେଇ ଦାସୀ ସଙ୍ଗେ

ପଠାଇଲେ ଚନ୍ଦ୍ରାନନୀ

କହିଲେ ତାହାକୁ ସମଗ୍ର ଚଳଣି

ନିଦାନିବୁ ହୋଇ ତୁନି ।

ଦେଖି ସେ ଦୁହିଙ୍କୁ ନଳ ସ୍ୱ କୋଳକୁ

ନେଲେ ପ୍ରେମେ ହୋଇ ବନ୍ଧା

୧୪ନେତ୍ରାମ୍ୱୁ ରତନେ ମଣ୍ଡାଇଲେ ବେନି

ମାନସେ ବହିଣ ୧୫ଶ୍ରଦ୍ଧା ।

କେୁଉଁ ଭାଗ୍ୟହୀନ ସନ୍ତାନ ସେମାନେ

କାହୁଁ ହେଲେ ଏଥେ ଆସି

ବଦନ ଦର୍ଶନେ ନବ-ଭାବମାନେ

ମୋ ହୃଦେ ଯାଏ ପ୍ରବେଶି ।

କହୁ କହୁ ତାଙ୍କ କଣ୍ଠ ହେଲା ରୁଦ୍ଧ

ବାତ୍ସଲ୍ୟ-ପ୍ରେମ ପ୍ରବାହ

ପ୍ରବାହିତେ ଦେଲେ ତାଙ୍କୁ ଦାସୀ କରେ

ସିକ୍ତ ବଦନେ ନିଶ୍ଚୟ ।

‘‘ଆହା ପ୍ରେମ ରତ୍ନ କିପରି ସର୍ଜିତ

ହେଲା ବିଶ୍ୱକର୍ତ୍ତା କରେ

କି ବସ୍ତୁ ତହିଁରେ ରହେ ସଂଯୋଜିତ

ଅଦୃଶ୍ୟେ ବିକ୍ରମ ଖେଳେ ।

ପିତା ପ୍ରାଣ-ସାର ଅଂଶ ହୋଇ ମେଳ

ସନ୍ତାନ ହୁଏ ଜନମ

ସେ ହେତୁ ଏକରେ ଆନ ଆକର୍ଷିତ

ହୁଏ ବା ଚୁମ୍ୱକ-ସମ ।’’

ଦୃଶ୍ୟ ଦେଖି ଦାସୀ ମନେ ହୋଇ ତୋଷି

ନେଲା ବାଳିକା ବାଳକ

ଜେମା ପାଖେ ରଖି କହିଲା ସୁମୁଖୀ

ସେ ନଳ ମୁଁ କରେ ଠିକ ।

ଜେମା ଦୁଃଖ-ନାବ ଅଗାଧ ଅର୍ଣ୍ଣବେ

ଭାସୁଥିଲା ଅହରହ

ପରୀକ୍ଷା ସୁଫଳ ହୋଇ କର୍ଣ୍ଣଧାର୧୬

ସମ୍ମୁଖେ ହେଲା ଉଦୟ ।

କିବା ବିଷଜ୍ୱରେ ପ୍ରପୀଡ଼ିତା ନାରୀ

ଥିଲା ୧୭ଅନ୍ତକ ଆଗରେ

ଅନ୍ତରଙ୍ଗ-ମିତ୍ର ସତୀତ୍ୱ ନିଶ୍ଚିତ

ଟାଣି ରଖିଲା ମହୀରେ ।

ହାରିଥିଲା ଜ୍ଞାନ ସେ ଆସିଲା ପୁନଃ

ସ୍ୱାମୀ ଦର୍ଶନ ଲାଳସା

ଶାରୀରିକ ମାନ- ସିକ ବଳରାଶି

ସେ ବୃଦ୍ଧି କଲା ସହସା ।

କହିଲେ ହରଷେ ଯାଅ ମାତା ପାଶେ

କେଶିନୀ ବିନତି ଘେନି

ସକଳ ବିବୃତି କର ଗୋ ଯୁବତୀ

ଆଗତ ମୋ ପ୍ରାଣମଣି ।

ବାହୁକ ବୋଲାଇ ରୁତୁପନ୍ନ ସହ

ଆସିଛନ୍ତି ଆମ୍ଭପୁରେ

ପିତା ସଙ୍ଗେ ଭାଳି ଆଦେଶ ପ୍ରଦାନ

ଦର୍ଶନ କରିବି ଥରେ ।

ତାଙ୍କ ପାଖେ ଯିବି ଅବା ଆମନ୍ତ୍ରିବି

ତାହାଙ୍କୁ ଆମ୍ଭ ନଗରେ

ଦେବେ ଯେ ଆଦେଶ ପାଳିବି ଅବଶ୍ୟ

ଜାଣନ୍ତୁ ସେ କଥା ସ୍ଥିରେ ।

ପିତା, ମାତା ଶୁଣି ସକଳ ନିଦାନି

ଆତପ୍ତ ହୃଦ ବେଦନା

ଶାନ୍ତ କଲେ ବେଳେ କୁତୂହଳ-ଜଳେ

ତେଣୁ ସେ ପ୍ରଫୁଲ୍ଲମନା ।

ସତୀ-ପରାକାଷ୍ଠା- ନନ୍ଦନା ଚରିତ୍ରେ

ନ ହୋଇ ସନ୍ଦିଗ୍‌ଧମନା

କହିଲେ ସେ ଯାନ୍ତୁ ସ୍ୱ-ସ୍ୱାମୀ ଭେଟନ୍ତୁ

ନକରି କିଛି ଭାବନା ।

 

୧ ଅଶ୍ୱ, ୨ ଇନ୍ଦ୍ରଙ୍କ ଅଶ୍ୱ, ୩ ଷ୍ଟିମର୍‍, ବୋଇତ, ୪ ଆକାଶେ, ୫ ସୂର୍ଯ୍ୟ, ୬ ଚନ୍ଦ୍ର, ୭ କଇଁଫୁଲ, ୮ ପଚାରିବା ପାଇଁ, ୯ ଗାରିଡ଼ିଆ, ୧୦ ସମଗ୍ର, ୧୧ ଜାଳକାଷ୍ଠ, ୧୨ ବୃକ୍ଷ, ୧୩ ମିଥ୍ୟା, ୧୪ ଅଶ୍ରୁ, ୧୫ ଆଦର, ୧୬ ନାବିକ, ୧୭ ଯମ

☆☆☆

 

ପଞ୍ଚଦଶ ସର୍ଗ

 

ଜନକ-ଜନନୀ ସ୍ୱୀକୃତି-ପୀୟୂଷ-

ଧାର ଲଭି ଜେମା-ଦେଈ

ଭାବିଲେ ଶୋଧିତ ହେଲା ତାଙ୍କ ଗାତ୍ର

ପତି-ପ୍ରାଣା ହେବେ ସେହି ।

‘‘ହୟେ ଦୃଢ଼ତର ପ୍ରଗ୍ରହ ଲଗାଇ

କଶା-ଯୁତେ ପ୍ରହାରଣ

କଲେ ତାର ଗତି ରହେ ଯଥାମତେ

ତଥା ସେ କଲେ ଗମନ ।’’

ପତିଭିନ୍ନା ହୋଇ ତିନି ବର୍ଷ ରହି

ଭୋଗିଲେ ନାନା ଯାତନା

ସୁଦିନ-ସୁଧାଂଶୁ ମନୋହର କର

ବଶେ ସେ ହେଲେ ମୋହନା ।

ପୁରେ ଦେବ-ଶଙ୍ଖ ହେଲା ନିନାଦିତ

ଶୁଭ ସମୟ ଶକୁନ

ଜଣାଏ ସଭିଙ୍କୁ ନଳ, ଦମୟନ୍ତୀ

ଆଜ ହୋଇବେ ମିଳନ ।

ସ୍ୱୟମ୍ୱର କାଳ ଦମୟନ୍ତୀ ନଳ

ନୁହନ୍ତି ତ ଆଜ ସେହି

ବହୁ କଷ୍ଟତର ୧ପରୀକ୍ଷାକୁପାର

ପାରି ହୋଇଛନ୍ତି ଦୁଇ ।

ଆଗେ ପ୍ରେମ-ରସ ଥିଲା ତ ଅଜ୍ଞାତ

ଶିଖିଲେ ତା କାଳକ୍ରମେ

ପୂର୍ଣ୍ଣ ମନୋରଥ ହୋଇ ପ୍ରେମ ସୌଧେ

ବସିବା ହେଲେ ସକ୍ଷମ ।

ସେ ସମୟେ କାଳ ଯା’ଗତି କୁଟିଳ

ବିଭିନ୍ନେ ରଖେ ଉଭୟ

ବିବିଧ ଯନ୍ତ୍ରଣା ୨କୁଠାର ଆଘାତେ

କଷିଲା ତାଙ୍କ ହୃଦୟ ।

‘‘କଷ୍ଟ ଭୋଗେ ସିନା ସୁମିଷ୍ଟ ଜୀବନ

ଯାତ୍ରା କରେ ସୁଜ୍ଞ ନର

କଷ୍ଟ-ବିଭୀଷିକା ଯେ କରେ ଉପେକ୍ଷା

ସଂସାରେ ସେ ନୁହେ ବର ।

ସ୍ୱଚ୍ଛ ହେମ ସମ ଅଟେ ଯେ ଜୀବନ

ଦହନ, ଦଳନ ପରେ

ନିଷ୍କଳଙ୍କ ହୁଏ ଜନ ମନ ମୋହେ

(ତଥା) ମାନବ ବାଧା, ବିଘ୍ନରେ ।

ରସାଜ୍ଞାନ ଉପ- ଲବ୍‌ଧି କରଣାର୍ଥେ

ଯାତନା ମାତ୍ର ୩ନିକଷ

ତହିଁରେ ୪ନିକାଷ ହେଲେ ଥରେ ମାତ୍ର

ସୁଗୁଣ ହେବ ୫ନିକାଶ ।

ତହୁଁ ପାର ହୋଇ ଥିବାରୁ ସେ ଦୁଇ

ପ୍ରେମ ତାଙ୍କ ଜ୍ୟୋତିର୍ମୟ

ଅଚ୍ଛେଦ୍ୟ, ଅଭେଦ୍ୟ ଅଟଇ ସର୍ବଦା

କେବେହେଁ ନୋହିବ କ୍ଷୟ ।

ବଳି ଦମୟନ୍ତୀ ନଳଙ୍କ ପୂରତେ

ଛିଡ଼ା ହେଲେ ପ୍ରୀତଭରେ

ତାଙ୍କ ବପୁ, କାନ୍ତି ଦେଖିଣ ଅଶାନ୍ତି-

ମାନସେ ରହିଲେ ଥରେ ।

ଦମ୍ପତି ମାନସ ପୁଲକେ ପୂରିତ

ସ୍ୱେଦ ଆପାଦ ମସ୍ତକେ

୬ପ୍ରସ୍ରବଣ ସମ ପ୍ରବାହିତ ହୋଇ

ଉଭୟେ ରଖିଲା ଶୋକେ ।

ଉଚ୍ଚସ୍ୱରେ ନଳ କଲାରୁ କ୍ରନ୍ଦନ

ଦମୟନ୍ତୀ ତଥାମତେ

ଆଚରଣ କରି କମ୍ପାଇଲେ ପୁରୀ

ନିର୍ବେଦ ହେଲେ ସମସ୍ତେ ।

ନଳ ସହଚରୀ କେଶିନୀ ଚତୁରୀ

ହର୍ଷ, ବିଷାଦ ଜଡ଼ିତ

ଥିଲା ଛିଡ଼ାରହି ଦୁଇ ଦେଖି ନେଇ

ନୋହି ୭ପ୍ରବୋଧନେ ରତ ।

କ୍ରନ୍ଦନ ସଙ୍ଗମେ ଖେଳିଲା ସ୍ପନ୍ଦନ

ସ୍ୱର-ଭଙ୍ଗ ଆସି ପରେ

ଉଭୟେ ବନ୍ଧନ କଲା କିଛିକ୍ଷଣ

ପ୍ରେମ ସଙ୍ଗୀ ପରକାରେ ।

କଥୋପକଥନେ ହେବାକୁ ପ୍ରବୃତ୍ତ

ଦମୟନ୍ତୀ ଭାବି ମନେ

ବୋଇଲେ କାହାକୁ ଦେଖିଛକି କେବେ

ଯେ ପତ୍ନୀ ଛାଡ଼ିଲେ ବନେ ।

ତା’ ୮ସଂବେଶ ଜାଣି କାଟିଣ ବାସାନ୍ତ

ଏକାକିନୀ ଛାଡ଼େ ତାକୁ

ବ୍ୟାଘ୍ର, ଭଲ୍ଲୁକାଦି ହିଂସ୍ର ଜନ୍ତୁ ମୁଖେ

ପକାଇ ନିଜ ପ୍ରିୟାକୁ ।

ବାକ୍ୟ-ଶର ବିଦ୍ଧ ବିଦାରିତ ହୃଦେ

ଦେଲେ ସେ ନଳ ଉତ୍ତର

ସମୟ, ଅବସ୍ଥା ଲକ୍ଷେ କେ ପୁରୁଷ

ବାଧ୍ୟେ କଲା ସେ ଆଚାର ।

ନିଜ ଦୁଃଖେ ସୁକୋ- ମଳା ରାଜବଳା

ଭାଗିନୀ ହେବା ଆଶ୍ରେୟ

ସେ ଭାବ ପୂରିତ ସନ୍ତପ୍ତ ହୃଦୟେ

ଛାଡ଼ିଲା ପତ୍ନୀ ନିଶ୍ଚୟ ।

ସେ ମାତ୍ର ସାମାନ୍ୟ ପତ୍ନୀ ଆଚରଣ

ଅଟଇ ତ ଗୁରୁତର

ଭରତା ଜୀବିତେ କାହିଁ ପତିବ୍ରତା

କରେ ଆନ ସ୍ୱୟମ୍ୱର ।

ସେଥିରେ ପତିର ନଥିଲେ ବିଚାର

ପତ୍ନୀ କିପାଁ ପତି ଦୋଷ

ଦୁଃସମୟ ଜାଣି ଘୋଷିବ ଭାମିନୀ

ସଦା ବହି ମନେ ରୋଷ ।

ବାକ୍ୟ ପ୍ରତିବାକ୍ୟ ପ୍ରୟୋଗେ ଉଭୟ

ଲାଗିଗଲେ କିଛିକ୍ଷଣ

ପବନ-ବଚନ ଗଗନୁଁ ଶ୍ରବଣ-

ଗୋଚର ହେଲା ସେକ୍ଷଣ ।

‘‘ନଳ ତବ ଗୁଣ, ଚରିତ୍ରାନୁପମ

ଅଟନ୍ତି ଯେ ଦମୟନ୍ତୀ

ସିନ୍ଧୁ-ଜେମା ବତ ସୁଗୁଣ ମଣ୍ଡିତ

ରସାଧାମେ ବିହରନ୍ତି ।

ଶଶାଙ୍କେ କଳଙ୍କ ହରିଙ୍କେ କଳଙ୍କ

ଲାଗିଛି କହନ୍ତି ବୁଧ

ଆବର କନକେ ସେ ରହେ ଜଡ଼ିତ

ବ୍ୟବହାର ହୀନେ ମଧ୍ୟ ।

ଦମୟନ୍ତୀ ରାଣୀ ନିଷ୍କଳଙ୍କ-ଦ୍ରୋଣୀ

ସତୀଗଣ ଶିରରତ୍ନ

କଳଙ୍କିତା ବୋଲି ତାହାଙ୍କୁ କହିବା

ତ୍ରିଲୋକେ କେହି ନାହିଁ ତ ।

ସେ ଆକାଶ-ବାଣୀ ନଳ ନେଇ ଶୁଣି

ନିରେଖିଲେ ପ୍ରାଣପ୍ରିୟା

ସଜଳ ନୟନେ ଦେଖା ଦେଖି ହୋଇ

କଳନ୍ତି ଅନ୍ୟୋନ୍ୟ ୯ହିୟା ।

ବିରୂପ କାରଣ ରାଣୀ ପଚାରନ୍ତେ

କର୍କୋଟ ନାଗ ଚରିତ

ଜଣାଇ ତାହାଙ୍କୁ ବାସ ଲଭିନେଲେ

ବପୁ ହେଲା ପୂର୍ବବତ ।

୧୦ବିଧୁନ୍ତୁଦ ମୁଖେ ପଡ଼ି ବିଧୁ ଦୁଃଖେ

ହାରିଥିଲା ନିଜ କାନ୍ତି

ତା ଗ୍ରାସୁଁ ବିମୁକ୍ତି ହୋଇ ବିଜେକଲା

ଗୃହେ ଗଲା ଦ୍ୟୁତି ମାତି ।

ଦମ୍ପତି ଇଙ୍ଗିତ ଭାବ, ହାବ ଦେଖି

କେଶିନୀ ଗଲା ବାହାରେ

ଆନନ୍ଦ ସରିତ- ପତି କଲ୍ଲୋଳିତେ

ଫିଙ୍ଗେ ତାକୁ ଭୀମପୁରେ ।

ତର ତର ହୋଇ ଦ୍ରୁତ ଗତି ବିହି

ପ୍ରବେଶି ରାଣୀ ଛାମୁରେ

ମହା ମହିମାନ ସତ୍ୟ ଭଗବାନେ

(କରେ) ଧନ୍ୟବାଦ ଉଚ୍ଚସ୍ୱରେ ।

ଶୁଭ ସମାଚାର ବ୍ୟାଖ୍ୟାନି ସମଗ୍ର

ହସେ, ନାଚେ କୁତୂହଳେ

ସତ୍ୟର ବିଜୟ ହୋଇଲା ନିଶ୍ଚୟ

ଜେମା, ନଳ ଏକ ହେଲେ ।

ଜାମାତା ନନ୍ଦନା ସଂଖୋଳନା ଅର୍ଥେ

ରାଣୀ ଦେଲେ ପରାମର୍ଶ

କହିଲେ ରାଜନ କାଲି ସେ ବିଧାନ

ଚଳାଇବା ନୋହି ଭ୍ରଂଶ ।

ସୁଖ, ଶାନ୍ତି କ୍ରମେ କାଟନ୍ତୁ ଯାମିନୀ

ନ ଦେବା ଦମ୍ପତେ ବିଘ୍ନ

ବହୁକାଳ ପରେ ଶୁଭ ସମାଗମ

ବିଧି କଲେ ସଂଘଟନ ।

ପ୍ରେମ ଅନୁଭବୀ ରାଜା ନେଇ ଭାବି

କହିଲେ ପ୍ରେମ ସୁ-ସାର

ଧରା ବହି ଅଙ୍ଗେ ବିତରେ ସରାଗେ

ସୁଯୋଗ୍ୟ ପାତ୍ରେ ନିକର ।

ସେହି ପ୍ରେମ ଯେଣୁ ଅଟେ ସୁଧା ସମ

ନ କରେ କେ ଅନାଦର

କପଟେ ଜଡ଼ିତ ଥିଲେ କଳୁଷିତ

ସେ କିମ୍ଭୂତ କିମାକାର ।

 

୧ ପରୀକ୍ଷା ସମୁଦ୍ର, ୨ କୁହ୍ରାଡ଼ି, ୩ କଷ୍ଟିପଥର, ୪ ପରୀକ୍ଷିତ, ୫ ବିକାଶ, ୬ ଝରଣା, ୭ ସାନ୍ତ୍ୱନା, ୮ ନିଦ୍ରା, ୯ ହୃଦୟ, ୧୦ ରାହୁ,

☆☆☆

 

ଷୋଡ଼ଶ ସର୍ଗ

 

ଗାତ୍ରୋତ୍ଥାନ ପରେ ନଳ ଶୁଣି ନେଲେ

କମ୍ୱୁ, ସିଂହାରବେ ପୁର

ନିନାଦିତ ଯେଣୁ କାରଣ ନିଦାନେ

ହୋଇଲେ ସେ ତତପର ।

ଦେଖିଲେ ସେ ଦାଣ୍ଡେ ଶୁକ୍ଳ ନିକେତନ୧

ଶ୍ରେଣୀ-ବଦ୍ଧେ ଯେ ରହନ୍ତି

ପୂର୍ଣ୍ଣକୁମ୍ଭ ସହ ପ୍ରଦୀପ ସମୂହ

ପ୍ରତିଦ୍ୱାରେ ବିରାଜନ୍ତି ।

୨ମାର୍ତ୍ତଣ୍ଡ ମରୀଚି ବଶେ ଦୀପଜ୍ୟୋତି

କ୍ରମେ ରହଇ ସକ୍ଷୀଣେ

ସେ ହେତୁ ସେମାନେ ଦର୍ଶକ ଦର୍ଶନେ

ଆସେ ବା ୩ଜ୍ୟୋତିରିଙ୍ଗଣେ ।

ଶତ-ଶତ-ଚୂତ ପତ୍ରେ ହୋଇ ଯୁତ

ତୋରଣା ପୁଷ୍ପେ ଗ୍ରଥିତ

ବିରାଜନ୍ତି ପୁର- ଆକାଶେ ନିକର

୪ସୁରେନ୍ଦ୍ର-ଧନୁ ନିନ୍ଦିତ ।

ଜୟ ଦମୟନ୍ତୀ- ନଳ ନାମାବୃତି

ଯୋଗୁଁ ପୁର ଉଚ୍ଛ୍ରୁଳିତ

ଦୀର୍ଘାୟୁ କାମନା ନର, ନାରୀଗଣେ

କରଣେ ଥିଲେ ଉନ୍ମତ୍ତ ।

ରାଣୀ ଶୁଣି ସ୍ୱନ ବାହାରି ସେକ୍ଷଣ

ପ୍ରବେଶିଲେ ସ୍ୱାମୀପାଶେ

ନିରେଖିଲେ ଦାଣ୍ଡ ମୋହନ ମଣ୍ଡନୀ

ଜନେ ଥିଲେ ପରିତୋଷେ ।

ଦିଶିଲା ସେ କ୍ଷଣି ଭଦ୍ର-ଜନ ଶ୍ରେଣୀ

ଆସୁଥିଲେ ଶୁଭ୍ରବାସେ

ଦାଣ୍ଡ ବିମୋହନ- ମଣ୍ଡନୀ ଦର୍ଶନ

କରି ହେଲେ ନଳାବାସେ ।

କନ୍ୟା ଜ୍ୱାଇଁ ଦୁଇ ଭେଟିବା କାମନା

ପୂରିତେ ରାଜ ଦମ୍ପତି

ସେମାନଙ୍କୁ ଦେଖି ଦୁହେଁ ହୋଇ ସୁଖୀ

ପ୍ରଣମିଲେ ଯଥାରୀତି ।

କହିଲେ ଆବର ଉଭୟ ଆଶିଷେ

୫ବିଲୟ ହେଲା ଦୁର୍ଦ୍ଦିନ

ବହୁ କ୍ଳେଶ ଭୋଗ ଥିଲା ଆମ୍ଭ ଭାଗ୍ୟେ

ପରେ ଯେ ହେଲୁ ମିଳନ ।

ଆଶାତୀତ ଫଳ ହେଲା ସମାକୁଳ

ତବାଶୀର୍ବାଦୁଁ ନିୟତ

ସୁରେ ସୁଧାପାନେ ହେଲେ ଯେ ଭାଜନ

ବିଷ୍ଣୁ-ମୋହିନୀ ବଶତ ।

ରାଜା ରାଣୀ ଦୁହେଁ କରି ମୂର୍ଦ୍ଧାଘ୍ରାଣ

କହିଲେ ରାଜ-ବିଭୂତି୬

ଅଚିରେ ମଣ୍ଡିତେ ରହ ଏ ଭାରତେ

ଖେଳାଇ ସର୍ବତ୍ର କୀର୍ତ୍ତି ।

ରୁତୁପନ୍ନ ନର- ଈଶ ଆସି ମିଶି

କହିଲେ ହେ ନଳରାଣ

ଗୋପନେ ମୋ ପୁରେ ରହିଲେ ଆପଣ

ଯଥା ହୃଦେ ନାରାୟଣ ।

ଭାବଇ ମୁଁ ମନେ ଅଜ୍ଞାତେହେଁ ଦିନେ

କରିନାହିଁ ଅସମ୍ମାନ

ପୁର-ଜନେ କେବେ ଥିଲେ ଅସଦ୍ଭାବେ୭

ସେ ତ୍ରୁଟି କର ମାର୍ଜନ ।

ତବ କୃପା-ଦର- ଶନ ବଳେ ମୋର

ଦୁର୍ଦ୍ଦିନ ହେବ ହରଣ

ବାରେ ବାରେ ଦେଖା ମାତ୍ର ମୋର ଭିକ୍ଷା

କର କୃପାଳୁ ଗ୍ରହଣ ।

ଦମୟନ୍ତୀ ରାଣୀ ହୋଇ ସୁଦୟିନୀ

କ୍ଷମନ୍ତୁ ମୋର ୮ଧୃଷ୍ଟତା

‘‘ଖଞ୍ଜ ହୋଇ ନିଶା- ପତେ କର ପାତି

ନେବା କଲି ବାରେ ଚିନ୍ତା ।’’

ସତୀ ପ୍ରତିବ୍ରତା ଯୋଗ୍ୟ ଯେଉଁ ଯୁବା

କରିବ ତାଙ୍କୁ ପ୍ରେୟସୀ

ତ୍ରିଭୁବନେ ଆନ କେହି ବିଦ୍ୟମାନ

ଅଛି ସେ କର-ଲାଳସୀ ।

‘‘୯ମଧୁମାନ-ସୁମେ ମଧୁପ ଆଦର

କରୁଥାଏ ମନାବେଗେ

କୁଷ୍ମାଣ୍ଡ କୁସୁମେ କେବେ କି ସେ ରମେ

ଥିଲେହେଁ ସେ କ୍ଷୁଧାଯୋଗେ ।’’

ନଳ ଗୁଣାବଳୀ ଗୁଣବତୀ ବାଳୀ

ମନ ବନ୍ଧନେ ବନ୍ଧନୀ

ଅଟେ ବୋଲି ମାତ୍ର ସରବ ଜଗତ

ଜନେ ନେଉଥାନ୍ତି ମାନି ।

ବାର୍ଷ୍ଣେୟ ଆଗତ ହୋଇଣ ପୁରତେ

କହିଲେ ହୋଇ ବିନୀତ

ମୁଁ ତବ ସାରଥି- ପଦୁଁ ୧୦ଅବ୍ୟାହତି

ନୋହିବି ଜାଣ ନିଶ୍ଚିତ ।

ସରବେ ମିଳିତେ ରାଜପୁର-ପଥେ

ଗମନ କଲେ ତା’ ପରେ

ବାଳିକା, ବାଳକ ଉତ୍‌ଫୁଲ୍ଲ ନିନାଦ

ବ୍ୟାପେ ପୁରେ ସମଗରେ ।

କିଛି ଦିନ ପୁରେ ସେ କରି ବିଶ୍ରାମ

କୁତୁକେ କାଳ କଟାନ୍ତି

ପତି, ପତ୍ନୀ ସୁତ- ସୁତା ସମ୍ମିଳିତେ

ପ୍ରେମ ସମ୍ପଦ ଭୋଗନ୍ତି ।

ଗଲାରୁ ଦୁର୍ଦ୍ଦିନ ସ୍ୱସ୍ଥାନାଭିମାନ

କଲା ତାଙ୍କୁ ଆକର୍ଷଣ

ବେଳେ ବେଳେ ରାଜ୍ୟ ୧୧ପାରିଷଦ-ବ୍ରଜ

କରିନେଲେ ସେ ସ୍ମରଣ ।

‘‘କହନ୍ତି ସୁଜନେ ନିଜ ଜନ୍ମ ସ୍ଥାନେ

ସରବେ ମଣନ୍ତି ଶ୍ରେୟ

ହେଲେ ସ୍ଥାନ ଚ୍ୟୂତ ନର, କେଶ, ଦନ୍ତ

ନଖାଦି (ଅଟନ୍ତି) ଅଶୋଭନୀୟ ।’’

ରାଜ୍ୟ ରାଜଗାଦି କାହାକୁ ଉନ୍ମାଦ

ନ ଆଣଇ ବାରେ ମନେ

‘‘ହେମ ପଞ୍ଜରୀସ୍ଥ ଥିଲେ ଶୁକ, ଶାରୀ

ସେ ଲୋଡ଼େ ବନ ଭବନେ ।’’

ସେହେତୁ ସ୍ୱପୁର ଫେରିବା କାମରେ

ନଳ କହିଲେ ଶ୍ୱଶୁରେ

ନରପତି ଆଜ୍ଞା ଲଭି ବହୁ ସଂଖ୍ୟା

ସେନାଦି ହେଲେ ଛାମୁରେ ।

ହୟ, ଗଜ, ସାଦୀ୧୨ ୧୩ନିଷାଦୀ ବରଗେ

ଭେଟିନେଲେ ନରରାଣେ

ରତ୍ନ, ଭୂଷା, ଧନ ବିବିଧ ପ୍ରଦାନ

(ରାଜା) କଲେ ଯୌତୁକ ସମାନେ ।

ଦମୟନ୍ତୀ ସହ- ଚରୀ ବୃନ୍ଦ ସହ

କଲେ ପ୍ରୟାଣ ସ୍ୱ-ଯାନେ

ନଳ-ବାମ-ଭାଗ ଶୋଭା ବୃଦ୍ଧି କଲେ

ଯଥା ଲକ୍ଷ୍ମୀ-ନାରାୟଣେ ।

ନଳ ରାଜଧାନୀ ପୁନରାବର୍ତ୍ତନ

ସମାଚାର ବାୟୁବେଗେ

ଚଳିଲା ନିଷଧେ ଜନେ ରହି ମୋଦେ

ନିରେଖିଲେ ରହି ମାର୍ଗେ ।

ପୁରଜନେ ପୁର କଲେ ସୁସଜ୍ଜିତ

ସଂକୀର୍ତ୍ତନ ଦଳ ଜମି

ନାଚି କୁତୂହଳେ ବିଷ୍ଣୁ ଗୁଣାବଳୀ

ଗାନେ ପୁତ କଲେ ଭୂମି ।

ସରବେ ଯେ ନଳେ ଭୂମିଷ୍ଠ ପ୍ରଣାମେ

ଗଲେ ତାହାଙ୍କ ୧୪ଗହଣେ

ଖଳ-ଦ୍ୱେଷୀ ନର- ପତି ଯେ ପୁଷ୍କର

ଲାଗିଲେ ତା ନିବାରଣେ ।

‘‘ପ୍ରଦୀପ ନିର୍ବାଣ ଗନ୍ଧକୁ ଗ୍ରହଣ

ଗତାୟୁ ଯଥା ନ କରେ

ଧରଣୀ ସଶିଷ୍ଟ- ଆଚାର ବିଶ୍ଳିଷ୍ଟ୧୫

ଦେଖାଗଲେ ସେ ପ୍ରକାରେ ।’’

ଉଦାର-ଚରିତ- ବାନ ନଳରାଣ

ଭ୍ରାତୃ-ଦ୍ୱେଷେ ନିର୍ବାସିତ

ଥିଲେ ଯେଣୁ ହେଲେ ସ୍ୱପୁର ଆଗତ

ଜନେ ସମ୍ମାନେ ନିଯୁକ୍ତ ।

ଈକ୍ଷୁ ରସ ଛାଡ଼ି ୧୬ପିଚୁମର୍ଦେ ଜଡ଼ି

ରହିବ କେ ନରାଧମ

ସଦଜ୍ଞାନ ଯାର ହୃଦେ କରେ ଘର

ସୁଜ୍ଞାନେ ଦିଏ ସମ୍ମାନ ।

ରାଜାଜ୍ଞା ଲଙ୍ଘନ କଲେ ପୁରଜନେ

ରହିଲେ ସେ ନଳ-ପାଶେ

ମିଳିତେ ସରବେ ହେଲେ ପୁରଦ୍ୱାରେ

ତହୁଁ ଫେରିଲେ ସ୍ୱ-ବାସେ ।

ନଳଙ୍କ ୧୭ସ୍ୱାଗତ ହେଲା ପ୍ରକାଶିତ

ପୁଷ୍କର ରାଜା ନିକଟେ

କ୍ରୂର ଦୁରାଚାରୀ ନ ନେଲା ଆଦରି

ପଡ଼ିଣ ସଦା ସଙ୍କଟେ ।

ବଳେ ରାଜ୍ୟନେବା ଉଦ୍ଦେଶ୍ୟେ ବା ଆସି

ମିଳିଲେ ନିଷଧ ପୁରେ

ବିତାଡ଼ିତ ଯୋଗ୍ୟ ଅଟନ୍ତି ତ ନଳ

ନ ଭେଟିଲେ ଅହଂକାରେ ।

କୋପାନଳେ ନଳ ହୋଇ ପ୍ରଜ୍ଜ୍ୱଳିତ

ଚଳିଲେ ରାଜା ପୁରତେ୧୮

କହିଲେ ନରେଶେ କ୍ରୀଡ଼ନ ସକାଶେ

ପ୍ରବେଶ ହେଲି ମୁଁ ଏଥେ ।

ରହିଲେ ପୁଷ୍କର ବଧିର ପ୍ରକାର

ନ ଦେଇ କିଛି ଉତ୍ତର

ପକ୍ୱାମ୍ରାସ୍ୱାଦନେ ରତ ବାନର କି

ହେଲେ ଛାଡ଼େ ତା ଆହାର ।

ସୁମିଷ୍ଟ ଆହ୍ୱାନ ଫଳ ଉତ୍ପାଦନ

ନ କଲାରୁ ନଳ-କ୍ରୋଧ

୧୯ଉଦ୍ରେକ ହୋଇଣ ତାହାଙ୍କୁ ଅସ୍ଥିରେ

ରଖିବା କରିଲା ସଧ ।

‘‘ଲୋଭୀ ଜନ ଧନେ କ୍ରୋଧୀ ଜନ ଦୈନ୍ୟେ

ମୂଢ଼କୁ ତା’ ରୀତିକ୍ରମେ

ଆୟତ୍ତ କରିବା ନୀତି ଅନୁଶ୍ରୁତି

କରିନେଲେ ସେ ମରମେ ।’’

ଶାଣିତ ୨୦କୃପାଣ ସ୍ୱକରେ ଧରିଣ

କହିଲେ ନ କଲେ ଖେଳା

ଶାସ୍ତ୍ରେ ତୁମ୍ଭ ଶିର କାଟିବି ନିକର

ତୁଟାଇବି ଇହ-ଲୀଳା ।

ରାଜା ସକାତରେ କହିଲେ ସଧୀରେ

କି ୨୧ହୁଡ଼ କହ ତ ମତେ

ହାରିଛି ସରବ ସମ୍ପଦ ତ ପୂର୍ବେ

ଏବେ କିସ ଅଛି ହାତେ ।

ନିଷଧ-ଗଗନ- ଚନ୍ଦ୍ର ଦମୟନ୍ତୀ

ତାଙ୍କ ସଙ୍ଗେ ତୁମ୍ଭ ରାଜ୍ୟ

ହୁଡ଼ ହେଲା ବୋଲି କହିନେଇ ନଳ

ଡାକିଲେ ହେ ହୁଅ ସଜ ।

ନାମ ଉଚ୍ଚାରଣେ ହେଳେ ଉଚ୍ଚାଟନ-

ବିଳେଶୟ ହୃଦବିଳେ

ପୁଷ୍କରଙ୍କ ପଶି ଜ୍ଞାନ ଦେଲା ନାଶି

ରହିଲେ ତେଣୁ ବିକଳେ ।

ବୋଲନ୍ତି ନିଶ୍ଚୟ ଖେଳେ ଅପଜୟ

ତେଣୁ ଦମୟନ୍ତୀ ମୋର

ହୋଇ ଅର୍ଦ୍ଧାଙ୍ଗିନୀ ହରାଇ ଅନଙ୍ଗ

ମତେ ତୋଷିବେ ନିକର ।

ସୁର-ପୁରେ ଦେବ- କନ୍ୟା ଅଗଣନା

ଗନ୍ଧର୍ବ, ଯକ୍ଷ ରମଣୀ

ଛାଡ଼ିଲେ ମଘବା ହେୟ ଜ୍ଞାନ ଭାବେ

ଆଶା କଲେ ତାଙ୍କ ପାଣି ।

ବରୁଣ, କୁବେର ପ୍ରେତପତିଙ୍କର

ଯାରେ ଥିଲା ଅଭିରୁଚି

ସେହି ଦମୟନ୍ତୀ ପ୍ରେମେ ନିତି ନିତି

ସାଧିବେ ମୋ ମନରୁଚି ।

ମନାକାଶେ ସେହି ନିର୍ମାଣି ୨୨ସଉଧ

ହାରିନେଇ ବୁଦ୍ଧିଜ୍ଞାନ

କ୍ରୀଡ଼ନେ ସ୍ୱୀକୃତି କଲେ ନରପତି

ଦୁରାଶା ଶଶ-ବିଷାଣ୨୩ ।

୨୪ଆକାଶ-କୁସୁମ ମାତ୍ର ମନ-ଭ୍ରମ

ସେ ଭାବ ନଧରି ମନେ

ପୁରାଖେଳ ବେଳେ ନିଷଧ ଲଭିଲେ

ଆଶା କଲେ ସତୀ-ଧନେ ।

ଅକ୍ଷ-କ୍ରୀଡ଼ା ଜ୍ଞାନ ପ୍ରବୀଣ ଯେ ନଳ

ରୁତୁପନ୍ନ ପ୍ରସାଦତଃ

ନ ଜାଣି ପୁଷ୍କର ମାନସ ଆତୁରେ

ହେଲେ ଦ୍ୟୁତକ୍ରୀଡ଼ାସକ୍ତ ।

ଯେହେତୁ ଉଭୟ ହୁଡ଼ ଯେ ନିଶ୍ଚୟ

ହୋଇଥିଲା ତ ପ୍ରଥମେ

ଦାନ ପଡ଼ି ନଳେ କଲା ସମ୍ମାନିତ

ବସିଲେ ସେ ରାଜାସନେ ।

ବିରସ ବଦନେ ରହିଲେ ପୁଷ୍କର

ଚିନ୍ତି ନେଇ ନିଜ ହାନି

ପୌରୁଷ, ବଡ଼ିମା ତାହାଙ୍କୁ ବରଜି

ନଳେ ରହିଲା ସମ୍ମାନି ।

‘‘ଭାଗ୍ୟଚକ୍ର ଗତି ନ ଜାଣି ମାନବ

କରଇ ବୃଥାଭିମାନ

କାଳେ ଦୁଃଖ ହ୍ରଦେ ବୁଡ଼ି ସେ ବିଷାଦେ

ରହଇ ହାରିଣ ଜ୍ଞାନ ।’’

ବିଗତ ଚିନ୍ତିଣ ସଜ୍ଜନ ଆଗତେ

ହୁଏ ୨୫ପ୍ରତ୍ୟୁତ୍ପନ୍ନା ମନା

୨୬ଯଦ୍‌ଭବିଷ୍ୟରୀତି ଧରି ମୂଢ଼ ମତି

ରହେ ପୂରିତ କାମନା ।

‘‘ଯେ ଦିଏ ଅପରେ ବିବିଧ ଯାତନା

ଦିନେ ତାର କ୍ଳେଶ ଭୋଗ’’

ସେ ନୀତି ପୁଷ୍କର ମନାସନେ ଘର

କଲା ବହି ଅନୁରାଗ ।

ଗଲା ବଡ଼ପଣ ଶାସକ ଗୁମାନ

ରହିଲେ ଅରକ୍ଷ ପ୍ରାଣୀ

ଯା’ ଅହିତ ଚିନ୍ତି ସେ ହେଲେ ନୃପତି

ମାଗି ତାଙ୍କ କ୍ଷମାଶ୍ରେଣୀ ।

 

୧ ପତାକା, ୨ ସୂର୍ଯ୍ୟକିରଣ, ୩ ଜୁଳୁଜୁଳାପୋକ, ୪ ଇନ୍ଦ୍ରଧନୁ, ୫ ବିନାଶ, ୬ ଐଶ୍ୱର୍ଯ୍ୟ, ୭ ଅସାଧୁମତେ, ୮ ଅସହିଷ୍ଣୁତା, ୯ ମକରନ୍ଦ ପୂର୍ଣ୍ଣ ପୁଷ୍ପେ, ୧୦ ନିସ୍ତାର, ୧୧ ସଭିକ ସମୂହ, ୧୨ ଅଶ୍ୱାରୋହୀ, ୧୩ ଗଜାରୋହୀ, ୧୪ ରାଜାଙ୍କ ସଙ୍ଗେ, ୧୫ ଶିଥିଳ, ୧୬ ଲିମ୍ୱରେ, ୧୭ ଶୁଭାଗମନ, ୧୮ ଅଗ୍ରତେ, ୧୯ ଉତ୍ତେଜନ, ୨୦ ଖଣ୍ଡା, ୨୧ ପଣ, ୨୨ ଅଟ୍ଟାଳିକା, ୨୩ ଶଶକଶୃଙ୍ଗ ପ୍ରାୟ ମିଥ୍ୟା, ୨୪ ମିଥ୍ୟାବିଷୟ, ୨୫ କାର୍ଯ୍ୟ କାଳୋଚିତ ବୁଦ୍ଧି, ୨୬ ଭାବୀ ଘଟନାପେକ୍ଷା

☆☆☆

 

ସପ୍ତଦଶ ସର୍ଗ

 

ଭକ୍ତି ଭରେ ନଳେ ସେ ପ୍ରଣାମ କଲେ

ଦନ୍ତେ ଧରିଣ ତିରଣ

ଦେଲି ବହୁକ୍ଳେଶ ଆହେ ନରଈଶ

କ୍ଷମା କର ହୀନ-କର୍ମ ।

ଯା’ ହେଲା ଘଟିତ ତା ମୋରେ ଅଜ୍ଞାତ

ଅଗ୍ରଜେ ମୋ ଅନାଦର

ବଢ଼ିବା କାରଣୁଁ ସନ୍ତପ୍ତ ହୃଦୟେ

କାଟେ ମୁଁ ନିଶି ବାସର ।

କ୍ଷାତ୍ର ବୀରବର କ୍ଷମା ଗୁଣାଧାର

ଅଟ ଯେହେତୁ ରାଜନ

ମୋ ସରବ ଦୋଷ ହେବ ତ ମାର୍ଜିତ

ଆଶାପୂର୍ଣ୍ଣ ରହେ ମନ ।

କ୍ଷମା-ଗୁଣୀ ହୃଦ କ୍ଷମାକୁ ଆଚରେ

ହେଲେହେଁ କେ ୧ଆତତାୟୀ

ଅପକାର ୨ଗୁଳି ସେ ଯାଇ ପାସୋରି

ଦୋଷୀ କ୍ଷମା କରେ ସେହି ।

ପୁଷ୍କର କାପଟ୍ୟେ ନଳରାଜା ରୁଷ୍ଟେ

ରହିଥିଲେହେଁ ସେକ୍ଷଣି

୩ନବନୀତ ହୃଦ କଲା ତରଳିତ

ତାଙ୍କ ଅନୁତାପ ବାଣୀ ।

କହିଲେ ମାତର କ୍ରୂର, ଦୁରାଚାରୀ

ଆଶା କଲୁ ରାଣୀପ୍ରେମ

ତୋ ପ୍ରାଣ ବିନାଶେ ନୋହି ପାପ ଲେଶ

ବରଂ ଧର୍ମ ହେବ ମାନ ।

ସତୀ ଦମୟନ୍ତୀ ପାଦାଗ୍ରତେ ପଡ଼ି

କ୍ଷମାଭିକ୍ଷା କର ଏବେ

ସେ ଦୋଷ ମାର୍ଜନା କଲେ ମୁହିଁ ସିନା

ଶାସ୍ତିଦେବି ଯଥା ଭାବେ ।

ଉପଦେଶ ପାଳି ନେଲେ ଯଥା ଭଳି

ନଳ କହିଲେ ସୁହୃଦେ

ତୋର ଭୋଗ୍ୟ ରାଜ୍ୟ ତୁ ଭୋଗି ସହଜେ

କାଳ କାଟିନିଅ ମୁଦେ ।

ପ୍ରଜା ପ୍ରପୀଡ଼ନ ଅସଦାଚରଣ

ନିରତେ କର ବର୍ଜନ

ପର ସତୀ-ମାନ ରକ୍ଷଣେ ତୁ ମନ

ଦେଉଥାଅ ଅନୁକ୍ଷଣ ।

ଦୟା-ଶାନ୍ତି ପୂର୍ଣ୍ଣ ରହୁ ତୋ ଶାସନ

ଅରକ୍ଷେ ଯୋଗାଅ ବୃତ୍ତି

ସୁଯୋଗ୍ୟ ୪ସଚିବେ ରଖି ମିତ୍ର ଭାବେ

ନ୍ୟାୟେ ଚାଲୁଥାଅ କ୍ଷିତି ।

ଦମୟନ୍ତୀ ପାଦେ ପଡ଼ି ସେ ବିଷାଦେ

କହିଲେ ମୋ ଦୋଷ କ୍ଷମା

କର ବୋଲି ଏବେ ମାଗଇ ସରାଗେ

ତୁମ୍ଭେ ତ ମୋ ମାତା ସମା ।

ମଳ, ମୂତ୍ର ତ୍ୟାଗ କଲେ କେ ଭୂଭାଗେ

ବସୁମତୀ କ୍ରୋଧମନା

ହୁଏ ବୋଲି କେବେ ଥରେ କେ ଭାବିବ

ତଥା କରହେ ଭାବନା ।

ନିନ୍ଦିଲେ ଜନନୀ ସନ୍ତାନର ହାନି

ମାତାକୁ ନଲାଗେ ତାହା

ନିନ୍ଦା ଫଳ ଭୋଗେ ନିନ୍ଦୁକ କେବଳ

ବାଢ଼ୁଥାଏ ନିଜ ସ୍ପୃହା ।

ଅନ୍ନ କଷ୍ଟେ ପଡ଼ି ରହିବା ମାନବେ

ଯୋଗାଉଥିବୁ ଆହାର

ତୋ ଦାନେ ପ୍ରଚୁର ସୁଖ୍ୟାତି ପ୍ରଚୁର

ହୋଇବ ତ ବିଶ୍ୱେ ତୋର ।

‘‘ପରହିତେ ରତ ତୁ ଥିଲେ ନିୟତ

ଅଦୃଶ୍ୟ-ଶକ୍ତି ତୋ ହିତ

ଗୋପନେ ସାଧିବ ମାନ ଦୃଢ଼ ଭାବେ

ସେହି ସେ ସଜ୍ଜନ ମିତ ।’’

ଆବର କହଇ ତୁ ନିଷଧସାଇଁ

ଅନୁଗତେ ରହି ସଦା

୫ଆପ୍ତ ଭାବେ ନର- ପତିଙ୍କ ଆଦର

ବଢ଼ାଉଁଥିବୁ ସର୍ବଦା ।

ମିତ୍ର ରାଜ୍ୟ ତୋର ହେଲେ ଯେ ନିକର

ଶତ୍ରୁ ଭୀତି ଯିବ ଦୂରେ

‘‘ଯଥା ସମ୍ମିଳିତ ତୃଣେ ରଜ୍ଜୁ ଥିଲେ

ବନ୍ଧାଯିବ ଗଜ-ବରେ ।’’

ଉପଦେଶାବଳୀ ରତ୍ନହାର ଭଳି

ମଣ୍ଡିତେ ରହି ପୁଷ୍କର

ଉଭୟ ଶ୍ରୀପଦେ ପ୍ରଣାମି ସେ ମୁଦେ

ଚଳିଗଲେ ନିଜ ପୁର ।

ଲୁହା ଦହି ନେଇ ଉହା ପରେ ଥୋଇ

ପ୍ରହାରେ ଆଭା ଯେମନ୍ତ

ତଥା ସେ ଦୁର୍ବୃତ୍ତ ଚିତ୍ତ ବୃତ୍ତି ତତି

ବଦଳି ଗଲେ ତୁରନ୍ତ ।

ଶାସକ-ଧରମ- ସୁବୀଜ ବପନ

ହେଲା ଯେଣୁ ତାଙ୍କ ହୃଦେ

ଅଭ୍ୟାସ ସଲିଳ ଲଭି ବାର ବାର

ପୁଷ୍କରେ ରଖିଲା ମୋଦେ ।

ଦଣ୍ଡଯୋଗ୍ୟ ସେହି ଅଦଣ୍ଡ୍ୟ ଯେ ହୋଇ

ମଣିଲେ ନିଜକୁ ତ୍ରାହି

ଭୂରି ଭୂରି ପର- ଶଂସା ପୁରଃସର

ନଳେ ଦେଲେ ସେହି ଦ୍ରୋହୀ ।

 

୧ ବିନାଶକାରୀ, ୨ ସମୂହ, ୩ ନହୁଣୀ, ୪ ମନ୍ତ୍ରିମାନଙ୍କୁ, ୫ ଆତ୍ମୀୟ

☆☆☆

 

ଅଷ୍ଟାଦଶ ସର୍ଗ

 

ନଳ ମହାଭାଗ ପରିଷଦବର୍ଗ

ଡକାଇ ନେଲେ ବହନେ

କହିଲେ ଦୁର୍ଦ୍ଦଶା ବଶେ ସେ ବିଦେଶେ

ଥିଲେ ମିଳିଲେ ସ୍ୱଜନେ ।

ଦୁର୍ଗତି କାହାଣୀ ନ ନେଲେ ବ୍ୟାଖ୍ୟାନି

ଶୁଣାଇବା ତା ଅଶ୍ରେୟ

ଦୁଃଖ ଅନୁଭବ କରିବେ ସରବେ

ସେ ଭାବ ଯେଣୁ ଉଦୟ ।

ବୋଇଲେ ପୁଷ୍କର ବହୁ ଅତ୍ୟାଚାର

କରିନେଲେ ସ୍ୱଳ୍ପ କାଳେ

ପ୍ରଜା ଦୁଃଖେ ଦୁଃଖୀ ନଳେ ନେଇ ଲେଖି

ତାଙ୍କୁ ଦାୟୀ କର ବେଳେ ।

ନଥାଇ କାରଣ ରାଜା, ପ୍ରଜାଗଣ

ଭୋଗିଲେ କ୍ଳେଶ ଅପାର

କେଉଁ ଭାବେ ବିଭୁ ଘଟାଇଲେ ସବୁ

ସେ ନୀତି ତାଙ୍କୁ ଗୋଚର ।

ଯେ ଯା’ କାର୍ଯ୍ୟାବଳୀ ଗତ ଯେ ନ ଭାଳି

କରହେ ବହି ସରାଗ

ତ୍ରୁଟି ବିନା କାମ ହେଲେ ସମାପନ

ନୋହିବ କେହି ବିରାଗ ।

ରାଜା ମାତ୍ର ଏକ ସୁଦକ୍ଷ ଚାଳକ

ବଳେ ଚଳାନ୍ତି ମେଦିନୀ

ଶାସନ ବିଧାନ ନିୟମ ପାଳନ

କରମୀ ନିଅନ୍ତି ମାନି ।

କୃଷକ ଆଦେଶେ ଯଥା କୃଷି-ପଶୁ

କରନ୍ତି ଭୂମି କର୍ଷଣ

ତଥା ରାଜାଦେଶେ ଯେ ପରିଚାରକେ

ଚଳୁଥାନ୍ତି ଅନୁକ୍ଷଣ ।

ସଭିଙ୍କ ରକ୍ଷଣା- ବେକ୍ଷଣେ ନୃପତି

ଦେଉଥାନ୍ତି ନିତି ମତି

ସ୍ୱ କର୍ତ୍ତବ୍ୟ କରି ସର୍ବ କର୍ମଚାରୀ

ଶାସନ ତନ୍ତ୍ର ଚଳାନ୍ତି ।

ବାର୍ଷ୍ଣେୟ ଡକାଇ କହିଲେ ତା ପରେ

ରଥେ ଚଳି ବିଦରଭେ

ଆମ୍ଭ ସୁତା, ସୁତ ଆଣ ହେ ସଙ୍ଗତେ

କହ ରାଜନେ ସରବେ ।

ଆବର କହିବ କୋଟି ନମସ୍କାର

ଆମ୍ଭର ସେହି ଘେନିବେ

ତାହାଙ୍କ ଆଶିଷେ ଶୁଭେ ଆମ୍ଭେ ଦେଶେ

ରହିବୁ ପୂର୍ଣ୍ଣ ବିଭବେ ।

ରାଜାଜ୍ଞା-ଉଷ୍ଣୀଶ୧ ମଣ୍ଡିତେ ବାର୍ଷ୍ଣେୟ

ଚଳିଲେ ବିଦର୍ଭ ପୁରେ

ନଳଙ୍କ ବିଭୂତି ପୁଷ୍କର ଦୁର୍ଗତି

ଜଣାଇଲେ ନରବରେ ।

କିଛି ଦିନ ପରେ କୁମାରୀ, କୁମାର

ନେଲେ ସେ ନିଷଧପୁରେ

ବିନୀତ ପ୍ରଣାମ କରି ନରରାଣେ

ଗଲେ ସେ ନିଜ ଅଗାରେ ।

ନଳ, ଦମୟନ୍ତୀ ଦଶା ବିପର୍ଯ୍ୟୟ

କୁହାଗଲା ମୁଖେ ମୁଖେ

ଯେ ଥିଲେ ବ୍ୟଥିତ ସେ ହେଲେ ସୁଖିତ

ବାର୍ତ୍ତା ଗଲା ସୁର ଲୋକେ ।

ମଘବାଦି ଶୁଣି ହୋଇଲେ ତୃପତ

ଆବର କଳି, ଦ୍ୱାପର

ଦୁର୍ଦ୍ଦଶାକୁ ଦାୟୀ ଯେଣୁ ସେ ଉଭୟ

ଲଜ୍ଜିତ ହେଲେ ଅପାର ।

ବୀରସେନ ଯାଗେ ପାଇ ହବିର୍ଭାଗ

ଦେବ କେତେ ଥିଲେ ଋଣୀ

ତାଙ୍କ କୁମାରଙ୍କ ଶୁଭ ସମାଚାର

ଶ୍ରଦ୍ଧାଭରେ ନେଲେ ଶୁଣି ।

କଳି ଓ ଦ୍ୱାପର ଅନୁତାପ ସରେ

ବୁଡ଼ି ରହି ଅନୁକ୍ଷଣ

ରାଜା-ପୁରାଗତ ହେଲେ ସେ ତୁରିତ

ସଙ୍ଗେ ଥୋକେ ଦେବ-ଗଣ ।

ଯେହି ଆତତାୟୀ ସମ୍ମୁଖେ ସେ ହୋଇ

କରିଲେ କ୍ଷମା ମାଗୁଣି

ନିଶ୍ଚିତ ତା ଲଭି ହେବ ବୋଲି ଭାବି

ଆଗତ ହେଲେ ଧରଣୀ ।

ମିଳିତେ ସରବେ ପ୍ରବେଶି ପ୍ରାସାଦେ

ଭେଟିଲେ ନଳ ନରେଶ

ଯଥାଯୋଗ୍ୟ ମାନ୍ୟ କରି ସେ ଗ୍ରହଣ

ଦେଲେ ଆଶିଷ ଅଶେଷ ।

ନିଜ ଦୋଷ ମାନି ନେଲେ ଯୁଗ ବେନି

ଚାଟୁ ବାକ୍ୟାବଳୀ ବିହି

କହିଲେ ଯା’ କଲୁ ଆମ୍ଭର ତା ନୁହେ

ବିଧାନିଲେ ବିଜ୍ଞ ବିହି ।

ସୁଖ ସ୍ୱଚ୍ଛନ୍ଦରେ ଥିଲ ଯେ ଦମ୍ପତି

ରସା କଷ୍ଟେ ଅଜ୍ଞ ହୋଇ

ବିବିଧ ଯାତନା ହୋଇଲା ଘଟଣା

ରସାୟନ ହେଲେ ସେହି ।

ଦୃଢ଼, ସତ୍ୟବ୍ରତ ତବେ ଆଚରିତ

ଅବିଚଳିତ ମାନସ

ତୁମ୍ଭର କେବଳ ଜାଣୁ ମହୀପାଳ

ସୁଚିନ୍ତା ନିରତେ ରସ ।

ଆତ୍ମ ଅଭିମାନ ବର୍ଜିତେ ଆପଣ

ନିଜକୁ ତୃଣ ସମାନ

ଜ୍ଞାନ କରୁଥାଅ ହେଲେ ଶୂରବର

ରାଜାଧିରାଜ ନିଦାନ ।

ପରଜାଙ୍କୁ ପାଳ ଆତ୍ମଜ ସମାନ

ପରୋପକାରେ ନିରତେ

କାଳ କାଟି ନେଇ ଦ୍ୱେଷ ମନୁ ଫେଇ

ବଳୁଥାଅ ସତପଥେ ।

ରାଜ-କୋଷ ଦୀନ ଜନଙ୍କ ପୋଷଣେ

କରୁଥାଅ ନିଯୋଜିତ

ଭରଣ ପୋଷଣ ଉପାୟ ବିହୀନ

ଜୀବ ନରହେ ଦେଶେ ତ ।

ଯୋଗୀ ମନୋବୃତ୍ତି ତୁମ୍ଭଠାରେ ମାତି

ରହିଥାଏ ଜ୍ଞାନୀ-ବର

ଶର୍କରାରେ ଯଥା ମିଷ୍ଟରସ ରହେ

ବିଭାଜ୍ୟ ନୋହି ନିକର ।

ଦମୟନ୍ତୀ ରାଣୀ ପୂତ-ଗୁଣ ଖଣି

ପରାକାଷ୍ଠା ସତୀ ଭୂଷା

ଭୂଷିତେ ରହନ୍ତି ନାହିଁ କିଛି ଭ୍ରାନ୍ତି

ଶଚି ସମ ସେହି ଯୋଷା ।

ବିଚକ୍ଷଣ ବୁଦ୍ଧି ପ୍ରସିଦ୍ଧ ମନ୍ତ୍ରଣା

ବଳେ ତାଙ୍କୁ କେ ନ ବଳେ

ଭୂଦେବୀ ଗର୍ବୀତ ହେବାର ଉଚିତ

ଧରିଣ ତାହାଙ୍କୁ କୋଳେ ।

ରସା ମାୟା-ଡୋର ଦମ୍ପତି ବାହାରେ

ଖେଳି ରହିଥାଏ ସିନା

ଶତ୍ରୁ ହେଲେ ହେଲେ ପାଦାଗ୍ରତେ ପଡ଼ି

ଦିଏ ନିଶ୍ଚେ ସମ୍ଭାବନା ।

ଆମ୍ଭର ଆଶିଷ ବଶେ ଯେ ଦମ୍ପତି

ଦୀର୍ଘାୟୁ ହୋଇ ବିହର

ସତ୍ୟ ନାରାୟଣ ନୟନ-ଅୟନେ

ରଖି ଅହରହ ହର ।

ରଚୟିତା ଅଭି- ମନ୍ୟୁ ମନକ୍ଷୋଭେ

ଭାସି ରହେ ଭାବ-ସରେ

ଭାବୀ ହିତାହିତ ନ ଚିନ୍ତି ମାନସେ

ନିରହଙ୍କାରେ ବିହରେ ।

ଦେବକୀ-ନନ୍ଦନ ଦେବ କିସ ଦୀନ

ଦେବୋତ୍ତର ସର୍ବ କିନା

ଏ ବିଶ୍ୱ ଚାଳକ ପାଳକ ମାଲିକ

ଘେନ ମୋ ଦୈନ୍ୟ ବନ୍ଦନା ।

 

୧ ପଗଡ଼ି

☆☆☆

 

ଉପସଂହାର

 

ଶୈବଳିନୀ ଶୈବଳେ ରହିବା ସମୁଚିତ

ବାରି-ଗୁଣ ତାର ବଳେ ନୁହେ ବିକଳିତ

ଖୁଣ ଛାଡ଼ି ଗୁଣ ଗୁଣି ନେବେ ଗୁଣି-ଜନ

ମଧୁକର ମଧୁମାନ-ସୁମେ ଯଥା ମନ ।

Image